ମୁଦ୍ରା ଋଣ: ନ୍ୟାୟୋଚିତ ସମୃଦ୍ଧି ଦିଗରେ ପ୍ରୟାସ

ମୁଦ୍ରା ଋଣ: ନ୍ୟାୟୋଚିତ ସମୃଦ୍ଧି ଦିଗରେ ପ୍ରୟାସ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: (ପ୍ରସ୍ତୁତି –ସୌମ୍ୟ କାନ୍ତି ଘୋଷ) ସ୍ୱାଧୀନତା ପରବର୍ତ୍ତୀ ଛଅ ଦଶନ୍ଧି ମଧ୍ୟରେ ଅଗୋଚରରେ ଯେଉଁ ବହିଷ୍କରଣ ସଂସ୍କୃତି ଗଢି ଉଠିଛି: ମୁଷ୍ଟିମେୟ ଏବଂ ସମାଜର ନିମ୍ନ ସ୍ତରରେ ରହିଥିବା ବ୍ୟକ୍ତିମାନଙ୍କୁ ବାଦ୍ ଦେବା! ମୋଦୀ ସରକାର ଏହାର ପରିବର୍ତ୍ତନ ପାଇଁ ଆରମ୍ଭରୁ ହିଁ ଇଚ୍ଛା ପ୍ରକାଶ କରିଛନ୍ତି । ଆମ ବିଶାଳ ଦେଶର କୋଣ ଅନୁକୋଣରେ ନ୍ୟାୟୋଚିତ ଔଦ୍ୟୋଗିକ ବିକାଶର ଅନ୍ୱେଷଣ ନୂତନ ନୀତି ନିର୍ଦ୍ଧାରକମାନଙ୍କ ଆଖିରୁ ନିଦ ହଜାଇ ଦେଇଛି । ଏହି ପରିପ୍ରେକ୍ଷୀରେ ଦୁଇଟି ଯୋଜନା ଯଥା ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ଏବଂ ମୁଦ୍ରା ଋଣ, ଦେଶର ଔଦ୍ୟୋଗିକ ଭାବନାକୁ ଏକ ନୂତନ ସ୍ୱାଧୀନତାର ପ୍ରତିଶୃତି ପ୍ରଦାନ ପୂର୍ବକ ଉଭୟ ଜମା ଓ ଋଣ ପ୍ରଦାନ ମାଧ୍ୟମରେ ଦେଶର ଆର୍ଥିକ ଅନ୍ତର୍ଭୁକ୍ତିକରଣର ଦୃଶ୍ୟପଟ୍ଟକୁ ପରିବର୍ତନ କରିଦେଇଛି ।

ଗତ ୭ ବର୍ଷ ମଧ୍ୟରେ, ବ୍ୟାଙ୍କଗୁଡିକ (ଆରଆରବି ସମେତ)/ ଏନବିଏଫସିଗୁଡିକ/ ଏମଏଫଆଇଗୁଡିକ ମିଳିତ ଭାବରେ ୩୫ କୋଟି ୩୨ ଲକ୍ଷ ମୁଦ୍ରା ଋଣ ଯୋଗାଇ ଦେଇଛନ୍ତି ଯାହାର ମୋଟ ପରିମାଣ ହେଉଛି ପ୍ରାୟ ୧୮. ୪ ଲକ୍ଷ କୋଟି ଟଙ୍କା, ଯାହା କ୍ଷୁଦ୍ରତମ ଋଣଗ୍ରହୀତାଙ୍କୁ ହାରାହାରି ୫୨,୦୦୦ ଟଙ୍କା ଯୋଗାଇବାରେ ସହାୟକ ହୋଇଛି । ଏହି ଋଣର ପ୍ରାୟ ଦୁଇ ତୃତୀୟାଂଶ ମହିଳା ଉଦ୍ୟୋଗୀମାନଙ୍କୁ ମଞ୍ଜୁର କରାଯାଇଛି । ଯଦି ଧରିନିଆଯାଏ ଯେ, ପ୍ରତ୍ୟେକ ସଂସ୍ଥା ସର୍ବନିମ୍ନ ଦୁଇ ଜଣ ବ୍ୟକ୍ତିଙ୍କୁ ନିଯୁକ୍ତି ଦେଉଛି, ତାହାହେଲେ ଏହି ସଂସ୍ଥାଗୁଡିକ ଅତି କମରେ ୧୦ କୋଟିରୁ ଅଧିକ ବ୍ୟକ୍ତିଙ୍କୁ ନିଯୁକ୍ତି ଯୋଗାଇ ଦେଉଛନ୍ତି ।

ଆର୍ଥିକ ବୁଝାମଣା ସମ୍ପର୍କରେ ଅଳ୍ପ ଜ୍ଞାନ ଥିବା  ମାତ୍ର ବ୍ୟବସାୟ କ୍ଷେତ୍ରରେ ସୂକ୍ଷ୍ମ ବୁଦ୍ଧିରେ ସମୃଦ୍ଧ ଏବଂ କିଛି ବଡ କରିବା ପାଇଁ ସ୍ୱପ୍ନ ଦେଖୁଥିବା ବକ୍ତିବିଶେଷଙ୍କ ବିବିଧ ଆବଶ୍ୟକତା ପ୍ରତି ସଚେତନ ସରକାର ସ୍ୱତନ୍ତ୍ର ଭାବେ ବିଭିନ୍ନ ବର୍ଗର ଉଦ୍ୟୋଗୀମାନଙ୍କର ଯତ୍ନ ନେବା ପାଇଁ ଶିଶୁ, ତରୁଣ ଏବଂ କିଶୋର ଭଳି ମୁଦ୍ରା ଋଣର ତିନିଟି ଶ୍ରେଣୀ ସୃଷ୍ଟି କରିଛନ୍ତି । ଏହାର ମାର୍ଗଦର୍ଶକ ସିଦ୍ଧାନ୍ତ ଏହା ଥିଲା ଯେ କାଳକ୍ରମେ ଗୋଟିଏ ଶିଶୁ ଋଣ ଉପଭୋକ୍ତା ସବୁବେଳେ ପାଇଁ ଶିଶୁ ବର୍ଗରେ ରହିବ ନାହିଁ, ସେ ତରୁଣ ରୂପରେ ବିକଶିତ ହେବ, ଏବଂ ଗୋଟିଏ ତରୁଣ ସମୟ କ୍ରମେ କିଶୋର ପାଲଟିବା ସହିତ ଆଗକୁ ନିରପେକ୍ଷତା ଓ ସମୃଦ୍ଧିକୁ ସୁନିଶ୍ଚିତ କରିବ!

କିନ୍ତୁ ୨୦୧୪ ପରବର୍ତୀ କାଳରେ ସରକାରଙ୍କୁ ଅନେକ ଆହ୍ୱାନର ମୁକାବିଲା କରିବାକୁ ପଡିଥିଲା । ସେତେବେଳେ କୌଣସି ସକ୍ଷମ ବ୍ୟବସ୍ଥା ନ ଥିଲା । ପ୍ରସ୍ତାବିତ ବିଶାଳ ଯୋଜନାଗୁଡିକୁ କାର୍ଯ୍ୟକାରୀ କରିବା ପାଇଁ କୌଣସି ସ୍ଥାପତ୍ୟ ବା ଭିତିଭୂମୀ ନ ଥିଲା । ବିଶ୍ୱାସର ଏକ ପାରସ୍ପରିକ ବାତାବରଣ ସୃଷ୍ଟି ଦ୍ୱାରା ସରକାର ପ୍ରଚଳିତ ସଂସ୍କୃତିକୁ ଶୃଙ୍ଖଳିତ କଲେ । ସରକାର ଏକ ସ୍ୱଚ୍ଛ ମଡେଲ ମାଧ୍ୟମରେ ଉଦ୍ୟମିତାକୁ ପ୍ରୋତ୍ସାହନ ଦେଲେ ଯାହାର ପ୍ରୟାସ ଏତେ ବିପୁଳ ମାତ୍ରାରେ ପୂର୍ବରୁ କେବେ ବି ହୋଇ ନଥିଲା । ଅଭିବୃଦ୍ଧି ଏବଂ ଉପାର୍ଜନ ସୃଷ୍ଟି ପାଇଁ ଅନେକ ସୁଯୋଗ ରହିଥିଲା କିନ୍ତୁ ସ୍ୱଳ୍ପ ଉପାର୍ଜନକାରୀ ବର୍ଗର ବ୍ୟକ୍ତିମାନେ ସେମାନଙ୍କ ଉଦ୍ୟମିତାର ମନୋଭାବକୁ ବ୍ୟାଙ୍କ ବ୍ୟବସ୍ଥାରୁ ଉତ୍ସାହଜନକ ସମର୍ଥନ ମିଳିବ କି ନାହିଁ ସେ ନେଇ ସନ୍ଦିହାନ ଥିଲେ ।

ସରକାରଙ୍କ ଦ୍ୱାରା ଗ୍ୟାରେଂଟି ଟ୍ରଷ୍ଟର ଗଠନ (ସିଜିଏଫଏମୟୁ) ବ୍ୟାଙ୍କ ଏବଂ ଅନ୍ୟାନ୍ୟ ଆର୍ଥିକ ସହାୟତା ପ୍ରଦାନକାରୀ ସଂସ୍ଥାଗୁଡିକ ମଧ୍ୟରେ ଋଣ ଗ୍ରହଣ ଏବଂ ଋଣ ପ୍ରଦାନ ପାଇଁ ବିଶ୍ୱାସ ସୁନିଶ୍ଚିତ କରାଇଲା । ସଂଘୀୟ ସରକାରଙ୍କ ଦ୍ୱାରା ପ୍ରାୟୋଜିତ ଟ୍ରଷ୍ଟ ଏବେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନର ଗ୍ୟାରେଂଟି ପ୍ରଦାନ କରୁଛି । ଋଣପ୍ରଦାନକରୀମାନଙ୍କ ନିକଟରେ ଏବେ ଅନ୍ୟ କୌଣସି ଆନୁଷଙ୍ଗିକ ବନ୍ଧକ ବିନା ଋଣ ପ୍ରଦାନ କରିବାର ଅତିରିକ୍ତ ସୁବିଧାଜନକ ସ୍ଥିତି ରହିଛି । ଅତି ଶୀଘ୍ର ଏହା ଏକ ସର୍ବବ୍ୟାପୀ ଅପୂର୍ବ ଘଟଣା ପାଲଟି ଯାଇଥିଲା ଯାହାଦ୍ୱାରା ଏହି ଦେଶର ସାଧାରଣ ନାଗରିକମାନେ ବଡ ବଡ ଅର୍ଥ ପ୍ରଦାନକାରୀ ସଂସ୍ଥାର ପୋର୍ଟାଲଗୁଡିକୁ ସେମାନଙ୍କ ପାଇଁ ସୁଗମ ଭାବେ ଉନ୍ମୁକ୍ତ ଥିବାର ଦେଖିବାକୁ ପାଇଲେ!

ସରକାର ମଧ୍ୟ ଏହି ପ୍ରକ୍ରିୟାର କାର୍ଯ୍ୟାନ୍ୱୟନ ଓ ତଦାରଖ ପାଇଁ ପ୍ରଯୁକ୍ତି ବିଦ୍ୟାର ଉପଯୋଗ କଲେ । ଏହି ଯୋଜନାର ବ୍ୟାପକ ଗ୍ରହଣୀୟତାକୁ ପ୍ରୋତ୍ସାହନ ଦେବା  ଏବଂ ଯୋଜନାର ଟିକିନିଖି ବିଷୟ ବସ୍ତୁ ସବୁକୁ ଲୋକମାନଙ୍କ ନିକଟରେ ପରିଚିତ କରାଇବା ପାଇଁ ବ୍ୟାଙ୍କ କ୍ଷେତ୍ରର ପ୍ରତିନିଧିମାନଙ୍କୁ ଏଥିରେ ନିୟୋଜିତ କରାଗଲା ।

ମୁଦ୍ରା ଯୋଜନା ଜରିଆରେ ଲୋକମାନଙ୍କ ସଶକ୍ତିକରଣର ଅନେକ ମନଲୋଭା ସଫଳ କାହାଣୀ ରହିଛି । ଏହିଭଳି ସଫଳତାର କାହାଣୀ ମଧ୍ୟରୁ ଅନେକ ମହିଳା ଋଣ ଉପଭୋକ୍ତାମାନଙ୍କର, ଯେଉଁମାନେ ନିଜ ନିଜର ପରିବାରର ଜୀବିକା ନିର୍ବାହ ପାଇଁ ସହାୟତାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି ଏବଂ ଏପରିକି ଅନ୍ୟାନ୍ୟ ପରିବାରଗୁଡିକୁ ନିଯୁକ୍ତି ଯୋଗାଇ ଦେଉଛନ୍ତି । ସେମାନେ ନିଜକୁ କାଳ କାଳର ମହାଜନମାନଙ୍କ ଦାସତ୍ୱରୁ ମୁକ୍ତ କରିବା ସହିତ ବ୍ୟାଙ୍କ ଋଣ ସହାୟତାରେ ନିଜର ଅଭିବୃଦ୍ଧି କରାଇ ପାରିଛନ୍ତି । ମୁଦ୍ରା ଋଣ ଉପଭୋକ୍ତାଙ୍କ ଦୁଇ ତୃତୀୟାଂଶ ହେଉଛନ୍ତି ମହିଳା ହିତାଧିକାରୀ, ସେମାନଙ୍କ ମଧ୍ୟରୁ  ସାମାଜିକ ଭାବେ ବଂଚିତ ଗୋଷ୍ଠୀରୁ ଆସିଥିବା ଏହିଭଳି ଅଧିକାଂଶ ମହିଳା ଏବେ ଦେଶର ସାମାଜିକ – ସାଂସ୍କୃତିକ ସଂରଚନାକୁ ବଦଳାଉଛନ୍ତି ।

ସଫଳତାର ଏହିସବୁ କାହାଣୀ ସ୍ମରଣ କରାଇ ଦେଉଛି ଯେ ଦୁଃଖ ଯନ୍ତ୍ରଣା ଏବଂ ମୂଢତା ମଧ୍ୟରେ, ଝଡ ଝଞ୍ଜା ଏବଂ ଆହ୍ୱାନଗୁଡିକ ମଧ୍ୟରେ ହିଁ  କ୍ଷୁଦ୍ର ବ୍ୟବସାୟ ପରିପୁଷ୍ଟ ହୋଇପାରିବ! କୌଣସି ବି ଆହ୍ୱାନ ସେମାନଙ୍କର ଅଦମ୍ୟତା ଓ ଦୃଢ ମନୋବଳକୁ ଭାଙ୍ଗି ଦେଇ ପାରିବ ନାହିଁ ।

କୋଭିଡ କାଳରେ ଦେଶ ମଧ୍ୟ ଔଦ୍ୟୋଗିକ ଭାରତର ଦୃଢ ମନୋଭାବର ପ୍ରମାଣ ପାଇଛି । କେତେକ ଶିକ୍ଷିତ ବ୍ୟକ୍ତି କହିଲେ ଯେ ବ୍ୟବସ୍ଥା ଉପରେ ଅତି ମାତ୍ରାରେ ଏହାର ଚାପ  ପଡିବ । ପରିଶୋଧ ହୋଇ ପାରୁନଥିବା ଋଣର ପରିମାଣ ବହୁ ମାତ୍ରାରେ ବଢି ଚାଲିବ । କିନ୍ତୁ ସେମାନଙ୍କ କଥାର ବିପରୀତ, ଏହି ପରିସ୍ଥିତିରୁ ଅନାୟାସରେ ମୁକୁଳିବା ପାଇଁ ବ୍ୟବସ୍ଥା ଯଥେଷ୍ଟ ମଜବୁତ ଥିଲା । ଏହି ନିର୍ଭୀକ ନୂତନ ପ୍ରଜାତିର ବ୍ୟବସାୟ ଗୋଷ୍ଠୀଙ୍କୁ ସୁରକ୍ଷିତ ରଖିବାରେ ସହାୟତା ଯୋଗାଇ ଦେବାକୁ ସରକାର ଅଙ୍ଗୀକାରବଦ୍ଧ ଥିଲେ । ଋଣ ଉପଭୋକ୍ତାଙ୍କ ବୋଝକୁ ବେଶ ହାଲୁକା କରିବା ପାଇଁ ସରକାର ମଧ୍ୟ ୨% ସୁଧର ଏକ ଅନୁଦାନ ଯୋଜନା ପ୍ରଚଳନ କରିଥିଲେ ଯାହା ଏବେ ମଧ୍ୟ କାର୍ଯ୍ୟକାରୀ ହେଉଛି ।

ଏକ ନୂତନ ଡିଜିଟାଲ ଭାରତ ଆତ୍ମପ୍ରକାଶ କରିଚାଲିଛି, ଯାହା ଆମର ଆର୍ଥିକ ବ୍ୟବସ୍ଥାରେ ବୈପ୍ଳବିକ ପରିବର୍ତନ ଆଣୁଛି । ଆଜି, ଭାରତରେ ଏକ ସୁବ୍ୟବସ୍ଥିତ ଢାଂଚା  ରହିଛି ଯାହା ଜଣେ ବ୍ୟକ୍ତିକୁ ନିଜ ଘରୁ ସୁବିଧାରେ ଋଣ ପାଇଁ ଆବେଦନ ନିମନ୍ତେ ଗୋଟିଏ ବ୍ୟାଙ୍କର ଆପ ବ୍ୟବହାର କରିବାରେ ସହାୟତା ପ୍ରଦାନ କରୁଛି । ସୃଷ୍ଟି କରାଯାଇଥିବା ନୂତନ ସୁଯୋଗ ଦ୍ୱାରା, ଏନବିଏଫସି ଓ କ୍ଷୁଦ୍ର ଅର୍ଥ ଯୋଗାଣକାରୀ ସଂସ୍ଥା ସହିତ ବ୍ୟାଙ୍କ ଏବଂ ଆରଆରବି ହାତ ମିଳାଇବା ଦ୍ୱାରା ମୁଦ୍ରା ଋଣ ଯୋଗାଇବା ପାଇଁ କର୍ପୋରେଟ କ୍ଷେତ୍ରକୁ ନୂଆ ଯୋଗାଣ ଶୃଙ୍ଖଳ ମିଳିଯାଇଛି । ଏବେ ଏକ ଗୁଣକ ବୃଦ୍ଧିକାରୀ ପ୍ରଭାବ ଜାରି ରହିଛି, ଗୋଟିଏ ଟଙ୍କାର ଋଣରୁ ଚକ୍ରାୟିତ ଅର୍ଥନୀତିରେ ବେଶ ଅଧିକ ଲାଭ ମିଳୁଛି । ଋଣ ଉପଭୋକ୍ତା ଏବଂ ସେମାନଙ୍କର ପରିବାର ପାଇଁ ଏବେ ସାମାଜିକ ସୁରକ୍ଷାର ବ୍ୟବସ୍ଥା କରାଯାଇଛି, ଯେଉଁ ବିଷୟରେ ପୂର୍ବରୁ କେବେ ଚିନ୍ତା କରାଯାଇ ନଥିଲା! ଆଗକୁ ଆଗକୁ ଅଧିକାଂଶ କଲ୍ୟାଣକାରୀ ଯୋଜନା ଏବଂ କୃଷି ଓ ଏମଏସଏମଇ କ୍ଷେତ୍ରର ପ୍ରୋତ୍ସାହନକାରୀ ଯୋଜନାକୁ ମୁଦ୍ରା ଯୋଜନା ସହିତ ଅଧିକ ଉନ୍ନତ ଭାବେ ଏକୀକୃତ କରାଯାଇ ପାରିବ । ଏଥିସହିତ ସୀମାର ବନ୍ଧନରୁ ମୁକ୍ତ ଏକ ସୁଦୀର୍ଘ ଓ ସାମଗ୍ରିକ ବିକାଶ ସମ୍ଭାବନାକୁ ସାକାର ରୂପ ଦେବା ପାଇଁ  ଫିନ ଟେକ ଓ ଷ୍ଟାର୍ଟ ଅପ ପରିବେଷ୍ଟନୀ ତନ୍ତ୍ରର ସଠିକ ବ୍ୟବହାରର ଉପଯୋଗ କରିବାକୁ ହେବ ।

ମୁଦ୍ରା ହେଉଛି ସଫଳତାର ଏକ କାହାଣୀ  ଯାହା ଦର୍ଶାଉଛି ଯେ ଏକ ନ୍ୟାୟୋଚିତ ଏବଂ ଦୀଘସ୍ଥାୟୀ ପରିବର୍ତ୍ତନ ଉପରେ ବହୁଗୁଣିତ ପ୍ରଭାବ ନିମନ୍ତେ ସାମାଜିକ, ଆର୍ଥିକ ଓ ସାଂସ୍କୃତିକ ଶକ୍ତିକୁ ସଠିକ ରାଜନୈତିକ ଅଭିପ୍ରାୟ କିପରି ସାମନା କରିପାରିବ । ଆମେ, ସ୍ଥୁଳ ଭାବରେ ବିଶ୍ୱାସ କରୁ ଯେ ନିଜ ଉପରେ ବିଶ୍ୱାସ ରଖୁଥିବା ଏକ ଔଦ୍ୟୋଗିକ ଭାରତ ନିମନ୍ତେ ଏହା ଅମୃତ କାଳର ପ୍ରାରମ୍ଭ ମାତ୍ର!

(ଲେଖକ ଭାରତୀୟ ଷ୍ଟେଟ ବ୍ୟାଙ୍କର ଗ୍ରୁପ ମୁଖ୍ୟ ଆର୍ଥିକ ପରାମର୍ଶଦାତା । ଲେଖକଙ୍କର ମତାମତ ବ୍ୟକ୍ତିଗତ ଅଟେ)

0 Comments

Leave Your Comment

Your email address will not be published. Required fields are marked *

%d bloggers like this: