କଳିଯୁଗର ଲେଡି କୁମ୍ଭକର୍ଣ୍ଣ, ଥରେ ଶୋଇଲେ କେବେ ଉଠନ୍ତି ତାହା କହିବା କଷ୍ଟକର

କଳିଯୁଗର ଲେଡି କୁମ୍ଭକର୍ଣ୍ଣ, ଥରେ ଶୋଇଲେ କେବେ ଉଠନ୍ତି ତାହା କହିବା କଷ୍ଟକର

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଆପଣ ନିଶ୍ଚିତ ଭାବରେ ରାମାୟଣରେ କୁମ୍ଭକର୍ଣ୍ଣ ବିଷୟରେ ଦେଖି ଥିବେ ବା ଶୁଣି ଥିବେ। କୁମ୍ଭକର୍ଣ୍ଣ ହେଉଛି ଲଙ୍କାପତି ରାବଣର ଭାଇ । ଯଦି ଥରେ ଶୋଇଲେ ମାସ ମାସ ପର୍ଯ୍ୟନ୍ତ ଉଠୁ ନଥିଲେ ଏହା ପ୍ରାୟ ସମସ୍ତେ ଜାଣିଥିବେ ନିଶ୍ଚୟ। ତାକୁ ଉଠାଇବା ପାଇଁ ବହୁତ କଠିନ ପରିଶ୍ରମ କରିବାକୁ ପଡୁଥିଲା, ଘଣ୍ଟା ଘଣ୍ଟ ବଜେଇବାଠୁ ଆରମ୍ଭ କରି ତା ଆଗରେ ସୁସ୍ୱାଦୁ ଖଦ୍ୟମାନ ରଖିବାକୁ ପଡୁଥିଲା । ତେବେ କୁମ୍ଭକର୍ଣ୍ଣଙ୍କ ପରି କଳିଯୁଗରେ ଜଣେ ଯୁବତୀ ଜନ୍ମ ହୋଇଛନ୍ତି । ଇଣ୍ଡୋନେସିଆର ଏଚା ନାମକ ଏହି ଯୁବତୀ ଜଣକ ନିଜ ନିଦ ପାଇଁ ଚର୍ଚ୍ଚାରେ ରହିଛନ୍ତି। ତାଙ୍କୁ କଳିଯୁଗର କୁମ୍ଭକର୍ଣ୍ଣ ବୋଲି କୁହାଯାଉଛି । ସେ ଥରେ ଶୋଇବା ପରେ ଅନେକ ଦିନ ପର୍ଯ୍ୟନ୍ତ ଉଠୁ ନାହାନ୍ତି । ଏଚା ୨୦୧୭ ମସିହାରେ ଲଗାତାର ୧୭ ଦିନ ପର୍ଯ୍ୟନ୍ତ ଶୋଇ ଲୋକଲୋଚନକୁ ଆସିଥିଲେ। ଏହା ପରଠୁ ଏପରି ଆହୁରି ଅନେକ ଥର ଏଚା ଦୀର୍ଘ ସମୟ ଧରି ଶୋଇଥିଲେ।
ଇଣ୍ଡୋନେସିଆର ଦକ୍ଷିଣ କାଲିମନ୍ତନରେ ରହୁଥିବା ଏଚା ନିକଟରେ ସାତ ଦିନ ପରେ ଉଠିଲେ । ଏକ ସପ୍ତାହ ପରେ ଯେତେବେଳେ ସେ ଉଠିଥିଲେ ବହୁତ ଦୁର୍ବଳ ଅନୁଭବ କରିଥିଲେ। ଏତେ ଦିନ ଶୋଇବା କାରଣରୁ ଏଚାଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା। ଦୀର୍ଘ ସମୟ ଧରି ଶୋଇବା ହେତୁ ସେ ବହୁତ ଦୁର୍ବଳ ହୋଇଯାଇଥିଲେ। ଡାକ୍ତରମାନେ ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ ମଧ୍ୟ ସେଥିରୁ କୌଣସି ରୋଗ ଚିହ୍ନଟ ହୋଇନଥିଲା।
ତେବେ ଏତେ ଦିନ ପର୍ଯ୍ୟନ୍ତ ନିରନ୍ତର ଭାବେ ଶୋଇବାର କୌଣସି ସ୍ପଷ୍ଟ କାରଣ ଜଣା ପଡ଼ି ନାହିଁ। ଏଚାଙ୍କ ଅବସ୍ଥା ଦେଖି ଡାକ୍ତରମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କିନ୍ତୁ ଏଚାଙ୍କ ଅବସ୍ଥାରୁ ଅନୁମାନ କରାଯାଉଛି ଯେ ସେ ହାଇପରସୋମନିୟା ରୋଗରେ ପୀଡିତ ହୋଇଥାଇ ପାରନ୍ତି । ଏହି ରୋଗରେ ପୀଡ଼ିତ ହେଲେ ସଂପୃକ୍ତ ବ୍ୟକ୍ତି ଦିନରେ ବହୁତ ଶୋଇଥାନ୍ତି ଏବଂ ଅଧିକାଂଶ ସମୟ ଶୋଇବାରେ ବିତାଇଥାଏ । ହାଇପରସୋମନିୟା ଶିରା ସହିତ ଜଡିତ ଅନେକ ସମସ୍ୟା ସୃଷ୍ଟି କରିବା ସହିତ ଅନ୍ୟ ଶାରୀରିକ ଏବଂ ଅବେଗିକ ସମସ୍ୟା ସୃଷ୍ଟି କରିଥାଏ । ତେବେ ଯଦି ଏଚା ଥରେ ଶୋଇପଡନ୍ତି, ତାଙ୍କୁ ମଧ୍ୟ କୁମ୍ଭକର୍ଣ୍ଣ ପରି ଉଠାଇବା ଅସମ୍ଭବ ହୋଇପଡେ। ଶୋଇବା ସମୟରେ ତାଙ୍କ ପିତାମାତା ତାଙ୍କୁ ଖାଇବାକୁ ଦିଅନ୍ତି, ଯାହାକୁ ସେ ନିଦରେ ଚୋବାଇ ଖାଇଥାନ୍ତି । ଯେତେବେଳେ ତାଙ୍କୁ ବାଥରୁମକୁ ଯିବାକୁ ପଡେ, ସେ ନିଦରେ ଅସ୍ଥିର ହୋଇପଡ଼ନ୍ତି । ତାଙ୍କୁ ଉଠାଇ ତାଙ୍କ ବାପା ମା’ ବାଥରୁମକୁ ନେଇଯାଆନ୍ତି । ସେଠାରେ ତାଙ୍କୁ ଧରି ଶୌଚାଳୟ କାର୍ଯ୍ୟ କରାଯାଇଥାଏ । ତେବେ ଏହି ସ୍ଲିପିଂ ବିୟୁଟି ସିଣ୍ଡ୍ରୋମ ପାଇଁ ଏ ପର୍ଯ୍ୟନ୍ତ କୌଣସି ଚିକିତ୍ସା ମିଳିନାହିଁ ବୋଲି ବିଶେଷଜ୍ଞମାନେ କୁହନ୍ତି । କିନ୍ତୁ ଏଚାଙ୍କ ପିତାମାତା ଆଶା କରୁଛନ୍ତି ଯେ ସେମାନଙ୍କ ଝିଅ ଶୀଘ୍ର ସୁସ୍ଥ ହୋଇଯିବ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: