କେ.କେଙ୍କ ମୃତ୍ୟୁ ନେଇ ବଡ ଖୁଲାସା, ଗାଲରେ ମୁଣ୍ଡରେ ଲାଗିଛି ଆଘାତ!

କେ.କେଙ୍କ ମୃତ୍ୟୁ ନେଇ ବଡ ଖୁଲାସା, ଗାଲରେ ମୁଣ୍ଡରେ ଲାଗିଛି ଆଘାତ!

ପ୍ରିଜମ ନ୍ୟୁଜ ବ୍ୟୁରୋ: କୋଲକାତାର ଏକ କନସର୍ଟରେ ସଙ୍ଗୀତ ପରିବେଷଣ ସମୟରେ ବଲିଉଡ୍‌ର ପ୍ରସିଦ୍ଧ ଗାୟକ କେ.କେଙ୍କ ମୃତ୍ୟୁ ମଙ୍ଗଳବାର ହୋଇଥିବା ବେଳେ ଏହା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। କେ.କେଙ୍କ ମୃତ୍ୟୁରେ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳି ଯାଇଛି । ତାଙ୍କ ପ୍ରଶଂସକ ଏବଂ ସେଲିବ୍ରେଟିମାନେ ଚକିତ ହୋଇଯାଇଛନ୍ତି। ତାଙ୍କ ମୃତ୍ୟୁ ହୃଦଘାତ ପାଇଁ ହୋଇଥିବା କୁହାଯାଉଥିବା ବେଳେ ଏବେ ତାଙ୍କ ମୃତ୍ୟୁକୁ ନେଇ ଏକ ବଡ଼ ଖୁଲାସା ହୋଇଛି। ଖବର ଅନୁଯାୟୀ ଗାୟକଙ୍କ ଦେହରେ ଏକ ଆଘାତ ଲାଗିଛି। ପୋଲିସ ଏହି ମାମଲାରେ ‘ଅସାଧାରଣ ମୃତ୍ୟୁ’ ମାମଲା ରୁଜୁ କରିଛି। କୋଲକାତାରେ ଶୋ ’ପରେ କେ.କେ ଅଚାନକ୍‌ ତଳେ ଖସିପଡିଥିଲେ। ଏହି ସମୟରେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା, ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।

ରିପୋର୍ଟ ଅନୁଯାୟୀ, କେ.କେ.ଙ୍କ ମୃତ୍ୟୁକୁ କୋଲକାତା ପୋଲିସ ‘ଅସାଧାରଣ ମୃତ୍ୟୁ’ ମାମଲା ଭାବେ ରୁଜୁ କରିଛି। ରିପୋର୍ଟରେ ଦର୍ଶାଯାଇଛି କି ଗାୟକଙ୍କ ଗାଲରେ ଏବଂ ମୁଣ୍ଡରେ ଆଘାତ ଲାଗିଛି। ତେବେ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ କୋଲକାତାର ଏକ ହସ୍ପିଟାଲରେ ଆଜି ତାଙ୍କର ଶବ ବ୍ୟବଚ୍ଛେଦ କରାଯିବ। କିନ୍ତୁ ଡାକ୍ତରମାନେ ସନ୍ଦେହ କରୁଛନ୍ତି ଯେ ତାଙ୍କ ମୃତ୍ୟୁ ହୃଦଘାତ ହେତୁ ହୋଇଛି। ଏହା ବ୍ୟତୀତ ହୋଟେଲ କର୍ମଚାରୀ ତଥା କାର୍ଯ୍ୟକ୍ରମର ଆୟୋଜକଙ୍କୁ ମଧ୍ୟ ପୋଲିସ ପଚରାଉଚରା କରୁଛି।କୋଲକାତା ପୋଲିସର ଜଣେ ବରିଷ୍ଠ ଅଧିକାରୀ ନ୍ୟୁଜ ଏଜେନ୍ସି ପିଟିଆଇକୁ ଏହି ସୂଚନା ଦେଇଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: