ନଦୀ କନ୍ୟାଙ୍କ ନୂଆ ଜୀବନ

ନଦୀ କନ୍ୟାଙ୍କ ନୂଆ ଜୀବନ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ନୂଆ ଜୀବନ ଆରମ୍ଭ କଲେ ନଦୀ କନ୍ୟା। ହାତରୁ ଦି’ ହାତ ହେଲେ। ମଥାରେ ସିନ୍ଦୁର ଓ ହାତରେ ଶଙ୍ଖା ପିନ୍ଧିଲେ। ନାଲି ଟୁକୁଟୁକୁ ସାଧବ ବୋହୂ ବେଶ ସାଜି ବିବାହ ବେଦୀରେ ବସିଲେ। ମହାନଦୀ ପାଣିରେ ଛତିଶଗଡ଼ ଚନ୍ଦରପୁରରୁ ୨୦୧୬ ମସିହା ସେପ୍ଟେମ୍ବର ୧୩ ତାରିଖ ଓଡ଼ିଶାର କୁସମେଲକୁ ଭାସି ଆସିଥିବା ସୋନୀ ଯାଦବଙ୍କ ବାହାଘର ହୋଇଛି। କୁସମେଲ ଗ୍ରାମକୁ ବ୍ରଜରାଜନଗର ବିଧାୟକ କିଶୋର କୁମାର ମହାନ୍ତି ଏବଂ ତାଙ୍କ ପତ୍ନୀ ଅଳକା ମହାନ୍ତି ଆସି ସୋନୀର କନ୍ୟାଦାନ କରିଛନ୍ତି। କନ୍ୟାଦାନ କରି ବିଧାୟକ ଦମ୍ପତି ସୋନୀକୁ ସୁନା, ରୁପା ଗହଣା, ବାସନ କୁସନ, ସ୍କୁଟି ଆଦି ଉପହାର ଦେଇଛନ୍ତି। ତେବେ ସୋନୀର ବାହାଘର ପାଇଁ ସମ୍ପୂର୍ଣ୍ଣ କୁସମେଲ ଗ୍ରାମ ଉତ୍ସବ ମୁଖର ହୋଇପଡ଼ି ଥିଲା। ଛତିଶଗଡ଼ ଯୋଧପୁରର ପୁରୁଷୋତ୍ତମ ଯାଦବଙ୍କୁ ସୋନୀ ବାହା ହୋଇ ବୋହୂ ସାଜି ନିଜ ଜନ୍ମମାଟି ଛତିଶଗଡ଼କୁ ବାହୁଡ଼ି ଯାଇଛନ୍ତି। ୫ ବର୍ଷ କାଳ ସୋନୀକୁ ନିଜ ସନ୍ତାନଠୁ ବି ଅଧିକ ସ୍ନେହ ଦେଇ ଲାଳନ ପାଳନ କରିଥିବା ପାଳିତ ବାପା ସନ୍ନ୍ୟାସୀ କାଲୋ ଓ ଅହଲ୍ୟା କାଲୋ ମଧ୍ୟ ଝିଅର ବାହାଘର ବହୁ ଆନନ୍ଦରେ କରିଛନ୍ତି।

ପାଞ୍ଚ ବର୍ଷ ତଳେ ପଡ଼ୋଶୀ ଛତିଶଗଡ଼ର ରାୟଗଡ଼ ଜିଲ୍ଲା ଜେବ୍ରା ଗାଁର ବାପା-ମା’ ଛେଉଣ୍ଡ ସୋନୀ ଯାଦବ ଚନ୍ଦ୍ରହାସିନୀ ଦେବୀ ପୀଠକୁ ଦର୍ଶନ ପାଇଁ ଆସିଥିଲେ। ନିକଟସ୍ଥ ମହାନଦୀ କୂଳରେ ହଠାତ୍ ନଦୀରେ ଖସି ପଡ଼ିଥିଲେ। ମହାନଦୀର ପ୍ରଖର ସ୍ରୋତରେ ପ୍ରାୟ ୫୦ କିଲୋମିଟର ଭାସି ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଲି ଥାନା କୁସମେଲ ଗାଁ ନିକଟରେ କେଲୋ ନଦୀ ସଙ୍ଗମ ସ୍ଥଳରେ ଲାଗିଥିଲେ। କୁସମେଲ ଗାଁର ମତ୍ସ୍ୟଜୀବୀ ସନ୍ନ୍ୟାସୀ କାଲୋ ଗଭୀର ମହାନଦୀରୁ ତାଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରି ନୂଆ ଜୀବନ ଦେଇଥିଲେ। ଦୀର୍ଘ ୧୨ଘଣ୍ଟା ଧରି ପାଣିରେ ପ୍ରାୟ ୮୦କିଲୋମିଟର ଭାସିବା ପରେ ମଧ୍ୟ ସୋନୀ ଜୀବିତ ଥିବା ସ୍ଥାନୀୟ ଲୋକଙ୍କ ପାଇଁ ଏକ ଚମତ୍କାରରୁ କିଛି କମ୍ ନଥିଲା। ପରେ ସନ୍ନ୍ୟାସୀ କାଲୋ ଏବଂ ତାଙ୍କ ଧର୍ମପତ୍ନୀ ଅହଲ୍ୟା କାଲୋ ସମସ୍ତ ଆବଶ୍ୟକ ନଥିପତ୍ର କରାଇ ସୋନୀଙ୍କୁ ପୋଷ୍ୟା କନ୍ୟା ଭାବେ ଗ୍ରହଣ କରିଥିଲେ। ଦୀର୍ଘ ସାଢ଼େ ୪ବର୍ଷ କାଳ କାଲୋ ଦମ୍ପତି ସୋନୀଙ୍କ ସେବା, ଯତ୍ନ କରିବା ସହ ଶିକ୍ଷିତ ଓ ସିଲାଇ ତାଲିମ ଦେଇ ଆତ୍ମନିର୍ଭରଶୀଳ କରାଇଛନ୍ତି।
ସୋନୀ ବିବାହଯୋଗ୍ୟ ବୟସରେ ଉପନୀତ ହେବା ପରେ ବାହା କରାଇବା ଲାଗି କାଲୋ ପରିବାର ପାଖରେ ଆବଶ୍ୟକୀୟ ସମ୍ବଳ ନ ଥିଲା। ସୋନୀର ବାହାଘରରେ ଅର୍ଥ ବାଧକ ସାଜିଥିବା ଜାଣିବା ପରେ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି କନ୍ୟାଦାନ କରିବା ସହ ବାହାଘରର ସମସ୍ତ ଖର୍ଚ୍ଚ ବହନ କରିଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: