କେବଳ ଭର୍ତ୍ତୃହରି ନୁହନ୍ତି, ଏମାନେ ବି ଅଛନ୍ତି ବିଜେପି ‘ଲିଙ୍କ୍’ରେ…

କେବଳ ଭର୍ତ୍ତୃହରି ନୁହନ୍ତି, ଏମାନେ ବି ଅଛନ୍ତି ବିଜେପି ‘ଲିଙ୍କ୍’ରେ…

ପ୍ରିଜମ୍ ନ୍ୟୁଜ(EXCLUSIVE):କିଛି ବର୍ଷ ଧରି ଓଡ଼ିଶା ରାଜନୀତିରେ ଏକ ଚର୍ଚ୍ଚା ହେଉଛି। କଟକ ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ କୁଆଡ଼େ ବିଜେପିରେ ଯୋଗଦେବାକୁ ଯାଉଛନ୍ତି। ନିକଟ ଅତୀତରେ ଅନେକ କାର୍ଯ୍ୟକ୍ରମରେ ଭର୍ତ୍ତୃହରି ମହତାବଙ୍କୁ ବିଜେପିର ଅନେକ ନେତା ପ୍ରଶଂସା କରି ଆସୁଛନ୍ତି। ୨୦୧୮ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ନିଜ ସଂସଦୀୟ ଜୀବନ ଉପରେ ଲିଖିତ ଏକ ପୁସ୍ତକ ଭର୍ତ୍ତୃହରି ଭେଟି ଦେଇଥିଲେ। ନୂଆଦିଲ୍ଲୀସ୍ଥିତ ସାଉଥ୍ ବ୍ଲକ୍ ଅଫିସରେ ‘ଭର୍ତ୍ତୃହରି ମହତାବ ଆଉଟଷ୍ଟାଣ୍ଡିଙ୍ଗ୍ ପାର୍ଲାମେଣ୍ଟାରିଆନ’ ପୁସ୍ତକ ଭେଟି ଦେଇଥିଲେ। ଦିଲ୍ଲୀର କନଷ୍ଟିଚ୍ୟୁସନ୍ କ୍ଲବରେ ଆୟୋଜିତ ଏହି ପୁସ୍ତକର ଲୋକାର୍ପଣ ଉତ୍ସବରେ ବିଜେପିର ଦୁଇ ବରିଷ୍ଠ ନେତା ସୁମିତ୍ରା ମହାଜନ ଓ ତତ୍କାଳୀନ ଅର୍ଥମନ୍ତ୍ରୀ ସ୍ୱର୍ଗତ ଅରୁଣ ଜେଟଲୀଙ୍କ ସମେତ କଂଗ୍ରେସ ନେତା ବିରପ୍ପା ମୋଇଲି ଓ ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ମଧ୍ୟ ଉପସ୍ଥିତ ଥିଲେ। ଏହାପରେ ୨୦୧୯ ମସିହାରେ ଲୋକସଭାରେ ବିଜେପି ପ୍ରଣେତା ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ମୃତ୍ୟୁ ଘଟଣାର ତଦନ୍ତ ଦାବି କରି ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ରାଜନୀତିର କାଠଗଡ଼ା ଭିତରକୁ ଟାଣି ହୋଇ ଆସିଥିଲେ। ଏହାସହ ବିଜେପି ପ୍ରତି ଆକର୍ଷିତ ମଧ୍ୟ ହୋଇଥିଲେ। ସେହିପରି ଏନଡିଏ ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କୁ ବିଜେଡିର ସମର୍ଥନ ନେଇ ତଥାଗତ ସତପଥୀ ନିଜ ଖବରକାଗଜ ସମ୍ପାଦକୀୟରେ ପ୍ରଥମେ ସମାଲୋଚନା କରିଥିଲେ। ଏହାପରେ ଭର୍ତ୍ତୃହରି ମହତାବ ତାଙ୍କ ଖବରକାଗଜର ‘ଧ୍ୱନି ପ୍ରତିଧ୍ୱନି’ ସ୍ତମ୍ଭରେ ବିଜେଡିର ନିଷ୍ପତ୍ତିକୁ ଶାଣିତ କଟାକ୍ଷ କରିଥିଲେ। ବିଜେପି ଓ କଂଗ୍ରେସଠାରୁ ସମାନ ଦୂରତା ଅବଲମ୍ବନ କଥା କହୁଥିବା ତାଙ୍କ ଦଳ କିଭଳି ରାମନାଥଙ୍କୁ ସମର୍ଥନ କଲା ତାହା ସେ ଜାଣିବାକୁ ଚାହିଁଛନ୍ତି ବୋଲି ପ୍ରଶ୍ନ କରିଥିଲେ। ୨୦୧୯ ମସିହା ସାଧାରଣ ନିର୍ବାଚନ ପୂର୍ବରୁ କଟକ ଲୋକସଭା ଆସନରୁ ଭର୍ତ୍ତୃହରିଙ୍କୁ ଟିକେଟ୍ ନ ମିଳିବା ନେଇ ଚର୍ଚ୍ଚା ହେଉଥିଲା। କିନ୍ତୁ, ପରେ ଦଳ ତାଙ୍କୁ ଟିକେଟ୍ ଦେଇଥିଲା ଏବଂ ସେ ପୁଣି ଥରେ କଟକ ଲୋକସଭା ଆସନରୁ ନିର୍ବାଚିତ ହୋଇଥିଲେ। ସେହିପରି ଲୋକସଭାରେ ବାଚସ୍ପତିଙ୍କ ଦାୟିତ୍ୱ ସମ୍ଭାଳିବା ମଧ୍ୟ ଭର୍ତ୍ତୃହରିଙ୍କ ପାଇଁ ଅନ୍ୟତମ ବଡ଼ ପୁରସ୍କାର। ଏଇ ନିକଟରେ ପିପିଲି ନିର୍ବାଚନକୁ ନେଇ ଭର୍ତ୍ତୃହରି ନିଜ ଖବରକାଗଜରେ ବିଜେଡିକୁ ପରୋକ୍ଷରେ ଟାର୍ଗେଟ୍ କରି ଏକ ସମ୍ପାଦକୀୟ ଲେଖିଥିଲେ। ଏହାପରଦିନ ନିଜ ଦଳର ନେତାମାନେ ତାଙ୍କ ଲେଖାକୁ ନେଇ କଟାକ୍ଷ ମଧ୍ୟ କରିଥିଲେ। ସେମାନଙ୍କ କହିବାନୁସାରେ, ଭର୍ତ୍ତୃହରି କୌଣସି ନିର୍ବାଚନରେ ଭାଗ ନିଅନ୍ତି ନାହିଁ। ପ୍ରକୃତରେ ଦେଖିବାକୁ ଦଲେ ଭର୍ତ୍ତୃହରି ମହତାବ ଦୀର୍ଘ ବର୍ଷ ହେଲା କୌଣସି ନିର୍ବାଚନ ସମୟରେ ଭାଗ ନେଇନାହାନ୍ତି। ଦଳୀୟ କାର୍ଯ୍ୟକ୍ରମରେ ମଧ୍ୟ ସେ ଏତେଟା ସକ୍ରିୟ ନଥାନ୍ତି। ଏହା ତାଙ୍କ ଆରିଷ୍ଟୋକ୍ରେସି ନା ଦଳ ପ୍ରତି ଆଉ ଭର୍ତ୍ତୃହରିଙ୍କ ମନ ନାହିଁ ?

ଢେଙ୍କାନାଳର ବିଜେଡି ସାଂସଦ ମହେଶ ସାହୁ। ପେଶା ସିନା ସାଂସଦ, କିନ୍ତୁ ନିଶା ତାଙ୍କର ଆରଏସ୍ଏସ୍ ପାଇଁ ସେବା କରିବା। ଦେହ ଓ ମୁଣ୍ଡ ଯଦିଓ ତାଙ୍କର ବିଜେଡିର, କିନ୍ତୁ ମନ ପ୍ରତି ମୁହୂର୍ତ୍ତରେ ସଂଘରେ ଥାଏ। ସଂଘର ପ୍ରତିଟି କାର୍ଯ୍ୟରେ ସେ ଯୋଗ ଦିଅନ୍ତି ଏବଂ ତୃଣମୂଳସ୍ତରରେ ମଧ୍ୟ ସଂଘ ପାଇଁ କାମ କରନ୍ତି। ନିକଟରେ ମଧ୍ୟ ମହେଶ ଆରଏସ୍ଏସର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ତେଣୁ, ବାରମ୍ୱାର ସଂଘ କାର୍ଯ୍ୟରେ ଯୋଗଦେବା କ’ଣ ଇଙ୍ଗିତ କରୁଛି ? ୨୦୧୯ ମସିହା ସାଧାରଣ ନିର୍ବାଚନରେ ମହେଶଙ୍କୁ ଦଳ ସ୍ୱାଭିମାନ ରକ୍ଷା କରିବାକୁ ହେଉ ଅବା ଜିଦରେ ହେଉ, ଟିକେଟ୍ ଦେଇଥିଲା। ଦଳ ସେତେବେଳେ ବି ଜାଣିଥିଲା ଯେ, ମହେଶ ବାବୁ ସଂଘ ସହ ସଂଶ୍ଲିଷ୍ଟ। କିନ୍ତୁ, ତଥାଗତ ସତପଥୀଙ୍କ ସହ ଦଳର ହୋଇଥିବା ମନାନ୍ତର (ଯାହା ଚର୍ଚ୍ଚା ହୁଏ), ମହେଶଙ୍କୁ ବିଜେଡିର ହିରୋ କରିବାରେ ସକ୍ଷମ ହୋଇଥିଲା। ଯେହେତୁ ସଂଘର ପରୋକ୍ଷ ହେଉ ଅବା ପ୍ରତ୍ୟକ୍ଷ ପରିଚାଳନାରେ ବିଜେପି ପରିଚାଳିତ, ତେଣୁ, ସଂଘ ଯଦି ମହେଶଙ୍କୁ ବିଜେପିର ହାତ ଧରିବାକୁ କହିବ, ତେବେ ମହେଶ ବିଜେପି ଯିବା ଥୟ।

ପୁରୀ ସାଂସଦ ତଥା ବିଜେଡିର ଏଲିଟ୍ ଏମପି ପିନାକୀ ମିଶ୍ର। ଏହାସହ ସେ ହେଉଛନ୍ତି ସୁପ୍ରିମକୋର୍ଟର ଜଣେ ବରିଷ୍ଠ ଓକିଲ। ୧୯୯୬ ମସିହାରୁ ଲୋକସଭାକୁ ସାଂସଦ ଭାବେ ନିର୍ବାଚିତ ହୋଇ ଆସୁଥିବା ପିନାକୀ ମିଶ୍ର ମଧ୍ୟ ଦଳୀୟ କାର୍ଯ୍ୟରେ ସେତେଟା ସକ୍ରିୟ ରହୁନାହାନ୍ତି। ସେହିପରି ୨୦୧୯ ସାଧାଣ ନିର୍ବାଚନରେ ସମ୍ୱିତ ପାତ୍ରଙ୍କ ସହ ପିନାକୀଙ୍କ କଡ଼ା ଟକ୍କର ହୋଇଥିଲା। ସମ୍ୱିତଙ୍କ ପୁରୀ ରାଜନୀତିକୁ ଏଣ୍ଟ୍ରି ଆଉ ପିନାକୀଙ୍କୁ ଟକ୍କର ଦେବା ପରେ, ସାଂସଦ କାଳେ ନିଜ କନଫିଡେନ୍ସ ହରାଇ ସାରିଛନ୍ତି, ଯାହା ତାଙ୍କ ନିକଟତମ ମହଲରୁ ପ୍ରକାଶ। ଅନ୍ୟ ଏକ କାରଣ ହେଉଛି, ପିନାକୀ ବର୍ତ୍ତମାନ ସକ୍ରିୟ ରାଜନୀତିରୁ ନିଜକୁ ଦୂରରେ ରଖି ନିଜର ଓକିଲାତି ପେସାକୁ ଫୁଲ୍ ଟାଇମ୍ କରିବାକୁ ଚାହୁଁଛନ୍ତି। ତାଙ୍କର ଦିଲ୍ଲୀ ଦରବାରରେ କାଟତି ଭଲ, ଏହାସହ ଅନେକ ବଡ଼ବଡ଼ ବ୍ୟବସାୟୀଙ୍କ ସହ ମଧ୍ୟ ପିନାକୀଙ୍କ ସମ୍ପର୍କ ଭଲ। ତେଣୁ, ସେ କେନ୍ଦ୍ର ସରକାରଙ୍କ ଶତ୍ରୁ ଦୃଷ୍ଟିରେ ରହିବାକୁ ଚାହୁଁନାହାନ୍ତି। ସେଫ୍ ଜୋନରେ ଖେଳି ବିଜେପି ସରକାରର ଛତ୍ରଛାୟାରେ ରହିବାକୁ ଚାହୁଁଛନ୍ତି। ଅନ୍ୟପଟେ କମ୍ୟୁନିକେସନ୍ ଆଣ୍ଡ ପବ୍ଲିକ୍ ଇନଫର୍ମେସନ୍ ପାଇଁ ଜାତିସଂଘରେ ଶଶୀ ଥରୁର ଯେଭଳି ଭାରତ ସରକାରଙ୍କ ପକ୍ଷରୁ ଅଣ୍ଡର ସେକ୍ରେଟାରୀ ଥିଲେ, ପିନାକୀ ବାବୁ ମଧ୍ୟ ଠିକ୍ ସେଭଳି କିଛି ବଡ଼ ପଦବୀରେ ରହିବାକୁ ଲାଳସା ରଖିଥିବା ଚର୍ଚ୍ଚା ହେଉଛି। ତେଣୁ, ଏସବୁ ପାଇବାକୁ ସେ ମଧ୍ୟ ବିଜେପି ‘ଲିଙ୍କ୍ ‘ରେ ଥିବା ରାଜନୀତି ମହଲରେ ଚର୍ଚ୍ଚା ହେଉଛି।

ଅଚ୍ୟୁତ ସାମନ୍ତ। ଓଡ଼ିଶାର ଜଣେ ପ୍ରତିଷ୍ଠିତ ବ୍ୟକ୍ତି। କିଟ୍ ଓ ‘କିସ୍’କୁ ନେଇ ବିଶ୍ୱ ଦରବାରରେ ସେ ଯେତିକି ପରିଚିତ, ବିଜେଡିର କନ୍ଧମାଳ ସାଂସଦ ହେବା ପରେ ଜାତୀୟ ରାଜନୀତିରେ ଏବେଏବେ ଜଣେ ସକ୍ରିୟ ସଦସ୍ୟ। ଆଗାମୀ ଦିନରେ ବିଜେଡିକୁ ଟକ୍କର ଦେବାକୁ ସିଏ ହିଁ ହେବେ ବିଜେପିର ସବୁଠୁ ବଡ଼ ଅସ୍ତ୍ର। କାରଣ, ବିଜେଡିର ଅନ୍ୟ କୌଣସି ନେତା ନାହାନ୍ତି, ଯାହାକୁ ବିଜେପି ଆଗାମୀ ଦିନରେ ଭରସି ପାରିବ। ଅଚ୍ୟୁତ ବିଜେପି ଆଡ଼କୁ ଆଉଜିବା ନେଇ ଆକଳନ କରିବା ପଛରେ ଆଉ ଏକ ବଳିଷ୍ଠ କାରଣ ହେଉଛି, ତାଙ୍କର ସବୁ କାମ ବିଜେପିର ଆଦର୍ଶକୁ କ୍ଷତି ପହଞ୍ଚାଉ ନାହିଁ ବା ବିଜେପିର ଚିନ୍ତାଧାରାକୁ ଶକ୍ତ ଚାଲେଞ୍ଜ ବି ଦେଉନାହିଁ । ତେଣୁ, ନବୀନଙ୍କ ପରେ ବିଜେପିର ଆଖି ଓଡ଼ିଶାରେ ଥିବାବେଳେ ଅଚ୍ୟୁତ ସାମନ୍ତ ମଧ୍ୟ ଏବେଠାରୁ ନିଜକୁ ପ୍ରୋ-ବିଜେପି ଚିନ୍ତାଧାରାର ନେତା ଭାବରେ ପ୍ରଦର୍ଶିତ କରିବା ଆରମ୍ଭ କଲେଣି । ଅତୀତରେ ଅଚ୍ୟୁତ ସାମନ୍ତଙ୍କ ମୁହଁରେ ପିଏମ୍ ମୋଦିଙ୍କ ଭୂୟସୀ ପ୍ରଶଂସା ଏ ପ୍ରକାର ଧାରଣାକୁ ଆହୁରି ବଳିଷ୍ଠ କରୁଛି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: