ମନେ ରହିବେ ଏମ୍ ଏସ୍ ଧୋନୀ: କ୍ରିକେଟ ପ୍ରେମୀଙ୍କୁ ଦେଲେ ଏମିତି କୃତଜ୍ଞତା

ମନେ ରହିବେ ଏମ୍ ଏସ୍ ଧୋନୀ: କ୍ରିକେଟ ପ୍ରେମୀଙ୍କୁ ଦେଲେ ଏମିତି କୃତଜ୍ଞତା

ପ୍ରିଜମ ନ୍ୟୁଜ୍ ଓଡ଼ିଶା: ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ଭାରତୀୟ କ୍ରିକେଟକୁ ଶିଖରକୁ ନେଇ ଏମ୍ ଏସ୍ ଧୋନୀ (ମହେନ୍ଦ୍ର ସିଂ ଧୋନୀ) । ଆଜି ଏନେଇ ଘୋଷଣା କରିବା ସହ ପ୍ରଶଂସକ, ଶୁଭେଚ୍ଛୁ ଓ କ୍ରିକେଟ ପ୍ରେମୀଙ୍କୁ ଭାବବିହ୍ୱଳ ବାର୍ତ୍ତା ଦେଇ କୃତଜ୍ଞତା ଜଣାଇଛନ୍ତି ଧୋନୀ । ଲମ୍ବା କ୍ରିକେଟ କ୍ୟାରିୟରେ ସଫଳତାର ନୂଆ ଅଧ୍ୟାୟ ସୃଷ୍ଟି କରିଥିବା ଏମ୍ ଏସ୍ ଙ୍କ ଅବସର ଘୋଷଣା ପରେ ସାରା ଦେଶରେ ଏକ ଆଲୋଡନ ସୃଷ୍ଟି କରିଛି । ବିଶେଷ କରି ମାହିଙ୍କ ଫ୍ୟାନମାନେ ସବୁଠୁ ଅଧିକ ଭାବବିହ୍ୱଳ ହୋଇଛନ୍ତି । ପୂର୍ବରୁ ଏମିତି ତ ଧୋନୀଙ୍କ ଅବସରକୁ ନେଇ ବେଶ୍ ଚର୍ଚ୍ଚା ଲାଗି ରହିଥିଲା କିନ୍ତୁ ନିଜେ ଧୋନୀ ସେ ସବୁ କଳ୍ପନା ଜଳ୍ପନାକୁ ଅଣଦେଖା କରୁଥିଲେ ହେଲେ ଆଜି ସେ ନିଜ ଅବସର ନେଇ ନିଜେ ଘୋଷଣା କରିଛନ୍ତି । ଏହା ପରେ ସୋସିଆଲ ମିଡିଆରୁ ନେଇ ବିଭିନ୍ନ ପ୍ଲାଟଫର୍ମରେ ମୋଦିଙ୍କ ଏହି ନିଷ୍ପତ୍ତି ପରେ ତାଙ୍କୁ ସବୁଦିନେ ମନେ ରଖିବେ ବୋଲି କହି ନିଜର ସହଯୋଗ, ସମର୍ଥନ ଓ ଭଲପାଇବା ଜଣାଇଛନ୍ତି ।

ଧୋନୀଙ୍କ ଅବସର ଘୋଷଣା କେବଳ ଭାରତ ନୁହେଁ ବିଶ୍ବ କ୍ରିକେଟର ଗୋଟିଏ ଯୁଗର ଅବସାନ ବୋଲି କୁହାଯାଇପାରେ । ଦିନିକିଆ କ୍ରିକେଟକୁ ନୂଆ ଦିଗ ଓ ଉଚ୍ଚସ୍ତରକୁ ନେଇଥିବା ଏମଏସଡିଙ୍କୁ ଅବସରକାଳୀନ ଶୁଭେଚ୍ଛା ଜଣାଇଛନ୍ତି ଅନେକ । ଟେଲ୍ ଏଣ୍ଡରଙ୍କୁ ନେଇ କେମିତି ବିଜୟ ହାସଲ କରି ହେବ ଆଉ ଖେଳାଳିଙ୍କ ଉପରେ ଭରସା କରି ବିଶ୍ବବିଜୟୀ ହେବ, ସେ କଳା କେବଳ ହିଁ ମାହିଙ୍କୁ ଜଣାଥିଲା ବୋଲି ଅନେକ ଅନ୍ୟାୟସରେ କହିପାରିବେ । ରବୀନ୍ଦ୍ର ଜାଡେଜା, ସୁରେଶ ରାଇନା, ଅଶ୍ବିନ୍, ବିରାଟ କୋହଲି, ରୋହିତ ଶର୍ମାଙ୍କ ସଫଳତା ପଛରେ ଧୋନିଙ୍କ କେବଳ ହାତ ନଥିଲା, ମୁଣ୍ଡ ବି ଖଟିଥିଲା ବୋଲି ଅନେକ କ୍ରିକେଟ ପ୍ରେମୀ ଗ୍ରହଣ କରିସାରିଛନ୍ତି । ସ୍ଲଗ ଓଭର ସ୍ପିନରଙ୍କୁ ଦାୟିତ୍ବ, ରୋହିତଙ୍କୁ ଓପନିଂ, ରାଇନାଙ୍କୁ ଫାଷ୍ଟ ଡାଉନ, ବିରାଟଙ୍କ ଉପରେ ଭରସା ସବୁକିଛି ଧୋନିଙ୍କ ସଫଳତା ତାଲିକାର ଗୋଟିଏ ଗୋଟିଏ ଉଦାହରଣ ମାତ୍ର ।

ତାଙ୍କୁ ଭାରତୀୟ କ୍ରିକେଟ ଦଳର ସଫଳତମ ଅଧିନାୟକ ବୋଲି କୁହାଯାଏ । ତାଙ୍କ ସମୟରେ ଭାରତ ବିଶ୍ୱକପ କ୍ରିକେଟ, ଟି-୨୦ ବିଶ୍ୱକପ କ୍ରିକେଟ, ୨୦୧୩ ଆଇସିସି ଚାମ୍ପିୟନ୍ସ ଟ୍ରଫି, ଦୁଇଥର ଏସିଆ କପ, ଟେଷ୍ଟ କ୍ରିକେଟରେ ଏକ ନମ୍ବର ମାନ୍ୟତା ପାଇଥିଲା ।

ଭାରତୀୟ କ୍ରିକେଟରେ ଜଣେ ସଫଳ ଓ୍ଵିକେଟ କିପର ଏବଂ ମ୍ୟାଚ ଫିନିସର ଭାବେ ଲୋକପ୍ରିୟ ଧୋନୀ ୨୦୦୪ରେ ବାଂଲାଦେଶ ବିରୁଦ୍ଧରେ ଏକଦିବସୀୟ କ୍ୟାରିୟର ଓ ୨୦୦୫ରେ ଶ୍ରୀଲଙ୍କା ବିରୁଦ୍ଧରେ ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିଲେ । ୨୬ ଡିସେମ୍ବର ୨୦୧୪ ସେ ଅଷ୍ଟ୍ରେଲିଆ ବିରୁଦ୍ଧରେ ସେ ନିଜର ଅନ୍ତିମ ଟେଷ୍ଟ ଖେଳିଥିଲେ । ସେହିପରି ୨୦୧୯, ଜୁଲାଇ ୯ରେ ସେ ନ୍ୟୁଜିଲାଣ୍ଡ ବିରୁଦ୍ଧରେ ନିଜର ଅନ୍ତିମ ଏକଦିବସୀୟ ଖେଳିଥିଲେ । ସେ ଟେଷ୍ଟରେ ୪୮୭୬ ରନ ଓ ଏକ ଦିବସୀୟରେ ୧୦୭୭୩ ରନ ଓ ଟି୨୦ରେ ୧୬୧୭ ରନ ସଂଗ୍ରହ କରିଛନ୍ତି । ୨୦୦୬ରେ ସେ ନିଜର ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ଟି-୨୦ କ୍ୟାରିୟର ଆରମ୍ଭ କରିଥିଲେ ଓ ଏହାର ବର୍ଷକ ପରେ ଅର୍ଥାତ ୨୦୦୭ରେ ଭାରତକୁ ଟି୨୦ ବିଶ୍ୱକପ ଜିତାଇଥିଲେ ।

ମହେନ୍ଦ୍ର ସିଂ ଧୋନୀଙ୍କ ପରେ ଆଉ ଜଣେ ଲୋକପ୍ରିୟ ଭାରତୀୟ କ୍ରିକେଟ ତାରକା ସୁରେଶ ରୈନା ମଧ୍ୟ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଇନଷ୍ଟାଗ୍ରାମରେ ସେ ଏ ସମ୍ପର୍କରେ ଘୋଷଣା କରିଛନ୍ତି । ଧୋନୀଙ୍କୁ ସମ୍ବୋଧନ କରି ସେ ଲେଖିଛନ୍ତି, ତୁମ ସହ ଖେଳିବା ଗର୍ବ ଓ ଆନନ୍ଦର ବିଷୟ ଥିଲା । ଏହି (ଅବସର) ଯାତ୍ରାରେ ମୁଁ ତୁମ ସହ ଯୋଗ ଦେଉଛି ।

ରୈନା ୨୦୦୫ରେ ଶ୍ରୀଲଙ୍କା ବିରୁଦ୍ଧରେ ଏକଦିବସୀୟ କ୍ୟାରିୟର ଓ ୨୦୧୦ରେ ଶ୍ରୀଲଙ୍କା ବିରୁଦ୍ଧରେ ନିଜର ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିଲେ । ୨୦୧୮ ଜୁଲାଇ ୧୭ରେ ସେ ଇଂଲାଣ୍ଡ ବିରୁଦ୍ଧରେ ନିଜର ଶେଷ ଏକଦିବସୀୟ ଓ ୨୦୧୫ରେ ଅଷ୍ଟ୍ରେଲିଆ ବିରୁଦ୍ଧରେ ଶେଷ ଟେଷ୍ଟ ଖେଳଥିଲେ । ସେହିପରି ୨୦୦୬ରେ ଅଷ୍ଟ୍ରେଲିଆ ବିରୁଦ୍ଧରେ ଟି-୨୦ ଆରମ୍ଭ କରିଥିବା ରୈନା ୨୦୧୮, ଜୁଲାଇ ୮ରେ ଇଂଲାଣ୍ଡ ବିରୁଦ୍ଧରେ ଶେଷ ଟି-୨୦ ଖେଳିଥିଲେ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: