ପରମ୍ପରା ନାମରେ ବର୍ବରତା, ସ୍ବାମୀ ମଲେ ସ୍ତ୍ରୀର କଟାଯାଏ ଆଙ୍ଗୁଳି

ପରମ୍ପରା ନାମରେ ବର୍ବରତା, ସ୍ବାମୀ ମଲେ ସ୍ତ୍ରୀର କଟାଯାଏ ଆଙ୍ଗୁଳି

Prism News bureau: ଲୋକ ଚନ୍ଦ୍ରରେ ପହଞ୍ଚିଲେଣି, ହେଲେ ଆଜି ବି ଲୋକଙ୍କ ମନରୁ ଅନ୍ଧବିଶ୍ବାସ କମିନି । ଦୁନିଆ ଯେତେ ଆଗକୁ ବଢ଼ିଲେ ମଧ୍ୟ ଏବେ ବି କିଛି ଲୋକ ମୁଖ୍ୟସ୍ରୋତରୁ ବହୁ ଦୂରରେ ରହିଛନ୍ତି । ସେମାନେ ନିଜସ୍ଵ ନୀତି ନିୟମ ଅନୁଯାୟୀ କାର୍ଯ୍ୟ କରିବା ସହ ସ୍ଵତନ୍ତ୍ର ଭୌଗୋଳିକ ଅବସ୍ଥିତି ବା ଜଙ୍ଗଲରେ ବସବାସ କରୁଛନ୍ତି । ଏହାସହ ସେମାନେ ଆଧୁନିକତାକୁ ଗ୍ରହଣ କରିବା ପରିବର୍ତ୍ତେ ବର୍ଷ ବର୍ଷ ଧରି ପ୍ରଚଳିତ ପାରମ୍ପାରିକ ଜୀବନ ବିତାଉଛନ୍ତି । ସେମାନଙ୍କ ମଧ୍ୟରେ ପ୍ରଚଳିତ କେତେକ ଅଦ୍ଭୁତ ପରମ୍ପରାର ସାଧାରଣ ଲୋକଙ୍କୁ ଚକିତ କରିଥାଏ। ପରମ୍ପରା ଆଢ଼ୁଆଳରେ ଆଜି ବି ଅନେକ ଜନଜାତି ଅଛନ୍ତି ଯେଉଁମାନେ ବହୁତ ଭୟାନକ କାର୍ଯ୍ୟ କରନ୍ତି। ସେମାନଙ୍କ ମଧ୍ୟରୁ ଗୋଟିଏ ହେଉଛନ୍ତି ଇଣ୍ଡୋନେସିଆରେ ରହୁଥିବା ଦାନି ଜନଜାତି। ଏହି ଆଦିବାସୀମାନେ ଦୁନିଆରେ ଅଗ୍ରଗତି ଠାରୁ ବହୁ ଦୂରରେ ରହିବା ସହ ଶତାବ୍ଦୀ ପୁରୁଣା ନିୟମ ଏବଂ କାନୁନ ଉପରେ ବିଶ୍ୱାସ କରନ୍ତି । ଏହି ଜନଜାତିରେ ସ୍ୱାମୀଙ୍କ ମୃତ୍ୟୁ ପରେ ପତ୍ନୀଙ୍କୁ ଅକଥନୀୟ ନିର୍ଯାତନା ସହିବାକୁ ପଡ଼ିଥାଏ, ସ୍ୱାମୀଙ୍କ ମୃତ୍ୟୁ ପରେ ମହିଳାମନଙ୍କ ଜୀବନ ନର୍କ ପାଲଟିଯାଏ କହିଲେ ଭୁଲ୍ ହେବନି ।

ଦାନି ଜନଜାତିରେ ଝିଅମାନେ ବହୁତ କମ୍ ବୟସରେ ବିବାହ କରିଥାନ୍ତି । ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଲା, ଅତ୍ୟଧିକ ଛୋଟ ବୟସରେ ହିଁ ଏମାନେ ମାତୃତ୍ବ ଲାଭ କରିଥାନ୍ତି। ତେଣୁ ଅନେକ ମହିଳା ପ୍ରସବ ସମୟରେ ହିଁ ମୃତ୍ୟୁ ମୁଖରେ ପଡିଥାନ୍ତି। ଯଦି ଏଥିରୁ କେହି ବର୍ତ୍ତି ଯାଆନ୍ତି, ତେବେ ସେମାନଙ୍କୁ ଅନେକ ରୋଗ, ଦୁର୍ବଳତା ଜୀବନ ସାରା ଘେରି ରହିଥାଏ। ସ୍ୱାମୀଙ୍କ ମୃତ୍ୟୁ ପରେ ମହିଳାମାନେ ଆରମ୍ଭ ହୁଏ ଅସଲ ଅଗ୍ନି ପରୀକ୍ଷା । ମହିଳାଙ୍କ ସ୍ୱାମୀ ମରିଯିବା ମାତ୍ରେ ତାଙ୍କୁ କଠୋର ଦଣ୍ଡ ଦିଆଯାଇଥାଏ । ସ୍ୱାମୀ ମରିଯିବା ମାତ୍ରେ ମହିଳାଙ୍କ ଆଙ୍ଗୁଠି କାଟି ଦିଆଯାଏ। ଏଭଳି କରିବା ପଛରେ ଏକ କିମ୍ବଦନ୍ତୀ ରହିଥିବାର କୁହାଯାଏ।

ସେହି କିମ୍ବଦନ୍ତୀ ଅନୁଯାୟୀ, ଯଦି ସ୍ୱାମୀ ମରିଯାଏ, ପତ୍ନୀ ତୁରନ୍ତ ଆଙ୍ଗୁଠି କାଟିବା ଉଚିତ୍। ଏହା ପରେ କ୍ଷତ ଉପରେ କପଡା ବାନ୍ଧି, କ୍ଷତକୁ ନିଆଁରେ ପୋଡି ଦିଆଯାଏ। କୁହାଯାଏ ଯେ, ଏଭଳି କରିବା ଦ୍ୱାରା ମରିଥିବା ବ୍ୟକ୍ତି ଭୂତ ହୋଇନଥାଏ ଏବଂ ତାଙ୍କ ଆତ୍ମାକୁ ଶାନ୍ତି ମିଳିଥାଏ ।

ଦାନି ଜନଜାତିର ଅଧିକାଂଶ ବୟସ୍କା ମହିଳାଙ୍କ ଆଙ୍ଗୁଠି କଟା ହୋଇଥିବାର ଦେଖିବାକୁ ମିଳିଥାଏ।ତେବେ ବର୍ତ୍ତମାନ ଇଣ୍ଡୋନେସିଆ ସରକାର ଏହାକୁ ନିଷେଧ କରିଛନ୍ତି। ତଥାପି ଅନେକ ଲୋକ ସ୍ବାମୀଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀଙ୍କ ଆଙ୍ଗୁଠି କାଟୁଛନ୍ତି। ଏହି ଘଟଣା ଏବେ ମଧ୍ୟ ବହୁ ମାତ୍ରାରେ ପ୍ରଚଳିତ ଥିବାର ଦେଖିବାକୁ ମିଳିଥାଏ। ଏହାକୁ ବନ୍ଦ କରିବା ପାଇଁ ସରକାରଙ୍କ ସହ ଅନେକ ସାମାଜିକକର୍ମୀ ଚେଷ୍ଟା ଚଳାଉଛନ୍ତି। ହେଲେ ଏ ପର୍ଯ୍ୟନ୍ତ ଲୋକେ ଏଥିରୁ ନିବୃତ୍ତ ହୋଇନାହାନ୍ତି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: