ଭାରତ ‘ବାଣ୍ଟୁଛି’ ଟିକା !

ଭାରତ ‘ବାଣ୍ଟୁଛି’ ଟିକା !

ପ୍ରିଜମ୍ ନ୍ୟୁଜ (ସମ୍ପାଦକୀୟ): କୋରୋନା କାଳରେ କୋରୋନା ଟିକାର ମହତ୍ତ୍ୱ ସାରା ବିଶ୍ୱ ବୁଝିପାରିଛି। ଯେବେ ଅଦୃଶ୍ୟ ଶତ୍ରୁ ତା’ର କରାଳରୂପୀ କାୟା ମେଲାଇଲା, ସାରା ବିଶ୍ୱ ଚିନ୍ତାରେ ପଡ଼ିଗଲା। କେମିତି ଏ ମହାମାରୀକୁ ରୋକିହେବ ? ଅକାଳରେ ଝଡ଼ି ପଡ଼ୁଥିବା ନିରୀହ ଜୀବନଗୁଡ଼ାକୁ କେଉଁ ଉପାୟରେ ବଞ୍ଚାଇହେବ ? ଅଦୃଶ୍ୟ ଭାଇରସ୍ କବଳରୁ ଜଗତକୁ ଉଦ୍ଧାର କରିବାର ବାଟ ଅଛି ନା ନାହିଁ ? ମଣିଷ ଆଖିକୁ ମରୀଚିକା ଭଳି ଦିଶୁଥିଲା ଏସବୁ ପ୍ରଶ୍ନର ଉତ୍ତର। ତଥାପି ବୁଦ୍ଧିବାଟ କାଢ଼ି ସାରା ବିଶ୍ୱର ବୈଜ୍ଞାନିକ ଭ୍ୟାକସିନ୍ ବା ଟିକାର ସନ୍ଧାନରେ ଲାଗିଗଲେ। ସମ୍ପୂର୍ଣ୍ଣ ବା କ୍ଷମତାସମ୍ପନ୍ନ ନ ହେଲେ ବି ଶେଷରେ ସଫଳତା ହାତରେ ଲାଗିଲା ଓ କୋରୋନା ଟିକା ଉଦ୍ଭାବନ ହେଲା । ହାତଗଣତି କିଛିଟା ଦେଶ ଏହା କରିଦେଖାଇଛନ୍ତି ଏବଂ ସେହି ଦେଶଗୁଡ଼ିକ ମଧ୍ୟରେ ରହିଛି ଭାରତ, ଯାହା ଆମ ପାଇଁ ଗର୍ବର ବିଷୟ ଓ ଆଶ୍ୱସ୍ତିକର ମଧ୍ୟ। ହେଲେ ଏବେ ସେହି ‘ଟିକା’ ଭାରତ ‘ବାଣ୍ଟୁଛି’ ।
ଆପଣ ଭାବୁଥିବେ, ‘ଭାରତ ଟିକା ବାଣ୍ଟୁଛି’, ଭଲ କଥା । ଏ ତିନିଟି ଶବ୍ଦରେ ଏମିତି କ’ଣ ଅଛି ଯେ, ତାକୁ ବାରମ୍ବାର ଫେଣେଇ ଲେଖାଯାଇଛି। ଅବଶ୍ୟ ପାଠକ ଏହା ଭାବିବା ସ୍ୱାଭାବିକ। କାରଣ ଏହା ସତ ଯେ, ବର୍ତ୍ତମାନର ଘଡ଼ିସନ୍ଧି ମୁହୂର୍ତ୍ତରେ ଭାରତ ଟିକା ବାଣ୍ଟୁଛି ଓ ଅନେକ ଦେଶକୁ କୋରୋନା ସହ ଲଢ଼ିବାରେ ସିଧାସଳଖ ସହଯୋଗ କରୁଛି। ଭାରତ ସରକାରଙ୍କ ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ୱେବ୍ ସାଇଟରେ ଜାରି ଅପଡେଟ୍ ତଥ୍ୟ ମୁତାବକ(୨୭ ଜୁନ୍ ସୁଦ୍ଧା) ଭାରତ ବିଭିନ୍ନ ପର୍ଯ୍ୟାୟରେ ବିଶ୍ୱର ୯୫ଟି ଦେଶକୁ ମୋଟ ୬ କୋଟି ୬୩ଲକ୍ଷ ୬୯୮ ଟିକା ଯୋଗାଇ(ବାଣ୍ଟି)ସାରିଛି। ଶେଷଥର ପାଇଁ ୧୬ ଏପ୍ରିଲ୍ ୨୦୨୧ରେ ଭାରତ ସିରିୟାକୁ ୨ ଲକ୍ଷ ୫୬ ହଜାର ୮ଶହ ଟିକା ଯୋଗାଇଦେଇଛି। ବୈଦେଶିକ ନୀତି ମୁତାବକ ୧ କୋଟି ୭ଲକ୍ଷ ଟିକା ଭାରତ ସରକାର ମାଗଣାରେ ବାଣ୍ଟିଥିବା ବେଳେ ବ୍ୟାବସାୟିକ ଭିତ୍ତିରେ ସାଢ଼େ ୩ କୋଟିରୁ ଅଧିକ ଟିକା ଅନ୍ୟ ରାଷ୍ଟ୍ରକୁ ରପ୍ତାନୀ କରିଛନ୍ତି। ସେହିପରି ଦେଶରେ କୋରୋନାକୁ ଚେକ୍ ଦେବା ଲାଗି ଟିକାକରଣ ଅଭିଯାନକୁ ମୋଦି ସରକାର ବେଶୀ ଗୁରୁତ୍ୱ ଦେଇଛନ୍ତି। ସବୁ ରାଜ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ ଟିକା ମାଗଣାରେ ଯୋଗାଉଛନ୍ତି। ୨୭ ଜୁନ୍ ସୁଦ୍ଧା କେନ୍ଦ୍ର ସରକାର ସାରା ଦେଶକୁ ମୋଟ ୩୨ କୋଟି ୧୭ ଲକ୍ଷ ୬୦ ହଜାର ୭୭ ଡୋଜ୍ ଟିକା ଯୋଗାଇସାରିଛନ୍ତି। ଫଳରେ ୫ କୋଟି ୭୦ ଲକ୍ଷ ଉଭୟ ଡୋଜ୍ ନେଇସାରିଥିବା ବେଳେ ସାଢ଼େ ୮ କୋଟିରୁ ଅଧିକ ଲୋକ ପ୍ରଥମ ଡୋଜ୍ ପାଇସାରିଛନ୍ତି। ଏବେ ଭାରତ ସରକାରଙ୍କ ଲକ୍ଷ୍ୟ ଅଗଷ୍ଟରୁ ଡିସେମ୍ବର ୨୦୨୧ ମଧ୍ୟରେ ସାରା ଦେଶକୁ ଭ୍ୟାକ୍ସିନେଟ୍ କରିବା, ପୁଣି ମାଗଣାରେ। ଅର୍ଥାତ୍ ଉଭୟ ଦେଶ ଓ ବିଦେଶକୁ କେନ୍ଦ୍ର ସରକାରଙ୍କ ଟିକା ବଣ୍ଟା ଜାରି ରହିଛି। ତେବେ ଆମେ ଏଠାରେ ଯେଉଁ ‘ବାଣ୍ଟିବା’ କଥା କହୁଛୁ ବା ପ୍ରସଙ୍ଗ ଉଠାଉଛୁ, ତାହା ଏ ‘ବାଣ୍ଟିବା’ ନୁହେଁ।
ଏବେ ମନରେ ପ୍ରଶ୍ନ ଉଠୁଥିବ ନିଶ୍ଚୟ, ଯଦି ସତରେ ଭାରତ ଟିକା ବାଣ୍ଟୁଛି, ତେବେ ତାହା ପ୍ରସଙ୍ଗ କେମିତି ହେଲା ? ଏ ବାଣ୍ଟିବା ଓ ସେ ବାଣ୍ଟିବା, ଉଭୟ ଶବ୍ଦ ଯଦି ଏକା ତେବେ କେଉଁ କ୍ଷେତ୍ରରେ କ’ଣ ଫରକ ରହିଛି ? ତାହା ଜାଣିବାକୁ ହେଲେ ଆମକୁ ଟିକା-ଟିକାକରଣ, ମାଗଣା-କିଣା ଓ କେନ୍ଦ୍ର-ରାଜ୍ୟ ମଧ୍ୟର ଭ୍ୟାକସିନ୍ ଲଢ଼େଇର ପୁରୁଣା ଫର୍ଦ୍ଦ ଲେଉଟାଇବାକୁ ହେବ। ଟିକା ଆସିବା ପରେ ଯେବେ ଭାରତରେ ଟିକାକରଣ ଆରମ୍ଭ ହେଲା, ସେପର୍ଯ୍ୟନ୍ତ ସାରା ଦେଶ ଏକ ଥିଲା। କେନ୍ଦ୍ର ସରକାର ସବୁ ମ୍ୟାନେଜ କରୁଥିଲେ ଓ ଯାହା କଟକଣା ଲାଗୁ କରୁଥିଲେ ତାହାକୁ ସବୁ ରାଜ୍ୟ ପାଳନ କରୁଥିଲେ। କେନ୍ଦ୍ରର ନିଷ୍ପତ୍ତିକ୍ରମେ ପ୍ରଥମେ କୋଭିଡ୍ ଯୋଦ୍ଧାଙ୍କୁ, ଦ୍ୱିତୀୟରେ ବରିଷ୍ଠ ନାଗରିକଙ୍କୁ ଓ ତୃତୀୟ ପର୍ଯ୍ୟାୟରେ ୪୫ରୁ ଅଧିକ ବୟସ୍କଙ୍କୁ ମାଗଣା ଟିକା ଦିଆଗଲା। ଆଉ ଟିକା ନେଇଥିବା ଲୋକଙ୍କୁ ଯେଉଁ ସାର୍ଟିଫିକେଟ୍ ଅନଲାଇନରେ ମିଳୁଥିଲା ସେଥିରେ ଲାଗୁଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ l ତେବେ ସେ ପର୍ଯ୍ୟନ୍ତ ସବୁକିଛି ସୁରୁଖୁରୁରେ ଚାଲିଥିଲା । ଯେମିତି କେନ୍ଦ୍ର ସରକାର ଘୋଷଣା କଲେ ୧୮ରୁ ୪୪ ବର୍ଷ ବର୍ଗଙ୍କୁ ମାଗଣା ଟିକା ମିଳିବନି ଓ ସେ ବାବଦ ଟିକା ରାଜ୍ୟଗୁଡ଼ିକୁ କିଣିବାକୁ ପଡ଼ିବ, ସାଙ୍ଗେ ସାଙ୍ଗେ ଆରମ୍ଭ ହୋଇଗଲା ରାଜନୀତି ।
ବିଜେପି ଶାସିତ କିଛି ରାଜ୍ୟ କେନ୍ଦ୍ରର ନିଷ୍ପତ୍ତିକୁ ସମର୍ଥନ କରି ଘୋଷଣା କଲେ, ତାଙ୍କ ରାଜ୍ୟ ଟିକା କିଣି ଲୋକଙ୍କୁ ମାଗଣାରେ ଯୋଗାଇବ। ଏହାପରେ ଅଣବିଜେପି ରାଜ୍ୟରେ ମାଗଣା ଟିକା ଦାବି ଉଠିଲା ଏବଂ ସେ ଚ୍ୟାଲେଞ୍ଜକୁ କେତେକ ରାଜ୍ୟ ମଧ୍ୟ ଗ୍ରହଣ କରି ମାଗଣା ଟିକା ନେଇ ଘୋଷଣା କରିଦେଲେ। ତୁରନ୍ତ ବାଦ୍ ପ୍ରଶ୍ନ ବି ଉଠାଇଦେଲେ ଯେ, ଯଦି ରାଜ୍ୟ ସରକାର ଟିକା କିଣି ତାଙ୍କ ରାଜ୍ୟବାସୀଙ୍କୁ ଯୋଗାଇବେ ତେବେ ଟିକା ସାର୍ଟିଫିକେଟରେ ମୋଦିଙ୍କ ଫଟୋ କାହିଁକି ଲାଗିବ । ବାସ୍ ଫଟୋ କଳି ଏମିତି ଫାଟ ସୃଷ୍ଟି କଲା ଯେ, ପଞ୍ଜାବ, ଝାଡ଼ଖଣ୍ଡ, ଛତିଶଗଡ଼ ଆଦି ରାଜ୍ୟ କେନ୍ଦ୍ରଠୁ ଅଲଗା ହୋଇଗଲେ।୧୮ରୁ ୪୪ ବର୍ଷୀୟ ଟିକାଧାରୀଙ୍କୁ ନିଜସ୍ୱ ସାର୍ଟିଫିକେଟ୍ ଦେବା ଆରମ୍ଭ କଲେ, ଯେଉଁଥିରେ ମୋଦିଙ୍କ ଫଟୋ ପରିବର୍ତ୍ତେ ସମ୍ପୃକ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଫଟୋ ସ୍ଥାନ ପାଇଥିଲା। ଠିକ୍ ଏହାର କିଛିଦିନ ପରେ ସମାନ ରାସ୍ତା ଆପଣାଇଥିଲେ ପଶ୍ଚିମବଙ୍ଗ ସରକାର । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମଧ୍ୟ କୋଭିଡ୍ ସାର୍ଟିଫିକେଟରୁ ମୋଦିଙ୍କ ଫଟୋ ହଟାଇ ନିଜର ଫଟୋ ଲଗାଇଦେଲେ । ବାସ୍, ତା’ପରେ ଆରମ୍ଭ ହୋଇଗଲା ଦେଶଭକ୍ତି-ଦେଶଦ୍ରୋହର ରାଜନୈତିକ ଗାନ । ଧିରେ ଧିରେ ଟିକା ଭାରତକୁ ଖଣ୍ଡ ଖଣ୍ଡ କରି ବାଣ୍ଟିବା ଆରମ୍ଭ କଲା । ଫଟୋ ରାଜନୀତି ନିଆଁ ଜୋରରେ ବ୍ୟାପୁଥିବା ବେଳେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୀତନ ରାମ ମାଞ୍ଝୀ ନିଜେ ଟିକା ନେଇଥିଲେ । ଯେମିତି ତାଙ୍କୁ ମୋଦିଙ୍କ ଫଟୋ ଥିବା ଟିକା ସାର୍ଟିଫିକେଟ୍ ମିଳିଥିଲା, ସେ ଟୁଇଟ କରି ତାଙ୍କ ବିଚାର ବ୍ୟକ୍ତ କଲେ। ମାଞ୍ଝୀ ଲେଖିଥିଲେ, ଦେଶର ସମସ୍ତ ସାମ୍ବିଧାନିକ ସଂସ୍ଥାର ସର୍ବେସର୍ବା ହେଉଛନ୍ତି ରାଷ୍ଟ୍ରପତି l ତେଣୁ ସାର୍ଟିଫିକେଟରେ ରାଷ୍ଟ୍ରପତିଙ୍କ ଫଟୋ ରହିବା ଜରୁରୀ ।ଫଟୋକୁ ନେଇ ଜାରି ଯୁଦ୍ଧକୁ ମଧ୍ୟ ମାଞ୍ଝୀ ଗୁରୁତ୍ୱ ଦେଇଥିଲେ । ତେଣୁ ନିଜ ବିଚାରରେ ସେ ଲେଖିଥିଲେ, ରାଷ୍ଟ୍ରପତିଙ୍କ ସହ ପିଏମ୍ ଓ ସମ୍ପୃକ୍ତ ରାଜ୍ୟର ସିଏମଙ୍କ ଫଟୋ ରହିଲେ ବି ଭଲ।
ଯେହେତୁ ମାଞ୍ଝୀ ନିଜେ ବିହାରରେ ଏନଡିଏ ସହ ମେଣ୍ଟ ସରକାରରେ ଅଛନ୍ତି, ତାଙ୍କର ଏ ସୁନ୍ଦର ପ୍ରସ୍ତାବକୁ ନା ବିରୋଧୀ ଗ୍ରହଣ କଲେ, ନା ବିଜେପି ଗ୍ରହଣଯୋଗ୍ୟ ମାନିଲା ।ମାତ୍ର ଫଟୋ ପଲିଟିକ୍ସ ଦେଶରେ ଜୋର ଧରୁଥିବା ବେଳେ ମମତାଙ୍କ ଫଟୋବାଲା ସାର୍ଟିଫିକେଟ୍ କେନ୍ଦ୍ର ମୁଖିଆଙ୍କ ଆଖିରେ ଆଉ ଗଲାନି। ସେପଟେ ସୁପ୍ରିମକୋର୍ଟଙ୍କ ଛାଟ ଫଟୋ ରାଜନୀତିରେ ମଧ୍ୟ ପରୋକ୍ଷରେ ପୂର୍ଣ୍ଣଚ୍ଛେଦ ପକାଇଦେଲା । ଯେମିତି ସର୍ବୋଚ୍ଚ କୋର୍ଟ ଟିକା ପାଇଁ ଖର୍ଚ୍ଚ ହୋଇଥିବା ୩୦ ହଜାର କୋଟିର ହିସାବ ମାଗିଲେ କେନ୍ଦ୍ର ତୁରନ୍ତ ୟୁ-ଟର୍ଣ୍ଣ ମାରିଲା। ମୋଦି ସରକାର ସଙ୍ଗେ ସଙ୍ଗେ ଘୋଷଣା କଲେ ଯେ, ଦେଶର ସମସ୍ତ ନାଗରିକଙ୍କୁ କେନ୍ଦ୍ର ମାଗଣାରେ ଟିକା ଯୋଗାଇବ । ତେଣୁ ରାଜ୍ୟଗୁଡ଼ିକୁ ଆଉ ଟିକା କିଣିବାର ଆବଶ୍ୟକତା ନାହିଁ l ଆଶା କରାଯାଉଥିଲା ଟିକା ପାଇଁ ବାଣ୍ଟି ହୋଇଯାଉଥିବା ଭାରତ ପୁଣି ଅଖଣ୍ଡ ହୋଇଯିବ। ମାତ୍ର ଅନ୍ୟ ରାଜ୍ୟରେ ଫଟୋ ପଲିଟିକ୍ସ ପ୍ରାୟ ଥମିଥିବା ବେଳେ ଏବେ ଟିକା-ଫଟୋ-ପୋଷ୍ଟର ରାଜନୀତି ଓଡ଼ିଶାକୁ ବାଣ୍ଟୁଛି । ଟିକା କେନ୍ଦ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୋଷ୍ଟର ଓ ଲି-ଫ୍ଲେକ୍ଟ ବଣ୍ଟାକୁ ବିରୋଧୀ ବିଜେପି ବିରୋଧ କରିଛି । ଏପରି କି ପଦ୍ମଦଳ ଭାବୁଛି କେନ୍ଦ୍ର ମାଗଣା ଟିକା ଦେଉଥିବା ବେଳେ ନବୀନ ନିଜ ଫଟୋ ମାରି ମାଇଲେଜ୍ ନେଇଯାଉଛନ୍ତି। ତେଣୁ ବିଜେପି କର୍ମୀମାନେ କିଛିଦିନ ହେବ ରାଜ୍ୟର ବିଭିନ୍ନ ଟିକା କେନ୍ଦ୍ରକୁ ଧସେଇ ପଶି ପୋଷ୍ଟର୍ ଚିରାଚିରି କରୁଛନ୍ତି ଓ ରାଜ୍ୟରେ ତାଙ୍କ ଦଳ ପ୍ରଚାରରେ ବିଜେଡିଠାରୁ ପଛରେ ରହିଯାଇଥିବା ଦର୍ଶାଇ ଚାଲିଛନ୍ତି। ଯେତେବେଳେ କି ପୋଷ୍ଟର୍ ଚିରାକୁ ନେଇ ବିଜେଡି କିଛି ନ କହି ମଧ୍ୟ ମାଇଲେଜ୍ ପାଇଚାଲିଛି । କେବଳ ଏତିକି ନୁହେଁ, ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଦଳ ବୈଠକ ଡାକି ଟିକା କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ମାରିବାକୁ କର୍ମୀକୁ ପ୍ରବର୍ତ୍ତାଉଛନ୍ତି । ଏହାର ଏକ ଭିଡିଓ ଭାଇରାଲ୍ ହେବା ପରେ ରାଜ୍ୟ ବିଜେପିର ଏଜେଣ୍ଡା ଓ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ରଙ୍କ ମୁଖା ଖୋଲିଯାଇଛି ।ଏଭଳି ସ୍ଥିତିକୁ ଅନୁଧ୍ୟାନ କଲେ ଲାଗୁନି, କୋରୋନା ଟିକା ଆମ ଦେଶ ଭାରତକୁ ମହାମାରୀରୁ ଆଶ୍ୱସ୍ତି କରୁଛି ବୋଲି । ବରଂ ଲାଗୁଛି ଟିକା ଭାରତକୁ ବାଣ୍ଟୁଛି ।
କେନ୍ଦ୍ର ହେଉ କି ରାଜ୍ୟ, ଯଦି ଫଟୋ ପଲିଟିକ୍ସକୁ ନେଇ ମୁହାଁମୁହିଁ ହୁଅନ୍ତେ ନାହିଁ କିମ୍ବା ଆଗରୁ ହୋଇ ନ ଥାନ୍ତେ ତେବେ ଏଯାବତ୍ ଦେଶର ଏକ ଚର୍ତୁର୍ଥାଂଶ ଲୋକ ଭ୍ୟାକ୍ସିନେଟ୍ ହୋଇସାରନ୍ତେଣି। କେନ୍ଦ୍ରରେ ଏନଡିଏ ସରକାର ଆସିବା ପରେ ପିଏମ୍ ମୋଦି ଏକ ନୂଆ ଅଖଣ୍ଡ ଭାରତ ଗଠନର ଲକ୍ଷ୍ୟ ଦେଶବାସୀଙ୍କୁ ଦେଖାଇଥିଲେ । କଂଗ୍ରେସ ରାଜନୀତି ଓ ରଣନୀତିକୁ ତୁଚ୍ଛ ଦର୍ଶାଇବାକୁ ଯାଇ ମୋଦି ସବୁବେଳେ ପ୍ରମାଣ ପ୍ରାୟ କରୁଥିଲେ ତାଙ୍କ ଦଳ ଭାରତୀୟ ଜନତା ପାର୍ଟି (ବିଜେପି)ଠାରୁ ଦେଶଭକ୍ତ ଦଳ ଦେଶରେ ଆଉ କେହି ନାହିଁ । ମାତ୍ର ଜନତାଙ୍କ ଟିକସ ଟଙ୍କାରେ ଟିକା ବାଣ୍ଟି ପ୍ରଧାନମନ୍ତ୍ରୀ ନିଜ ଫଟୋ ଟିକା ସାର୍ଟିଫିକେଟରେ ମାରିବା କ’ଣ ଦେଶଭକ୍ତି? ଏହାକୁ କେହି ବିରୋଧ କଲେ କି ପ୍ରଶ୍ନ କଲେ କ’ଣ ତାହା ଦେଶଦ୍ରୋହ ? କୋରୋନା କାଳରେ ଫଟୋ ମାରି ଦଳୀୟ ପ୍ରଚାରକୁ ଗୁରୁତ୍ୱ ଦେବା ହୀନ ମାନସିକତା ନୁହେଁ କି ? ରାଷ୍ଟ୍ରପତି ଓ ଅନ୍ୟ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଲାଗିଲେ କ’ଣ ପ୍ରଧାନମନ୍ତ୍ରୀ ଅଣଦେଖା ହୋଇଯିବେ ? କିନ୍ତୁ ଆମେ ଏଭଳି ଫଟୋ ରାଜନୀତିରୁ ଟିକେ ଉର୍ଦ୍ଧ୍ୱକୁ ଯାଇ ଚିନ୍ତା କରିବା ଦରକାର । ଯଦି ଟିକା ସାର୍ଟିଫିକେଟରେ ମୋଦିଙ୍କ ଫଟୋ ସ୍ଥାନରେ ଭାରତ ମାନଚିତ୍ର ଓ ତ୍ରିରଙ୍ଗାର ଫଟୋ ସ୍ଥାନ ପାଆନ୍ତା, ତେବେ ଜଣେ ହିତାଧିକାରୀ ଟିକା ନେବା ପରେ ସେହି ସାର୍ଟିଫିକେଟ୍ ଦେଖି ଖୁସି ହୁଅନ୍ତା । ଅନେକଙ୍କ ମନରେ ଦେଶଭକ୍ତି ଭାବନା ମଧ୍ୟ ଜାଗ୍ରତ ହୁଅନ୍ତା । ବିଶେଷ କରି ଜମ୍ମୁ-କାଶ୍ମୀରରେ, ଯାହା ବିଜେପି ସମେତ ସାରା ଦେଶବାସୀ ଚାହାନ୍ତି l ଆଉ ଭାରତ ମାନଚିତ୍ର ଓ ତ୍ରିରଙ୍ଗାକୁ ନେଇ କୌଣସି ଦଳ ରାଜନୀତି ମଧ୍ୟ କରିପାରନ୍ତେ ନାହିଁ। ଫଳରେ ଟିକା ଯୋଗୁଁ ବାଣ୍ଟି ହେଉଥିବା ଭାରତ ପୁଣି ଗୋଟିଏ ହୋଇପାରନ୍ତା ଓ ଅଦୃଶ୍ୟ ଶତ୍ରୁ କୋରୋନା ବିରୋଧରେ ଏକାଠି ହୋଇ ଲଢ଼ିପାରନ୍ତା ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: