EXCLUSIVE- ଆଉ ନୁହେଁ ସଲାସୁତୁରା, ଆକ୍ରମଣାତ୍ମକ ହେବ ବିଜେପି!

EXCLUSIVE- ଆଉ ନୁହେଁ ସଲାସୁତୁରା, ଆକ୍ରମଣାତ୍ମକ ହେବ ବିଜେପି!

ପ୍ରିଜମ୍ ନ୍ୟୁଜ ବ୍ୟୁରୋ(EXCLUSIVE):ଏଇ ଏବେ ଏବେ ସରିଥିବା ପଞ୍ଚାୟତ ଓ ପୌର ନିର୍ବାଚନରେ ବିରୋଧୀଙ୍କ ସ୍ଥିତି ‘ଖସିଗଲା ଗୋଡ଼ ତଳକୁ ତଳକୁ’ ହୋଇଛି। ଲୋକଙ୍କ ପାଖକୁ ବିନା ପ୍ରସଙ୍ଗ ଓ ପ୍ରସ୍ତୁତିରେ ଓହ୍ଲାଇଥିବା ବିରୋଧୀ ଦଳଗୁଡ଼ିକର ଏତାଦୃଶ ବିଫଳତା ଅନେକ ପ୍ରଶ୍ନବାଚୀ ମଧ୍ୟ ଛିଡ଼ା କରେଇଦେଇଛି। ତଳସ୍ତରରେ କର୍ମୀ ଲୁହ ଓ ଲହୁ ଲଗାଇ ଲଢ଼ୁଥିଲେ ହେଁ, ଉପର ସ୍ତରରେ ତ୍ରିକୋଣୀୟ ପ୍ରେମ କାହାଣୀ ଚାଲିଥିବା ଜଳ ଜଳ ଦିଶୁଛି। ଫଳତଃ ଲୋକେ ପ୍ରଶ୍ନ ପଚାରିବାକୁ ଆରମ୍ଭ କରିଛନ୍ତି, ଏମିତି କେତେ ଦିନ ଚାଲିବ? ଏହାର ଉତ୍ତର ଯଦିଓ ଦୁଇ ବିରୋଧୀ ଦଳର ସ୍ବୟଂ ହର୍ତ୍ତାକର୍ତ୍ତା ଦୈବ ବିଧାତା ବି ସ୍ପଷ୍ଟ ଜାଣିନାହାନ୍ତି, ସଦ୍ୟ ମିଳିଥିବା ଏକ ଖବର ଏକ ବଡ଼ ପରିବର୍ତ୍ତନର ଆଭାସ ଦେଉଛି।

ମିଳିଥିବା ଖବର ଅନୁଯାୟୀ, ବିଜେଡିର ବିକଳ୍ପ ବୋଲି ନିଜକୁ ଉପସ୍ଥାପିତ କରୁଥିବା ବିଜେପି, ବିଜେଡି ସହ ଦୋସ୍ତି ରାଜନୀତିରୁ ସାମୟିକ ବିରତି ନେବାର ଯୋଜନା ଆରମ୍ଭ ହୋଇଛି। ଯଦିଓ ତୁରନ୍ତ ଏନେଇ କିଛି ହେବାର ସମ୍ଭାବନା ନାହିଁ, ସମସ୍ତଙ୍କ ଅଲକ୍ଷ୍ୟରେ କଂଗ୍ରେସକୁ ମିଳିଥିବା ଜନସମର୍ଥନ ଏଥିପାଇଁ ଇନ୍ଧନ ଯୋଗାଇଛି। ତେବେ ବର୍ତ୍ତମାନ ଚାଲିଥିବା କିଛି ଚର୍ଚ୍ଚାକୁ ବିଜେପି କେନ୍ଦ୍ରୀୟ ନେତୃବନ୍ଦ ମିଛ ପ୍ରମାଣିତ କରିବାର ଯଥେଷ୍ଟ ସମ୍ଭବାନା ରହିଛି। ଉଦାହରଣ ସ୍ବରୂପ କିଛି ଗୋଷ୍ଠୀ ସମ୍ବିତ ପାତ୍ରଙ୍କୁ ରାଜ୍ୟ ନେତୃତ୍ବ ମିଳିବା କଥା କହୁଥିବାବେଳେ କିଛି ଜଣ ବିଜୟ ମହାପାତ୍ରଙ୍କୁ ଏବଂ କିଛି ଜଣ ଅପରାଜିତାଙ୍କ କଥା କହୁଛନ୍ତି। ତେବେ ବର୍ତ୍ତମାନ ବିଜେପିର ଛାମୁଆ ନେତାମାନେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି।

ଏମାନେ ପଞ୍ଚାୟତ ବିପର୍ଯ୍ୟୟକୁ ଆତ୍ମସମୀକ୍ଷା ପାଇଁ ସଦୁପଯୋଗ ନକରି, ‘ଧର୍ମେନ୍ଦ୍ରଙ୍କ ବିନା ଅନ୍ୟ ଗତି ନାହିଁ’ ଉକ୍ତିକୁ ଦୋହରାଉଛନ୍ତି। ଅର୍ଥାତ ଉତ୍ତରପ୍ରଦେଶ ନିର୍ବାଚନରେ ବ୍ୟସ୍ତ ରହିଯାଇଥିବା ଧର୍ମେନ୍ଦ୍ର ଥିଲେ କିଛି ଗୋଟେ ନିଶ୍ଚୟ ଘଟିଥାଆନ୍ତା ବୋଲି ବାର୍ତ୍ତା ଦେବାର ପ୍ରୟାସ କରାଯାଉଛି। ଅତୀତରେ ବିଜେପିର ପଦକ୍ଷେପକୁ ଦେଖିଲେ, ଧର୍ମେନ୍ଦ୍ରଙ୍କୁ ସମ୍ପୂର୍ଣ୍ଣ ଦୂରେଇ ରାଜ୍ୟ ବିଜେପିର ଦାୟିତ୍ବ ପରିବର୍ତ୍ତନ ଏକ ପ୍ରକାର କଷ୍ଟକର ବ୍ୟାପାର। ତେଣୁ ବିଜୟ ମହାପାତ୍ର ବା ଅପରାଜିତାଙ୍କୁ ପ୍ରାଧାନ୍ୟ ଦେବାଭଳି ନିଷ୍ପତ୍ତି ନିଆଯାଇ ନପାରେ।

ନିର୍ବିବାଦୀୟ ନାମକୁ ଦୃଷ୍ଟିକୁ ନେଲେ ରାଷ୍ଟ୍ରୀୟ ମୁଖପାତ୍ର ତଥା ଟିଭିରେ ବିଜେପିର ଜାତୀୟ ଚେହେରା ସମ୍ବିତ ପାତ୍ର ଏବଂ ପୂର୍ବତନ ମନ୍ତ୍ରୀ ତଥା ପୁରୁଖା ବିଜେପି ନେତା ପ୍ରତାପ ଷଡ଼ଙ୍ଗୀଙ୍କ ନାମ ସବୁଠୁ ଆଗରେ ରହୁଛି। ଏ ଦୁଇଜଣ ଅତୀତରେ ବଡ଼ ଇନଫ୍ଲୁଏନ୍ସର ସାଜିଆସିଥିବାରୁ ବିଜେପି ଫାଇଦାରେ ରହିବ। ଏଭଳି ପରିସ୍ଥିତିରେ ସମସ୍ତଙ୍କୁ ଏକାଠି କରି ଗୋଟିଏ ତୁଠରେ ପାଣି ପିଆଇବାରେ ବିଜେପି କେତେ ସଫଳ ହେଉଛି ତାହା ଦେଖିବାକୁ ଅଛି। ଉତ୍ତରପ୍ରଦେଶରେ ବିଜେପିର ସଫଳତା ପରେ ଧର୍ମେନ୍ଦ୍ରଙ୍କୁ ରାଜ୍ୟ ରାଜନୀତିରୁ ଦୂରେଇ ରଖି ଯଦି କେନ୍ଦ୍ରରେ ଆଉ କିଛି ବଡ଼ ଦାୟିତ୍ବ ଦିଆଯାଏ, ହୁଏତ ଏହି ସମୀକରଣର ସମାଧାନ ଆହୁରି ସରଳ ଓ ସହଜ ହୋଇଯିବ।

ଏଥିରେ ବଡ଼ କଣ୍ଟା ସାଜିଛି ଆଗକୁ ଅନୁଷ୍ଠିତ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ। ଏଥିରେ ବିଜେଡିର ସମର୍ଥନ ଦରକାର ପଡ଼ୁଥିବାରୁ ଓଡ଼ିଶାର ଶାସକ ଦଳକୁ ଅସନ୍ତୁଷ୍ଟ କଲାଭଳି କୌଣସି ପଦକ୍ଷେପରୁ ଦୂରେଇ ରହିବ ବିଜେପି। ଏହାପରେ ପରେ ହିଁ ବିରୋଧୀ ଦଳ ନେତା ଓ ବିଜେପି ରାଜ୍ୟ ସଭାପତି ପଦବୀରେ ହାତ ମାରିବେ କେନ୍ଦ୍ରୀୟ ନେତୃତ୍ବ। ତେବେ କେବଳ ନେତୃତ୍ବ ପରିବର୍ତ୍ତନରେ ସୀମିତ ରହିବା ବହୁତ କିଛି ବଡ଼ ସଫଳତା ଦେଇପାରିବନାହିଁ। ଏଥିପାଇଁ ବିଜେଡି ନିର୍ବାଚନୀ ସଫଳତା ପାଇଁ ବ୍ୟବହାର କରୁଥିବା ମେକାନିଜିମକୁ ମଧ୍ୟ କାମରେ ଲଗାଇବାକୁ ହେବ। ଏଠାକାର ପ୍ରମୁଖ ନେତାଙ୍କ ପ୍ରତି କୋହଳ ମନୋଭାବ ପୋଷଣ କରିଆସିଥିବା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାଗୁଡ଼ିକ ଆଗକୁ ଯେ ପୁଣି ସକ୍ରିୟ ନହେବେ ଏବଂ ପୁଣି ଇଡି-ସିବିଆଇ ସୁଆଙ୍ଗ ଯେ ଆରମ୍ଭ ନ ହୋଇଯିବ କିଏ କହିବ? ସେହିପରି ରାମ ମନ୍ଦିର ପ୍ରସଙ୍ଗରେ କେନ୍ଦ୍ରରେ ଶକ୍ତିଶାଳୀ ହୋଇଥିବା ବିଜେପି ପାଇଁ ଶ୍ରୀମନ୍ଦିର ଏକ ବଡ଼ ପ୍ରସଙ୍ଗ। କିନ୍ତୁ ଏହି ପ୍ରସଙ୍ଗରେ ଭୁବନେଶ୍ବର ସାଂସଦ ଅପରାଜିତାଙ୍କୁ ଛାଡ଼ି ରାଜ୍ୟର ଅନ୍ୟ ପ୍ରମୁଖ ନେତାମାନେ ଚୁପ ରହିବା ଝଡ଼ ପୂର୍ବର ନୀରବତା ନୁହେଁ ତ?

0 Comments

Leave Your Comment

Your email address will not be published. Required fields are marked *

%d bloggers like this: