ହୃଦୟକୁ ପଢ଼ି ପାରୁଥିବା ଡେଙ୍ଗା, ସରଳ ମଣିଷ ଥିଲେ ସତ୍ୟଜିତ ରାୟ, କାହାଣୀ କିଛି ଏମିତି…

ହୃଦୟକୁ ପଢ଼ି ପାରୁଥିବା ଡେଙ୍ଗା, ସରଳ ମଣିଷ ଥିଲେ ସତ୍ୟଜିତ ରାୟ, କାହାଣୀ କିଛି ଏମିତି…

ପ୍ରିଜମ୍ ନ୍ୟୁଜ(ସ୍ୱତନ୍ତ୍ର): ୧୯୭୬ ମସିହା ଅକ୍ଟୋବର ମାସ। ସେହି ସମୟରେ ନୂଆ କରି କ୍ୟାରିୟର ଆରମ୍ଭ କରିଥିବା ଜାଭେଦ ସିଦ୍ଦିକଙ୍କ ଫୋନ୍ ହଠାତ୍ ବାଜିଲା….। ସେପଟେ ବିଶିଷ୍ଟ ଲେଖକ ଶମା ଜୈଦି ଥିଲେ। ସେ ଜାଭେଦଙ୍କୁ କହିଲେ, ସତ୍ୟଜିତ ରାୟ ଆପଣଙ୍କୁ ସାକ୍ଷାତ କରିବାକୁ ଚାହୁଁଛନ୍ତି। ସେହି ସମୟରେ ସତ୍ୟଜିତ ରାୟ ବିଶ୍ୱ ସିନେମାରେ ଜଣେ ପରିଚିତ ଚେହେରା ବନି ସାରିଥିଲେ। ଜାଭେଦ ସିଦ୍ଦିକ ଯେବେ ତାଙ୍କୁ ଦେଖା କରିବାକୁ ଗଲେ ତାଙ୍କୁ ତିଳେମାତ୍ର ଜଣା ନ ଥିଲା ଯେ, ବିଶ୍ୱ ସିନେମାରେ ତାଙ୍କର ପରିଚୟ ଯେତିକି ଲମ୍ୱା ଥିଲା, ବାସ୍ତବରେ ମଧ୍ୟ ସେ ଦେଖିବାକୁ ସେମିତି ଲମ୍ୱା ଓ ହଟ୍ଟାକଟ୍ଟା ମଣିଷଟିଏ। ଛଅ ଫୁଟ୍ ଚାରି ଇଞ୍ଚର ଏହି ନିଚ୍ଛକ ମଣିଷ ଜଣଙ୍କୁ ତାଙ୍କ ଅତିପ୍ରିୟ ଲୋକମାନେ ଆଦରରେ ମାନିକ ଦା’ ବୋଲି ସମ୍ୱୋଧନ କରୁଥିଲେ। ଜାଭେଦଙ୍କୁ ଦେଖିବା ପରେ ସତ୍ୟଜିତ ପଚାରିଥିଲେ, ‘ମୁଁ ଶୁଣିଛି ତମେ ଭଲ କାହାଣୀ ଲେଖ’। ଏହାପରେ ଜାଭେଦ କହିଥିଲେ, ‘ମୁଁ ଜାଣିନି ଭଲ କାହାଣୀ ଲେଖେ କି ନା, ମୁଁ କିନ୍ତୁ ସ୍ତମ୍ଭ ଲେଖେ। ମୁଁ ଜାଣେନି ଯେ ମୁଁ ଭଲ କାହାଣୀ ଲେଖିପାରେ। ‘ ଏହାପରେ ନିଜ ସ୍ଥାନରୁ ଉଠିପଡ଼ି ସତ୍ୟଜିତ ରାୟ ଏକ ପ୍ଲାଷ୍ଟିକ ଫାଇଲ ବଢ଼ାଉ ବଢ଼ାଉ କହିଲେ, ଏହା ପ୍ରେମଚନ୍ଦଙ୍କ ଲିଖିତ କାହାଣୀ ‘ସତରଞ୍ଜ କେ ଖିଲାଡି’। ଏହାର ସଂଳାପ ଆପଣ ଲେଖୁଛନ୍ତି।
ତେବେ ଜାଭେଦ ସିଦ୍ଦିକଙ୍କ ପୂର୍ବରୁ ସତ୍ୟଜିତ ରାୟଙ୍କୁ ଏହି ଫିଲ୍ମର ସଂଳାପ ଲେଖିବାକୁ ରାଜେନ୍ଦ୍ର ସିଂ ବେଦୀ, ଗୁଲଜାର ଏବଂ କୈଫି ଆଜମୀଙ୍କ ଭଳି ବଡ଼ ବଡ଼ ନାଁ ସୁପାରିସ କରାଯାଇଥିଲା। ଫିଲ୍ମର ଅଭିନେତା ସଞ୍ଜୀବ କୁମାର ସତ୍ୟଜିତଙ୍କୁ ଗୁଲଜାରଙ୍କ ନାଁ କହିଥିବାବେଳେ ଏହା ପୂର୍ବରୁ ତାଙ୍କ ପାଖକୁ ରାଜେନ୍ଦ୍ର ସିଂ ବେଦୀଙ୍କ ନାଁ ସୁପାରିସ ହୋଇ ସାରିଥିଲା। ସେହିପରି କୈଫି ଆଜମୀଙ୍କ ନାଁ ଶବାନା ଆଜମୀ ସତ୍ୟଜିତ ରାୟଙ୍କୁ କହିଥିଲେ। କିନ୍ତୁ, ଏସବୁ ନାଁ ବ୍ୟତୀତ ଆଉ ଜଣଙ୍କୁ ଖୋଜୁଥିଲେ ମାନିକ ଦା’। କାରଣ, ରାଜେନ୍ଦ୍ର ବେଦୀ ଓ ଗୁଲଜାର ଉଭୟେ ପଞ୍ଜାବରୁ ଆସିଥିଲେ। ତେଣୁ, ଲକ୍ଷ୍ନୌର ପୃଷ୍ଠଭୂମି ବିଷୟରେ ସେମାନଙ୍କ ସେତେଟା ଦଖଲ ନ ଥିଲା। ତେଣୁ, ସେମାନେ ସେହି ଅନୁଭବ ଦର୍ଶକଙ୍କୁ ପରସି ପାରି ନ ଥାନ୍ତେ। ସେହିପରି କୈଫି ଆଜମୀ କେବଳ ଉର୍ଦ୍ଦୁ ଭାଷାରେ ଲେଖିଥିଲେ। ଆଉ ସତ୍ୟଜିତ ରାୟଙ୍କୁ ଇଂରାଜୀ ଓ ବଙ୍ଗଳା ଭାଷା ବ୍ୟତୀତ ଆଉ କିଛି ଆସୁ ନ ଥିଲା। ଅନ୍ୟପଟେ ସିଦ୍ଦିକଙ୍କ ପୂର୍ବରୁ ଏହା ବି ପ୍ରସ୍ତାବ ଆସିଥିଲା ଯେ, ଶବାନା ଆଜମୀ ଅନୁବାଦକ ରୂପେ କାମ କରିବେ। କିନ୍ତୁ ଏହାକୁ ନାପସନ୍ଦ କରିଥିଲେ ସତ୍ୟଜିତ ରାୟ। ପରିଶେଷରେ ସତ୍ୟଜିତ ସିଦ୍ଦିକଙ୍କୁ ହିଁ ନିଜ ସିନେମାର ସଂଳାପ ଲେଖିବାର ସୁଯୋଗ ଦେଇଥିଲେ। ତେବେ ‘ସତରଞ୍ଜ କେ ଖିଲାଡି’ର ପ୍ରତି ଡାଏଲଗ ସତ୍ୟଜିତ ରାୟ ବଙ୍ଗଳାରେ ଲେଖିଥିଲେ।


ଜାଭେଦ ସିଦ୍ଦିକଙ୍କ କହିବାନୁସାରେ, ମାନିକ ଦା ପ୍ରଥମେ ଡାଏଲଗକୁ ଇଂରାଜୀରେ ଅନୁବାଦ କରିବାକୁ କହିଥିଲେ। କାରଣ, ମୂଳ ସ୍କ୍ରିନ ପ୍ଲେ ଓ ଜାଭେଦଙ୍କ ଦ୍ୱାରା ଲିଖିତ ଡାଏଲଗର ଫରକ୍ ଜାଣି ପାରିବେ। ଏହାପରେ ତାକୁ ପୁଣି ଥରେ ସେ ବଙ୍ଗଳାରେ ଲେଖୁଥିଲେ। ଏ ବିଷୟରେ ପଚାରିବାରୁ ସତ୍ୟଜିତ କହିଥିଲେ, ଭାଷା ଯାହା ବି ହେଉନା କାହିଁକି, ଶବ୍ଦର ଏକ ଲୟ ଥାଏ। ଏହି ଲୟ ଠିକ୍ ହେବା ଦରକାର। ଯଦି ଗୋଟିଏ ସୁର ଖାପଛଡ଼ା କିମ୍ୱା ଭୁଲ ହୋଇଯିବ, ତେବେ ପୂରା କାହାଣୀ ବରବାଦ ହୋଇଯିବ। ଏହି ସିନେମାରେ ସତ୍ୟଜିତ ରାୟ ସଞ୍ଜୀବ କୁମାର, ଅମଜର ଖାନ ଓ ସଇଦ ଜାଫରୀଙ୍କ ବ୍ୟତୀତ ଭିକ୍ଟର ବାନାର୍ଜୀଙ୍କୁ ନେଇଥିଲେ।
ସତ୍ୟଜିତ ରାୟଙ୍କ ପତ୍ନୀ ବିଜୟା ରାୟ ନିଜ ଆତ୍ମଜୀବନୀ ‘ ମାନିକ୍ ଆଣ୍ଡ ଆଇ: ମାଇଁ ଲାଇଫ୍ ୱିଥ୍ ସତ୍ୟଜିତ ରାୟ’ ପୁସ୍ତକରେ ଲେଖିଛନ୍ତି,
‘ଦିନେ ଭିକ୍ଟର ସତ୍ୟଜିତ ରାୟଙ୍କୁ ଦେଖା କରିବାକୁ ଆସିଥିଲେ। ସେ ଦେଖିବାକୁ ଠିକଠାକ୍ ଥିଲେ ଏବଂ ପଢ଼ା ଲେଖା ବି କରିଥିଲେ। ମାନିକଙ୍କୁ ସେ ଖୁବ ପସନ୍ଦ ଆସିଥିଲେ। ଏମିତି କଥା ହେଉ ହେଉ ମାନିକ ଭିକ୍ଟରଙ୍କୁ ପଚାରିଥିଲେ, ଆପଣ ଉର୍ଦ୍ଦୁ କହିପାରନ୍ତି ? ଏହା ଶୁଣିବା ମାତ୍ରେ ଭିକ୍ଟର ଚଟାପଟ୍ ଉତ୍ତର ଦେଇଥିଲେ, ହଁ। ଏହାପରେ ତାଙ୍କୁ ମାନିକ ୱାଜିଦ ଅଲ୍ଲୀ ଶାହଙ୍କ ପ୍ରଧାନମନ୍ତ୍ରୀ ଭୂମିକାରେ ଅଭିନୟ କରିବାକୁ କହିଥିଲେ। ଶୁଟିଂ ଶେଷ ହେବାପରେ ଭିକ୍ଚର ମୋତେ କହିଥିଲେ ଯେ, ତାଙ୍କୁ ଉର୍ଦ୍ଦୁର ଗୋଟିଏ ବି ଶବ୍ଦ ଜଣା ନ ଥିଲା। କିନ୍ତୁ ସତ୍ୟଜିତ ତାଙ୍କୁ ନିଜ ସିନେମାରେ ନେବା ପରଦିନ ଜଣେ ଭଲ ମାଷ୍ଟରଙ୍କ ଠାରୁ ଉର୍ଦ୍ଦୁ ଶିଖିବା ଆରମ୍ଭ କରିଥିଲେ ଏବଂ ସେ ସିନେମାରେ ବିନା ଦ୍ୱିଧାରେ ଅତି ସୁନ୍ଦର ଭାବେ ଉର୍ଦ୍ଦୁ କହିଥିଲେ। କାରଣ, ସେ ସତ୍ୟଜିତଙ୍କ ସହ କାମ କରିବାର ସୁଯୋଗ ହରାଇବାକୁ ଚାହୁଁ ନ ଥିଲେ।’

ଦିନରେ କେବଳ ଏକ ଚିକେନ୍ ସେଣ୍ଡୱିଚ୍ ଓ ମିଠା ଦହି ଖାଉଥିଲେ ସତ୍ୟଜିତ
ସତ୍ୟଜିତ ରାୟଙ୍କ ଏକ ଅଭ୍ୟାସ ଥିଲା। ସୁଟିଂ ସେଟରେ ପହଞ୍ଚିବା ପରେ ସନ୍ଧ୍ୟାରେ ପ୍ୟାକ୍ -ଅପ୍ ନ ହେବା ପର୍ଯ୍ୟନ୍ତ ସେ ଘରକୁ ଆସୁ ନ ଥିଲେ। ଗୋଟିଏ ହାତରେ କଲମ ଓ ଅନ୍ୟ ହାତରେ ଏଖ ଚିକେନ୍ ସେଣ୍ଡୱିଚ୍ ଧରି ସେ ନିଜ ଚଉକିରେ ବସି ପଡ଼ୁଥିଲେ। କୋଳରେ ଥିବା ସ୍କ୍ରିପ୍ଟ ଉପରେ କେବଳ ତାଙ୍କର ଫୋକସ୍ ଥିଲା ଏବଂ ସେଥିରେ ସେ ନିମଗ୍ନ ଥିଲେ। ଆଠ ଘଣ୍ଟାର ସିଫ୍ଟରେ ସେ କେବଳ ଏକ ଚିକେନ୍ ସେଣ୍ଡୱିଚ୍ ଏବଂ ମିଠା ଦହି ଖାଉଥିଲେ। ଏହାପରେ ସେ ସ୍ୱାଦ ବଦଳାଇବାକୁ ଏକ ସିଗାରେଟ୍ ଟାଣୁଥିଲେ। କ୍ୟାମେରାମ୍ୟାନ୍ ପାଖରେ ଥିଲେ ବି ସେ ନିଜେ କ୍ୟାମେରା ଧରିବାକୁ ପସନ୍ଦ କରୁଥିଲେ। ଏହାସହ ନିଜ ଫିଲ୍ମ ସେ ନିଜେ ଏଡିଟ୍ ବି କରୁଥିଲେ ବୋଲି ଜାଭେଦ ସିଦ୍ଦିକ କୁହନ୍ତି।

ଯେବେ ସେ ସୋନାଗାଛି ଯାଇଥିଲେ
‘ସତରଞ୍ଜ କେ ଖିଲାଡି’ ଫିଲ୍ମରେ ଜଣେ ନର୍ତ୍ତକୀର ସନ୍ଧାନରେ ଥିଲେ ସତ୍ୟଜିତ ରାୟ। ଏହି ସମୟରେ ତାଙ୍କୁ ଜଣେ ପ୍ରସ୍ତାବ ଦେଇଥିଲେ ଯେ, ଏହି ଚରିତ୍ର ପାଇଁ କଲିକତାର ସୋନାଗାଚ୍ଛିରେ ଜଣେ ମହିଳା ଅଛନ୍ତି। ପରେ ଏହି ଚରିତ୍ରକୁ ସାସ୍ୱତୀ ସେନ ନିଭାଇଥିଲେ। ତେବେ ସତ୍ୟଜିତ ନର୍ତ୍ତକୀ ସନ୍ଧାନରେ ସିଧା ସୋନାଗାଚ୍ଛି ଯାଇଥିଲେ। କାଳେ ତାଙ୍କ ପାଖକୁ ମହିଳାଙ୍କୁ ଡାକିଲେ ସେ ଅସହଜ ମନେ କରିବେ, ତେଣୁ ସତ୍ୟଜିତ ନିଜେ ସୋନାଗାଚ୍ଛି ଯିବାକୁ ପସନ୍ଦ କରିଥିଲେ। ମାତ୍ର, ସୋନାଗାଚ୍ଛିର ଗଳିକନ୍ଦିରେ ତାଙ୍କର କାର୍ ଯାଇ ପାରି ନ ଥିଲା। ତେଣୁ, ସେ ବାଧ୍ୟ ହୋଇ କାର୍ ରୁ ଓହ୍ଲାଇ ପାଦରେ ଚାଲିଚାଲି ଉକ୍ତ ମହିଳାଙ୍କ ଘରକୁ ଯାଇଥିଲେ ଏବଂ ସେଠାରେ ମହିଳାଙ୍କ ନୃତ୍ୟ ଦେଖିଥିଲେ। ସେଠାରୁ ଫେରିବା ପରେ ଲୋକମାନେ ତାଙ୍କୁ ଚିହ୍ନି ପାରିଥିଲେ ଏବଂ ଅତି ଆଦର ସହିତ ଗାଡ଼ି ପର୍ଯ୍ୟନ୍ତ ସତ୍ୟଜିତଙ୍କ ପଛେପଛେ ଯାଇଥିଲେ।

ଖାଇବା ପସନ୍ଦ ଥିଲା, କିନ୍ତୁ ଆମ୍ୱ ଖାଇବାକୁ ଭଲ ପାଉ ନ ଥିଲେ
ସତ୍ୟଜିତ ରାୟ ଖାଇବାକୁ ଖୁବ ପସନ୍ଦ କରୁଥିଲେ। ପ୍ରତି ରବିବାର ସେ କୋଲକାତାର ପ୍ରସିଦ୍ଧ ଫ୍ଲୁରୀ ରେସ୍ତୋରାଁ’କୁ ଜଳଖିଆ କରିବାକୁ ଯାଉଥିଲେ। ୟୁରୋପୀୟ ଖାଦ୍ୟ ସମେତ ସେ ବଙ୍ଗାଳି ଖାଇବା ପସନ୍ଦ କରୁଥିଲେ। ଲୁଚି, ହରଡ଼ ଡାଲି ଓ ବାଇଗଣ ଭରତା ଖାଇବାକୁ ମାନିକ ଦା’ ପସନ୍ଦ କରୁଥିଲେ। କିନ୍ତୁ ସେ ଆମ୍ୱର ବାସ୍ନାକୂ ବି ପସନ୍ଦ କରୁ ନ ଥିଲେ। ଘରେ ଥିଲାବେଳେ ତାଙ୍କ ସାମ୍ନାରେ ଆମ୍ୱ ଖାଇବାକୁ ବି ସେ ମନା କରୁଥିଲେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: