ଚିରନିଦ୍ରାରେ କନ୍ନଡ ଅଭିନେତା ପୁନିତ ରାଜକୁମାର

ଚିରନିଦ୍ରାରେ କନ୍ନଡ ଅଭିନେତା ପୁନିତ ରାଜକୁମାର

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଶୋକ ସାଗରରେ ନିଜର ସମ୍ପର୍କୀୟ ଓ ପ୍ରଶଂସକକୁ ଛାଡ଼ି ସବୁଦିନ ପାଇଁ ଆରପାରିକୁ ଚାଲି ଯାଇଛନ୍ତି କନ୍ନଡ ଅଭିନେତା ପୁନିତ ରାଜକୁମାର। ହୃତଘାତରେ ତାଙ୍କର ଦେହାନ୍ତ ହୋଇଛି। ଆଜି ସକାଳେ ତାଙ୍କୁ ଗୁରୁତର ଅବସ୍ଥାରେ ବେଙ୍ଗାଲୁରର ବିକ୍ରମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମୃତ୍ୟୁ ବେଳକୁ ପୁନିତଙ୍କୁ ୪୬ ବର୍ଷ ବୟସ ହୋଇଥିଲା । ତାଙ୍କ ମୃତ୍ୟୁ ଖବର କର୍ଣ୍ଣାଟକରେ ଶୋକର ଛାୟା ଖେଳାଇ ଦେଇଛି। ରାଜ୍ୟରେ ସମସ୍ତ ଥିଏଟର ବନ୍ଦ ରହିଥିବା ବେଳେ ତାଙ୍କ ଫ୍ୟାନସ୍ ଙ୍କ ଭିଡ଼ ନିୟନ୍ତ୍ରଣ ପାଇଁ ବିଭିନ୍ନ ଇଲାକାରେ ୧୪୪ ଧାରା ଲାଗୁ ହୋଇଛି।
ଖବର ଅନୁଯାୟୀ, ପୁନିତ ଜିମରେ ଏକ୍ସରସାଇଜ୍ କରିବା ସମୟରେ ତାଙ୍କୁ ହୃଦଘାତ ହୋଇଥିଲା । ଏହାପରେ ସେଠାରୁ ତାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇ ଥିବାର ଜଣାପଡ଼ିଛି । ଡାକ୍ତରଙ୍କ କହିବା ଅନୁସାରେ, ପୁନିତଙ୍କ ସ୍ଥିତି ଖୁବ୍ ଗୁରୁତର ଥିଲା । ତାଙ୍କୁ ଲଗାତାର ଔଷଧ ମାଧ୍ୟମରେ ଭଲ କରିବାକୁ ଚେଷ୍ଟା କରାଯାଇଥିଲା । ମାତ୍ର ବହୁ ଚେଷ୍ଟା ପରେ ମଧ୍ୟ ସେ ବଞ୍ଚି ନଥିଲେ । ପୁନିତଙ୍କୁ ତାଙ୍କର ପ୍ରଶଂସକମାନେ ସ୍ନେହରେ ଅପ୍ପୁ କହୁଥିବା ବେଳେ ସେ କନଡ ସିନେ ଇଣ୍ଡେଷ୍ଟ୍ରୀର ପାୱାର ଷ୍ଟାର ଭାବେ ପରିଚିତ ଥିଲେ । ସୁପରଷ୍ଟାର ରାଜକୁମାରଙ୍କ ପୁଅ ହେଉଛନ୍ତି ପୁନିତ । ଶିଶୁକଳାକାର ଭାବେ ନିଜର କ୍ୟାରିୟର ଆରମ୍ଭ କରିଥିବା ପୁନିତ ୨୯ରୁ ଅଧିକ କନ୍ନଡ ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିସାରିଛନ୍ତି । ପୁନିତଙ୍କ ମୃତ୍ୟୁରେ ବଲିଉଡ କଳାକାର, ନିର୍ଦ୍ଦେଶଙ୍କଠୁ ଆରମ୍ଭ କରି କନ୍ନଡ ଇଣ୍ଡେଷ୍ଟ୍ରୀର କଳାକାର ମାନେ ସୋସିଆଲ ମିଡିଆରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଥିବାର ଦେଖିବାକୁ ମିଳିଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: