କେନ୍ଦ୍ର ସରକାରଙ୍କ ସୁନା ପୁଅ ଶକ୍ତିକାନ୍ତ, ବଢ଼ିଲା କାର୍ଯ୍ୟକାଳ

କେନ୍ଦ୍ର ସରକାରଙ୍କ ସୁନା ପୁଅ ଶକ୍ତିକାନ୍ତ, ବଢ଼ିଲା କାର୍ଯ୍ୟକାଳ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ ବୃଦ୍ଧି। ତାଙ୍କର କାର୍ଯ୍ୟଦକ୍ଷତା ଓ ବିଶେଷ କରି ବ୍ୟାଙ୍କିଂ କ୍ଷେତ୍ରରେ ସଂସ୍କାର ଯୋଗୁ କେନ୍ଦ୍ର ସରକାର ତାଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି। ସେଥିପାଇଁ ତାଙ୍କ କାର୍ଯ୍ୟକାଳ ଆଉ ୩ ବର୍ଷ ବୃଦ୍ଧି ପାଇଛି। କେନ୍ଦ୍ର କ୍ୟାବିନେଟର ନିଯୁକ୍ତି କମିଟି, ଶକ୍ତିକାନ୍ତଙ୍କୁ ଆଉ ଏକ ଟର୍ମ୍ ପାଇଁ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଭାବେ ପୁନଃ ନିଯୁକ୍ତିକୁ ଅନୁମୋଦନ କରିଛି। ୨୦୧୮ ମସିହା ଡିସେମ୍ବରରେ ରଜର୍ଭ ବ୍ୟାଙ୍କ୍ ଗଭର୍ଣ୍ଣର ଭାବେ ନିଯୁକ୍ତି ପାଇଥିବା ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ ୨୦୨୧ ଡିସେମ୍ବର ୧୧ରେ ସରୁଛି। କେନ୍ଦ୍ର ସରକାରଙ୍କ ପୁନଃ ନିଯୁକ୍ତି ଫଳରେ ଶକ୍ତିକାନ୍ତ ଆଉ ତିନି ବର୍ଷ ପର୍ଯ୍ୟନ୍ତ ଏହି ଦାୟିତ୍ବ ତୁଲାଇବେ। ଅର୍ଥାତ ଶକ୍ତିକାନ୍ତ ଦାସ ୨୦୨୪ ଡିସେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ରଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ରହିବେ।
ଶକ୍ତିକାନ୍ତଙ୍କ ପ୍ରଥମ କାର୍ଯ୍ୟକାଳ ସମୟରେ ସମଗ୍ରୀକ କାର୍ଯ୍ୟ ଦକ୍ଷତା ଆଧାରରେ ତାଙ୍କୁ ଆଉ ତିନି ବର୍ଷ ପାଇଁ ଗୁରୁ ଦାୟିତ୍ବ ଦିଆଯାଇଛି। ବିଶେଷ କରି ବ୍ୟାଙ୍କିଂ କ୍ଷେତ୍ରରେ ସଂସ୍କାର, ନନ୍ ପର୍ଫର୍ମିଂ ଆସେଟ୍ ବା ଏନପିଏର ଆଦାୟ ଯୋଜନା, ମୁଦ୍ରାସ୍ଫୀତି ନିୟନ୍ତ୍ରଣ, ବ୍ୟାଙ୍କିଂ ବ୍ୟବସ୍ଥାରେ ସରଳୀକରଣ, କମର୍ସିଆଲ ବ୍ୟାଙ୍କ ଏବଂ ନନ ବ୍ୟାଙ୍କିଂ ଫାଇନାନ୍ସ କମ୍ପାନିଙ୍କୁ ନିୟନ୍ତ୍ରଣ କରିବାରେ ତାଙ୍କର ଭୂମିକା ଗୁରୁତ୍ବପୂର୍ଣ୍ଣ।

ତେବେ ଶକ୍ତିକାନ୍ତଙ୍କ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ଥିଲା କୋରୋନା। ଲକ ଡାଉନ ଏବଂ ସଟ ଡାଉନ ଯୋଗୁ ଭାରତୀୟ ଅର୍ଥ ବ୍ୟବସ୍ଥା ବିପର୍ଯ୍ୟସ୍ତ ଆଡ଼କୁ ଠେଲି ହୋଇଯାଇଥିବା ବେଳେ, ଅର୍ଥନୀତିକୁ ସ୍ଥିର ରଖିବା ସହ ପରବର୍ତ୍ତୀ ସମୟରେ ଗତିଶୀଳ କରିବା ପାଇଁ ସେ ବିଭିନ୍ନ ପଦକ୍ଷେପ ନେଇଥିଲେ। ବ୍ୟାଙ୍କ ଲୋନଧାରୀଙ୍କ ପାଇଁ ଇଏମଆଇରେ ମୋରାଟୋରିମୟ , ରେପୋ ଏବଂ ରିଭର୍ସ ରେପୋ ରେଟ୍ ହ୍ରାସ , ମାଇକ୍ରୋ, କ୍ଷୁଦ୍ର ଏବଂ ମଧ୍ଯମ ଧରଣ କମ୍ପାନିଗୁଡ଼ିକୁ କମ ସୁଧରେ ଋଣ ପ୍ରଦାନ ସମେତ ଡିଜିଟାଲାଇଜେସନକୁ ପ୍ରାଥମିକତା ଦେଇଥିଲେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: