EXCLUSIVE-ବାହାରି ପାରୁନି ନିଷ୍କର୍ଷ, କେଉଁ ଷ୍ଟାଇଲରେ ହେବ ମନ୍ତ୍ରିମଣ୍ଡଳ ପରିବର୍ତ୍ତନ ?

EXCLUSIVE-ବାହାରି ପାରୁନି ନିଷ୍କର୍ଷ, କେଉଁ ଷ୍ଟାଇଲରେ ହେବ ମନ୍ତ୍ରିମଣ୍ଡଳ ପରିବର୍ତ୍ତନ ?

ପ୍ରିଜମ୍ ନ୍ୟୁଜ ବ୍ୟୁରୋ(EXCLUSIVE): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଞ୍ଚମ ପାଳି ଦାୟିତ୍ବ ନେବା ପରେ ଇତି ମଧ୍ୟରେ ୩ ବର୍ଷ ପୂରଣ କରିବାକୁ ଯାଉଛନ୍ତି। ପୂର୍ବ ପାଳି ଗୁଡ଼ିକରେ ଏହି ସମୟରେ ମନ୍ତ୍ରିମଣ୍ଡଳ ଅନ୍ତତଃ ଥରେ ଅଦଳବଦଳ ହୋଇ ସାରିଥାଏ। ମାତ୍ର, ଚଳିତ ଥର ସେପରି କିଛି ଦେଖିବାକୁ ମିଳିନାହିଁ। ପଞ୍ଚାୟତ ଓ ପୌର ଫଳାଫଳ ପରେ ମନ୍ତ୍ରିମଣ୍ଡଳ ଅଦଳବଦଳ ନେଇ ପୁଣି ବିଚାରବିମର୍ଶ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତଥା ସିଏମଓ (ତୃତୀୟ ମହଲା), ନବୀନ ନିବାସ ଏବଂ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ବାରମ୍ବାର ବିଚାରବିମର୍ଶ ସତ୍ତ୍ବେ କୌଣସି ନିଷ୍କର୍ଷରେ ପହଞ୍ଚା ଯାଇପାରିନି। ପ୍ରଥମେ ୮ ଜଣ ମନ୍ତ୍ରୀଙ୍କୁ ବାଦ୍ ଦେଇ ୯ ଜଣ ନୂଆ ମୁହଁଙ୍କୁ ସାମିଲ କରିବା ପାଇଁ ଆଲୋଚନା କରାଯାଇଥିଲା। ଏପରିକି ପଣା ସଂକ୍ରାନ୍ତିର ଦିନକ ପୂର୍ବରୁ ମନ୍ତ୍ରିମଣ୍ଡଳ ଅଦଳବଦଳ ହେବ ବୋଲି ଏକ ପକ୍କା ଖବର ବିଜେଡି ଶିବିରରୁ ଆସୁଥିଲା। ମାତ୍ର, ପୁରୀ ବିବାଦ, ବିଜେପି ନେତୃବୃନ୍ଦଙ୍କ ଦିଲ୍ଲୀ ଗସ୍ତ ଏବଂ ପିସିସି ପରିବର୍ତ୍ତନର ଆଭାସ ବିଜେଡିକୁ ପୁଣି ଚିନ୍ତାରେ ପକାଇଛି।

କେନ୍ଦ୍ର ସରକାର ମନ୍ତ୍ରିମଣ୍ଡଳ ସଂପ୍ରସାରଣ ଯେପରି ଢଙ୍ଗରେ କରିଥିଲେ, ତାହା ଏକ ନିଆରା ରାଜନୈତିକ ବାର୍ତ୍ତା ଦେଇଥିଲା। ଏହାର ପ୍ରଭାବ ପରବର୍ତ୍ତୀ ସମୟରେ ୫ଟି ରାଜ୍ୟର ବିଧାନସଭା ନିର୍ବାଚନରେ ମଧ୍ୟ ଦେଖିବାକୁ ମିଳିଥିଲା। ଏକ ସଂପୂର୍ଣ୍ଣ ନୂଆ ଢଙ୍ଗରେ ଓ ନୂଆ ଉତ୍ସାହରେ ସରକାର ଗଠନ ହୋଇଥିଲା, ଯାହା ସଂଗଠନକୁ ମଧ୍ୟ ଉତ୍ସାହିତ କରିଥିଲା। ଗୁଜରାଟ ଢାଞ୍ଚାରେ ଓଡ଼ିଶା ସରକାର ମୁଖ୍ୟମନ୍ତ୍ରୀ ପଦ ବ୍ୟତୀତ ମନ୍ତ୍ରିମଣ୍ଡଳର ଅନ୍ୟ ସମସ୍ତ ସଦସ୍ୟଙ୍କ ଇସ୍ତଫା କରାଇ ନୂଆ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ କରାଇଥାନ୍ତେ। କିନ୍ତୁ ଗୁରୁବାର ସନ୍ଧ୍ୟାରେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ସମଗ୍ର ଦେଶକୁ ଚକିତ କରିଥିଲେ। ତେଣୁ, ଓଡ଼ିଶାରେ ମଧ୍ୟ ସେପରି କିଛି ହେବା ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ସମ୍ପୂର୍ଣ୍ଣ ମନ୍ତ୍ରିମଣ୍ଡଳକୁ ବାଦ୍ ଦେଇ ନୂଆ କ୍ୟାବିନେଟ୍ ଗଠନ ହେବା ନେଇ ଚର୍ଚ୍ଚା ହେଉଛି। ଏପରିକି ବାଚସ୍ପତି ଓ ଉପ ବାଚସ୍ପତି, ମୁଖ୍ୟ ସଚେତକ ଏବଂ ଉପ ମୁଖ୍ୟ ସଚେତକ ମଧ୍ୟ ଅଦଳବଦଳ ହୋଇପାରେ। ସେହିପରି ମନ୍ତ୍ରିମଣ୍ଡଳ ପରେ ନିଗମ ଗୁଡ଼ିକର ଅଧ୍ୟକ୍ଷ ପଦରେ ମଧ୍ୟ ପରିବର୍ତ୍ତନ ହେବା ନେଇ ଆଲୋଚନା ହେଉଛି।

ତେବେ ମନ୍ତ୍ରିମଣ୍ଡଳ ସମ୍ପୂର୍ଣ୍ଣ ବଦଳିଲେ ପ୍ରତାପ କେଶରୀ ଦେବ/ଅତନୁ ସବ୍ୟସାଚୀ/ଶଶିଭୂଷ ବେହେରା, ଦେବୀ ପ୍ରସାଦ ମିଶ୍ର/ ପ୍ରମୋଦ ମଲ୍ଲିକ, ସତ୍ୟନାରାୟଣ ପ୍ରଧାନ, ପ୍ରଫୁଲ୍ଲ ସାମଲ/ବ୍ୟୋମକେଶ ରାୟ, ପ୍ରମିଳା ମଲ୍ଲିକ/ପ୍ରଣବ ବଳବନ୍ତରାୟ, ବାସନ୍ତୀ ହେମ୍ବ୍ରମ, ଶାରଦା ନାୟକ, ପ୍ରୀତମ ପାଢ଼ୀ, ରୁଦ୍ର ମହାରଥୀ, ସୁଶାନ୍ତ ରାଉତ, ସୂର୍ଯ୍ୟନାରାୟଣ ପାତ୍ର, ରାଜେନ୍ଦ୍ର ଢୋଲକିଆ, ଭୁପେନ୍ଦ୍ର ସିଂହ, ଲତିକା ପ୍ରଧାନ, ସ୍ନେହାଙ୍ଗିନୀ ଛୁରିଆ/ଦେବେଶ ଆଚାର୍ଯ୍ୟ, ପ୍ରଶାନ୍ତ ମୁଦୁଲି, ଅଶ୍ବିନୀ ପାତ୍ର, ରୋହିତ ପୂଜାରୀ, ରମେଶ ସାଏ, ନୃସିଂହ ସାହୁ, ବଦ୍ରିନାରାୟଣ ପାତ୍ର, ବିକ୍ରମ ପଣ୍ଡା ଏବଂ ସଦାଶିବ ପ୍ରଧାନଙ୍କ ନାଁ ବିଚାର କରାଯାଇପାରେ।


କିନ୍ତୁ, ଏକ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ନବ ଦାସ, ଟୁକୁନି ସାହୁ, ସୁଶାନ୍ତ ସିଂହ, ସୁଦାମ ମାର୍ଣ୍ଡି ଏବଂ ପ୍ରଫୁଲ୍ଲ ମଲ୍ଲିକଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ୍ ନଦେବା ପାଇଁ ଏକ ଗୋଷ୍ଠୀ ଚାପ ପକାଉଛନ୍ତି। ସେହିପରି ଯଦି ପ୍ରଥମ ଦଫାରେ ଆଲୋଚନା କରାଯାଇଥିବା ନିଷ୍ପତ୍ତି ଅନୁସାରେ ମନ୍ତ୍ରିମଣ୍ଡଳ ଅଦଳବଦଳ ହୁଏ, ତେବେ ସମୀର ରଞ୍ଜନ ଦାଶ, ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ପଦ୍ମିନୀ ଦିଆନ, ପ୍ରେମାନନ୍ଦ ନାୟକ, ଦିବ୍ୟଶଙ୍କର ମିଶ୍ର, ପ୍ରତାପ ଜେନା ଏବଂ ପଦ୍ମନାଭ ବେହେରାଙ୍କ ସ୍ଥିତି ଟଳମଳ ଅବସ୍ଥାରେ ରହିଛି। ଆଗକୁ ସମବାୟ ନିର୍ବାଚନ ଥିବାରୁ ରାଜା ସ୍ବାଇଁଙ୍କ ନାଁରେ ହାତ ମରାଯାଇ ନ ପାରେ। ସେହିପରି ମନ୍ତ୍ରୀ ଅରୁଣ ସାହୁ ଉଭୟ ପଞ୍ଚାୟତ ଓ ପୌରରେ ଏକତରଫା ଫଳ ପ୍ରଦର୍ଶନ କରିଛନ୍ତି। ତେଣୁ ତାଙ୍କୁ ବାହାର ରାସ୍ତା ଦେଖାଇବାକୁ ହେଲେ ଆଉ ଏକ ଷ୍ଟ୍ରଙ୍ଗ୍ କାରଣ ଦର୍ଶାଇବାକୁ ପଡ଼ିବ। ଏବେ ବାକି ରହିଲା, ମନ୍ତ୍ରିମଣ୍ଡଳର ଏହି ତ୍ରିଶଙ୍କୁ ଅବସ୍ଥାରେ ସୁପ୍ରିମୋ ପଟ୍ଟନାୟକ କି ପଦକ୍ଷେପ ନେଉଛନ୍ତି !!!

0 Comments

Leave Your Comment

Your email address will not be published. Required fields are marked *

%d bloggers like this: