୫ ରାଜ୍ୟରେ ଓମିକ୍ରନ୍‌, ମୁମ୍ବାଇରେ ୪୮ ଘଣ୍ଟା ପାଇଁ ଲାଗୁହେଲା ୧୪୪ ଧାରା

ପ୍ରିଜମ ନ୍ୟୁଜ ବ୍ୟୁରୋ:ଦେଶରେ ଚିନ୍ତା ବଢ଼ାଉଛି ଓମିକ୍ରନ୍‌। ଭାରତର ୫ଟି ରାଜ୍ୟରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଚିହ୍ନଟ ହୋଇ ସାରିଲାଣି। ଏପର୍ଯ୍ୟନ୍ତ ଏହି ଭାଇରସ ଦ୍ବାରା ୩୨ ଜଣ ସଂକ୍ରମିତ ହୋଇଥିବା ଜଣାପଡିଛି। ସେମାନଙ୍କ ମଧ୍ୟରୁ ଜଣେ ସାଢ଼େ ୩ ବର୍ଷର ଶିଶୁ ରହିଥିବା ଜଣାପଡିଛି। ଓମିକ୍ରନରେ ଶିଶୁ ସଂକ୍ରମିତ ହେବା ଚିନ୍ତା ବଢେଇବା ସହ ଏହା ଶିଶୁଙ୍କ ପାଇଁ ବିପଦର ଆଶଙ୍କା ସୃଷ୍ଟି କରିଛି। ଆକ୍ରାନ୍ତ ଶିଶୁ ସମେତ ୧୭ ଜଣ ହେଉଛନ୍ତି କେବଳ ମହାରାଷ୍ଟ୍ର ନିବାସୀ। ମୁମ୍ବାଇରେ ଶୁକ୍ରବାର ଏକସଙ୍ଗେ ୩ ଜଣ ଓମିକ୍ରନ୍‌ ଚିହ୍ନଟ ହେବା ପରେ ଡିସେମ୍ବର ୧୧ ଓ ୧୨ ଦୁଇଦିନ ଏଠାରେ ୧୪୪ ଧାରା ଲାଗୁ କରାଯାଇଛି। ଏହା ବ୍ୟତୀତ ରାଜସ୍ଥାନରେ ୯ ଜଣ, ଗୁଜରାଟରେ ୩, କର୍ଣ୍ଣାଟକରେ ୨ ଓ ଦିଲ୍ଲୀରେ ଜଣେ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଦେଶରେ ଦିନକୁ ଦିନ ଓମିକ୍ରନ୍‌ ପଜିଟିଭ ସଂଖ୍ୟା ବଢୁଥିବା ବେଳେ ସରକାରଙ୍କ ଚିନ୍ତା ବଢ଼ିଛି। ମହାରାଷ୍ଟ୍ରରେ କୌଣସି ପ୍ରକାରର ରାଲି ଓ ଶୋଭାଯାତ୍ରା ବାହାରି ପାରିବ ନାହିଁ ବୋଲି ସରକାର ଘୋଷଣା କରିଛନ୍ତି। ଆଇସିଏମ୍‌ଆର ଅନୁସାରେ ଓମିକ୍ରନ ଏପର୍ଯ୍ୟନ୍ତ ସ୍ବାସ୍ଥ୍ୟ ବ୍ୟବସ୍ଥା ଉପରେ ବୋଝ ହୋଇ ହୋଇନାହିଁ। କିନ୍ତୁ ଆମକୁ ଏହା ପୂର୍ବରୁ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ସ୍ବାସ୍ଥ୍ୟ ମନ୍ତ୍ରାଳୟ ଅନୁସାରେ ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି, ଏପର୍ଯ୍ୟନ୍ତ ଓମିକ୍ରନରେ ସଂକ୍ରମିତ ରୋଗୀଙ୍କ ଠାରେ ମୁଖ୍ୟତଃ ସାମାନ୍ୟ ଲକ୍ଷଣ ଦେଖାଯାଇଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏହାକୁ ନେଇ ଚିନ୍ତା ପ୍ରକଟ କରିଛି। ତେବେ ଏଥିରେ ଶିଶୁ ଆକ୍ରାନ୍ତ ହେବା ଦ୍ଵନ୍ଦ ସହ ଡର ସୃଷ୍ଟି କରିଛି।

Leave a Reply

Your email address will not be published. Required fields are marked *