ସତରେ କ’ଣ ସ୍ଥିତି ଅଣାୟତ୍ତ? କାହିଁକି ଶ୍ରୀକ୍ଷେତ୍ରକୁ ‘ହଁ’, ବାକି ସବୁକୁ ‘ନା’ !

ସତରେ କ’ଣ ସ୍ଥିତି ଅଣାୟତ୍ତ? କାହିଁକି ଶ୍ରୀକ୍ଷେତ୍ରକୁ ‘ହଁ’, ବାକି ସବୁକୁ ‘ନା’ !

ପ୍ରିଜମ୍ ନ୍ୟୁଜ (ହିତାଂଶୁ ଶେଖର ମହାନ୍ତ): ଏବେ ରଥଯାତ୍ରାକୁ ନେଇ ସାରା ରାଜ୍ୟ ହେଉଛି ହୁଲସ୍ତୁଲ। ପ୍ରଥମେ ତ ପୁରୀରେ ବି ରଥଯାତ୍ରା ହେବ କି ନାହିଁ, ସେ ନେଇ ଆଶା ଆଶଙ୍କାରେ ଥିଲେ ଜଗନ୍ନାଥପ୍ରେମୀ। ଏପରିକି ଗତବର୍ଷ ଭଳି କୋଭିଡ୍ କଟକଣାରେ ହିଁ ରଥଯାତ୍ରା ପାଳନ ହେଉ ବୋଲି କହି ଆଗୁଆ ସରକାରଙ୍କ ପାଖରେ ସରେଣ୍ଡର ମଧ୍ୟ କରି ଯାଇଥିଲେ। ତେଣୁ ସରକାରଙ୍କୁ ଏ ନେଇ ନିଷ୍ପତ୍ତି ନେବାକୁ ଆଦୌ କିଛି ଅସୁବିଧା ହୋଇ ନ ଥିଲା। ସ୍ଥାନୀୟ ଲୋକେ ତଥା ସେବାୟତ, ଦଇତାପତି ନିଯୋଗ, ଶ୍ରୀମନ୍ଦିର ପ୍ରଶାସନ ପ୍ରମୁଖ କୋରୋନା ଗାଇଡ୍ ଲାଇନ୍ ମାନି ରଥଯାତ୍ରା ପାଳନ ସପକ୍ଷରେ ରହିବାରୁ ସରକାରଙ୍କୁ ବି ଆଦୌ ଦ୍ୱନ୍ଦ୍ୱର ସମ୍ମୁଖୀନ ହେବାକୁ ପଡ଼ିଲା ନାହିଁ। କହିବାକୁ ଗଲେ, ଆପାତତଃ ସମସ୍ତେ ଭାବିଲେ ଯେ, ଯା’ହେଉ ସୁରୁଖୁରୁରେ ଏଥର ରଥଯାତ୍ରା ଅନୁଷ୍ଠିତ ହେବ। ତେବେ ଏଇଠୁ ଆରମ୍ଭ ହେଲା ସବୁ ଗୋଳମାଳ। କାରଣ ଏବେ ପୁରୀ ସସପେନ୍ସ ଓହରି ଯିବାପରେ ମୁଣ୍ଡ ଟେକିଛି ଅନ୍ୟ ଆନୁଷଙ୍ଗିକ ସସପେନ୍ସ ସବୁ। ଏଇ ଯେମିତି, ଯଦି ଶ୍ରୀକ୍ଷେତ୍ରରେ କୋଭିଡ୍ କଟକଣାରେ ରଥଯାତ୍ରା ପାଇଁ ଅନୁମତି ମିଳିପାରୁଛି ତେବେ ବାକି ସବୁ ଅଞ୍ଚଳରେ କାହିଁକି ନୁହେଁ ?

ପୁରୀକୁ ଛାଡ଼ିଦେଲେ ମଧ୍ୟ ଏପରି ବହୁ ଶ୍ରୀଜଗନ୍ନାଥ ମନ୍ଦିର ଓଡ଼ିଶାରେ ଅଛି, ଯେଉଁଠାରେ ଶହଶହ ବର୍ଷ ଧରି ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପାଳନ ହୋଇ ଆସୁଛି । ସେଥିରୁ ଦ୍ୱିତୀୟ ଶ୍ରୀକ୍ଷେତ୍ର ମୟୂରଭଞ୍ଜ ଜିଲ୍ଲାର ବାରିପଦାଠାରେ ଥିବା ଶ୍ରୀଜଗନ୍ନାଥ ମନ୍ଦିର, କେନ୍ଦୁଝରସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର, ନୟାଗଡ଼ ଜିଲ୍ଲା ରଣପୁରଠାରେ ଥିବା ଶ୍ରୀଜଗନ୍ନାଥ ମନ୍ଦିର, କେନ୍ଦ୍ରାପଡ଼ାର ଶ୍ରୀବଳଦେବ ଜୀଉ ମନ୍ଦିର ପ୍ରମୁଖ ସହ ସ୍ଥାନୀୟ ଲୋକଙ୍କ ଆସ୍ଥା ଓ ବିଶ୍ୱାସ ଅଙ୍ଗାଙ୍ଗୀ ଭାବରେ ଜଡ଼ିତ। ତେଣୁ ଯେଉଁ ଯୁକ୍ତି ବଳରେ ରାଜ୍ୟ ସରକାର ପୁରୀରେ ରଥଯାତ୍ରା ପାଇଁ ଅନୁମତି ଦେଲେ ସେହି ଯୁକ୍ତି ବଳରେ ଅନ୍ୟ ସବୁ ସ୍ଥାନରେ ମଧ୍ୟ ରଥଯାତ୍ରା ପାଇଁ ଅନୁମତି ଦେବାକୁ ଦାବି ହେଲାଣି। ସରକାରଙ୍କ ଉପରେ ଚାପ ପଡ଼ିଲାଣି। ଏଥିରେ କେନ୍ଦ୍ରାପଡ଼ା ଶ୍ରୀବଳଦେବ ଜୀଉ ମନ୍ଦିର ତ ପାଦେ ଆଗୁଆ ହୋଇ ବାହାରି ପଡ଼ିଲାଣି । ଏଠାକାର ପାଞ୍ଚଜଣ ସେବାୟତଙ୍କ ପକ୍ଷରୁ ହାଇକୋର୍ଟରେ ଏ ନେଇ ମାମଲା ମଧ୍ୟ କରାଗଲାଣି। ଆଗକୁ ଅନ୍ୟମାନେ ବି ସମାନ ପନ୍ଥା ଆପଣେଇ ପାରନ୍ତି। ରଥଯାତ୍ରା ଆମର ଅଧିକାର କହି ରାଜରାସ୍ତାକୁ ଓହ୍ଲାଇ ପାରନ୍ତି। ତା’ ଛଡ଼ା ସେତେବେଳେ ସରକାରଙ୍କ ନିକଟରେ ନିଜକୁ ଡିଫେଣ୍ଡ୍ କରିବାର କୌଣସି ବାଟ ଖୋଲା ନ ଥିବ। କାରଣ ରାଜ୍ୟର ବାକି ସବୁ ଜଗନ୍ନାଥ ମନ୍ଦିର ବି କୋରୋନା ଗାଇଡ୍ ଲାଇନ୍ ମାନି ରଥଯାତ୍ରା କରିବାକୁ ଯୁକ୍ତି ବାଢ଼ିବେ। ଆଉ ସେ ଯୁକ୍ତି ଆଗରେ ସରକାର ନରମ ପଡ଼ିଯିବାଟା ସ୍ୱାଭାବିକ। ଗତବର୍ଷ କୋରୋନା ପ୍ରଥମ ଲହରର ଠିକ୍ ମଝିଆମଝି ପଡ଼ିଥିଲା ରଥଯାତ୍ରା। ତା’ ଛଡ଼ା ଏ ମହାମାରୀ ସମ୍ପର୍କରେ ସମ୍ପୂର୍ଣ୍ଣ ଅଜ୍ଞ ଥିଲା ମଣିଷ ସମାଜ । ସେଥିପାଇଁ ବିନା ଭକ୍ତରେ କେବଳ ବିଧିରକ୍ଷା ପୂର୍ବକ ପାଳନ ହୋଇଥିଲା ରଥଯାତ୍ରା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନକୁ ସମ୍ମାନ ଜଣାଇ ପ୍ରଥମ ଥର ପାଇଁ ଘରେ ବସି ଟେଲିଭିଜନ ପରଦାରେ ମହାପ୍ରଭୁଙ୍କର ଏହି ବିରାଟ ନବ ଦିନାତ୍ମକ ଯାତ୍ରାକୁ ଦେଖିଥିଲେ ଲକ୍ଷ ଲକ୍ଷ ଜନତା । ତେବେ ଏଥର ରଥଯାତ୍ରା ବେଳକୁ କୋରୋନାର ଦ୍ୱିତୀୟ ଲହର ଆଶାତୀତ ଭାବରେ କମି ଯାଇଥିବ। ଟିକା ବାହାରି ସାରିଥିବାରୁ ପୂର୍ବବର୍ଷ ଭଳି ଲୋକଙ୍କ ମନରେ ଆଉ କୋରୋନାକୁ ନେଇ ଆତଙ୍କ ନାହିଁ । ମାସ୍କ ପିନ୍ଧି ଓ ନିରାପଦ ଦୂରତା ରକ୍ଷା କରି ଲୋକେ ଜୀବନଯାତ୍ରାକୁ ଧୀରେ ଧୀରେ ସ୍ୱାଭାବିକ ଗତି ଦେଲେଣି। ଏଭଳି ଏକ ସମୟରେ କେବଳ ପୁରୀରେ ହିଁ ରଥଯାତ୍ରା ହେବା ନେଇ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ସରକାରୀ ଘୋଷଣା ଅନ୍ୟ ଅଞ୍ଚଳର ଆଶାୟୀମାନଙ୍କୁ ଲୋକଙ୍କୁ ହତାଶ କରିଛି।

ଦେଶର ଅନ୍ୟ ବହୁ ମନ୍ଦିରରେ ରଥଯାତ୍ରାର ପରମ୍ପରା ପ୍ରଚଳିତ ଅଛି ସତ, ହେଲେ ସେସବୁ ସ୍ଥାନରେ ମୂଳ ଦେବତା ବାହାରକୁ ବାହାରି ନ ଥାନ୍ତି । ତାଙ୍କ ସ୍ଥାନରେ ତାଙ୍କର ଏକ ପ୍ରତିମୂର୍ତ୍ତିକୁ ରଥରେ ବସାଇ ପରିକ୍ରମା କରାଯାଏ । ସାରା ବିଶ୍ୱରେ କେବଳ ଆଉ କେବଳ ଜଗନ୍ନାଥ ହିଁ ହେଉଛନ୍ତି ଏପରି ଜଣେ ଠାକୁର, ରଥଯାତ୍ରା ସମୟରେ ଯାହାଙ୍କ ଅସଲ ବିଗ୍ରହ ପଦାକୁ ବାହାରନ୍ତି । ଚଳିତ ବର୍ଷ କେବଳ ପୁରୀ ବ୍ୟତୀତ ସାରା ରାଜ୍ୟର ଜଗନ୍ନାଥପ୍ରେମୀ ଏ ସୌଭାଗ୍ୟପ୍ରାପ୍ତିରୁ ବଞ୍ଚିତ ହେବେ । ରାଜ୍ୟର ଅଗଣିତ ଜଗନ୍ନାଥପ୍ରେମୀ, ଯେଉଁମାନେ ଶହେ ପ୍ରତିଶତ ଆଶା କରିଥିଲେ ଯେ, ଏଥର ନିଜ ଅଞ୍ଚଳର ଜଗନ୍ନାଥ ମନ୍ଦିରରେ ପ୍ରସିଦ୍ଧ ରଥଯାତ୍ରା ନିଶ୍ଚୟ ହେବ ବୋଲି, ସରକାରଙ୍କ ଘୋଷଣା ଦ୍ୱାରା ସେମାନଙ୍କୁ ନିରାଶ ହେବାକୁ ପଡ଼ିଛି। ମୟୂରଭଞ୍ଜ ଜିଲ୍ଲା ବାରିପଦାର ବିଶ୍ୱପ୍ରସିଦ୍ଧ ରଥଯାତ୍ରା, ଯେଉଁଠାରେ ଦେବୀ ସୁଭଦ୍ରାଙ୍କ ରଥକୁ କେବଳ ମହିଳାମାନେ ହିଁ ଟାଣିବାର ରହିଛି ସର୍ବପୁରାତନ ପରମ୍ପରା, ଚଳିତ ବର୍ଷ ସେଥିରୁ ମଧ୍ୟ ବଞ୍ଚିତ ହେବେ ଜିଲ୍ଲା ତଥା ପଡ଼ୋଶୀ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡର ଭକ୍ତ । କେନ୍ଦୁଝର ରାଜ ପରିବାରର ଆରାଧ୍ୟ ତଥା ବିଶ୍ୱର ସର୍ବାଧିକ ଉଚ୍ଚତାବିଶିଷ୍ଟ (୭୨ ଫୁଟ) ପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ମଧ୍ୟ ଏବର୍ଷ ଟାଣିବାରୁ କିମ୍ବା ଦର୍ଶନ କରିବାରୁ ବଞ୍ଚିତ ହେବେ ଭକ୍ତ ଓ ଶ୍ରଦ୍ଧାଳୁ । କେନ୍ଦ୍ରାପଡ଼ାର ବଳଦେବ ଜୀଉଙ୍କ ରଥ ହେଉଛି ଦ୍ୱିତୀୟ ସର୍ବାଧିକ ଉଚ୍ଚତାବିଶିଷ୍ଟ । ଏବର୍ଷ ଏଠାକାର ଶ୍ରଦ୍ଧାଳୁମାନେ ମଧ୍ୟ ରଥଯାତ୍ରାରେ ପ୍ରତ୍ୟକ୍ଷ ଭାବରେ ଭାଗନେବା କିମ୍ବା ଦର୍ଶନ କରିବାରୁ ବଞ୍ଚିତ ହେବେ । ପୁରୀକୁ ପ୍ରଶାସନ ଏ ସବୁଥିରୁ ଅଲଗା ଭାବରେ ମନେ କରିବାର କାରଣ ହେଉଛି, ଗତବର୍ଷ ଏଠି କୋରୋନା ପରିସ୍ଥିତିରେ ମଧ୍ୟ ସଫଳତାର ସହ ରଥଯାତ୍ରା ସମ୍ପନ୍ନ ହେବା । ଭୁବନେଶ୍ୱର ଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥଯାତ୍ରା ମଧ୍ୟ ବିନା ଭକ୍ତରେ କୋରୋନା କଟକଣାପୂର୍ବକ ସଫଳତାର ସହ ସମ୍ପନ୍ନ ହୋଇ ପାରିଥିଲା । ତେବେ ପ୍ରଶ୍ନ ଉଠୁଛି, ରାଜ୍ୟରେ ଏତେ ପୋଲିସ ଥାଉ ଥାଉ, ସମ୍ପୃକ୍ତ ଅଞ୍ଚଳରେ ଜିଲ୍ଲା ପ୍ରଶାସନ ସଜାଗ ଥିଲେ ମଧ୍ୟ, ଲୋକଙ୍କ ମଧ୍ୟରେ ସଚେତନତାର ଅଭାବ ନ ଥିଲେ ହେଁ, କୋରୋନା କଟକଣା ଆଗରୁ ବଳବତ୍ତର ଥିଲେ ସୁଦ୍ଧା (ଯଦିଓ ଏଥିରେ ଆଂଶିକ କୋହଳ ହୋଇଛି, ତଥାପି ସମ୍ପୂର୍ଣ୍ଣ ପ୍ରତ୍ୟାହାର ହୋଇଛି କହି ହେବନାହିଁ) ସରକାର ଏସବୁ ମନ୍ଦିରରେ ରଥଯାତ୍ରା ପାଳନ କରିବାକୁ ଅନୁମତି ଦେଉ ନାହାନ୍ତି କାହିଁକି ? ସତରେ କ’ଣ ପ୍ରଶାସନର କଡ଼ା କଟକଣା ଭିତରେ ରହି ମଧ୍ୟ ଲୋକେ ଏକ ନିରାପଦ ରଥଯାତ୍ରା ଆୟୋଜନ କରିବାରେ ଅସଫଳ ହେବେ ?

0 Comments

Leave Your Comment

Your email address will not be published. Required fields are marked *

%d bloggers like this: