ବଢୁଛି ତାତି, ପବ୍ଲିକ୍ କ’ଣ କୁହନ୍ତି…

ବଢୁଛି ତାତି, ପବ୍ଲିକ୍ କ’ଣ କୁହନ୍ତି…

ପ୍ରିଜମ ନ୍ୟୁଜ ବ୍ୟୁରୋ(GROUND ZERO REPORT): ଏଇତ ଆରମ୍ଭ ମାତ୍ର। ଆଗକୁ ଆହୁରି ହେବ ଅସମ୍ଭାଳ। ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଜନଜୀବନ୍ତ ଅସ୍ତବ୍ୟସ୍ତ। ତତଲା କଡ଼େଇରେ ଅଧା ଓଡ଼ିଶା। ରାଜଧାନୀ ଭୁବନେଶ୍ବରରେ ବି ପାରଦ ଚଢ଼ି ଚଢ଼ି ଯାଉଛି। ଗଲା ଫେବ୍ରୁଆରୀରେ ରାଜଧାନୀର ତାପମାତ୍ରା ୪୦ ଡିଗ୍ରୀ ଛୁଇଁଥିଲା। ମାର୍ଚ୍ଚରେ ରେକର୍ଡ ଭାଙ୍ଗିଥିଲା। ଏବର୍ଷ ମଧ୍ୟ ହାବଭାବରୁ ଯାହା ଜଣାପଡ଼ିଲାଣି, ଆଗକୁ ପ୍ରବଳ ତାତି ହେବ।

ଖରାଦିନ ଆସିଲେ ରାଜଧାନୀ ରାସ୍ତାରେ ଦେଖିବାକୁ ମିଳେ ଅନେକ ପସରା। କେଉଁଠି ତରଭୁଜ ତ ଆଉ କେଉଁଠି ଆଖୁ ପଣା। ତାତିରୁ ଟିକେ ଆଶ୍ବସ୍ତି ପାଇବା ପାଇଁ ଥଣ୍ଡାପାନୀୟ ଉପରେ ବି ଭରସା କରିଥାଆନ୍ତି ଲୋକମାନେ। ଏଭଳି ସ୍ଥିତିରେ କେତେକ ବେପାରୀ ଛତା ଓ ଗାମୁଛା ନେଇ ନିଜ ନିଜ ଦୋକାନକୁ ଯାଉଛନ୍ତି। ତେବେ ରାଜଧାନୀବାସୀଙ୍କ ହାଲଚାଲ ବୁଝିବାକୁ ପ୍ରିଜମ୍ ନ୍ୟୁଜ ଟିମ୍ ସେମାନଙ୍କ ପାଖରେ ପହଞ୍ଚିଥିଲା। ଆଉ ସେମାନଙ୍କ ସୁଖଦୁଃଖରେ କିଛି ସମୟ ପାଇଁ ସାମିଲ ହୋଇଥିଲା।

ରୋହିତ ଲେଙ୍କା, ଫଳ ଦୋକାନୀ

ଜିଜିପି କେନାଲ ବନ୍ଧ ନିକଟରେ ଦୋକାନ କରିଛନ୍ତି ଫଳ ଦୋକାନୀ ରୋହିତ ଲେଙ୍କା । ଖରା ଦାଉରୁ ଫଳ ସବୁକୁ ରକ୍ଷା କରିବାକୁ ଛୋଟ ଛୋଟ ପାଲ ବାନ୍ଧିଛନ୍ତି । ସେ ନିଜେ ବସିବାକୁ ମଧ୍ୟ ଠିକରେ ଜାଗାଟିଏ ନାହିଁ । ଗରାଖଙ୍କୁ ବିକିବା ପରେ ପାଖରେ ଥିବା ଗଛ ତଳେ ଠିଆ ହେଉଛନ୍ତି ସେ । ସକାଳୁ ସନ୍ଧ୍ୟା ଯାଏ, ସେହି ଦୋକାନ ହିଁ ତାଙ୍କ ଠିକଣା। ବର୍ତ୍ତମାନର ଖରା ପାଗକୁ ନେଇ ସେ କହିଛନ୍ତି ଯେ, ଖରା ଏବେଠୁ ସାଘାଂତିକ ହେଲାଣି। ଆଗକୁ ଆହୁରି ହେବ। ସେଥିପାଇଁ ନିଜ ପାଖରେ ପ୍ରଚୁର ପାଣି ରଖିବା ସହ ଠିକ୍ ଭାବରେ ଖାଦ୍ୟ ଖାଇ ବେପାର କରିବା କଥା ।

ସନ୍ନ୍ୟାସୀ ସାହୁ, ଆଖୁ ରସ ଦୋକାନୀ

ଖରାରେ ଛିଡ଼ା ହୋଇ ବିକ୍ରି କରିବା ବହୁତ କଷ୍ଟ । କିନ୍ତୁ ପରିବାର ପେଟ ପୋଷିବାକୁ ବେପାର କରିବାକୁ ହେବ। ମୁଣ୍ଡ ଉପରେ ଛତା ରଖିଲେ ବି ଏବେର ଖରାକୁ ସହିବା ସତରେ ଯନ୍ତ୍ରଣାଦାୟକ । ଆଗକୁ ଆହୁରି ବହୁତ ଖରା ହେବ । କିନ୍ତୁ ମୋର ଆଖୁ ରସ ଦୋକାନ ହୋଇଥିବାରୁ ଏହି ଖରାକୁ ଦେଖି ଅଧିକ ବିକ୍ରି ହେବ ବୋଲି ମୋର ଆଶା। ଦୁଇବର୍ଷ ହେବ ଲୋକେ ଘରୁ ବାହାରୁ ନ ଥିଲେ। ଏଥର ଟିକେ ଭଲ ବେପାର ହେବ। କିନ୍ତୁ ଖରାର ମାତ୍ରା ଅଧିକ ହେବା କେବଳ ମୋ ପାଇଁ ନୁହେଁ ସମସ୍ତଙ୍କ ପାଇଁ ଅସହ୍ୟ ବୋଲି ସନ୍ନ୍ୟାସୀ କହିଛନ୍ତି ।

ଶ୍ରୀୟେଶ ବରାଳ, ଯୁକ୍ତ ୨ ଛାତ୍ର, ବିଜେବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ

ଖରାଦିନେ କଲେଜ ଯିବା ଭାରି କଷ୍ଟ। ତଥାପି ମୋର ପ୍ରଥମ ବର୍ଷ ହୋଇଥିବାରୁ କଲେଜ ଆସିବାକୁ ଭଲ ଲାଗୁଛି। ଖରାକୁ ଦେଖି ସାଙ୍ଗରେ ଥଣ୍ଡା ପାଣି ଆଣୁଛି। ଠିକ୍ ଭାବରେ ପାଣି ପିଇ କ୍ଲାସ କରୁଛି । କିନ୍ତୁ ଏଥର ଯେମିତି ଖରାଦିନ ଶୀଘ୍ର ଆସିଗଲା ଭଳି ଲାଗୁଛି। ଅଧିକ ଖରା ହେଲେ କ୍ଲାସରେ ବସି ପାଠ ପଢ଼ିବା କଷ୍ଟ ହେବ ବୋଲି ଶ୍ରୀୟେସ କହିଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: