ଭାରତମାଳା ଯୋଜନା:  ଆର୍ଥିକ କରିଡର ନିର୍ମାଣରେ ଏବେ ଜଙ୍ଗଲ କଣ୍ଟା ସାଜିଛି

ଭାରତମାଳା ଯୋଜନା: ଆର୍ଥିକ କରିଡର ନିର୍ମାଣରେ ଏବେ ଜଙ୍ଗଲ କଣ୍ଟା ସାଜିଛି

ପ୍ରିଜମ ନ୍ୟୁଜ ବ୍ୟୁରୋ: ଆର୍ଥିକ କରିଡର ନିର୍ମାଣରେ ଏବେ ଜଙ୍ଗଲ କଣ୍ଟା ସାଜିଛି । ଗଛକଟାରେ ବିଳମ୍ବ ହେତୁ ଓଡିଶା ମଧ୍ୟ ଦେଇ ନିର୍ମାଣ ହେଉଥିବା ରାୟପୁର-ବିଶାଖାପାଟଣା ଆର୍ଥିକ କରଡର କାର୍ଯ୍ୟ ଆଗେଇ ପାରୁନାହିଁ ।

ଭାରତମାଳା ଯୋଜନାରେ ନିର୍ମାଣ ହେଉଥିବା ଏହି ୪୬୪ କିଲୋମିଟର ଦୀର୍ଘ ଅର୍ଥନୈତିକ କରିଡର ସଡକଟି ରାଜ୍ୟର ଦୁଇ ଜିଲ୍ଲା ନବରଙ୍ଗପୁର ଓ କୋରାପୁଟ ଦେଇ ଯିବ । ଏହି ଦୁଇ ଜିଲ୍ଲାରେ ଏହାର ଲମ୍ବ ୨୪୦ କିଲୋମିଟର ରହିଛି । ତେବେ ରାଜ୍ୟ ଜଙ୍ଗଲ ବିଭାଗ ଏହି ସଡକ ନିର୍ମାଣ ପାଇଁ ଗଛ କାଟୁନଥିବା ଓ କାର୍ଯ୍ୟାଦେଶ ପ୍ରଦାନ କରୁନଥିବାରୁ ଆର୍ଥିକ କରିଡର ଏବେ ଓଡିଶାରେ ମନ୍ଥର ହୋଇଯାଇଥିବା ଅଭିଯୋଗ ହେଉଛି ।

ସୂଚନା ଅନୁଯାୟୀ ଚଳିତ ବର୍ଷ ଜାନୁଆରୀ ୪ତାରିଖରେ ପ୍ରଥମ ପର୍ଯ୍ୟାୟରେ ୩୬୪ ହେକ୍ଟର ଜଙ୍ଗଲ ଜମି ପାଇଁ ଅନୁମତି ମିଳିଛି । ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ (ଏନ୍‍ଏଚ୍‍ଏଆଇ) ରାଜ୍ୟ ଜଙ୍ଗଲ ବିଭାଗର ଦାବି ମୁତାବକ ୨୪କୋଟି ୭୬ଲକ୍ଷ ଟଙ୍କା ପଇଠ କରିଛନ୍ତି । ତେବେ ଜଙ୍ଗଲ ବିଭାଗ ବର୍ତ୍ତମାନ ସୁଦ୍ଧା କ୍ଷତିପୂରକ ବନୀକରଣ ପାଇଁ ଡିମାଣ୍ଡ ନୋଟ୍‍ ଜାରି କରୁନାହାନ୍ତି କି ବନ୍ୟଜନ୍ତୁ ସଂରକ୍ଷଣ ନେଇ ସ୍ୱତନ୍ତ୍ର ସ୍ଥାନ ଚିହ୍ନଟ କରିନଥିବା ଅଭିଯୋଗ ହେଉଛି ।

କ୍ଷତିପୂରକ ବନୀକରଣ ପ୍ରସ୍ତାବ ପଡି ରହିବା ଏବଂ ବନ୍ୟଜନ୍ତୁ ସଂରକ୍ଷଣ ଯୋଜନା ହେବାରେ ବିଳମ୍ବ ଯୋଗୁଁ ଏନ୍‍ଏଚ୍‍ଏଆଇ କର୍ତ୍ତୃପକ୍ଷ ଏବେ ଗଛ କାଟିବା ଓ କାର୍ଯ୍ୟ ଆରମ୍ଭ ପାଇଁ ଅନୁମତି ପ୍ରଦାନ ଲାଗି ଅନୁରୋଧ କରିଛନ୍ତି। ଏହି ଦୁଇଟି ଅନୁମତି ଉଭୟ କୋରାପୁଟ ଓ ନବରଙ୍ଗପୁରର ଜିଲ୍ଲା କର୍ତ୍ତୃପକ୍ଷ ପ୍ରଦାନ କରିବେ । ସେହିଭଳି ଅନ୍ୟ ଏକ ପ୍ରସ୍ତାବ ନବରଙ୍ଗପୁର, ଜୟପୁର ଓ କୋରାପୁଟ ବନ ବିଭାଗ ଅଧିକାରୀଙ୍କ ନିକଟରେ ପଡି ରହିଥିବା ଜଣାଯାଏ ।

ସେହିଭଳି ଜାତୀୟ ରାଜପଥ ନିର୍ମାଣ ପାଇଁ ଆବଶ୍ୟକ ପଡୁଥିବା ବନ୍ୟପ୍ରାଣୀ ଚଳାଚଳ ପଥ ପ୍ରତିଷ୍ଠା କ୍ଷେତ୍ରରେ ଅନ୍ତରାୟ ଉପୁଜୁଛି । କାରଣ ଏଗୁଡିକ କେଉଁ ସ୍ଥାନରେ ପ୍ରତିଷ୍ଠା କରାଯିବ ତାହାକୁ ନେଇ ସହମତି ପ୍ରକାଶ ପାଉନାହିଁ । ଏଥିପାଇଁ ଆଠଗଡ ବନଖଣ୍ଡ ଇଲାକାରେ ରାଜପଥ ନିର୍ମାଣ କ୍ଷେତ୍ରରେ ଅନ୍ତରାୟ ଉପୁଜିଛି । କେତେକ ସ୍ଥାନରେ ଏହି ଧରଣର ପଥ ନିର୍ମାଣ ପାଇଁ ସ୍ଥାନୀୟ ବାସିନ୍ଦାଙ୍କର ବିରୋଧ ହେଉଛି ।

ଏଠାରେ ଉଲ୍ଲେଖ କରାଯାଇପାରେ ଯେ ହାତୀଙ୍କ ପାଇଁ ରାଜପଥ ତଳେ ଯାତାୟତ ସୁବିଧା ଲାଗି ନିଷ୍ପତ୍ତି ହୋଇଥିଲେ ସୁଦ୍ଧା ତାହା କାର୍ଯ୍ୟକାରୀ ହେବାରେ ବିଳମ୍ବ ପରିଲକ୍ଷିତ ହେଉଛି । ବରିଷ୍ଠ ଅଧିକାରୀଙ୍କ ସ୍ତରରେ ହେଉଥିବା ନିଷ୍ପତ୍ତି ତଳ ସ୍ତରରେ କାର୍ଯ୍ୟକାରୀରେ ବିଳମ୍ବ ଘଟୁଛି । ଏଥିଯୋଗୁଁ ଜାତୀୟ ରାଜପଥ ସମ୍ପ୍ରସାରଣ ଓ ନୂତନ ରାଜପଥ ନିର୍ମାଣ କ୍ଷେତ୍ରରେ ଘୋର ଅନ୍ତରାୟ ସୃଷ୍ଟି ପରିଲକ୍ଷିତ ହେଉଛି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: