ପଞ୍ଜାବ ପିସିସି ସଭାପତି ପଦରୁ ଇସ୍ତଫା ଦେଲେ ସିଦ୍ଧୁ, କାରଣ ?

ପଞ୍ଜାବ ପିସିସି ସଭାପତି ପଦରୁ ଇସ୍ତଫା ଦେଲେ ସିଦ୍ଧୁ, କାରଣ ?

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ପଞ୍ଜାବ ରାଜନୀତିରେ ପୁଣି ଦେଖିବାକୁ ମିଳିଛି ନୂଆ ଟ୍ବିଷ୍ଟ । ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ନବଜୋତ ସିଂହ ସିଦ୍ଧୁ । ମାତ୍ର ୭୨ ଦିନରେ ପିସିସି ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ସିଦ୍ଧୁ। ଜୁଲାଇ ୧୮ ତାରିଖରେ ସେ ପିସିସି ସଭାପତି ଦାୟିତ୍ଵ ଗ୍ରହଣ କରିଥିଲେ। ତେବେ ବର୍ତ୍ତମାନ ହଠାତ ଇସ୍ତଫା ଦେବା ଘଟଣା ସହଜରେ ହଜମ ହେଉନାହିଁ । ଏହା ଗୋଟିଏ କଥା ସ୍ପଷ୍ଟ କରିଛି ଯେ ପଞ୍ଜାବ କଂଗ୍ରେସରେ ଦେଖା ଦେଇଥିବା ଅସନ୍ତୋଷ ଏବେବି ଥମିନି। ଏହା ଯୋଗୁଁ କିଛି ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଆସନ ଛାଡିଥିଲେ କ୍ୟାପଟେନ୍‌ ଅମରିନ୍ଦର ସିଂହ । ସିଦ୍ଧୁଙ୍କୁ କ୍ୟାପଟେନ୍‌ଙ୍କ ଘୋର ବିରୋଧୀ ବୋଲି ବହୁ ସମୟରେ ଚର୍ଚ୍ଚା ହୁଏ । ତାଙ୍କ କାର୍ଯ୍ୟକଳାପ ମଧ୍ୟ ସେହି ଭଳି। ତେବେ ସିଦ୍ଧୁ ଇସ୍ତଫା ଦେବା ପରେ କିଏ ପଞ୍ଜାବ କଂଗ୍ରେସ ମୁଖ୍ୟ ହେବ ସେ ନେଇ ଚର୍ଚ୍ଚା ହେଉଛି। ନବଜୋତ ସିଂହ ସିଦ୍ଧୁଙ୍କ ଇସ୍ତଫା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ ପ୍ରତିକ୍ରିୟା ଦେଇ ଟ୍ଵିଟର ପୋଷ୍ଟରେ ଲେଖିଛନ୍ତି, ମୁଁ ପ୍ରଥମରୁ କହିଥିଲି ଯେ, ଏହି ଲୋକଟା ସ୍ଥିର ନୁହେଁ। ସୀମାବର୍ତ୍ତୀ ରାଜ୍ୟ ପଞ୍ଜାବ ପାଇଁ ସିଦ୍ଧୁ ଠିକ୍ ବ୍ୟକ୍ତି ନୁହଁନ୍ତି।


ତେବେ କଂଗ୍ରେସ ଅଧକ୍ଷା ସେନିଆ ଗାନ୍ଧୀଙ୍କୁ ଲେଖିଥିବା ଇସ୍ତଫା ପତ୍ରରେ ସିଦ୍ଧୁ କହିଛନ୍ତି ଯେ, ସାଲିସ୍ କଲେ ବ୍ୟକ୍ତିର ଚରିତ୍ର ଶେଷ ହୋଇଯାଏ। ମୁଁ ପଞ୍ଜାବର ଭବିଷ୍ୟତ ଏବଂ ପଞ୍ଜାବର ଜନତାଙ୍କ କଲ୍ୟାଣର ଏଜେଣ୍ଡା ସହ କେବେ ସାଲିସ୍ କରି ପାରିବି ନାହିଁ। ଏଥିପାଇଁ ମୁଁ ପଞ୍ଜାବ କଂଗ୍ରେସର ରାଜ୍ୟ ସଭାପତି ପଦରୁ ଇସ୍ତଫା ଦେଉଛି। କଂଗ୍ରେସର ସେବା କରିବା ଜାରି ରହିବ ବୋଲି ସିଦ୍ଧୁ ଚିଠିରେ ଉଲ୍ଲେଖ କରିଛନ୍ତି। ଇସ୍ତଫା ପରେ କ୍ୟାପଟେନ୍ ଅମରିନ୍ଦର ସିଂହ ପରୋକ୍ଷରେ ସିଦ୍ଧୁଙ୍କୁ ପଞ୍ଜାବ ରାଜ୍ୟର ସୁରକ୍ଷାରେ ବିପଦ ବୋଲି ଦର୍ଶାଇଥିଲେ। ତାଙ୍କ କହିବା କଥା ନବଜୋତ ସିଦ୍ଧୁ କଂଗ୍ରେସ ପାଇଁ ବିପଦ । କଂଗ୍ରେସ ତାଙ୍କୁ ସଭାପତି କରିବାର ନଥିଲା। ସିଦ୍ଧୁ ପାକିସ୍ତାନର ସେନା ପ୍ରମୁଖ ବାଜଓ୍ଵା ଓ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପରମ ମିତ୍ର। ଯଦି ତାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଏ ତେବେ ରାଜ୍ୟର ସୁରକ୍ଷା ବିପଦରେ ପଡିଯିବ। ତେଣୁ ମୁଁ ଥିବା ଯାଏ ସିଦ୍ଧୁଙ୍କୁ କେବେ ବି ମୁଖ୍ୟମନ୍ତ୍ରୀ କରିବାକୁ ଦେବି ନାହିଁ ବୋଲି ଅମରିନ୍ଦର ସିଂହ କହିଥିଲେ। ଅନ୍ୟ ପକ୍ଷରେ ନୂଆ ମନ୍ତ୍ରୀ ମଣ୍ଡଳରେ ତାଙ୍କୁ ସ୍ଥାନ ମିଳି ନଥିବାରୁ ସେ ଇସ୍ତଫା ଦେଇଥିବାର କେହି କେହି କହୁଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: