ବିଜୟଲକ୍ଷ୍ମୀଙ୍କ ଗଳ୍ପ ‘ଭୁଲିଯାଅ’

ବିଜୟଲକ୍ଷ୍ମୀଙ୍କ ଗଳ୍ପ ‘ଭୁଲିଯାଅ’

ବିଜୟଲକ୍ଷ୍ମୀ ନାୟକ(ଜୁବି), ନୟାଗଡ଼

ଗଳ୍ପ- ‘ଭୁଲିଯାଅ’

ଦୀର୍ଘ ଛ’ ମାସ ଧରି ପରସ୍ପର ଠାରୁ କୋରୋନା ରୋଗ ପାଇଁ ଦୂରେଇ ରହିବା ଭିତରେ ସ୍ୱପ୍ନା ଆଉ ସାଗର ଲକଡାଉନ୍ ରେ ଯିଏ ଯାହା ଦୁନିଆରେ ବ୍ୟସ୍ତ ଥିଲେ। ନୂଆ ନୂଆ ରୋଷେଇ ସହ ଫଟୋସୁଟ୍ କରି ଅପଲୋଡ୍ କରୁଥିଲେ। ସୋସିଆଲ୍ ମିଡିଆରେ କେବେ କେମିତି କଥା ହୁଅନ୍ତି ମେସେଜ୍ ରେ। ବେଶୀ ସ୍ୱପ୍ନ। ଝୁରୁଥାଏ ସାଗରକୁ। ସାଗର ଆଗ ଭଳି ଆଉ ଭଲ ମନ୍ଦ କିଛି ପଚାରୁନି କି କଲ୍ କଲେ କେବେ କେମିତି ଉଠେଇ ବ୍ୟସ୍ତ ଅଛି କହି ଫୋନ୍ କାଟିଦିଏ। ମେସେଜ୍ କଲେ ରିପ୍ଳାଏ ବି ଦିଏନି। କେବେ କେମିତି ଗୁଡ୍ ମର୍ଣ୍ଣିଂ ଅବା ଗୁଡ୍ ନାଇଟ୍ କୁହେ। ସବୁବେଳେ ଅନଲାଇନ ରୁହେ, କିନ୍ତୁ ସ୍ୱପ୍ନା ପାଇଁ ନୁହେଁ। ପଚାରିଲେ କୁହେ ସ୍ୱପ୍ନାକୁ…
-ଏମିତି ଅନଲାଇନ୍ କ୍ଳାସ୍ ଚାଲିଛି, ସୋ ଡାଟା ଅନ୍ ରହୁଛି।ତୁମେ ବି ପଢ଼ାପଢ଼ି କର ନା ସ୍ୱପ୍ନା। କ’ଣ ସବୁବେଳେ ଯେ କଥା ହେବା, କ୍ୟାରିୟର ଦେଖ ଟିକେ।
ସ୍ୱପ୍ନା ବୁଝି ଯାଏ ସାଗରର ମନକଥା। ଦୂରେଇ ରହିଲେ କେମିତି ବଦଳି ଯାନ୍ତି ସବୁ। ମନେ ପକାଏ ସ୍ମୃତିରେଖା କହିଥିବା କଥା ପଦେ “ପୁଅ ମାନେ ପଟେଇବା ପାଇଁ ପଛରେ ପୂରା ପଡ଼ିଯିବେ। ଆଉ ଯେତେବେଳେ ଝିଅର ପୂରା ଦୁର୍ବଳତା ଆସିଯିବ, ସେମାନଙ୍କ ପାଇଁ ଖେଳିବା ଆରମ୍ଭ କରିଦେବେ।’ ସବୁ କଥାକୁ ଭୁଲି ସ୍ୱପ୍ନା ଲକଡାଉନ୍ ପରେ ଦେଖା କରିବା ପାଇଁ କଲେଜ ଛକକୁ ଡକେଇଛି ସାଗରକୁ। ସାଗର ମଧ୍ୟ ଆସିଯାଇଛି, କିନ୍ତୁ ସ୍ୱପ୍ନା ଭାବିଥିଲା ଏତେ ଦିନର ଦୂରତା ଭିତରେ ସାଗର ସ୍ୱପ୍ନାକୁ ବହୁତ ମିସ୍ କରୁଥିବେ।
ଦେଖିଲା ପରେ ସରି କହି ଗୋଟେ ଆଲିଙ୍ଗନରେ ରାଗ ଅଭିମାନକୁ ଧୋଇ ଦେବେ ସ୍ୱପ୍ନାର। କିନ୍ତୁ ସେମିତି କିଛି ହେଲା ନାହିଁ। ଦୁହେଁ ମୁହଁରେ ମାସ୍କ ପିନ୍ଧି ପରସ୍ପର ଠାରୁ ଦୂରରେ ରହିଥିଲେ। ସ୍ୱପ୍ନା ପଚାରିଥିଲା-

-ତୁମେ କ’ଣ ମତେ ପୂରା ଭୁଲିଗଲଣି !ଏ ଲକଡାଉନ୍ ହେଲା କି ନାହିଁ, ଆମ ସଂପର୍କରେ ଫାଟ ସୃଷ୍ଟି ହୋଇଗଲା। ଆଉ କେହି ମିଳି ଯାଇନାହାନ୍ତି ତ ସାଗର? କ’ଣ ହେଇଛି ତୁମର ? ଠିକ୍ ରେ କଥା ହେଉନ ଆଭଏଡ୍ କରୁଛ?
ମୁଁ ଘରେ କହିସାରିଛି ତୁମ କଥା। ବାହା ହେବି ତ ଖାଲି ତୁମକୁ। ସେମାନେ ହଁ କରିଛନ୍ତି, ଜାଣିଛ ! ଏ ଖୁସି ଖବରଟା ଦେବି ବୋଲି ମୁଁ ତୁମକୁ ଏଠାକୁ ଡକେଇଛି।
ସାଗର ଆଗପଛ ଟିକେ ଚାହିଁ ଧୀରେ କହିଲା,
‘ସ୍ୱପ୍ନା ଆମ ଘରେ କିନ୍ତୁ ତୁମକୁ ଗ୍ରହଣ କରିବେନି କ’ଣ ପାଇଁ ଜାଣିଛ ? ତୁମର ଛୋଟଜାତି। ଆମ ସାହି ପଡ଼ିଶା ସମାଜ କ’ଣ କହିବ ଆମକୁ ? ମୁଁ ବୋଉକୁ କେତେ ବୁଝେଇଲି ! କିନ୍ତୁ ବୋଉ ତ ପୁରୁଣା କାଳିଆ ଲୋକ, ଜାଣିଛ ବୁଝିବାକୁ ସେ ପୂରାପୂରି ନାରାଜ।ମୁଁ ବା ଆଉ କ’ଣ କରି ପାରିଥାନ୍ତି! ଏବେ ମୋ ପାଇଁ ଝିଅ ଦେଖିଛନ୍ତି। ମୁଁ ତା’ ସାଙ୍ଗରେ କଥା ହେଉଛି। ଦଶହରା ପରେ ଦେଖିବାକୁ ଯିବୁ। ଆଇ ଏମ୍ ରିୟଲି ସରି ! ଯେତେ ସମ୍ଭବ ମତେ ଭୁଲିଯାଅ, ତୁମ ପାଇଁ ବହୁତ ଭଲ ହେବ।’

ସ୍ୱପ୍ନା ସବୁ ଶୁଣିଲା ପରେ ହାତରୁ ଘଣ୍ଟାଟା କାଢ଼ି ଧରେଇ ଦେଇ କହିଲା,

‘ସମୟ ତ ଦେଇ ପାରୁନ ମତେ। ତୁମେ ଦେଇଥିବା ଏ ଘଣ୍ଟା ମୋର କ’ଣ ହେବ ? ହଁ, ଜାତି କଥା ତୁମେ ତ ସବୁ ଜାଣିଥିଲ ତଥାପି କାହିଁକି ଭଲପାଇଲ ? କାହିଁକି ସ୍ୱପ୍ନ ଦେଖାଇଲ ? ଯେତେବେଳେ ମୋ ସହ ‘ବାଇକ୍’ରେ ବୁଲୁଥିଲ, ପାର୍କରେ ମୁଣ୍ଡ ରଖି କୋଳରେ ଶୋଇ ମୋତେ ମିଠା ମିଠା କଥା କହି ମୋ ଗାଲ, ଓଠ ଓ ପାପୁଲିକୁ ସ୍ପର୍ଶ କରୁଥିଲ, ସେତେବେଳେ କେଉଁଠି ଥିଲା ତୁମର ଏ ଜାତି? ଆରମ୍ଭରୁ ହିଁ ମନା କରିଦେଇଥାନ୍ତ।
ହଁ, ତୁମର ବାହାଘର ଠିକ୍ ହେଇଯାଇଛି: ଭୁଲି ଯାଅ’ ବୋଲି ଯେଉଁ ତୁମେ ଅତି ସହଜରେ କହିଦେଲ, ଭାବିଛ ତୁମର ଏ କଥା ପଦକ ହୃଦୟର ଗଭୀରକୁ ଯାଇ କେତେ ଆଘାତ କରିଥିବ ? ଦଶ ବର୍ଷର ସଂପର୍କ ତୁମ ସହ କେତେ ରାଗ ରୁଷାକୁ ସଜାଡ଼ି ସଜାଡ଼ି ଆମେ ସଂପର୍କକୁ ବଞ୍ଚେଇ ରଖିଥିଲେ କ’ଣ ଏଇ ଦଶ ‘ମିନିଟ୍’ରେ ଭାଙ୍ଗିଦେବାକୁ !

ଠିକ୍ ଅଛି ସାଗର, ମୁଁ ତୁମ ଖୁସି ପାଇଁ ତୁମକୁ ଭୁଲିଯିବି। ଆଖିରୁ ଲୁହ ପୋଛି ଅନ୍ୟମନସ୍କ ହୋଇ ଅଟୋ ଷ୍ଟାଣ୍ଡ ଆଡ଼େ ପାଦ ବଢ଼େଇଲା ସ୍ୱପ୍ନା। ସାଗର ମଧ୍ୟ କିଛି ନ କହି ବାଇକି ଷ୍ଟାର୍ଟ କରିବାକୁ ଯାଉଥିଲା। ପଛରୁ ଶୁଭିଲା କିଛି କୋଳାହଳ। କ’ଣ ହୋଇଛି ଭାବି ପଛକୁ ବୁଲି ଦେଖିଲା ବେଳକୁ କିଛି ଲୋକ ଘେରି ରହିଛନ୍ତି। ସାଗର ଦୌଡ଼ିଯାଇ ଦେଖେ ତ ସ୍ୱପ୍ନା ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଛି। ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଗୋଟେ ଟ୍ରକ୍ କ୍ଷୀପ୍ର ଗତିରେ ଚାଲିଗଲା ସେଇ ବାଟଦେଇ। ଆମ୍ବୁଲାନ୍ସ ଡକେଇ ସାଗର ନେଇଗଲା ସ୍ୱପ୍ନାକୁ ହସ୍ପିଟାଲ। କିଛି ସମୟ ପରେ ଯେବେ ଚେତା ଫେରିଲା, ସ୍ୱପ୍ନା କହିଲା ତୁମେ କିଏ ? ମୁଁ ଏଠାରେ କ’ଣ କରୁଛି ? କ’ଣ ହୋଇଛି ମୋର ? ହାତକୁ ଦେଖିଲା ସାଲାଇନ୍ ଲାଗିଛି, ହସ୍ପିଟାଲ ଡ୍ରେସ୍ ପିନ୍ଧିଛି। ସାଗର କହିଲା, ସ୍ୱପ୍ନା ମୁଁ ତୁମ ସାଗର….। ମନେ ପକାଅ କିଛି। ସ୍ୱପ୍ନା କହିଲା, ନା ମୁଁ ସବୁ ଭୁଲି ଯାଇଛି। କିଛି ବି ମନେ ପଡୁନି। ବାସ୍ ଏତିକି କହି ହସ୍ପିଟାଲ କାନ୍ଥର ଏପଟ ସେପଟ ଚାହୁଁ ଥାଏ। ଡାକ୍ତର ଆସିଲେ ଆଉ କହିଲେ, ସ୍ୱପ୍ନା ମୁଣ୍ଡରେ ଗଭୀର ଆଘାତ ଲାଗିଛି, ସେ ନିଜର ସ୍ମରଣ ଶକ୍ତି ହରାଇ ବସିଛି। ଏଭଳି ଅବସ୍ଥାରେ ରୋଗୀ ନିଜ ଲୋକଙ୍କୁ ଚିହ୍ନି ପାରେନି। ତେଣୁ, ଏହି ସମୟରେ ରୋଗୀର ଉପଯୁକ୍ତ ଯତ୍ନ ନେବା ଆବଶ୍ୟକ। ଡାକ୍ତରଙ୍କ ଏଇ ପଦିଏ କଥାରେ ନିଜକୁ ଦୋଷୀ ମନେ କଲା ସାଗର। ଆଖିରୁ ଅନବରତ ଲୁହ ଗଡ଼ି ଚାଲିଲା। ଯାହା ବି ଘଟିଗଲା, ସେସବୁ କେବଳ ତା’ ପାଇଁ। ତା’ର ‘ଭୁଲିଯାଅ’ ଶବ୍ଦଟା ସତେ କି ସ୍ୱପ୍ନା ପାଇଁ ପାଲଟିଗଲା ଅଭିଶାପ ! ସେହି ସମୟରେ ବି ସ୍ୱପ୍ନା ପଚାରୁଥିଲା, ତୁମେ କିଏ ? ଏମିତି କାହିଁକି କାନ୍ଦୁଛ ? କ’ଣ ହୋଇଛି ତୁମର ?…

0 Comments

Leave Your Comment

Your email address will not be published. Required fields are marked *

%d bloggers like this: