ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ‘ତାପଙ୍ଗ’ ପଥର ଖଣି: ଆକର୍ଷିତ କରୁଛି ଚମତ୍କାର ଫଟୋଗ୍ରାଫି

ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ‘ତାପଙ୍ଗ’ ପଥର ଖଣି: ଆକର୍ଷିତ କରୁଛି ଚମତ୍କାର ଫଟୋଗ୍ରାଫି

ପ୍ରିଜମ୍ ନ୍ୟୁଜ୍ ବ୍ୟୁରୋ: ଦେଖିବାକୁ କୌଣସି ବିଦେଶୀ ଲୋକେସନଠୁ କମ୍ ନୁହେଁ। ଆକର୍ଷଣୀୟ, ଚିତାକର୍ଷକ ଓ ମନ୍ତ୍ରମୁଗ୍ଧ ଦୃଶ୍ୟ ଯେତେ ପ୍ରକାର ଇଫେକ୍ଟ ଅଛି, ସବୁ ବ୍ୟବହାର ହେଉଛି ଫଟୋଗ୍ରାଫିରେ। ଯିଏ ଦେଖିବ, ସିଏ କହିବ। ଏହା ମ୍ଯୁଜିକ ଭିଡିଓ, ଫିଲ୍ମ ଏବଂ ଡ୍ରୋନ୍ ସୁଟ୍ ପାଇଁ ଏକଦମ୍ ପରଫେକ୍ଟ। ଏମିତି ହଜାର ହଜାର ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି। ଥରେ ଦେଖିଲେ ଆଖି ଲାଖି ଯାଉଛି। ଅନେକ ଜାଣିବାକୁ ଚାହୁଁଛନ୍ତି, ପ୍ରକୃତିକୁ ଏମିତି ସୁନ୍ଦର ଭାବେ ଆକର୍ଷଣୀୟ କରୁଥିବା ଏହି ଚିତ୍ର ସବୁ କେଉଁ ସ୍ଥାନର ?

ଏହି ଫଟୋ ସବୁ କେଉଁ ଦୂର ଦୂରାନ୍ତର କିମ୍ବା ବିଦେଶର ନୁହେଁ । ଓଡ଼ିଶା ଖୋର୍ଦ୍ଦା ଜିଲ୍ଲାର ‘ତାପଙ୍ଗ’ ଅଞ୍ଚଳର ଏ ହେଉଛି ଦୃଶ୍ୟ, ଯାହାର ଆକର୍ଷଣୀୟ ଫଟୋ ସବୁ ଏବେ ସୋସିଆଲ ମିଡିଆରେ କ୍ରେଜ୍ ବଢ଼ାଇଛି। ଏମିତିକି ଲକ୍ ଡାଉନ ଓ କୋରୋନା କଟକଣା ମଧ୍ୟରେ ବି ଯୁବକମାନେ ଏହି ସ୍ଥାନକୁ ଯାଇ ଫଟୋସୁଟ୍ କରି ଆସୁଛନ୍ତି। ଏହି ସ୍ଥାନ ବର୍ତ୍ତମାନ ପର୍ଯ୍ୟଟକ, ବାଇକ୍ ରାଇଡର, ଫଟୋଗ୍ରାଫର, ଫିଲ୍ମ ମେକର ଏବଂ ୟୁଟ୍ଯୁବରଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ସୁନ୍ଦର ସୁନ୍ଦର ଆକର୍ଷଣୀୟ ଫଟୋ ସବୁ ଦେଖିଲେ ଆପଣ ବି ଘଡ଼ିଏ ଏହାକୁ ଚାହିଁ ରହିବେ। ଥରେ ଯାଇ ବୁଲି ଆସିବାକୁ ମନ ବି କରିବେ। ଏହି ଫଟୋ ସବୁ ଦେଖିଲେ ହୁଏତ ଆପଣ ବି ଭାବୁଥିବେ ଏହା ପ୍ରାକୃତିକ ନା ମନୁଷ୍ୟକୃତ?

ପର୍ଯ୍ୟଟକ, ଫଟୋଗ୍ରାଫର ଏବଂ ବିଶେଷ କରି ଯୁବଗୋଷ୍ଠୀଙ୍କୁ ଏହି ସ୍ଥାନ ଅଧିକ ଆକର୍ଷଣ କରୁଛି। ହେଲେ ଏହା ପଛର କାରଣକୁ ନେଇ ଚିନ୍ତିତ ପରିବେଶବିତ୍ ଓ ପକୃତିପ୍ରେମୀ। କାହିଁକିନା ଏହା କୌଣସି ପ୍ରକୃତିଦତ୍ତ ବା ପ୍ରକୃତିର ଉପହାର ନୁହେଁ। ପ୍ରକୃତିକୁ ବିପଦରେ ପକାଉଥିବା ମତଲବୀ ମଣିଷର ଏହା ହେଉଛି ଏକ କଳା କାରନାମା। ରାଜଧାନୀ ଭୁବନେଶ୍ୱରଠାରୁ ୪୩ କିଲୋମିଟର ଦୂରରେ ଖିବା ‘ତାପଙ୍ଗ’ ନିଜିଗଡ଼ ପଥର ଖଣି ଅଞ୍ଚଳରେ ଦେଖିବାକୁ ମିଳୁଛି ଏମିତି ସବୁ ଚିତ୍ର। ପଥର ମାଫିଆମାନେ ଢେର୍ ଗଭୀର ଯାଏ ଖୋଳି ପଥର ଉତ୍ତୋଳନ କରିଥିବାରୁ ଏଠାରେ ପାଣି ଜମି ରହିଛି। ଫଳରେ କୃତ୍ରିମ ଜଳ ଉତ୍ସ ତିଆରି ହୋଇଛି ଆଉ ଏହାରି ଚାରିପାଖରେ ଥିବା ପାହାଡ଼ ମୁଣ୍ଡିଆ ସବୁ ଆକର୍ଷଣୀୟ ଲାଗୁଛି। ପଥର ଖଣି ପାଇଁ ଏହି ଅଞ୍ଚଳ ବ୍ୟବହାର ହୁଏ। ବର୍ତ୍ତମାନ କୋରୋନା କଟକଣା ପାଇଁ ପଥର ଉତ୍ତୋଳନ ବନ୍ଦ ରହିଛି। ଲଗାଣ ବର୍ଷା ଯୋଗୁ ଏଠାକାର ଖାଲି ସ୍ଥାନରେ ପାଣି ଜମି ରହିଛି, ଯାହାର ରଙ୍ଗ ସମ୍ପୂର୍ଣ୍ଣ ନୀଳ। ଆଉ ଏହା ହିଁ ଫଟୋ ଓ ଭିଡିଓ ସୁଟ୍ ପାଇଁ ଏକ ସୁଯୋଗ ସୃଷ୍ଟି କରିଛି। କେହି କେହି ଏହାକୁ ଥାଇଲାଣ୍ଡ କହୁଛନ୍ତି ତ ପୁଣି କିଏ ଏହାକୁ ‘ତାପଙ୍ଗ’ ଲେକ୍ ବା ହ୍ରଦ ବୋଲି ଆଖ୍ୟା ଦେଇଛନ୍ତି। କିନ୍ତୁ ବାସ୍ତବରେ ଏହା ଏକ ସାଧାରଣ ପଥର ଖଣି ଅଞ୍ଚଳର ଦୃଶ୍ୟ, ଯେଉଁଠି ପଥର ମାଫିଆମାନେ ପଥର ଖନନ କରୁଛନ୍ତି ଏବଂ ନିଜର ବ୍ୟବସାୟ ଚଳାଉଛନ୍ତି।


ସୋସିଆଲ ମିଡିଆରେ କିନ୍ତୁ ‘ତାପଙ୍ଗ’ ଅଞ୍ଚଳର ଫଟୋ ଓ ଭିଡିଓ ସବୁ ଏତେ ବ୍ୟାପକ ଭାବେ ପ୍ରଚାର ପ୍ରସାର ହେଉଛି ଯେ, ରାଜ୍ୟ ସରକାର ମଧ୍ୟ ଏହାକୁ ପ୍ରମୋଟ କରୁଥିବାର ନଜର ଆସିଛି। ରାଜ୍ୟ ପର୍ଯ୍ୟଟନ ବିଭାଗ ନିଜ ଅଫିସିଆଲ ଫେସବୁକ୍ ଓ ଟ୍ବିଟର ପୃଷ୍ଠାରେ ପଥର ଖଣି ଅଞ୍ଚଳର ଫଟୋ ସେୟାର କରି ଏହାର ପ୍ରଚାର ପ୍ରସାର କରିଛନ୍ତି। ନିଜ ନିଜ ଅଞ୍ଚଳରେ ଥିବା ଏମିତି ଚିତାକର୍ଷକ ସ୍ଥାନକୁ ଆବିଷ୍କାର କରିବା ପାଇଁ ପର୍ଯ୍ୟଟନ ବିଭାଗ ଅହ୍ୱାନ ଦେଇଛି। ପଥର ଖଣି ହେଉ ପଛେ ଏହାର ମନଲୋଭା ଦୃଶ୍ୟ ଏବଂ ଏହାକୁ ନେଇ ଯେଉଁଭଳି ଫଟୋ ଓ ଭିଡିଓ ସୁଟ୍ ହେଉଛି, ତାହାକୁ ସମସ୍ତେ ପସନ୍ଦ କରୁଛନ୍ତି। ସୋସିଆଲ ମିଡିଆରେ ଏହାର ଫଟୋ ଓ ଭିଡିଓ ବେଶ୍ ଭାଇରାଲ ବି ହେଉଛି।ଆପଣ ବି ଯଦି ଜଣେ ଟ୍ରାଭେଲର, ବାଇକ ରାଇଡର, ସର୍ଟ ଫିଲ୍ମ ମେକର, ଡକ୍ଯୁମେଣ୍ଟାରୀ ଫିଲ୍ମ ମେକର ତେବେ ଆଉ ଡେରି କାହିଁକି, ଆପଣ ବି ଏଠାକୁ ବୁଲି ଯାଇ ଏହାର ଆକର୍ଷଣୀୟ ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରିବେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: