ଅଭିନେତା ବିଜୟ ମହାନ୍ତିଙ୍କ ମୃତ୍ୟୁ ଗୁଜବ: ସୁସ୍ଥ ଅଛନ୍ତି ବିଜୟ, ସୋସିଆଲ ମିଡିଆରେ ଡିଜିଟାଲ ୱାର

ଅଭିନେତା ବିଜୟ ମହାନ୍ତିଙ୍କ ମୃତ୍ୟୁ ଗୁଜବ: ସୁସ୍ଥ ଅଛନ୍ତି ବିଜୟ, ସୋସିଆଲ ମିଡିଆରେ ଡିଜିଟାଲ ୱାର

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: କରୋନା କାଳରେ ମୃତ୍ୟୁ ଗୁଜବ । ତାହା ପୁଣି ବରିଷ୍ଠ ଅଭିନେତା ବିଜୟ ମହାନ୍ତିଙ୍କୁ ନେଇ ହୋଇଛି। ସୋସିଆଲ ମିଡିଆରେ ଅଭିନେତା ବିଜୟ ମହାନ୍ତିଙ୍କ ମୃତ୍ୟୁ ଖବର ବିଜୁଳି ବେଗରେ ବ୍ୟାପିବାକୁ ଲାଗିଲା । ଗୋଟିଏ ପରେ ଗୋଟିଏ ସୋସିଆଲ ମିଡିଆ ପ୍ଲାଟଫର୍ମରେ ବହୁଳ ପ୍ରସାରିତ ହେଲା । ହେଲେ ପ୍ରଶ୍ନ ଉଠୁଛି ଏକ ମିଛ ଓ ଗୁଜବ ଖବର କାହିଁକି ଏତେ ଶୀଘ୍ର ବ୍ୟାପିଗଲା ? ଏପରିକି ଲୋକମାନେ ମଧ୍ୟ ନିଜ ପ୍ରିୟ କଳାକାରଙ୍କ ନିଧନ ଖବର ଶୁଣି ମର୍ମାହତ ହେଲେ । ହେଲେ ସତ କଥା ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ସମସ୍ତଙ୍କ ପ୍ରିୟର ଅଭିନେତା ବିଜୟ ମହାନ୍ତି । ସେ ବର୍ତ୍ତମାନ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

ଏବେ କିନ୍ତୁ ପ୍ରଶ୍ନ ମେଡିକାଲରେ ଜୀବନ ସହ ଲଢୁଥିବା ବରିଷ୍ଠ ଅଭିନେତା ବିଜୟ ମହାନ୍ତିକୁ କିଏ ଏବଂ କାହିଁକି ଜିଇଁ ଥାଉ ଥାଉ ମାରିଲା? ଏହାର ଉତ୍ତର ଜାଣିଲେ ଆପଣ ବି ଚିନ୍ତାରେ ପଡ଼ିଯିବେ । ଖବର ନେବାରୁ ଜଣାପଡ଼ିଛି ଯେ, ସର୍ବପ୍ରଥମେ ଏକ ଇଂରାଜୀ ୱେବ ପୋର୍ଟାଲ ବିଜୟ ମହାନ୍ତିଙ୍କ ମୃତ୍ୟୁ ଖବର ପ୍ରସାରଣ କରିଥିଲେ । ସଂପୃକ୍ତ ୱେବପୋର୍ଟାଲର ସମ୍ପାଦକ ଜଣେ ନାଁ କରା ବରିଷ୍ଠ ସାମ୍ବାଦିକ ଏବଂ ସେ ବିଭିନ୍ନ ଟିଭି ଚ୍ୟାନେଲର ବିତର୍କରେ ମଧ୍ୟ ଭାଗ ନିଅନ୍ତି । ସେ ଯେତେବେଳେ ନିଜେ ସମ୍ପାଦକ ଥିବା ୱେବ ପୋର୍ଟାଲରେ ଏହି ଖବର ପ୍ରକାଶିତ କରିଛନ୍ତି ଲୋକେ କାଳେ ସତ ହୋଇଥିବ ବୋଲି ଭାବି ନେଇଥିଲେ ହେଲେ ଖବର ସମ୍ପୂର୍ଣ୍ଣ ମିଛ ଓ ଗୁଜବ ।

ସୋସିଆଲ ମିଡିଆରେ ବିଜୟ ମହାନ୍ତିଙ୍କ ମୃତ୍ୟୁ ଖବର ପ୍ରସାରିତ ହେବା ଜାଣି ପ୍ରତିକ୍ରିୟାଶୀଳ ହୋଇଛି ଓଲିଉଡ୍ ଇଣ୍ଡଷ୍ଟ୍ରୀଜ୍ ।

ସୂଚନାଯୋଗ୍ୟ ଯେ, ସୋଶାଲ ମିଡିଆରେ ଅଭିନେତା ବିଜୟ ମହାନ୍ତିଙ୍କ ପରଲୋକ ହୋଇଥିବା ବାବଦରେ ବେଶ କିଛି ପୋଷ୍ଟ ଭାଇରାଲ ହେଉଛି। ଫେସବୁକ୍‌ ଗ୍ରୁପ୍‌ର ଏକ ପୋଷ୍ଟର ସ୍କ୍ରିନ୍‌ଶଟ୍‌ ଏବଂ ଏକ ୱେବସାଇଟ୍‌ ଲିଙ୍କ ମଧ୍ୟ ଭାଇରାଲ ହେଉଛି।

ଅଭିନେତା ସବ୍ୟସାଚୀ ଗୁଜବକାରୀଙ୍କୁ ପୋଷ୍ଟ ଡିଲିଟ୍ କରିବାକୁ ଅନୁରୋଧ କରି କହିଛନ୍ତି, ବିଜୟ ମହାନ୍ତିଙ୍କ ବାବଦରେ ଏକ ମିଛ ଖବର ଭାଇରାଲ ହେଉଛି। ସେ ଭଲ ଅଛନ୍ତି। ତାଙ୍କ ବାବଦରେ ଏପରି ପୋଷ୍ଟ କରନ୍ତୁନି। ଯେକେହି ବି ଏଭଳି ପୋଷ୍ଟ କରିଛନ୍ତି, କ୍ଷମା ମାଗନ୍ତୁ ଏବଂ ପୋଷ୍ଟଗୁଡ଼ିକୁ ଡିଲିଟ୍‌ କରନ୍ତୁ। ଶେଷରେ ସେ ବିଜୟ ମହାନ୍ତିଙ୍କ ଦୀର୍ଘାୟୁ କାମନା କରିଛନ୍ତି। ସେହିଭଳି ସ୍ନିଗ୍ଧା ଲେଖିଛନ୍ତି, ଏପରି ପୋଷ୍ଟ କରନ୍ତୁନି। ମାନବିକତା ଟିକେ ତ ଦେଖାନ୍ତୁ। ନିଜ ପ୍ରଚାର ପାଇଁ ଏମିତି କିଏ କରିପାରେ?

ବରିଷ୍ଠ ଅଭିନେତା ବିଜୟ ମହାନ୍ତି ସୁସ୍ଥ ଅଛନ୍ତି। ତାଙ୍କ ବାବଦରେ କିଛି ଲୋକ ଗୁଜବ କରିବା ପରେ ତାଙ୍କ ନିକଟତମ ସୂତ୍ରରୁ ତାଙ୍କ ସୁସ୍ଥତା ବାବଦରେ ସୂଚନା ମିଳିଛି। ଏନେଇ ଅଭିନେତା ସବ୍ୟସାଚୀ ଏକ ସୋଶାଲ ମିଡିଆ ପୋଷ୍ଟ କରି ଗୁଜବରୁ ବିରତ ରହିବାକୁ ଅନୁରୋଧ କରିଛନ୍ତି। ସେହିଭଳି ଅଭିନେତ୍ରୀ ସ୍ନିଗ୍ଧା ମହାନ୍ତି, ନିର୍ଦ୍ଦେଶକ ଶିବ ପ୍ରସାଦ ମହାନ୍ତି ଏବଂ ସିନେମା ଜଗତର ବେଶ କିଛି କଳାକାର ମଧ୍ୟ ଏହି ଖବରକୁ ଖଣ୍ଡନ କରିଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: