ଦେଶର ୧୦ଟି ବଡ଼ ରାଜ୍ୟରେ ଇଂରାଜୀ ମିଡିୟମରେ ମୁସଲିମ୍ ପିଲା, ହିନ୍ଦୁଙ୍କ ଅପେକ୍ଷା ଅଧିକ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: କେନ୍ଦ୍ର ସରକାର ଘୋଷଣା କରିଛନ୍ତି ନୂଆ ଶିକ୍ଷାନୀତି। ଏଥିରେ ସ୍କୁଲ ଶିକ୍ଷାରୁ ଆରମ୍ଭ କରି ଉଚ୍ଚଶିକ୍ଷା ପର୍ଯ୍ୟନ୍ତ ପରିବର୍ତ୍ତନ କରାଯାଇଛି। ଆତ୍ମନିର୍ଭରଶୀଳ ଭାରତର ଏହି ନୂଆ ଶିକ୍ଷାନୀତିକୁ ନେଇ ଲୋକମାନେ ବି ବେଶ୍ ଖୁସି ଅଛନ୍ତି। ଏଣିକି ସ୍କୁଲ ଶିକ୍ଷା ପାଇଁ ୧୦+୨ ନୁହେଁ, ୫+୩+୩+୪ ଆବଶ୍ୟକ। ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନେ ମାତୃଭାଷାରେ ହିଁ ପାଠ ପଢ଼ିବେ। ଏସବୁ ଭିତରେ ପିଲାମାନଙ୍କୁ ନିଜର ମନ ପସନ୍ଦର ବିଷୟ ଚୟନ କରିବାକୁ ପଡ଼ିବ। ଏହାକୁ ନେଇ ସାରା ଦେଶରେ ତର୍କ-ବିତର୍କ ବି ଦେଖାଦେଉଛି। ନିକଟରେ ନ୍ୟାସନାଲ ଷ୍ଟାଟିଷ୍ଟିକାଲ ଅଫିସ ମଧ୍ୟ ଏକ ଶିକ୍ଷା ରିପୋର୍ଟ ପ୍ରସ୍ତୁତ କରିଛି। ଏହି ସର୍ଭେ ୨୦୧୭-୧୮ରେ କରାଯାଇଥିଲା। ଏଥିରେ ଶିକ୍ଷାକୁ ନେଇ ବଡ଼ସ୍ତରରେ ଦୂରତା ଏବଂ ଭିନ୍ନ ଭିନ୍ନ ଗ୍ରୁପରେ ଅସମାନତା ଦେଖିବାକୁ ମିଳିଛି।

ଏହି ରିପୋର୍ଟ ମୁତାବକ, ଭାରତରେ ସାକ୍ଷରତା ହାର ୭୭.୭ ପ୍ରତିଶତ। ସହରାଞ୍ଚଳରେ ଏହି ଗ୍ରାଫ୍ ୮୭.୭ ପ୍ରତିଶତ ରହିଥିବାବେଳେ ଗ୍ରାମାଞ୍ଚଳରେ ୭୩.୫ ପ୍ରତିଶତ ରହିଛି। ପାଖାପାଖି ୧୪ ପ୍ରତିଶତ ଦୂରତା ରହିଛି। ସେହିପରି ଲିଙ୍ଗ ଆଧାରରେ ଦେଖିଲେ ପୁରୁଷ ସାକ୍ଷରତା ହାର ୮୪.୭ ପ୍ରତିଶତ ରହିଥିବାବେଳେ ମହିଳା ସାକ୍ଷରତା ହାର ୭୦.୩ ପ୍ରତିଶତ ରହିଛି। ଏହି ରିପୋର୍ଟ ଅନୁସାରେ, ମୁସଲିମ ସାକ୍ଷରତା ହାର ଅନ୍ୟ ଧର୍ମର ସାକ୍ଷରତା ହାର ଠାରୁ କମ୍ ରହିଛି। କେତେକ ସ୍ଥାନରେ ଏହି ହାର ଏସସି/ଏସଟି ଠାରୁ ମଧ୍ୟ ଆହୁରି କମ୍। ରିପୋର୍ଟ ଅନୁସାରେ, ୩ରୁ ୩୫ ବର୍ଷ ମଧ୍ୟରେ ଥିବା ୧୭ ପ୍ରତିଶତ ମୁସଲିମ ପିଲା କେବେ ସ୍କୁଲ ଯାଇ ନାହାନ୍ତି। ସେହିପରି ୧୩.୪ ପ୍ରତିଶତ ଏସସି ଓ ୧୪.୭ ପ୍ରତିଶତ ଏସଟି ପିଲା ସ୍କୁଲ ଯାଇ ନାହାନ୍ତି। ଯଦି ମୁସଲିମ ମହିଳାଙ୍କ କଥା ବିଚାର କରିବା, ତେବେ ଏହା ୨୧.୯ ପ୍ରତିଶତ।

ଅଣ ଏସସି, ଏସଟି କିମ୍ୱା ଓବିସି ବ୍ୟତୀତ ଅନ୍ୟ ଗ୍ରୁପ କଥା ବିଚାର କଲେ, ସେମାନଙ୍କ ପୁରୁଷ ସାକ୍ଷରତା ହାର ୯୧ ପ୍ରତିଶତ ଏବଂ ମହିଳା ସାକ୍ଷରତା ହାର ୮୧ ପ୍ରତିଶତ। ଇସାଇ ଧର୍ମ ପାଇଁ ଏହି ପରିସଂଖ୍ୟନ ୮୮ ପ୍ରତିଶତ ଏବଂ ୮୨ ପ୍ରତିଶତ। ସେହିପରି ଶିଖ୍ ଧର୍ମର ପୁରଷ ସାକ୍ଷରତା ହାର ୮୭ ପ୍ରତିଶତ ଏବଂ ମହିଳା ସାକ୍ଷରତା ହାର ୭୫ ପ୍ରତିଶତ। ହିନ୍ଦୁ ଧର୍ମର ପୁରୁଷ ସାକ୍ଷରତା ହାର ୮୫ ପ୍ରତିଶତ ଏବଂ ମହିଳା ସାକ୍ଷରତା ହାର ୬୯ ପ୍ରତିଶତ। ଇଂରାଜୀ ମିଡିୟମ କଥା ଦେଖିଲେ, ରିପୋର୍ଟ ମୁତାବକ ଦେଶର ୨୦ଟି ବଡ଼ ରାଜ୍ୟ ମଧ୍ୟରୁ ୧୦ଟି ରାଜ୍ୟରେ ମୁସଲିମ ବର୍ଗର ଛାତ୍ରଙ୍କ ସାକ୍ଷରତା ହାର ଅଧିକ। ଏହି ରାଜ୍ୟ ଗୁଡ଼ିକ ହେଲେ ଓଡ଼ିଶା, ଜମ୍ମୁ କାଶ୍ମୀର, ତେଲଙ୍ଗାନା, ଆନ୍ଧ୍ର ପ୍ରଦେଶ, ତାମଲନାଡ଼ୁ, କର୍ଣ୍ଣାଟକ, ଛତିଶଗଡ଼, ମହାରାଷ୍ଟ୍ର. ମଧ୍ୟ ପ୍ରଦେଶ ଏବଂ ଉତ୍ତର ପ୍ରଦେଶ। ତେବେ ମୁସଲିମ ବର୍ଗର ଅଧିକାଂଶ ପିଲା ପଢ଼ିବାକୁ ମଦ୍ରାସା ଯାଇଥାନ୍ତି। ସେଠାରେ ଇଂରାଜୀ ବଦଳରେ ଆରବୀ କିମ୍ୱା ସ୍ଥାନୀୟ ଭାଷାରେ ପାଠ ପଢ଼ା ଯାଇଥାଏ। ତେଣୁ, ଆମେ କହିପାରିବା ଯେ, ଏବେ ମୁସଲିମ ଛାତ୍ରଛାତ୍ରୀଙ୍କ ଇଚ୍ଛା ଆଧୁନିକ ଶିକ୍ଷା ଦିଗରେ ଅଗ୍ରସର ହେଉଛି।

ଇଂରାଜୀ ମିଡିୟମ କଥା ବିଚାର କଲେ, ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ସାଧାରଣ ବର୍ଗର ଛାତ୍ରଙ୍କ ଅନୁପାତ ଏସଟି ବର୍ଗଙ୍କ ତୁଳନାରେ ୨.୭ ଗୁଣ, ଉଚ୍ଚ ପ୍ରାଥମିକ କ୍ଷେତ୍ରରେ ୨.୯ ଗୁଣ ଏବଂ ଉଚ୍ଚଶିକ୍ଷା କ୍ଷେତ୍ରରେ ୨.୪ ଗୁଣ ଅଧିକ। ସେହିପରି ପ୍ରି-ପ୍ରାଇମେରୀ କଥାକୁ ଦୃଷ୍ଟି ଦେଲେ, ଟପ୍ ୨୦ ପ୍ରତିଶତ ଧନୀ ଘରର ପିଲା ନିମ୍ନ ୨୦ ପ୍ରତିଶତ ପିଲାଙ୍କ ଠାରୁ ୫.୪ ଗୁଣ ଅଧିକ ଇଂରାଜୀ ମିଡିୟମରେ ପାଠ ପଢ଼ନ୍ତି। ବିହାରର କେବଳ ୬ ପ୍ରତିଶତ ଛାତ୍ରଛାତ୍ରୀ ଇଂରାଜୀ ମିଡିୟମରେ ପାଠ ପଢ଼ନ୍ତି। ସେହିପରି ତେଲଙ୍ଗାନାରେ ୬୩ ପ୍ରତିଶତ ଏବଂ ଜମ୍ମୁ କାଶ୍ମୀରରେ ସର୍ବାଧିକ ୯୫ ପ୍ରତିଶତ ପିଲା ଇଂରାଜୀ ମିଡିୟମରେ ପାଠ ପଢ଼ନ୍ତି।

ଭାରତରେ ଘରୋଇ ଶିକ୍ଷାରେ ଖର୍ଚ୍ଚ ହୁଏ ୨୫ ହଜାର କୋଟି ଟଙ୍କା:
ରିପୋର୍ଟ ଅନୁସାରେ, ଭାରତର ଲୋକମାନେ ପାଖାପାଖି ୨୫ ହଜାର କୋଟି ଟଙ୍କା କେବଳ ପ୍ରାଇଭେଟ୍ ଏଜୁକେସନ ବା ଘରୋଇ ଶିକ୍ଷାରେ ଖର୍ଚ୍ଚ କରିଥାନ୍ତି। ଏଥିରେ ପ୍ରଫେସନାଲ ପ୍ରବେଶିକା ପରୀକ୍ଷା ପାଇଁ ଖର୍ଚ୍ଚ ହେଉଥିବା କୋଚିଂ ଫି’ ସାମିଲ ନାହିଁ। ଏଥିରେ କେବଳ ପ୍ରାଥମିକରୁ ଉଚ୍ଚଶିକ୍ଷା ପର୍ଯ୍ୟନ୍ତ ଖର୍ଚ୍ଚ ହୋଇଥାଏ। କେନ୍ଦ୍ର ସରକାରଙ୍କ ବଜେଟର ଏହା ହେଉଛି ଏକ ତୃତୀୟାଂଶ। କେନ୍ଦ୍ର ସରକାର ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ପାଇଁ ୫୯ ହଜାର ୮୪୫ କୋଟି ବଜେଟ୍ କରିଛନ୍ତି। ରିପୋର୍ଟ ଅନୁସାରେ, ହାୟର ସେକେଣ୍ଡାରୀ ପାଇଁ କେବଳ ପ୍ରତି ପିଲା ପିଛା ୨୫୧୬ ଟଙ୍କା, ସେକେଣ୍ଡାରୀ ପାଇଁ କେବଳ ପ୍ରତି ପିଲା ପିଛା ୧୬୩୨ ଟଙ୍କା, ଅପର୍ ପ୍ରାଇମେରୀ ପାଇଁ ୮୪୫ ଟଙ୍କା ଏବଂ ପ୍ରାଇମେରୀ ପାଇଁ ୫୦୨ ଟଙ୍କା ଖର୍ଚ୍ଚ କରୁଛନ୍ତି।

Leave a Reply

Your email address will not be published.