ସତ୍ୟଜିତ ରାୟଙ୍କ କ୍ଷୁଦ୍ର ଗଳ୍ପ ଓ ଭାରତୀୟ ସିନେମାର ନୂଆ ମାଇଲଖୁଣ୍ଟ ‘ରେ/ରାୟ’ ସିରିଜ

ସତ୍ୟଜିତ ରାୟଙ୍କ କ୍ଷୁଦ୍ର ଗଳ୍ପ ଓ ଭାରତୀୟ ସିନେମାର ନୂଆ ମାଇଲଖୁଣ୍ଟ ‘ରେ/ରାୟ’ ସିରିଜ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଭାଷା ଯାହା ବି ହେଉନା କାହିଁକି, ଶବ୍ଦର ଏକ ଲୟ ଥାଏ। ଏହି ଲୟ ଠିକ୍ ହେବା ଦରକାର। ଯଦି ଗୋଟିଏ ସୁର ଖାପଛଡ଼ା କିମ୍ୱା ଭୁଲ ହୋଇଯିବ, ତେବେ ପୂରା କାହାଣୀ ବରବାଦ ହୋଇଯିବ। ଏହା ଯିଏ କହିଥିଲେ, ସେ ଥିଲେ ହୃଦୟକୁ ପଢ଼ି ପାରୁଥିବା ଜଣେ ସରଳ ଓ ଡେଙ୍ଗା ମଣିଷ। ସତ୍ୟଜିତ ରାୟ। ବିଶ୍ୱ ସିନେମାରେ ତାଙ୍କର ପରିଚୟ ଯେତିକି ଲମ୍ୱା ଥିଲା, ବାସ୍ତବରେ ମଧ୍ୟ ସେ ଦେଖିବାକୁ ସେମିତି ଲମ୍ୱା ଓ ହଟ୍ଟାକଟ୍ଟା ମଣିଷଟିଏ। ଛଅ ଫୁଟ୍ ଚାରି ଇଞ୍ଚର ଏହି ନିଚ୍ଛକ ମଣିଷ ଜଣଙ୍କ ନିଜ ସିନେମା କ୍ୟାରିୟର ମଧ୍ୟରେ ଅନେକ ଥର ନିଜର ସୃଜନଶୀଳତାର ବାରିଧାରାକୁ ଢାଳି ଦେଇଛନ୍ତି। ତାଙ୍କ ସିନେମାର ଏକ ନିର୍ଦ୍ଦିଷ୍ଟ ଠାଣି ଥାଏ। ତାଙ୍କ କାହାଣୀ ସବୁବେଳେ କିଛି ନା କିଛି ବାର୍ତ୍ତା ବହନ କରୁଥାଏ।

ଏବେ ତାଙ୍କ ଠାଣୀ, ତାଙ୍କ ଶୈଳୀ ଓ ଚାରିଟି କାହାଣୀକୁ ନେଇ ତିଆରି ହୋଇଛି ଏକ କ୍ଷୁଦ୍ର ସିରିଜ, ଯାହାର ନାଁ- ରେ/ ରାୟ। ନେଟଫ୍ଲିକ୍ସରେ ଜୁନ ୨୫ ତାରିଖରେ ରିଲିଜ ହୋଇଥିବା ଏହି ସିରିଜରେ ମନୋଜ ବାଜପେୟୀ, କେ କେ ମେନନ୍, ଗଜରାଜ ରାଓ, ଅଲୀ ଫଜଲ, ହର୍ଷବର୍ଦ୍ଧନ କପୁର, ଚନ୍ଦନ ରାୟ ସାନ୍ୟାଲ, ବୀତିଦା ବାଗ, ଶ୍ୱେତା ବାସୁ ପ୍ରସାଦଙ୍କ ଭଳି ଅନେକ କଳାକାର ଅଛନ୍ତି। ଶ୍ରୀଜିତ ମୁଖାର୍ଜୀ, ବସନ ବାଲା ଓ ଅଭିଷେକ ଚୌବେଙ୍କ ନିର୍ଦ୍ଦେଶିତ ଏହି ମିନି ସିରିଜ, ସତ୍ୟଜିତ ରାୟଙ୍କ ଚାରିଟି ସର୍ଟ ଷ୍ଟୋରିଜ ବା କ୍ଷୁଦ୍ର ଗଳ୍ପ ଉପରେ ଆଧାରିତ।

ଆଧୁନିକତାର ଛାପ ଦେଇ ନିଆରା ଢଙ୍ଗରେ ଏହାକୁ ନିର୍ମାଣ କରିଛନ୍ତି ଏହି ତିନି ଜଣ ଆଜିକା ପିଢ଼ିର ନିର୍ଦ୍ଦେଶକ। ଅବଶ୍ୟ ଏହାକୁ ସତ୍ୟଜିତ ରାୟଙ୍କ ଗଳ୍ପ ଗୁଡ଼ିକ ଠାରୁ କେତେକ ଲୋକ ଭିନ୍ନ ବୋଲି ମଧ୍ୟ କହୁଛନ୍ତି। ସେ ଅଲଗା କଥା, କିନ୍ତୁ ଏହାକୁ ଯେଉଁଭଳି ଭାବେ ନିର୍ମାଣ କରାଯାଇଛି, ତାହା ବାସ୍ତବିକ ପ୍ରଶଂସାଯୋଗ୍ୟ। ଏହି ସିରିଜରେ ଚାରିଟି ଏପିସୋଡ୍ ଅଛି। ଫରଗେଟ୍ ମି ନଟ୍ (ଶ୍ରୀଜିତ ମୁଖାର୍ଜୀ)ଏହା ସତ୍ୟଜିତ ରାୟଙ୍କ ‘ବିପିନ ଚୌଧୁରୀର୍ ସ୍ମୃତି ଭ୍ରମ୍’ କାହାଣୀ ଉପରେ ଆଧାରିତ। ଅଲୀ ଫଜଲଙ୍କ ସିରିୟସ୍ ଅଭିନୟର ଝଲକ ଏଥିରେ ଦେଖିବାକୁ ମିଳିବ। ଜଣେ ଉଦ୍ୟୋଗୀର ଜୀବନ କିଭଳି ଏକ ଘଟଣା ପରେ ପରିବର୍ତ୍ତନ ହୋଇଯାଉଛି, ତାହା ଏଥିରେ ଆପଣ ଦେଖିପାରିବେ।

ଏହି ଏପିସୋଡର ପ୍ରଥମ ଦୃଶ୍ୟରେ ହିଁ ଆପଣ ଅଲୀ ଫଜଲଙ୍କ ଆରିଷ୍ଟୋକ୍ରାସିକୁ ଅନୁଭବ କରିପାରିବେ। ଏହି କାହାଣୀର ଦ୍ୱିତୀୟ ଭାଗ ପୂରାପୂରି ସିରିୟସ୍। ଆଉ ଶେଷ ପନ୍ଦର ମିନିଟ୍ ଏହି ଏପିସୋଡର ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଶ୍ୱେତା ବାସୁ ପ୍ରସାଦ ମଧ୍ୟ ଏଥିରେ ନିଜର ଦାୟିତ୍ୱକୁ ଭଲ କରି ନିଭାଇଛନ୍ତି। ବଙ୍ଗଳା ସିନେମାରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଥିବା ଶ୍ରୀଜିତ ଏବେ ବଲିଉଡରେ ବଳିଷ୍ଠ ନିର୍ଦ୍ଦେଶନା ଦେଇ ଜଣେ ଦକ୍ଷ ନିର୍ଦ୍ଦେଶକର ପରିଚୟ ଦେଇଛନ୍ତି। ପାଗଳଖାନା ଭିତରେ ଶେଷ ଦୃଶ୍ୟର ତାରିଫ ନିହାତି ଭାବ ନିର୍ଦ୍ଦେଶକଙ୍କୁ ହିଁ ମିଳିବ।

ଏକ ନିରୋଳା କଠୋରୀର କାନ୍ଥ ସାରା ଅନେକ ଗୁଡ଼ିଏ ଅଚିହ୍ନା ନାଁ। ଟ୍ୟୁବ୍ ଲାଇଟର ଆଲୁଅ ଭିତରେ ଏକୁଟିଆ ବିଚରା ପାଗଳ ମଣିଷ ଟିଏ। ଆହା କହିବାକୁ ପାଖରେ କେହି ନାହାନ୍ତି। ସେହିପରି ଜଣେ ସଫଳ ଉଦ୍ୟୋଗୀରୁ ଜଣେ ଭୁଲା ବେମାରୀ ହୋଇଥିବା ରୋଗୀ ବନିଯିବା ଭିତରେ ଆପଣ ଅଲୀ ଫଜଲଙ୍କ ଅଭିନୟର ପାରଦର୍ଶିତାକୁ ଅନୁଭବ କରିବେ।ବହୁରୂପୀୟା (ଶ୍ରୀଜିତ ମୁଖାର୍ଜୀ)ଏହା ସତ୍ୟଜିତ ରାୟଙ୍କ କ୍ଷୁଦ୍ର ଗଳ୍ପ ‘ବହୁରୂପୀ’ ଉପରେ ଆଧାରିତ। ଇନ୍ଦ୍ରାଦିଶ ଭୂମିକାରେ ଅଭିନୟ କରି କେ କେ ମେନନ୍ ପୁଣି ଥରେ ନିଜର ଅଭିନୟର ପରକାଷ୍ଠାକୁ ପ୍ରତିପାଦିତ କରିଛନ୍ତି। ସେ ଯେ, ଯେକୌଣସି ଭୂମିକାରେ ଅଭିନୟ କରି ପାରନ୍ତି, ତାହା ଏଥିରୁ ସ୍ପଷ୍ଟ ଅନୁମେୟ। ‘ଲାଇଫ୍ ଇନ୍ ଏ ମେଟ୍ରୋ’ର ରଣଜିତ ହେଉ ବା ‘ହଜାରୋଁ ଖ୍ୱାହିସେଁ ଐସୀ’ର ସିଦ୍ଧାର୍ଥ। ସେହିପରି ‘ହାଇଦର’ ଫିଲ୍ମରେ ମଧ୍ୟ ତାଙ୍କର ବଳିଷ୍ଠ ଅଭିନୟ ଆପଣମାନେ ଦେଖିଥିବେ। ଗତବର୍ଷ ରିଲିଜ ହୋଇଥିବା ‘ସ୍ପେଶାଲ ଓପ୍ସ’ ହିମ୍ମତ ସିଂଙ୍କୁ ‘ରେ/ରାୟ’ ସିରିଜରେ ଆପଣ ଇନ୍ଦ୍ରାଦିଶ ରାୟ ଭୂମିକାରେ ଦେଖିବାକୁ ପାଇବେ। ନିଜ ଜେଜେ ମା’ଙ୍କ ଠାରୁ ଏକ ବହି ଉପହାର ସ୍ୱରୁପ ପାଇବା ପରେ ତାଙ୍କ ଜୀବନରେ କେମିତି ପରିବର୍ତ୍ତନ ହେଉଛି, ତାହା ହେଉଛି ବହୁରୂପୀୟା।

ଅବଶ୍ୟ କେତେ ଦୃଶ୍ୟ ଏବଂ କୋଲକାତାକୁ ଯେଉଁଭଳି ଏଠାରେ ଦେଖାଯାଇଛି, ତାହା ଆଉ ଟିକେ ଭଲ କରି ଦେଖା ଯାଇ ପାରିଥାନ୍ତା। ସେହିପରି ଲକଡାଉନ୍ ଯୋଗୁ ମାର୍କେଟରେ କମ୍ ଲୋକଙ୍କ ଚଳପ୍ରଚଳ ଏଥିରେ ସ୍ପଷ୍ଟ ବାରି ହୋଇ ପଡ଼ୁଛି। ଏଡିଟିଙ୍ଗ୍ ଏହି ଏପିସୋଡରେ ସଠିକ୍ ଭାବେ ଦର୍ଶାଯାଇଛି, ଯାହା ନିହାତି ଭାବେ ପ୍ରଶଂସାଯୋଗ୍ୟ। ହଙ୍ଗାମା ହୈ କ୍ୟୁଁ ବରପା (ଅଭିଷେକ ଚୌବେ)ପୂର୍ବରୁ ‘ଇସ୍କିୟା’, ‘ଦେଢ଼୍ ଇସ୍କିୟା’, ‘ଉଡତା ପଞ୍ଜାବ’, ‘ସୋନ୍ ଚିରିୟା’ ଭଳି ସିନେମାର ନିର୍ଦ୍ଦେଶନା ଓ ‘ଓମକାରା’, ‘ଦି ବ୍ଲୁ ଅମ୍ୱ୍ରେଲା’, ‘ମକବୁଲ’, ‘ମକଡି’, ‘ରାତ୍ ଅକେଲି ହୈ’ ଭଳି ସିନେମାରେ କାମ କରି ବଲିଉଡର ଜଣେ ଜଣାଶୁଣା ନାଁ ହେଉଛନ୍ତି ଅଭିଷେକ ଚୌବେ। ତାଙ୍କର ନିର୍ଦ୍ଦେଶନାର ସୃଜନଶୀଳତାକୁ ପୁଣି ଥରେ ‘ରେ/ରାୟ’ରେ ଦେଖିବାକୁ ମିଳିଛି। ସେହିପରି ମନୋଜ ବାଜପେୟୀ ବୋଧହୁଏ ପ୍ରଥମ ଥର ପାଇଁ ଏଭଳି ଭୂମିକାରେ ଅଭିନୟ କରିଥିବେ।

ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟରେ ପାଠ ପଢ଼ିଥିବା ଅଭିନୟର ଏହି ଯାଦୁଗର ଅନେକ ସିନେମାରେ ନିଜ ଅଭିନୟର ପରୀକ୍ଷା ଦେଇଛନ୍ତି। ଜଣେ ଗଜଲ ଗାୟକ ଭାବେ ଅଭିନୟ କରି ତାଙ୍କ ପ୍ରଶଂସକମାନଙ୍କ ମନରେ ତାଙ୍କ ପ୍ରତି ଏକ ନିଆରା ଭଲପାଇବା ଅଜାଡ଼ି ଦେଇଛନ୍ତି। ସତ୍ୟଜିତ ରାୟଙ୍କ କ୍ଷୁଦ୍ର ଗଳ୍ପ ‘ବାରିନ୍ ଭୌମିକେର୍ ବ୍ୟାରାମ୍'(Barin Bhowmik-er Byaram)ଉପରେ ଆଧାରିତ। ‘କ୍ଲେପଟୋମାନିସ୍’ (ଏହା ଏକ ଅସ୍ୱାଭାବିକ ମାନସିକ ଅବସ୍ଥା, ଯେଉଁଥିରେ ଲୋକମାନେ ଦୈନନ୍ଦିନ କାମ ମଧ୍ୟରେ ପାଖରେ ଥିବା ଜିନିଷ ଦରକାର ନ ଥିଲେ ବି ଚୋରାଉ ନିଅନ୍ତି) ଉପରେ ଏହି ଏପିସୋଡ୍ ଆଧାରିତ। ଗଜରାଜ ରାଓ ମଧ୍ୟ ଏଥିରେ ନିଜ ଭୂମିକାକୁ ସୂଚାରୁ ରୂପେ ତୁଲାଇଛନ୍ତି। ଗୁଲାମ ଅଲୀଙ୍କ ‘ହଙ୍ଗାମା ହୈ କ୍ୟୁଁ ବରପା’ ଗୀତକୁ ମଧ୍ୟ ଏଥିରେ ବ୍ୟବହାର କରାଯାଇଛି।

ସ୍ପଟଲାଇଟ୍ (ବସନ ବାଲା)ଏହା ଏକ ମଜାଦାର ଏପିସୋଡ। ଆପଣଙ୍କୁ ହୁଏ ତ କିଛି ସେକେଣ୍ଡ ବା ମିନିଟ୍ ପାଇଁ ଧିମା ଲାଗି ଥାଇପାରେ, କିନ୍ତୁ ଧୀରେ ଧୀରେ ଏହା ଆପଣଙ୍କୁ ମନୋରଞ୍ଜନର ଖୋରାକ୍ ଯୋଗାଇବ। ସତ୍ୟଜିତ ରାୟଙ୍କ କ୍ଷୁଦ୍ର ଗଳ୍ପ ‘ସ୍ପଟ୍ ଲାଇଟ୍’ ଉପରେ ଏହା ଆଧାରିତ। ହର୍ଷବର୍ଦ୍ଧନ କପୁର ଏଥିରେ ଜଣେ ଅଭିନେତା ବିକ୍ରମ ଅରୋରା ଭୂମିକାରେ ଅଭିନୟ କରିଛନ୍ତି। ବିକ୍ରମ ଅରୋରା ନିଜର ଏକ ସ୍ୱତନ୍ତ୍ର ଲୁକ୍ ପାଇଁ ପ୍ରସିଦ୍ଧ। ଏକ ହୋଟେଲରେ ଆଧ୍ୟାତ୍ମିକ ଦିଦିଙ୍କ ସଂସ୍ପର୍ଶରେ ଆସିବା ପରେ କାହାଣୀ ଗତିଶୀଳ ହେଉଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: