Connect with us

ସାହିତ୍ୟ ସ୍ତମ୍ଭ

ନିବିଡ଼ ପ୍ରଣୟଧର୍ମୀ ଆଧୁନିକ ସ୍ୱରର ମୁଖ୍ୟ ଶିଳ୍ପୀ ଥିଲେ ‘ମାୟାଧର’

Published

on

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଓଡ଼ିଆ ଭାଷା, ସାହିତ୍ୟ କଥା ଉଠିଲେ ତାଙ୍କରି ନାଁ ଆପେ ଆପେ ଚାଲିଆସେ। ଓଡ଼ିଶା ସାହିତ୍ୟ ପ୍ରତି ଜଣେ ସାହିତ୍ୟିକ ହିସାବରେ ତାଙ୍କର ଯେତିକି ଅବଦାନ, ଓଡ଼ିଆ ଭାଷାରେ ଜଣେ ଭାଷାବିତ୍ ଭାବେ ସେ ସେତିକି ସଂଶ୍ଲିଷ୍ଟ ଥିଲେ। ବିଂଶ ଶତାବ୍ଦୀର ପ୍ରଥମ ଭାଗରେ ଓଡ଼ିଆ କାବ୍ୟ ଜଗତରେ ଯେଉଁ ନିବିଡ଼ ପ୍ରଣୟଧର୍ମୀ ଆଧୁନିକ ସ୍ୱରର ଆରମ୍ଭ ହୋଇଥିଲା, ତାର ମୁଖ୍ୟ ଶିଳ୍ପୀ ଥିଲେ ମାୟାଧର ମାନସିଂହ। କବିବର ରାଧାନାଥ ରାୟଙ୍କ ପରେ ଓଡ଼ିଆ ସାହିତ୍ୟର ଅନ୍ୟତମ ରୋମାଣ୍ଟିକ କବି। ୧୯୦୫ ମସିହା ନଭେମ୍ୱର ମାସ ୧୩ ତାରିଖରେ ଚିଲିକାର ନନ୍ଦଳା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ମାୟାଧର ମାନସିଂହ।
ଆବାଲ୍ୟରୁ ପିତୃ, ମାତୃହୀନ ହେବା ସତ୍ତ୍ୱେ ଓଡ଼ିଶାର ବୌଦ୍ଧିକ ମାନଚିତ୍ର ଉପରେ ଦୀର୍ଘ ୫୦ ବର୍ଷରୁ ଅଧିକ ସମୟ ନିଜର ଅଖଣ୍ଡ ଆଧିପତ୍ୟ ବିସ୍ତାର କରିଥିଲେ ମାୟାଧର ମାନସିଂହ। ଜଣେ ରେନିସା ପୁରୁଷ ପରି ସେ ଏକାଧାରରେ ଥିଲେ ସାହିତ୍ୟିତ, ଆଲୋଚକ, ଜ୍ଞାନଜୀବୀ ଓ ଶିକ୍ଷାବିତ୍। କିନ୍ତୁ ସାତ ତାଳ ପାଣି ତଳର ସିନ୍ଧୁକରେ କାହାଣୀର ରାଜ ପୁତ୍ରର ପ୍ରାଣ ଭ୍ରମର ଥିଲା ଭଳି ମାୟାଧର ମାନସିଂହଙ୍କ ପ୍ରାଣ ବନ୍ଦୀ ଥିଲା ତାଙ୍କ କାବ୍ୟ କବିତାର ଫରୁଆ ଭିତରେ। ୧୯୩୧ରେ ତାଙ୍କର ପ୍ରଥମ ପ୍ରକାଶିତ ହୋଇଥିଲା ‘ଧୂପ’। ଯୁବକ, ଯୁବତୀଙ୍କ ଠାରୁ ଅଫିସ ଫେରନ୍ତା ପ୍ରାପ୍ତ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ବାନ୍ଧି ହୋଇଥିଲେ ଏହି ‘ଧୂପ’ କବିତାରେ, ଯାହା ତାଙ୍କୁ ପ୍ରଣାୟାନୁଭୂତିର ଜଣେ ବିଦଗଧ କବି ରୂପେ ସଫଳ ଆଣି ଦେଇଥିଲା। ଏହାପରେ ପ୍ରେମଶସ୍ୟ, ହେମପୁଷ୍ପ, ଅକ୍ଷତ, ବାପୁତର୍ପଣ, ଜୀବନଚିତା ଆଦି ତାଙ୍କ ଲେଖନୀରୁ ସୃଷ୍ଟି। ସେହିପରି ଇଂରାଜୀ ଭାଷାରେ ମଧ୍ୟ କେତେକ ପୁସ୍ତକ ରଚନା କରି ମାୟାଧର ମାନସିଂହ ସାହିତ୍ୟ ଜଗତରେ ଏକ ନୂଆ ଉଦାହରଣ ସୃଷ୍ଟି କରିଥିଲେ। ‘The saga of the land of jagannath’, ‘History of Odia literature’, ‘Fakirmohan Senapati’,’Kalidas and Shakespeare’ହେଉଛି ତାଙ୍କର ଉଲ୍ଲେଖନୀୟ ଅବଦାନ। ଏବେ ମାୟାଧରଙ୍କ ସାହିତ୍ୟ ରଚନାକୁ ବଞ୍ଚାଇ ରଖିଛନ୍ତି କେତେକ ଅନୁଷ୍ଠାନ। ବିଶିଷ୍ଟ ଗାୟିକା ସୁସ୍ମିତା ଦାସ, କବି ଦେବଦାସ ଛୋଟରାୟ ଏବଂ ସଙ୍ଗୀତଜ୍ଞ ଓମ୍ ପ୍ରକାଶ ମହାନ୍ତିଙ୍କ ଟିମ୍ ମାୟାଧରଙ୍କ ଅନେକ କବିତାକୁ ନୂତନ ରୂପ ଦେଇ ଗୀତ ନିର୍ମାଣ କରିଛନ୍ତି।

Advertisement
Click to comment

Leave a Reply

Your email address will not be published. Required fields are marked *

Advertisement
Advertisement

Trending