ଭାରତ ବର୍ଷରେ ଭିନ୍ନ ଏକ ରାଷ୍ଟ୍ରପତି ନିର୍ବାଚନ; ଦ୍ୱିତୀୟ ମହିଳା ଭାବେ ଦ୍ରୌପଦୀ ମୁର୍ମୁ ହେଲେ ଦେଶର ପ୍ରଥମ ନାଗରିକ

ଭାରତ ବର୍ଷରେ ଭିନ୍ନ ଏକ ରାଷ୍ଟ୍ରପତି ନିର୍ବାଚନ; ଦ୍ୱିତୀୟ ମହିଳା ଭାବେ ଦ୍ରୌପଦୀ ମୁର୍ମୁ ହେଲେ ଦେଶର ପ୍ରଥମ ନାଗରିକ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଦେଶର ଦ୍ୱିତୀୟ ଏବଂ ଆଦିବାସୀ ସଂପ୍ରଦାୟର ପ୍ରଥମ ମହିଳା । ରାଷ୍ଟ୍ରପତି ଆସନ ଅଳଙ୍କୃତ କରିଛନ୍ତି ଓଡ଼ିଶାର ଝିଅ ଦ୍ରୌପଦୀ ମୁର୍ମୁ । ଯାହାକୁ ନେଇ ଗର୍ବିତ ଓଡ଼ିଶା ଓ ଓଡ଼ିଆ । ଓଡ଼ିଶାରୁ ମହିଳା ଭାବେ ଦେଶର ସର୍ବୋଚ୍ଚ ପଦବୀର ବସିବା ସହ ପ୍ରଥମ ନାଗରିକ ହେବାର ସୌଭାଗ୍ୟ ପାଇଛନ୍ତି ମାଟିର ଝିଅ । ଯାହାକୁ ନେଇ ଉତ୍ସବ ମୁଖର ଦିଲ୍ଲୀରୁ ପଲ୍ଲୀ । ରାଇରଙ୍ଗପୁରରୁ ରାଇସିନା ହିଲ୍ ର ଏହି ରାଜନୈତିକ ଯାତ୍ରାରେ ଅନେକ ସଫଳତା ସାଉଁଟିଥିବା ଦ୍ରୌପଦୀ 15 ତମ ରାଷ୍ଟ୍ରପତି ଭାବେ ପଦ ଓ ଗୋପନୀୟତାର ଶପଥ ନେବେ । ଆସନ୍ତା 25 ତାରିଖରେ ସଂସଦ ଭବନ ପରିସରରେ ଏଥିପାଇଁ ଭବ୍ୟ ଆୟୋଜନ କରାଯାଉଥିବା ଜଣାପଡ଼ିଛି ।

ଏନଡିଏ ପକ୍ଷରୁ ପ୍ରାର୍ଥୀ ହୋଇଥିବା ଦ୍ରୌପଦୀ ମୁର୍ମୁ ବିରୋଧୀ ଦଳମାନଙ୍କର ପ୍ରାର୍ଥୀ ୟଶୱନ୍ତ ସିହ୍ନାଙ୍କୁ ବୃହତ ବ୍ୟବଧାନରେ ପରାସ୍ତ କରି ବିଜୟ ଲାଭ କରିଛନ୍ତି । ଚଳିତ ରାଷ୍ଟ୍ରପତି ନିର୍ବାଚନରେ ମୋଟ 4 ହଜାର 7ଶହ 54 ଭୋଟ ଗ୍ରହଣ ହୋଇଥିବା ବେଳେ 53ଟି ଭୋଟ ନାକଚ ହୋଇଥିଲା । 4 ହଜାର 7ଶହ 1 ଖଣ୍ଡ ଭୋଟ ବୈଧ ରହିଥିଲା । ପ୍ରଥମ ପସନ୍ଦ ଭାବେ ଦ୍ରୌପଦୀ ମୁର୍ମୁଙ୍କୁ 2824ଖଣ୍ଡ ଭୋଟ ମିଳିଥିଲା ଯାହାର ପରିମାଣ 6 ଲକ୍ଷ 76 ହଜାର ଏବଂ 803 ଅର୍ଥାତ 64 ପ୍ରତିଶତ ବୋଲି ରାଜ୍ୟସଭା ସେକ୍ରେଟାରୀ ଜେନେରାଲ ଏବଂ ରିଟର୍ଣ୍ଣିଂ ଅଫିସର ସୂଚନା ଦେଇଥିଲେ । ସେହିଭଳି ବିରୋଧୀ ଦଳମାନଙ୍କର ପ୍ରାର୍ଥୀ ୟଶୱନ୍ତ ସିହ୍ନାଙ୍କୁ ପ୍ରଥମ ପସନ୍ଦ ଭାବେ ମିଳିଥିଲା 1877 ଖଣ୍ଡ ଭୋଟ । ଯାହାର ପରିମାଣ ବା ଭ୍ୟାଲୁ ରହିଥିଲା 3 ଲକ୍ଷ 80ହଜାର 177 । ବୃହତ ବ୍ୟବଧାନରେ ୟଶୱନ୍ତ ସିଂହ୍ନାଙ୍କ ଠାରୁ ଆଗରେ ଥିବାରୁ ରିଟର୍ଣ୍ଣିଂ ଅଫିସର ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ନିର୍ବାଚିତ ଘୋଷଣା କରିଥିଲେ । ଦିଲ୍ଲୀ ସ୍ଥିତ ଦ୍ରୌପଦୀଙ୍କୁ ସାକ୍ଷାତ କରି ଭାବି ରାଷ୍ଟ୍ରପତିଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିଥିଲେ ।

ଗୁରୁବାର ବିଳମ୍ବିତ ସଂଧ୍ୟାରେ ଫଳାଫଳ ଘୋଷଣାର ଆରମ୍ଭରୁ ହିଁ ଆଗରେ ରହିଥିଲେ ଦ୍ରୌପଦୀ ମୁର୍ମୁ । ସମସ୍ତ ରାଉଣ୍ଡରେ ଦ୍ରୌପଦୀ ଆଗରେ ରହିଥିଲେ । କୁହାଯାଉଥିଲା ଯେ, ଦ୍ରୌପଦୀ ମୁର୍ମୁଙ୍କ ସମର୍ଥନରେ ଅଣ ଏନଡିଏ ଦଳର 125 ଜଣ ବିଭିନ୍ନ ବିଧାନସଭାର ସଦସ୍ୟ ଏବଂ 17ଜଣ ସାଂସଦ ଦଳୀୟ ନିଷ୍ପତ୍ତି ବିରୋଧରେ ଯାଇ ଦ୍ରୋପଦୀଙ୍କୁ ଭୋଟ ଦେଇଥିଲେ । ଆସାମ, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡରେ ଅଧିକ କ୍ରସ ଭୋଟିଂ ହୋଇଥିବା ଜଣାପଡ଼ିଛି । ଶେଷ ପର୍ଯ୍ୟାୟ ଘୋଷଣା ପୂର୍ବରୁ ହିଁ ଛୁଟିଥିଲା ଶୁଭେଚ୍ଛା ଓ ଅଭିନନ୍ଦନର ବାର୍ତ୍ତା । ଭାବି ରାଷ୍ଟ୍ରପତିଙ୍କ ବାସଭବନକୁ ଯାଇ ଶୁଭେଚ୍ଛା ଜଣାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ସମେତ କ୍ୟାବିନେଟ୍ ମନ୍ତ୍ରୀ ସହ ଅନ୍ୟ ବରିଷ୍ଠ ନେତୃବୃନ୍ଦ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଥିଲେ । ପ୍ରତିଦ୍ୱନ୍ଦୀ ୟଶୟନ୍ତ ସିଂ ମଧ୍ୟ ଏକ ଚିଠି ସହ ଟୁଇଟ କରି ନବ ଭାବି ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ ଦେଇ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଓଡ଼ିଶାର ଝିଅକୁ ଶୁଭେଚ୍ଛା ବାର୍ତ୍ତା ଦେଇ ଟୁଇଟ କରିଥିଲେ ।

ଦେଶର ବିଶିଷ୍ଟ ବ୍ୟକ୍ତି ବିଶେଷ ମଧ୍ୟ ନୂଆ ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ପଡ଼ୋଶୀ ନେପାଲ ସମେତ ବିଭିନ୍ନ ରାଷ୍ଟ୍ରର ରାଷ୍ଟ୍ରମୁଖ୍ୟମାନେ ମଧ୍ୟ ବିଶ୍ବର ସର୍ବବୃହତ ଗଣତନ୍ତ୍ରର ମଙ୍ଗୁଆଳଙ୍କୁ ଶୁଭେଚ୍ଛା ଅଜାଡି ଦେଇଛନ୍ତି । ଅନ୍ୟପଟେ ଦେଶବ୍ୟାପୀ ବିଜେପି ଓ ଏନଡିଏର ଅଂଶୀଦାର ଦଳର ନେତା ଓ କର୍ମୀମାନେ ମିଠା ବାଣ୍ଟି, ନାଚି ସେଲିବ୍ରେସନ କରୁଥିବାର ଦେଖିବାକୁ ମିଳିଲା । ଓଡ଼ିଶା ଏଭଳି ଏକ ପଛୁଆ ରାଜ୍ୟର ଜିଲ୍ଲା ମୟୂରଭଞ୍ଜରୁ ଆସୁଥିବା ଦ୍ରୌପଦୀ ମୁର୍ମୁଙ୍କ ପାଇଁ ଆଜି ବିଶ୍ୱରେ ପୁଣି ଚମକିଛି ଓଡ଼ିଶା । ବିଶ୍ୱର ସର୍ବବୃହତ ଗଣତନ୍ତ୍ର ରାଷ୍ଟ୍ରର ନେତା ନିର୍ବାଚିତ ହୋଇଛନ୍ତି । ଜଙ୍ଗଲ ମାଟିରୁ ରାଇସିନା ହିଲ୍‌, ଗାଁ ରାଜନୀତିରୁ ଦେଶର ସର୍ବୋଚ୍ଚ ପଦବୀ । ତିନି ସେନାର ସେନାନାୟକ ମହାମହିମ ପଦରେ ଅବସ୍ଥାପିତ ହୋଇ ଦ୍ରୌପଦୀ ମୁର୍ମୁ ରାଜ୍ୟ ପାଇଁ ଆଣିଛନ୍ତି ଖ୍ୟାତି, ସମ୍ମାନ ଓ ଗୌରବ । ତାଙ୍କ ପାଇଁ ଆଜି ସାରା ରାଜ୍ୟ ଉତ୍ସବମୁଖରିତ ଓ ଗର୍ବିତ ତାଙ୍କ ଗାଁ । ପ୍ରତିଭା ଦେବୀ ସିଂ ପାଟିଲଙ୍କ ପରେ ଦେଶର ଦ୍ୱିତୀୟ ମହିଳା ଏବଂ ପ୍ରଥମ ଓଡ଼ିଆ ମହିଳା ଭାବେ ଏହି ଗୌରବ ହାସଲ କରି ଏତେ ବଡ ସମ୍ମାନର ଅଧିକାରୀ ହୋଇପାରିଛନ୍ତି ମୁର୍ମୁ ।

୧୯୯୭ରୁ ଆରମ୍ଭ ହେଲା ରାଜନୈତିକ କ୍ୟାରିଅର । ରାଇରଙ୍ଗପୁର ଏନଏସି ୨ ନମ୍ବର ଓାର୍ଡରୁ କାଉନସିଲ ନିବାଚନ ଲଢି ଉପାଧ୍ୟକ୍ଷ ହେଲେ । ସେସମୟରେ ନଗରପାଳିକାରେ ଉନ୍ନତି ମୂଳକ କାର୍ଯ୍ୟ ପାଇଁ ଇର୍ଷଣୀୟ ଲୋକପ୍ରିୟତା ହାସଲ କରିଥିଲେ । ଏହାର ଫଳ ସ୍ୱରୂପ ତାଙ୍କୁ ଦ୍ୱାଦଶ ବିଧାନସଭା ନିର୍ବାଚନରେ ବିଜେପି ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଗଲା । ଆତ୍ମବିଶ୍ୱାସ ଭରା ଦ୍ରୌପଦୀ ବହୁମତରେ ନିର୍ବାଚନ ଜିଣି ଦୁଇ ଦୁଇ ଥର ରାଇରଙ୍ଗପୁରର ବିଧାୟିକା ହେବାର ଗୌରବ ହାସଲ କଲେ । ୨୦୦୦ରେ ନଗରପାଳିକାରୁ ବାହାପି ପହଞ୍ଚିଥିଲେ ବିଧାନସଭା। ତତକାଳୀନ ବିଜେପି-ବିଜେଡି ମେଂଟ ସରକାରରେ ବିଭିନ୍ନ ମନ୍ତ୍ରୀ ପଦର ଦାୟିତ୍ୱ ସମ୍ଭାଳି ଥିଲେ । ଦ୍ରୌପଦୀଙ୍କ କାର୍ଯ୍ୟଶୈଳୀ ଏବଂ ଶ୍ରେଷ୍ଠ ପ୍ରଦର୍ଶନ ।

ଏବେ ଆସନ୍ତୁ ଜାଣିବା ଝାଡ଼ଖଣ୍ଡ ରାଜଭବନରୁ ସିଧା ରାଇସିନା ହିଲ୍ ପାଇଁ କାହିଁକି ଦ୍ରୌପଦ୍ୟଙ୍କୁ ଯୋଗ୍ୟ ଭାବିଲା ବିଜେପି ।

୨୦୧୫ରେ ଝାଡଖଣ୍ଡର ପ୍ରଥମ ମହିଳା ରାଜ୍ୟପାଳ ଭାବେ ଦାୟିତ୍ୱ ନେଇଥିଲେ ମୁର୍ମୁ । ହେଲେ ସେ କେବଳ ଏକ ରବର ଷ୍ଟାମ୍ପ ହୋଇ ରହିନଥିଲେ । ସରକାରଙ୍କ ନୀତି, ନିଷ୍ପତ୍ତିକୁ ବଦଳାଇ ବେଶ୍ ଚର୍ଚ୍ଚାକୁ ଆସିଥିଲେ । 2016 ମସିହାରେ ବିଧାନସଭାରେ ପାରିତ ହୋଇଥିବା ଛୋଟାନାଗପୁର ଟେନାନ୍ସି ଆକ୍ଟ 1908 ଏବଂ ସନ୍ଥଳ ପରଗଣା ଟେନାନ୍ସି ଆକ୍ଟ 1949ରେ ସଂଶୋଧନ ପ୍ରସ୍ତାବକୁ ଗ୍ରହଣ କରିବାକୁ ରାଜଭବନ ଆସିଥିଲା ବିଧେୟକ ଏହାକୁ କିନ୍ତୁ 2017ରେ ଖାରିଜ କରି ଦେଇଥିଲେ ରାଜ୍ୟପାଳ ଦାୟିତ୍ବରେ ଥିବା ମୁର୍ମୁ ଏ । ଏହି ଦୁଇ ଆଇନ ଆଦିବାସୀଙ୍କ ଭୂସମ୍ପତ୍ତିର ସୁରକ୍ଷା ପ୍ରଦାନ କରୁଥିବା ବେଳେ ସଂଶୋଧିତ ଆଇନରେ ଶିଳ୍ପ ପାଇଁ ଜମି ଅଧିଗ୍ରହଣର ବ୍ୟବସ୍ଥା କରିବାକୁ ନିୟମରେ ସଂଶୋଧନ ଆଣିବାକୁ ଚାହୁଁଥିଲେ ସରକାର । ଏହାକୁ ନେଇ ରାଜ୍ୟରେ ଜନଅସନ୍ତୋଷ ବୃଦ୍ଧି ପାଇବା ସହ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କ ନିକଟରେ ଫେରାଦ ହୋଇଥିଲେ ଆଦିବାସୀ ସମାଜର ଲୋକେ । ଏପରିକି ଏହାକୁ ନେଇ ରାଜ୍ୟରେ ବଡ଼ ଧରଣର ଆନ୍ଦୋଳନ ଦେଖା ଦେଇଥିଲା । ଯେଉଁଥିରେ ପୋଲିସର କଠୋର କାର୍ଯ୍ୟାନୁଷ୍ଠାନକୁ କଡ଼ା ଭାଷାରେ ନିନ୍ଦା କରିଥିଲେ ରାଜ୍ୟପାଳ ମୁର୍ମୁ । ପାତାଳଗଡ଼ି ଆନ୍ଦୋଳନ ଭାବେ ଏହି ଚର୍ଚ୍ଚିତ ମୁଭମେଣ୍ଟ ନେଇ ଖୋଲା ବିଚାର ବି ରଖୁଥିଲେ । ବଡ଼ କଥା ହେଉଛି ମୁର୍ମୁଙ୍କ ନିକଟରେ ପହଞ୍ଚିଥିବା 192ଟି ସ୍ମାରକ ପତ୍ର ସହ ସଂପୃକ୍ତ ଦୁଇ ସଂଶୋଧିତ ବିଧେୟକକୁ ରାଜ୍ୟ ସରକାରଙ୍କୁ ଫେରାଇ ଦେଇଥିଲେ ରାଜ୍ୟପାଳ ମୁର୍ମୁ ।

ଏହି ଘଟଣା ପରେ ଜାତୀୟ ରାଜନୀତିରେ ମୁର୍ମୁଙ୍କୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଆଉ ଯେତେବେଳେ ରାମନାଥ କୋବିନ୍ଦଙ୍କ ପରେ କିଏ ହେବ ପରବର୍ତ୍ତୀ ରାଷ୍ଟ୍ରପତି ତାକୁ ନେଇ ଚର୍ଚ୍ଚା ଆଲୋଚନା ହେଲା ସମ୍ଭାବ୍ୟ ତାଲିକା ମଧ୍ୟରେ ଆଗରେ ରହିଥିଲେ ମୁର୍ମୁ । ଆଉ ଏବେ ରାଷ୍ଟ୍ରପତି ନିର୍ବାଚନରେ ମଧ୍ୟ ଆଗରେ ରହି ରାଇସିନା ହିଲ୍ ର ଅଧିକାରୀଣୀ ହେବାର ସୌଭାଗ୍ୟ ପାଇଛନ୍ତି ମୁର୍ମୁ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: