ସୂର୍ଯ୍ୟସ୍ନାତ ତ୍ରିପାଠୀଙ୍କ କବିତା ‘ହସ’

କବିତା- ହସ

ସୂର୍ଯ୍ୟସ୍ନାତ ତ୍ରିପାଠୀ

ଧାରେ ହସ ଗଢୁଗଢୁ ଛାତିତଳେ ଭାଙ୍ଗିଯାଏ ଛାତିଏ ବୟସ
ସେ ହସର ଅନ୍ତରାଳେ ଖରା ବାଜି ଶୁଖିଯାଏ ଦରିଆଏ ଲୁହ
ହସହସ ଦିଶେ ସିନା, ହସତଳେ ନୀଳ ଓଠ ମାଖିଥାଏ ବିଷ
କାହାର ସେ ଅଣ୍ଟିଲୁଚା ନିଆଁ, କାହାର ସେ ମୁଖାପିନ୍ଧା ମୁହଁ।

ହସି ହସି ଚିହ୍ନାଦିଏ, କେବେ କେବେ ବଜାରରେ ଦୁଃଖ
ଚିହ୍ନେ ଯିଏ, କାନ୍ଦେ ସିଏ, ଚିହ୍ନନ୍ତିନି ହସୁଥିବା ଲୋକ
ହସିବାକୁ ଝୁରି ହୁଏ, କେବେ କେବେ ଏକାନ୍ତରେ ସୁଖ
ମହୁଫେଣା ଭରୁ ଭରୁ, ମରିଯାଏ ମହୁ ପିଆ ପୋକ।

ହସ ପିନ୍ଧି ଛଦ୍ମବେଶୀ ଭୁସିଦିଏ ଛଳନାର ଛୁରୀ
ହସ ରଙ୍ଗ ମାଖେ ପୁଣି ପ୍ରପଞ୍ଚର ସବୁ କାରିଗରୀ
ହସ ଭଳି ଶୁଭେ ବେଳେ ପରକଟା ଚଢ଼େଇର ଗୀତ
ହସ ଜାଳି ନିଆଁ ପୁଏଁ ଜିଭ, ଛାତି ଭୋଗେ ଶୀତ

ହସ ବିକେ ବଜାରରେ ଲୁହପିଆ ମଣିଷର ହାତ
ହସ କିଣେ ରିହାତିରେ ମୁଖାପିନ୍ଧି ଲୁହର ଦାୟାଦ ।

(ଆଇଆଇଟି, ହାଇଦ୍ରାବାଦ)

Leave a Reply

Your email address will not be published. Required fields are marked *