ଶ୍ରୁତସଂକ୍ଷିପ୍ତ- (କହି ହୁଏନାହିଁ , ସହି ହୁଏନାହିଁ)

ଶ୍ରୁତସଂକ୍ଷିପ୍ତ- (କହି ହୁଏନାହିଁ , ସହି ହୁଏନାହିଁ)

(ଶ୍ରୁତକିର୍ତ୍ତୀ ତ୍ରିପାଠୀ): କୋରୋନା ମହାମାରୀ ଜନିତ ଦୁଇବର୍ଷର ବିରତି ପରେ ସବୁ ଶିକ୍ଷା ଅନୁଷ୍ଠାନ ଖୋଲିଯାଇଛି l ପିଲାମାନେ ବିଦ୍ୟାଳୟକୁ ଫେରିଛନ୍ତି ସତ ; ମାତ୍ର ଉପସ୍ଥାନ ଖାତାରେ ପିଲାଙ୍କ ସଂଖ୍ୟା ଦେଖିଲେ ଆଶ୍ଚର୍ଯ୍ୟ ଲାଗୁଛି l ୟା ଭିତରେ ଅନେକ ପିଲା ପାଠପଢ଼ା ଛାଡି ଦିନ ମଜୁରିଆ ପାଲଟି ଯାଇଛନ୍ତି, କିମ୍ବା ପଇସା ରୋଜଗାର ପାଇଁ ଅନ୍ୟ କାମରେ ନିୟୋଜିତ ହୋଇଛନ୍ତି l ଝିଅମାନଙ୍କୁ ଘରକାମ କିମ୍ବା ଚାଷକାମ ଆଦିରେ ବ୍ୟସ୍ତ ରଖାଯାଇଛି l କହିବା ବାହୁଲ୍ୟ ସେଇଠୁ ଫେରି ପୁଣିଥରେ ବିଦ୍ୟାଳୟରେ ପାଠ ପଢିବା କଷ୍ଟକର ମନେ ହେଉଛି।

ଏ ତ’ ଗଲା ବିଦ୍ୟାଳୟରେ ଅନୁପସ୍ଥିତ ପିଲାଙ୍କ କଥା, ବିଦ୍ୟାଳୟକୁ ନିତିଦିନ ଆସୁଥିବା ପିଲାଙ୍କ ବିଷୟରେ ଆଲୋଚନା ମଧ୍ୟ ପ୍ରାସଙ୍ଗିକ ମନେହୁଏ l ସରକାରୀ ବିଦ୍ୟାଳୟ ଗୁଡିକରେ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ଟି ସରକାରଙ୍କ ପିଲାଙ୍କୁ ଶିକ୍ଷା ପ୍ରତି ଆକର୍ଷିତ କରିବା ଏବଂ ଅଭାବୀ ପିଲାଙ୍କୁ ସାହାଯ୍ୟ ହେବ ମନେକରି ଆରମ୍ଭ କରାଯାଇଥିଲା l କରୋନା ଯୋଗୁଁ ଦୁଇବର୍ଷର ବ୍ୟତିକ୍ରମ ପରେ ଏହା ପୁଣିଥରେ ଆରମ୍ଭ ହେଲା l ୨o୨o ଏପ୍ରିଲ ୨o ରୁ ସରକାର ଏହା ପାଇଁ ଏକ ନିର୍ଦ୍ଧିଷ୍ଟ ଦର ଧାର୍ଯ୍ୟ କଲେ l ତଦନୁଯାୟୀ ସ୍କୁଲ ଶିକ୍ଷକମାନେ ଡାଲି କିଲୋ ପ୍ରତି ୮o ଟଙ୍କା, ଖାଇବା ତେଲ କିଲୋ ପ୍ରତି ୧୪o ଟଙ୍କା, ପାରିବା କିଲୋ ପ୍ରତି ୨୯ ଟଙ୍କା, ସୋୟାବଡି କିଲୋ ପ୍ରତି ୭୬ ଟଙ୍କା ଏବଂ ଅଣ୍ଡା ଗୋଟାକୁ ୫ ଟଙ୍କା ହିସାବରେ କିଣୁଥିଲେ l ହେଲେ ପ୍ରଶ୍ନ ଉଠୁଛି ବର୍ତ୍ତମାନ ରାଜ୍ୟରେ ଏହିସବୁ ସାମଗ୍ରୀ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ମୂଲ୍ୟରେ ମିଳୁଛି ତ ? ଯଦିଓ ସରକାର ମାଗଣାରେ ଚାଉଳ ଯୋଗେଇ ଦେଉଛନ୍ତି, ଖାଇବା ତେଲ ଲିଟର ପିଛା ୧୮o ରୁ କମରେ ମିଳୁନାହିଁ l ସେହିପରି ଡାଲି କିଲୋପ୍ରତି ୯o, ସୋୟାବଡି କିଲୋ ପ୍ରତି ୧୩o ଏବଂ ଅଣ୍ଡା ଗୋଟାକୁ ୬ ରୁ ୭ ଟଙ୍କା କୁ ବୃଦ୍ଧି ପାଇଛି l ପାରିବା ଦର ଯେଉଁଠି ଆକାଶ ଛୁଉଁଛି ( ଟମାଟ କିଲୋ ଶହେ ), ୨୯ ଟଙ୍କା କିଲୋ ହିସାବରେ ପାରିବା କିଣି ଡାଲମା ପ୍ରସ୍ତୁତ କରିବା ପ୍ରାୟ ଅସମ୍ଭବ କହିଲେ ଚଳେ l

ଏଣୁ, ଉପରୋକ୍ତ ସ୍ଥିତି ପ୍ରତି ପ୍ରଶାସନ କିମ୍ବା ସରକାର ଅବଗତ ଅଛନ୍ତି ତ ? ନିୟମ ଅନୁସାରେ ସପ୍ତାହକୁ ଦୁଇ ଦିନ ଭାତ-ଡାଲମା ଦୁଇ ଦିନ ଭାତ-ସୋୟାବିନ ଓ ଦୁଇ ଦିନ ଭାତ-ଅଣ୍ଡା ଦିଆଯିବାର ନିର୍ଦ୍ଦେଶ ରହୁଛିl କିନ୍ତୁ ବଜାର ଦର ଅନୁସାରେ ଏତିକି ଟଙ୍କାରେ ମଧ୍ୟାହ୍ନ ଭୋଜନ ଯୋଗାଇବା କଷ୍ଟକର l ତଥାପି ଏହି ବ୍ୟବସ୍ଥାଟି ବନ୍ଦ ନ ହୋଇ ଚାଲିଛି l ଏହାପାଇଁ ହଇରାଣ ହେଉଛନ୍ତି ମଧ୍ୟାହ୍ନ ଭୋଜନ ଦାୟିତ୍ୱରେ ଥିବା ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ମାନେ l ଏହି ଦାୟିତ୍ୱକୁ ତୁଲେଇବା ପାଇଁ ସେମାନେ ନିଜ ଦରମା ଟଙ୍କାରୁ ଖର୍ଚ୍ଚ କରିବେ ନା ବିକଳ୍ପ ରାସ୍ତା ( ଦୁର୍ନୀତି ) କୁ ଆପଣେଇ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଯୋଗେଇବେ l ଏହି ସ୍ଥିତି ଶିକ୍ଷା କ୍ଷେତ୍ରରେ ଦୁର୍ନୀତି ଓ ହେରଫେର ପାଇଁ ନୂତନ ବାଟ ତିଆରି କରୁନାହିଁ ତ ?

ଗୋଟିଏ ପଟେ ନିମ୍ନମାନର ଖାଦ୍ୟ ଯୋଗେଇଲେ ପିଲାଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ରହିଥିବା ବେଳେ, ଅସାଧୁ ଉପାୟ କରି କିମ୍ବା ଶିକ୍ଷକ ନିଜ ହାତରୁ ଟଙ୍କା ଖର୍ଚ୍ଚ କଲେ ହିଁ ଏହାର ସମାଧାନର ବାଟ ଦେଖାଯାଉଛି l ବିଡମ୍ବନା ଯେ ଶିକ୍ଷକ ଶିକ୍ଷୟିତ୍ରୀ ଏ ବିଷୟରେ ମୁହଁ ଖୋଲି କହି ପାରିବେନି l ଯେମିତି କି କଥାରେ ଅଛି, ” କହିଲେ ତ କୂଳ କୁଟୁମ୍ବ କୁ ଲାଜ, ନ କହିଲେ କୂଳ ଭାସି ଯାଏରେ….. ” l ମଧ୍ୟାହ୍ନ ଭୋଜନ ଦାୟିତ୍ବରେ ଥିବା ଅଧିକାରୀ ମଧ୍ୟ, ” କହି ହୁଏ ନାହିଁ, ସହି ହୁଏ ନାହିଁ ” ନୀତିରେ ଚୁପ୍ ହୋଇ ରହୁଛନ୍ତି l

ସପ୍ତାହରେ ୬ ଦିନ ଶିକ୍ଷକ / ଶିକ୍ଷୟତ୍ରୀ ମାନଙ୍କୁ ଏହି ମଧ୍ୟାହ୍ନ ଭୋଜନ ଜନିତ ଚିନ୍ତା ଘାରି ବସିଲେ, ତାଙ୍କର ମୂଳ ଉଦ୍ଦେଶ୍ୟ ଶିକ୍ଷାଦାନ ଟି ଅବହେଳିତ ହେବାର ସମ୍ଭାବନା ବଢ଼ି ବଢ଼ି ଯାଉଛି l ପିଲା ବିଦ୍ୟାଳୟକୁ ଆସି ବିଦ୍ୟା ଗ୍ରହଣ କରନ୍ତୁ ଅବା ନ କରନ୍ତୁ ପେଟପୁରା ଖାଇ କେମିତି ଘରକୁ ଯିବେ ସେ ଚିନ୍ତା ଶିକ୍ଷକ ଟିଏ ଅଧିକ କରୁଛି l ସତକଥା ହେଲା ଖାଲି ପେଟରେ ବିଦ୍ୟା ଆହରଣ ସମ୍ଭବ ହିଁ ନୁହେଁ l ମଧ୍ୟାହ୍ନ ଭୋଜନ ଯୋଗେଇବା ବ୍ୟବସ୍ଥା ସରକାରଙ୍କ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ହୋଇଥିବା ବେଳେ ଏହା ସହିତ ଜଡ଼ିତ ନାନାଦି ସମସ୍ୟା ଶିକ୍ଷକ / ଶିକ୍ଷୟିତ୍ରୀଙ୍କୁ ବିଦ୍ୟାଦାନ ଭଳି ମୂଳଲକ୍ଷ୍ୟରୁ ନିବୃତ୍ତ କରୁଛି l ବର୍ଦ୍ଧିତ ଦରକୁ ଆଖି ଆଗରେ ରଖି ପିଲାଙ୍କୁ ଉପଯୁକ୍ତ ପରିମାଣର ପୋଷଣଯୁକ୍ତ ମଧ୍ୟାହ୍ନ ଭୋଜନ ଯୋଗେଇଦେବା ସେମାନଙ୍କ ପାଇଁ ଏକ ଚାଲେଞ୍ଜ ଠାରୁ କମ ହୋଇ ରହିଯାଇ ନାହିଁ l

ଏଣୁ ସରକାର ଏ ଦିଗରେ ଯଥାଶୀଘ୍ର କିଛି ପଦକ୍ଷେପ ନେଇ ସମାଧାନର ବାଟ ଖୋଜନ୍ତୁ, ଯାହା ଦ୍ୱାରା ପିଲାମାନେ ଠିକ ରୂପେ ମଧ୍ୟାହ୍ନ ଭୋଜନ ପାଇପାରିବେ l ଅପରପକ୍ଷେ ଶିକ୍ଷକ ଶିକ୍ଷୟତ୍ରୀ ମଧ୍ୟ ତାଙ୍କୁ ସୁସ୍ଥ ଭୋଜନ ଯୋଗେଇ ନ ପାରିବାର ଆତ୍ମଗ୍ଲାନିରୁ ମୁକ୍ତି ପାଇବା ସହିତ ନିଜ ହାତରୁ ଏହାର ଭରଣା କରିବା କିମ୍ବା ଅସାଧୁ ଉପାୟ ଅବଲମ୍ବନ କରି ଏହି ପ୍ରକ୍ରିୟାକୁ କାର୍ଯ୍ୟକ୍ଷମ କରିବା ଭଳି ଦ୍ଵନ୍ଦାତ୍ମକ ପରିସ୍ଥିତିର ସାମ୍ନା କରିବେ ନାହିଁ l

ଫୋନ – 6370516478
ଭୁବନେଶ୍ୱର

0 Comments

Leave Your Comment

Your email address will not be published. Required fields are marked *

%d bloggers like this: