ସମୁଦ୍ର ଜୁଆରକୁ ଖାତିର ନକରି ୬ଶହ ବର୍ଷ ହେଲା ଗୋଟିଏ ପଥର ଉପରେ ଛିଡ଼ା ହୋଇଛି ଏହି ମନ୍ଦିର, ସୁରକ୍ଷା କରନ୍ତି ସାପ

ସମୁଦ୍ର ଜୁଆରକୁ ଖାତିର ନକରି ୬ଶହ ବର୍ଷ ହେଲା ଗୋଟିଏ ପଥର ଉପରେ ଛିଡ଼ା ହୋଇଛି ଏହି ମନ୍ଦିର, ସୁରକ୍ଷା କରନ୍ତି ସାପ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଭାରତରେ ମନ୍ଦିର ତିଆରି ପରମ୍ପରା ବହୁ ପୁରୁଣା, ତେବେ ବିଦେଶରେ ମଧ୍ୟ ଯୁଗଜିଗ ଧରି କେତେକ ମନ୍ଦିର ଏହି ଆସୁଛି। ଭାରତ ବ୍ୟତୀତ ଏହାର ଆଖପାଖର ଅନେକ ଦେଶ ରହିଛି ଯେଉଁଠି ବହୁ ପୁରାତନ ହିନ୍ଦୁ ମନ୍ଦିରମାନ ଦେଖିବାକୁ ମିଳେ। ଶହ ଶହ ବର୍ଷ ପରେବି ସେହି ମନ୍ଦିର ଗୁଡ଼ିକ ବିଦେଶରେ ଅକ୍ଷୁର୍ଣ୍ଣ ରହିଛି। ତେବେ ଆଜି ଆମେ ଆପଣଙ୍କୁ ଏପରି ଏକ ମନ୍ଦିର ବିଷୟରେ କହିବାକୁ ଯାଉଛୁ, ଯାହା ୬୦୦ ବର୍ଷ ଧରି ସମୁଦ୍ର ମଝିରେ ଅଣ୍ଟା ସଲଖି ଛିଡ଼ା ହୋଇଛି। ଯାହାର କୌଣସି ବି କ୍ଷତି କରିପାରିନି ଗଭୀର ସମୁଦ୍ରରୁ ଲୁଣି ପାଣି। ଏହି ମନ୍ଦିରଟି ଇଣ୍ଡୋନେସିଆରେ ବାଲିରେ ଅବସ୍ଥିତ। ତେବେ ସେହି ୬୦୦ ବର୍ଷ ପୁରୁଣା ମନ୍ଦିରକୁ ବିଷାକ୍ତ ସାପମାନେ ସୁରକ୍ଷା ଦେଇଥାନ୍ତି ବୋଲି କୁହାଯାଏ।
ମନ୍ଦିରଟି ଇଣ୍ଡୋନେସିଆର ସମୁଦ୍ର କୂଳରେ ଏକ ଉଚ୍ଚ ପଥର ଉପରେ ନିର୍ମିତ ହୋଇଛି। ତେବେ କୁହାଯାଉଛି ଯେ ହଜାରେ ବର୍ଷ ଧରି ସମୁଦ୍ର ଜୁଆର କ୍ଷୟ ହେତୁ ଏହି ପଥର ସୃଷ୍ଟି ହୋଇଛି। ତେବେ ମନ୍ଦିର ନିର୍ମାଣର କାହାଣୀ ଅତ୍ୟନ୍ତ ଅନନ୍ୟ। ବିଶ୍ବରେ ଏହା ‘ତନାହ ଲୋତ’ ମନ୍ଦିର ଭାବରେ ଜଣାଶୁଣା। ଯାହାକି ଇଣ୍ଡୋନେସିଆର ବାଲିରେ ରହିଛି।
ସ୍ଥାନୀୟ ଭାଷାରେ ‘ତନାହ ଲୋତ’ର ଅର୍ଥ ସମୁଦ୍ର ଭୂମି। ବାଲିର ସମୁଦ୍ର ଉପକୂଳରେ ଥିବା ସାତୋଟି ମନ୍ଦିର ମଧ୍ୟରୁ ଏହା ଅନ୍ୟତମ, ସେଗୁଡିକୁ ଏକ ଶୃଙ୍ଖଳିତ ଆକାରରେ ନିର୍ମାଣ କରାଯାଇଛି। ମନ୍ଦିରଗୁଡିକର ସବୁଠାରୁ ବଡ ବୈଶିଷ୍ଟ୍ୟ ହେଉଛି ଗୋଟିଏ ମନ୍ଦିରରୁ ପରବର୍ତ୍ତୀ ମନ୍ଦିର ସ୍ପଷ୍ଟ ଭାବରେ ଦେଖା ଯାଇଥାଏ। ଏହି ମନ୍ଦିର ଯେଉଁ ପଥର ଉପରେ ନିର୍ମିତ ହୋଇଛି ତାହା ଦୁର୍ବଳ ହୋଇ ୧୯୮୦ ମସିହାରେ ଖସିବା ଆରମ୍ଭ କରିଥିଲା। ଏହା ପରେ ମନ୍ଦିର ଚାରିପାଖ ଅଞ୍ଚଳ ବିପଦପୂର୍ଣ୍ଣ ବୋଲି ଘୋଷଣା କରାଯାଇଛି।
ଜାପାନ ସରକାର ଏହାକୁ ବଞ୍ଚାଇରଖିବା ପାଇଁ ଇଣ୍ଡୋନେସିଆ ସରକାରଙ୍କୁ ସାହାଯ୍ୟ କରିଥିଲେ। ଏହାପରେ ପ୍ରାୟ ଏକ ତୃତୀୟାଂଶ ପଥର କୃତ୍ରିମ ପଥରରେ ଆଚ୍ଛାଦିତ ହୋଇଥିଲା। ତନାହ ଲୋତ ମନ୍ଦିର ପଞ୍ଚଦଶ ଶତାବ୍ଦୀରେ ନିରର୍ଥ ନାମକ ଜଣେ ପୁରୋହିତଙ୍କ ଦ୍ୱାରା ନିର୍ମିତ ହୋଇଥିଲା ବୋଲି ବିଶ୍ୱାସ କରାଯାଏ। କୁହାଯାଏ ପୁରୋହିତ ସମୁଦ୍ର କୂଳରେ ବୁଲୁବୁଲୁ ଏହି ସ୍ଥାନରେ ପହଞ୍ଚିଥିଲେ। ସେ ସ୍ଥାନର ସୌନ୍ଦର୍ଯ୍ୟ ଦେଖି ବିମୋହିତ ହେବାସହ ଏଠାରେ ଏକ ମନ୍ଦିର ନିର୍ମାଣ କରିବାକୁ ଚିନ୍ତା କରି, ସେଦିନ ରାତିରେ ସେଠାରେ ଅଟକି ଥିଲେ। ଏହି ସମୟରେ ପୁରୋହିତ ନିକଟସ୍ଥ ମତ୍ସ୍ୟଜୀବୀମାନଙ୍କୁ ସେଠାରେ ସମୁଦ୍ର ଦେବତାଙ୍କ ମନ୍ଦିର ନିର୍ମାଣ କରିବାକୁ ଆଗ୍ରହ ବଢ଼ାଇଥିଲେ। ଏବେ ସେଠାରେ ସମୁଦ୍ର ଦେବତା ପୂଜା ପାଇବା ସହ ପୁରୋହିତ ନିରର୍ଥଙ୍କୁ ମଧ୍ୟ ମନ୍ଦିରରେ ପୂଜା କରାଯାଏ। କୁହାଯାଏ ଯେ ଏହାର ପଥର ତଳେ ବାସ କରୁଥିବା ବିଷାକ୍ତ ସାପ ଏହି ମନ୍ଦିରକୁ ଖରାପ ଶକ୍ତିଠାରୁ ରକ୍ଷା କରିଥାନ୍ତି। ତେଣୁ ଏହି ମନ୍ଦିରର କେହି କିଛି କ୍ଷତି କରି ପାରନ୍ତି ନାହିଁ। ତେବେ ମନ୍ଦିରଟି ଓ ଏହାର ଆଖପାଖ ଅଞ୍ଚଳ ଦେଖିବାକୁ ବେଶ ସୁନ୍ଦର।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: