ନବୀନଙ୍କ ଭାଇଚାରା ରଣନୀତି

ନବୀନଙ୍କ ଭାଇଚାରା ରଣନୀତି

ପ୍ରିଜମ୍ ନ୍ୟୁଜ(ସମ୍ପାଦକୀୟ): ନିଜର ସ୍ୱଚ୍ଛ ଭାବମୂର୍ତ୍ତି ଓ ଅକୁଣ୍ଠ ଲୋକପ୍ରିୟତା ଯୋଗୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟସ୍ତରରେ ବେଶ୍ ପରିଚିତ। ଏକାଧିକ ଥର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ପୁରସ୍କାର ମଧ୍ୟ ପାଇଛନ୍ତି ନବୀନ। ଦୀର୍ଘ ୨୧ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟ ଶାସନର ଭାର ସମ୍ଭାଳିଥିବା ନବୀନଙ୍କୁ ‘ଆଦର୍ଶ ମୁଖ୍ୟମନ୍ତ୍ରୀ’, ‘ଶ୍ରେଷ୍ଠ ପ୍ରଶାସକ’ ଭଳି ଅନେକ ଜାତୀୟସ୍ତରର ସମ୍ମାନ ମିଳିଛି। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ତତ୍କାଳ ନିଷ୍ପତ୍ତି ଓ ଉପଯୁକ୍ତ ପଦକ୍ଷେପ ତାଙ୍କ ପାଇଁ ଜାତୀୟସ୍ତରରେ ପ୍ରତିଷ୍ଠା ଓ ସମ୍ମାନ ଆଣିଛି। ଏବେ ନବୀନ ପଟ୍ଟନାୟକ ପୁଣି ଥରେ ଭାରତୀୟ ରାଜନୀତିରେ ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି। ଦେଶ ଯେତେବେଳେ କୋରୋନା ମହାମାରୀରେ ଆକ୍ରାନ୍ତ ହୋଇଛି, ଓଡ଼ିଶା ମଧ୍ୟ ମହାମାରୀର ମହାକବଳରେ ଆବଦ୍ଧ ଅଛି। ସେଥିପାଇଁ ତ କେଉଁଠି ଅକ୍ସିଜେନ୍ ଅଭାବ ହେଉଛି ତ କେଉଁଠି ରୋଗୀଙ୍କ ପାଇଁ ବେଡ୍ ସମସ୍ୟା। ଦିଲ୍ଲୀରେ ଅକ୍ସିଜେନ୍ ସଙ୍କଟ ଦେଖା ଦେବା ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ନବୀନ ଫୋନ୍ କରିଥିଲେ। ଆବଶ୍ୟକ ପରିମାଣରେ ଅକ୍ସିଜେନ୍ ଓଡ଼ିଶାରୁ ପଠାଇବା ପାଇଁ ନବୀନ କହିବା ସହ ଏହାର ତଦାରଖ କରିବାକୁ ଜଣେ ସ୍ୱତନ୍ତ୍ର ଅଫିସରଙ୍କୁ ଦାୟିତ୍ୱ ଦେବା ପାଇଁ ମଧ୍ୟ ନବୀନ କେଜ୍ରିୱାଲଙ୍କୁ କହିଛନ୍ତି। ନବୀନଙ୍କ ଏଭଳି ପ୍ରତିଶ୍ରୁତିକୁ ପ୍ରଶଂସା ନ କରି କେଜ୍ରିୱାଲ ରହି ପାରିନାହାନ୍ତି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଫୋନ୍ କରି ଓଡ଼ିଶା ସବୁ ପ୍ରକାର ସହଯୋଗ କରିବାକୁ ପ୍ରସ୍ତୁତ ଅଛି ବୋଲି ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀନଙ୍କ ଏଭଳି ସହାୟତାର ହାତ ବଢ଼ାଇବା ପୁଣି ଥରେ ଜାତୀୟ ରାଜନୀତିରେ ଚର୍ଚ୍ଚାର ଖୋରାକ୍ ଯୋଗାଇ ଦେଇଛି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ ଆଲୋଚନା କରି ମହାରାଷ୍ଟ୍ରକୁ ମଧ୍ୟ ଓଡ଼ିଶା ଅକ୍ସିଜେନ୍ ପଠାଇଛି। ପୂର୍ବରୁ ମଧ୍ୟ ବିଭିନ୍ନ ସମୟରେ ଅନେକ ରାଜ୍ୟକୁ ନବୀନ ଏମିତି ସହଯୋଗର ହାତ ବଢ଼ାଇଛନ୍ତି।

ଗତବର୍ଷ ମେ’ ମାସରେ ପଶ୍ଚିମବଙ୍ଗକୁ ଘାଇଲା କରିଥିଲା ସାମୁଦ୍ରିକ ଝଡ଼ ‘ଅମ୍ଫାନ୍’। ଏହି ସମୟରେ ପଶ୍ଚିମବଙ୍ଗ ପାଇଁ ସହାୟତାର ହାତ ବଢ଼ାଇଥିଲା ଓଡ଼ିଶା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ପ୍ରକାର ସହାୟତା କରିବାକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଆଉ ପ୍ରତିଶ୍ରୁତି ମୁତାବକ ଓଡ଼ିଶାରୁ ଓଡ୍ରାଫ୍ ଟିମ୍ ଯାଇ ପଶ୍ଚିମବଙ୍ଗରେ ଦିନରାତି ଏକ କରି କାମ କରିଥିଲେ। ଏହାପୂର୍ବରୁ ୨୦୧୮ ମସିହାରେ କେରଳ ବନ୍ୟା ସମୟରେ ମଧ୍ୟ ନବୀନ ସହଯୋଗର ହାତ ବଢ଼ାଇଥିଲେ। ଓଡ଼ିଶାରୁ ଉଦ୍ଧାକାରୀ ଦଳ ଯାଇ କେରଳରେ ବନ୍ୟା ବିପନ୍ନଙ୍କୁ ଉଦ୍ଧାର କରିଥିଲେ। ୨୦୧୯ ମସିହାରେ ଗୁଜରାଟରେ ହୋଇଥିବା ସାମୁଦ୍ରିକ ଝଡ଼ ‘ବାୟୁ’ ସମୟରେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହାୟତାର ହାତ ବଢ଼ାଇଥିଲେ।

ସେହିପରି ୨୦୧୮ ମସିହାରେ ମେଘାଳୟର ପୂର୍ବ ଜୟନ୍ତିଆ ପର୍ବତରେ ଥିବା ଖଣି ଭିତରେ ପ୍ରାୟ ଦୁଇ ସପ୍ତାହ ଧରି ପାଖାପାଖି ୧୫ ଜଣ ଶ୍ରମିକ ଫସି ରହିଥିଲେ। ସେତେବେଳେ ଓଡ଼ିଶାରୁ ୨୦ ଜଣିଆ ଅଗ୍ନିଶମ କର୍ମଚାରୀ ଦଳ ମେଘାଳୟ ଯାଇ ସଫଳତାର ସହ ଉଦ୍ଧାର କାର୍ଯ୍ୟ କରିଥିଲେ। ସେହି ସମୟରେ ମଧ୍ୟ ଓଡ଼ିଶାକୁ ବିଭିନ୍ନ ଆଡୁ ପ୍ରଶଂସାର ସୁଅ ଛୁଟିଥିଲା। ତେଣୁ, ବିପତ୍ତି ସମୟରେ ଓଡ଼ିଶା ଅନ୍ୟ ରାଜ୍ୟ ସହ ଛିଡ଼ା ହେବାର ଏମିତି ଅନେକ ଉଦାହରଣ ରହିଛି। ତେବେ ସର୍ବଦା ବିରୋଧୀଙ୍କ ଠାରୁ ସମଦୂରତା ଅବଲମ୍ୱନ କରୁଥିବା ନବୀନ ପଟ୍ଟନାୟକ ବିପଦ ସମୟରେ କିନ୍ତୁ ସମସ୍ତଙ୍କୁ ସହଯୋଗର ହାତ ବଢ଼ାଇଥା’ନ୍ତି। ସିଏ ପ୍ରଧାନମନ୍ତ୍ରୀ ମୋଦି ହୁଅନ୍ତୁ ଅବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ। ଆତ୍ମନିର୍ଭରଶୀଳ ଭାରତରେ ଭାଇଚାରାର ନୂଆ ରଣନୀତି ଆପଣାଇ ପୁଣି ଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ସବୁ ରାଜନେତା ଓ ସେମାନଙ୍କ ଦଳ ପାଇଁ ଏକ ନୂଆ ଉଦାହରଣ ସାଜିଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: