କିଏ ପ୍ରାର୍ଥୀ ହେଲେ ନବୀନ ଓ ଜଗନ ସମର୍ଥନ ଦେବାକୁ ବାଧ୍ୟ ହେବେ ?

କିଏ ପ୍ରାର୍ଥୀ ହେଲେ ନବୀନ ଓ ଜଗନ ସମର୍ଥନ ଦେବାକୁ ବାଧ୍ୟ ହେବେ ?

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ରାମନାଥ କୋବିନ୍ଦଙ୍କ ପରେ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି କିଏ ହେବ, ସେନେଇ ଚର୍ଚ୍ଚା ଆରମ୍ଭ ହେଇସାରିଛି। ବିଜେପି ନେତୃତ୍ବାଧୀନ ଏନଡିଏ ରାଷ୍ଟ୍ରପତି ପଦକୁ ବଜାୟ ରଖିବାରେ ସଫଳ ହେବ। ମ୍ୟାଜିକ ନମ୍ବରଠାରୁ ଏନଡିଏ ମାତ୍ର ୯୬୨୫ ପଏଣ୍ଟ ଦୂରରେ ଅଛି। ଉଭୟ କଂଗ୍ରେସ ଓ ବିଜେପିଠାରୁ ସମଦୂରତ୍ବ ରକ୍ଷା କରୁଥିବା ଦୁଇଟି ଦଳର ସମର୍ଥନ ମିଳିଲେ ଏନଡିଏ ପୁନର୍ବାର ରାଷ୍ଟ୍ରପତି ପଦ ବଜାୟ ରଖିପାରିବ।

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ଏବଂ ତାଙ୍କ ଦଳ ଟିଆରଏସ ବିଜେପି ପ୍ରତି ଅଧିକ ଆକ୍ରମଣାତ୍ମକ ମନୋଭାବ ପୋଷଣ କରୁଛି। ତେଣୁ କେସିଆର ଏନଡିଏକୁ ସମର୍ଥନ ଦେବେ ନାହିଁ। ତେଣୁ ବାକି ରହିଲେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ୨ ଜଣ ରାଜି ହେବାଭଳି ପ୍ରାର୍ଥୀ ବାଛିବା ପାଇଁ ବିଜେପି ଅଙ୍କ କଷିବା ଆରମ୍ଭ କରିଦେଇଛି। ଏହି କ୍ରମରେ ଦଳର ବରିଷ୍ଠ ନେତାମାନେ ପୂର୍ବ ଓ ଦକ୍ଷିଣ ଭାରତର ବହୁ ବର୍ଷୀୟାନ ନେତାଙ୍କ ଉପରେ ବିଚାରବିମର୍ଶ କରୁଛନ୍ତି।

କେଉଁ ନେତାଙ୍କୁ ପ୍ରାର୍ଥୀ କଲେ ନବୀନ-ଜଗନ ଏକମୁଖ ହୋଇ ବିଜେପି ଆଡ଼େ ଢଳିବେ ସେନେଇ ଯୋଜନା ପ୍ରସ୍ତୁତ ହେଉଛି। ଏନେଇ ଉଭୟ ଓଡ଼ିଶା ଓ ଆନ୍ଧ୍ରପ୍ରଦଶର କେତେଜଣ ବରିଷ୍ଠ ପ୍ରାଶାସନିକ ଅଧିକାରୀ ବାର୍ତ୍ତାଳପ ଆରମ୍ଭ କଲେଣି। ଏହି ଅଧିକାରୀମାନେ ସିଧାସଳଖ ପିଏମଓ ଯୋଗାଯୋଗରେ ରହୁଛନ୍ତି। ୟୁପି ନିର୍ବାଚନ ଫଳାଫଳ ପରେ ବିଜେପିର ଏକ ବୈଠକରେ ଜଣେ ନେତାଙ୍କ ନାଁକୁ ନେଇ ହାଲୁକା ଆଲୋଚନା କରାଯାଇଥିଲା। ଯାହାଙ୍କ ନାଁ ଶୁଣିବା ପରେ ବିଜେପିର ଜଣେ ହେଭିଓ୍ବେଟ କହିଥିଲେ, “କମାଲ ହୋ ଯାଏଗା”।

ଓଡ଼ିଶାର ପ୍ରାକ୍ତନ ଆଇନ, ରାଜସ୍ବ, ଶିଳ୍ପ ମନ୍ତ୍ରୀ ବିଶ୍ବଭୂଷଣ ହରିଚନ୍ଦନ ବର୍ତ୍ତମାନ ଆନ୍ଧ୍ରର ରାଜ୍ୟପାଳ ଅଛନ୍ତି। ତାଙ୍କୁ ଯଦି ରାଷ୍ଟପତି ପ୍ରାର୍ଥୀ କରାଯାଏ, ତେବେ ନବୀନ ଓଡ଼ିଆ ଅସ୍ମିତା ଆଧାରରେ ହରିଚନ୍ଦନଙ୍କୁ ସମର୍ଥନ ଦେବାକୁ ଏକରକମ ବାଧ୍ୟ ହେବେ। ସେହିପରି ଶ୍ରୀ ହରିଚନ୍ଦନ ଏବେ ଆନ୍ଧ୍ର ରାଜ୍ୟପାଳ ଥିବାରୁ ଜଗନ ତାଙ୍କୁ ଭୋଟ୍‌ ଦେବାକୁ ବାଧ୍ୟ ହେବେ। ବିଶ୍ବଭୂଷଣ ବର୍ତ୍ତମାନ ଜାତୀୟ ରାଜନୀତିର ଏମିତି ଏକ ଘାଟ, ଯେଉଁଠି ନବୀନ-ଜଗନ ଏକାଠି ପାଣି ପିଇବେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: