ସୂର୍ଯ୍ୟ ଦେଓଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର

ସୂର୍ଯ୍ୟ ଦେଓଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଛି ଚଳଚ୍ଚିତ୍ର ସମୀକ୍ଷକ ସୂର୍ଯ୍ୟ ଦେଓଙ୍କ ପୁସ୍ତକ ‘କାଲି ପାଇଁ କାଲିର ସିନେମା’। ଶ୍ରେଷ୍ଠ ଚଳଚ୍ଚିତ୍ର ପୁସ୍ତକ ଭାବେ ତାଙ୍କ ପୁସ୍ତକ ମନୋନୀତ ହୋଇଛି। ଓଡ଼ିଆ ଚଳଚ୍ଚିତ୍ର ଉପରେ ସୂର୍ଯ୍ୟ ଦେଓଙ୍କ ଏହି ପୁସ୍ତକ ଏକ ବୈପ୍ଳବିକ ପୁସ୍ତକ। ଏଥିରେ ଥିବା ଫଟୋଗ୍ରାଫ ଓ ତଥ୍ୟଗୁଡ଼ିକ ଭବିଷ୍ୟତ ପିଢ଼ିଙ୍କ ପାଇଁ ସହଯୋଗୀ ହେବ। ଏଥର ଜାତୀୟ ପୁରସ୍କାରରେ ଓଡ଼ିଆ ସିନେମା କିମ୍ବା କୌଣସି ଅଭିନେତା ତଥା ଅଭିନେତ୍ରୀ ପୁରସ୍କାର ପାଇ ନଥିବା ବେଳେ ଚଳଚ୍ଚିତ୍ର ଉପରେ ସ୍ବତନ୍ତ୍ର ବର୍ଗରେ ସୂର୍ଯ୍ୟ ଦେଓଙ୍କ ପୁସ୍ତକ ମନୋନୀତ ହୋଇଛି।

ଏ ନେଇ ସେ କହିଛନ୍ତି, ଗତକାଲିର ସିନେମା କିଭଳି ଭବିଷ୍ୟତ ପିଢ଼ି ପାଇଁ ସଂରକ୍ଷିତ ହୋଇ ରହିପାରିବ ତାହା ଏହି ପୁସ୍ତକର ମୂଳ ଲକ୍ଷ୍ୟ। ଓଡ଼ିଆ ସିନେମାର ପ୍ରାୟ ୪୦ଭାଗ ସମ୍ପୂର୍ଣ୍ଣ ନଷ୍ଟ ହୋଇଗଲାଣି। ସୀତା ବିବାହ, ମମତା, ସିନ୍ଦୁର ବିନ୍ଦୁ, ଅଭିମାନ ଭଳି ସିନେମାର କୌଣସି ଅଂଶବିଶେଷ ନାହିଁ। ପୁରୁଣା ଚଳଚ୍ଚିତ୍ର ତଥ୍ୟକରଣ ଓ ସଂରକ୍ଷିତ ହେବା ଆବଶ୍ୟକ। ପୁସ୍ତକରେ କେବଳ ଓଡ଼ିଆ ସିନେମା ବିଷୟରେ ଲେଖାଯାଇଛି। ସେ ଆହୁରି କହିଛନ୍ତି ଯେ, ପାଖରୁ ଦେଖିଥିବା ୨୧ଟି ସିନେମା ଓ ସାମ୍ବାଦିକତା କରୁଥିବା ସମୟରେ ଭେଟିଥିବା ବିଭିନ୍ନ ନିର୍ମାତାଙ୍କ ସହ ଭେଟି ସାଉଁଟିଥିବା ଅନୂଭୁତିକୁ ନେଇ ପୁସ୍ତକରେ ଉଲ୍ଲେଖ କରିଛନ୍ତି।
୧୯୪୮ରୁ ୧୯୮୬ ମଧ୍ୟରେ ହୋଇଥିବା ୨୧ଟି ଚଳଚ୍ଚିତ୍ର ଯଥା: ଲଳିତା, ଶ୍ରୀ ଜଗନ୍ନାଥ, କୃଷ୍ଣ ସୁଦାମା, ଭକ୍ତ ସାଲବେଗ, ନୂଆ ବୋହୂ, ସାଧନା, କା’, ଭାଇ ଭାଉଜ, ଘର ବାହୁଡ଼ା, ରକ୍ତ ଗୋଲାପ, ଶ୍ରୀ ଲୋକନାଥ, ଭାଇଭାଇ, ସଂସାର, ସୂର୍ଯ୍ୟମୁଖୀ, ଜୀବନସାଥୀ, କିଏ କାହାର, ସ୍ତ୍ରୀ, ସମୟ, ନାଗଫାଶ, ଚିଲିକା ତୀରେ ଓ ମାୟାମିରୀଗକୁ ନେଇ ତାଙ୍କ ପୁସ୍ତକ ରଚନା କରିଛନ୍ତି। ଏହି ପୁସ୍ତକରେ ୧୯୭୦ରୁ ୧୯୮୦ ମଧ୍ୟରେ ସିନେମା ସହ ସମ୍ପର୍କିତ ଅନେକ ବ୍ୟକ୍ତି ବିଶେଷଙ୍କ ଖବରକାଗଜରେ ପ୍ରକାଶିତ ସାକ୍ଷାତକାରକୁ ମଧ୍ୟ ସେ ଏଥିରେ ସ୍ଥାନ ଦେଇଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: