ଟଙ୍କା ନେଲା ବେଳକୁ ଆଗ, ଅଭିଯୋଗ ଶୁଣିଲା ବେଳକୁ ଦେଖା ମିଳୁନି ବିଦ୍ୟୁତ୍‍ ବଣ୍ଟନ କମ୍ପାନୀ କର୍ମଚାରୀଙ୍କ

ଟଙ୍କା ନେଲା ବେଳକୁ ଆଗ, ଅଭିଯୋଗ ଶୁଣିଲା ବେଳକୁ ଦେଖା ମିଳୁନି ବିଦ୍ୟୁତ୍‍ ବଣ୍ଟନ କମ୍ପାନୀ କର୍ମଚାରୀଙ୍କ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଘଣ୍ଟା ଘଣ୍ଟା ବିଜୁଳି କାଟ୍‍ ହେଉଥିଲେ ମଧ୍ୟ ଅଭିଯୋଗ ଶୁଣିବା ପାଇଁ ନାହାନ୍ତି କେହି। ରାଜ୍ୟର ବିଦ୍ୟୁତ୍‍ ଉପଭୋକ୍ତାମାନେ ଅଭିଯୋଗ ଜଣାଇବାପାଇଁ ବିଦ୍ୟୁତ୍‍ ବଣ୍ଟନ ଦାୟିତ୍ୱରେ ଥିବା କମ୍ପାନୀ କର୍ତ୍ତୃପକ୍ଷଙ୍କ ପତ୍ତା ପାଉ ନାହାନ୍ତି । ଗ୍ରାହକସେବା କେନ୍ଦ୍ର ଦାୟିତ୍ୱରେ ଥିବା କର୍ମଚାରୀମାନେ ମଧ୍ୟ ଉପରିସ୍ଥ ଅଧିକାରୀଙ୍କ ଫୋନ୍‍ ନମ୍ବର କାହାରିକୁ ଦେବାକୁ ଅନୁମତି ନଥିବା କହି କାମ ସାରି ଦେଉଛନ୍ତି। ଘଣ୍ଟା ଘଣ୍ଟା ବିଜୁଳି କାଟ୍‍ ହେଉଥିଲେ ମଧ୍ୟ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବା ସମ୍ଭବପର ହୋଇପାରୁ ନାହିିଁ ଗ୍ରାହକଙ୍କ ପାଇଁ। ରାଜ୍ୟ ସରକାର ବିଦ୍ୟୁତ୍‍ ବଣ୍ଟନ ଦାୟିତ୍ୱ ଟାଟା ପାୱାର ହାତକୁ ଟେକି ଦେବା ପରେ ଏଭଳି ହେଉଥିବାର ଅଭିଯୋଗ କରିଛନ୍ତି ଉପଭୋକ୍ତା । ପଇସାକୁ କୁ ପଇସା ଗଣୁଛନ୍ତି ତା ସହ ହନ୍ତସନ୍ତ ମଧ୍ୟ ହେଉଛନ୍ତି। ପୂର୍ବରୁ ବିଦ୍ୟୁତ୍‍ ବିଲ୍‍ରେ ତ୍ରୁଟି ହେଉ କିମ୍ବା ଦୀର୍ଘ ସମୟ ବିଜୁଳି କାଟ୍‍ ସମସ୍ୟାର ସମାଧାନ ପାଇଁ ବା ଅନ୍ୟ କିଛି କାର୍ଯ୍ୟରେ ଗ୍ରାହକ ଚାହିଁଲେ ସେସୁର ବରିଷ୍ଠ ଅଧିକାରୀଙ୍କ ସହିତ ସିଧାସଳଖ କଥା ହୋଇପାରୁଥିଲା । ବିଦ୍ୟୁତ୍‍ ବିଲ୍‍ ପଛପଟେ ମଧ୍ୟ ବରିଷ୍ଠ ଅଧିକାରୀଙ୍କ ଫୋନ୍‍ ନମ୍ବର ରହୁଥିଲା । କିନ୍ତୁ ଏବେ ତାହା ଆଉ ସମ୍ଭବ ହେଉନି ଏବେ କେବଳ ବିଜୁଳି ବିଲରେ ଗ୍ରାହକସେବା କେନ୍ଦ୍ରର ନମ୍ବର ରହୁଛି। ଗ୍ରାହକସେବା କେନ୍ଦ୍ରରୁ ବି ଆଉ ପୂର୍ବଭଳି ସେବା ମିଳୁନାହିଁ । ବିଶେଷକରି ସେସୁ ସମୟରେ ଯେପରି ଥରେ ଅଭିଯୋଗ ଦରଜ କଲେ ଗ୍ରାହକସେବା କେନ୍ଦ୍ରରୁ ବାରମ୍ବାର ଗ୍ରାହକଙ୍କୁ ଏହାର ସ୍ଥିତି ସଂକ୍ରାନ୍ତରେ ଅବଗତ କରାଯାଉଥିଲା ତାହା ହେଉନାହିଁ । ଓଲଟି ଗ୍ରାହକ ମାନଙ୍କୁ ବାରମ୍ବାର ଟେଲିଫୋନ୍‍ କରିବାକୁ ପଡୁଛି ନଚେତ୍ ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟ ବାରମ୍ବାର ଦୌଡ଼ିବାକୁ ପଡୁଛି। ତେବେ ସବୁଠାରୁ ବଡ କଥା ହେଉଛି ଯଦି କୌଣସି ଠାରେ ଗ୍ରାହକସେବା କେନ୍ଦ୍ରରେ ଅଭିଯୋଗ କରି ସମସ୍ୟାର ସମାଧାନ ନହେଲା ତେବେ ଉପରିସ୍ଥ ଅଧିକାରୀଙ୍କ ଫୋନ୍‍ ନମ୍ବର ମାଗିଲେ ଏହା ଦେବାକୁ ଆମେ ‘ଅଥରାଇଜ୍‍ଡ’ ନୁହେଁ ବୋଲି ଗ୍ରାହକସେବା କେନ୍ଦ୍ରର କର୍ମଚାରୀମାନେ ସଫା ସଫା ମନା କରି ଦେଉଛନ୍ତି ।
ତେବେ ବେପାରୀଙ୍କ ଭଳି ନିଜର ଲାଭ ଦେଖୁଛି କମ୍ପାନୀ, ଏବଂ ଟାଟା ପାୱାର କର୍ତ୍ତୃପକ୍ଷ ଯେତେ ତତ୍ପରତା ଦେଖାଉଛନ୍ତି ବିଲ୍ ଟଙ୍କା ସଂଗ୍ରହ ପାଇଁ ଗ୍ରାହକଙ୍କ ଅଭିଯୋଗ ସମାଧାନ ପାଇଁ ସେତିକି ଆଗ୍ରହ ହେଉ ନାହାନ୍ତି ବୋଲି ଅଭିଯୋଗ ହେଉଛି । ଯଦି କୌଣସି ଗ୍ରାହକ ଉପରିସ୍ଥ ଅଧିକାରୀଙ୍କ ନମ୍ବର ପାଇଁ ଜିଦ୍ ଧରୁଛନ୍ତି ତେବେ ତାଙ୍କୁ ଜାଣିଶୁଣି ସ୍ଥାନୀୟ ବିଦ୍ୟୁତ୍‍ ବିଭାଗ ଦପ୍ତରରେ ଥିବା ଲ୍ୟାଣ୍ଡ୍‍ଲାଇନ୍‍ ଟେଲିଫୋନ୍‍ ନମ୍ବର ଧରାଇ ଦିଆଯାଉଛି, ଯାହାକି ଅଧିକାଂଶ ସମୟରେ ବ୍ୟସ୍ତ କିମ୍ବା ଅଚଳ ରହିଥାଏ ।
କେବଳ ସେତିକି ନୁହେଁ ବର୍ତ୍ତମାନ ଲଘୁଚାପ ଜନିତ ବର୍ଷାକୁ ଆଳ କରି ଟିପିସିଓଡିଏଲ୍‍ କର୍ତ୍ତୃପକ୍ଷ ଗାଁ ଗହଳରେ ଘଣ୍ଟା ଘଣ୍ଟା ବିଜୁଳି କାଟ୍‍ କରୁଥିବାବେଳେ ଉପଭୋକ୍ତା ଗ୍ରାହକ ସେବା କେନ୍ଦ୍ରରେ ଅଭିଯୋଗ କରି ହାଲିଆ ହେଲେଣି ସିନା କୌଣସି ସମାଧାନ ମିକିପାରୁ ନାହିଁ । ଯଦି ସ୍ଥାନୀୟ ଯନ୍ତ୍ରୀ କିମ୍ବା ଅନ୍ୟ କୌଣସି ଅଧିକାରୀଙ୍କ ଟେଲିଫୋନ୍‍ ନମ୍ବର ଟାଟାପାୱାର କର୍ତ୍ତୃପକ୍ଷ ଜାରି କରନ୍ତେ ତେବେ ଲୋକେ ସିଧାସଳଖ ତାଙ୍କୁ ସମସ୍ୟା ସଂକ୍ରାନ୍ତରେ ଅବଗତ କରାଇ ପରାନ୍ତେ ।
କିନ୍ତୁ ଜାଣିଶୁଣି ହେଉ ବା ଅନ୍ୟ କାରଣରୁ ଟିପିସିଓଡିଏଲ୍‍ ପକ୍ଷରୁ ସ୍ଥାନୀୟ ଯନ୍ତ୍ରୀ କିମ୍ବା କୌଣସି ଅଧିକାରୀଙ୍କ ଟେଲିଫୋନ୍‍ ନମ୍ବର ଉପଭୋକ୍ତାଙ୍କ ଅବଗତି ନିମନ୍ତେ ଜାରି କରାଯାଉନାହିଁ । ଫଳରେ ଠିକଣା ସମୟରେ ବିଲ୍‍ ପଇଠ କରୁଥିବା ଗାଁ ଗହଳର ଲୋକେ ନିଜ ନିଜର ସମସ୍ୟା ସମାଧାନରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବାବେଳେ ଏହାକୁ ନେଇ ଏବେ ସେମାନଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: