ସୀମାନ୍ତ ଗାଁ ଅଭିଶାପ ନା ଆଶୀର୍ବାଦ? ଦୁଇଟି ସରକାର, ଦୁଇଥର ମତଦାନ

ସୀମାନ୍ତ ଗାଁ ଅଭିଶାପ ନା ଆଶୀର୍ବାଦ? ଦୁଇଟି ସରକାର, ଦୁଇଥର ମତଦାନ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଓଡ଼ିଶାର ସୀମାନ୍ତବର୍ତ୍ତୀ ଯେଉଁ ଗାଁଗୁଡିକରେ ଆନ୍ଧ୍ରପ୍ରଦେଶ ପଞ୍ଚାୟତ ନିର୍ବାଚନ କରିଛି ସେସବୁ ଗାଁରେ ଓଡ଼ିଶା ମଧ୍ୟ ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନ କରିବା ପାଇଁ ପ୍ରସ୍ତୁଟି ଚଳାଇଛି । ଏବେ ନିର୍ବାଚନ ଲାଗି କେଉଁ ଆସନ କେଉଁ ବର୍ଗଙ୍କ ଲାଗି ସଂରକ୍ଷିତ ରହିବ ସେ ସଂକ୍ରାନ୍ତରେ ଜିଲ୍ଲା ଓ ରାଜ୍ୟସ୍ତରରେ ଯେଉଁ ଚିଠା ପ୍ରସ୍ତାବ ପ୍ରକାଶ ପାଇଛି ସେଥିରେ ବି ଏହି ଗାଁ ସହିତ ସଂପୃକ୍ତ ପଞ୍ଚାୟତ ଏବଂ ଜିଲ୍ଲା ପରିଷଦ ଜୋନର ନାମ ରହିଛି ।
ଗତ ଫେବୃୟାରୀ ମାସରେ ଆନ୍ଧ୍ର ସରକାର କୋରାପୁଟର ପଟାଙ୍ଗୀ ବ୍ଳକ୍‍ ଅନ୍ତର୍ଗତ ପାଟୁସିନାରୀ ସମେତ କେତେକ ଗାଁରେ ପଞ୍ଚାୟତ ନିର୍ବାଚନ କରାଇଥିଲେ । ଏ ପ୍ରସଙ୍ଗରେ ଓଡ଼ିଶା ସରକାର ସୁପ୍ରିମକୋର୍ଟରେ ରୁଜୁ କରିଥିବା ଅଦାଲତ ଅବମାନନା ମାମଲା ବିଚାରାଧୀନ ଥିଲେ ବି ସେଥିପ୍ରତି ଆନ୍ଧ୍ର ସରକାର ଖାତିର ନକରି ନିର୍ବାଚନ କରିଥିଲେ । ଓଲଟା ଓଡ଼ିଶା ସରକାର ଯେଉଁ ଅଭିଯୋଗ ଆରମ୍ଭ କରିଥିଲେ ଆନ୍ଧ୍ର ତାହାର ଜବାବ ଦେବା ପରେ ଓଡ଼ିଶା ମଧ୍ୟ ପ୍ରତିଜବାବ ଦାଖଲ କରିଥିଲା । ଏଭଳି ଅବସ୍ଥାରେ ଥିବାବେଳେ ଅପ୍ରତ୍ୟାଶିତ ଭାବେ ଆନ୍ଧ୍ର ନିର୍ବାଚନୀ ଫଳାଫଳ ଘୋଷଣା କରିଥିଲା । କେବଳ ସେତିକି ନୁହେଁ, ଆନ୍ଧ୍ରର ଅଧିକାରୀ, ନିର୍ବାଚିତ ପ୍ରତିନିଧି ଏମିତିକି ଆନ୍ଧ୍ରର ମନ୍ତ୍ରୀ ବି ଓଡ଼ିଶାର ସୀମାନ୍ତବର୍ତ୍ତୀ ଗାଁରେ ବାରମ୍ବାର ଅନୁପ୍ରବେଶ କରି ଲୋକଙ୍କୁ ବିଭ୍ରାନ୍ତ କରିବା ସହ ନିଜ ଆଡକୁ ଟାଣିବା ପାଇଁ ଅନେକ ଲୋଭନୀୟ କାର୍ଯ୍ୟକ୍ରମ, ଯୋଜନା, ରାସନ୍ କାର୍ଡ ବଣ୍ଟନ କରୁଛନ୍ତି । ଅନେକ ସମୟରେ ଓଡ଼ିଶା ପକ୍ଷରୁ ଏହାର ବିରୋଧ ବେଳେ ସୀମାନ୍ତବର୍ତ୍ତୀ ଗାଁରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେଉଛି ମଧ୍ୟ।
କେବଳ କୋରାପୁଟ ନୁହେଁ ଗଞ୍ଜାମ ଓ ଗଜପତି ଜିଲ୍ଲାର କେତେକ ଗାଁ ଉପରେ ମଧ୍ୟ ଆନ୍ଧ୍ର ତାହାର ଲୋଲୁପ ଦୃଷ୍ଟି ପକାଇଛି । କୋରାପୁଟ ଜିଲ୍ଲାର ପଟାଙ୍ଗୀ ଅନ୍ତର୍ଗତ ୨୨ଟି ଗାଁ ଓ ୧୨ଟି ପଡାଗାଁକୁ ନେଇ ଆନ୍ଧ୍ର ବାରମ୍ବାର ବିବାଦ ସୃଷ୍ଟି କରୁଛି । ସୁପ୍ରିମକୋର୍ଟରେ ୧୯୬୮ ମସିହାରେ ଓଡ଼ିଶା ପକ୍ଷରୁ ରୁଜୁ ହୋଇଥିବା ସୀମା ବିବାଦ ସଂକ୍ରାନ୍ତୀୟ ଦୁଇଟି ମାମଲାର ଫଇସଲା ହୋଇଛି । ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ଦ୍ୱାରା ସମାଧାନ ନହେବା ପର୍ଯ୍ୟନ୍ତ ସ୍ଥିତାବସ୍ଥା ବଜାୟ ରଖିବାକୁ ସୁପ୍ରିମକୋର୍ଟ ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିବା ସତ୍ତ୍ୱେ ଆନ୍ଧ୍ର ତାହାର ଉଲ୍ଳଂଘନ ବାରମ୍ବାର କରୁଛି ।
ସେହିପରି ଗଞ୍ଜାମ ଜିଲ୍ଲାର ଅନ୍ୟୂନ ୨୦ଟି ଗାଁ ଓ ତୁମ୍ବା ସଂରକ୍ଷିତ ଜଙ୍ଗଲକୁ ନେଇ ଆନ୍ଧ୍ର ସୀମା ବିବାଦ ସୃଷ୍ଟି କରିଛି। ଗଜପତି ଜିଲ୍ଲାର ୧୫ଟି ଗାଁ ସମେତ କିଞ୍ଚଲିଙ୍କି ସଂରକ୍ଷିତ ଜଙ୍ଗଲକୁ ନେଇ ବି ବାରମ୍ବାର ଆନ୍ଧ୍ର ସୀମା ବିବାଦ ଉଠାଉଛି । ରାୟଗଡା ଜିଲ୍ଲାର ୫ଟି ଗାଁରେ ବି ଆନ୍ଧ୍ର ଅନୁପ୍ରବେଶ କରୁଛି ।
୨୦୦୬ ମସିହାରୁ ସୁପ୍ରିମକୋର୍ଟ ସ୍ଥିତାବସ୍ଥା ବଜାୟ ରଖିବା ସହିତ ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ଦ୍ୱାରା ସୀମା ବିବାଦ ସମାଧାନ କରିବା ପାଇଁ କହିଥିଲେ ବି ଦୁଇ ରାଜ୍ୟକୁ ଡକାଇ କେନ୍ଦ୍ର ସରକାରଙ୍କ ଉପଯୁକ୍ତ କର୍ତ୍ତୃପକ୍ଷ ଏହାର ସମାଧାନ କରୁନାହାନ୍ତି । ଫଳରେ ସୀମାନ୍ତବର୍ତ୍ତୀ ଅନେକ ଗାଁର ଲୋକେ ଦ୍ବନ୍ଦରେ ରହିବା ସହ ଦୁଇଟି ରାଜ୍ୟର ଆଇନ୍ କାନୁନ୍, ଶାସନ ବ୍ୟବସ୍ଥାରେ ଛନ୍ଦି ହୋଇ ପଡିଛନ୍ତି। ଆନ୍ଧ୍ରର ଦାଦାଗିରିକୁ ଯେଉଁ ଲୋକେ ବିରୋଧ କରୁଛନ୍ତି ସେମାନଙ୍କ ବିରୋଧରେ ଆନ୍ଧ୍ର ପୋଲିସ ନିଜ ଥାନାରେ ଫୌଜଦାରୀ ମାମଲା ରୁଜୁ କରାଇ ହଇରାଣ ହରକତ କରୁଥିବାର ଅଭିଯୋଗ ମଧ୍ୟ ହୋଇଛି ।
ଏବେ କିଛିଦିନ ଧରି ଗଜପତି ଓ କୋରାପୁଟ ଜିଲ୍ଳାର ସୀମାନ୍ତବର୍ତ୍ତୀ କେତେକ ଗାଁରେ ଆନ୍ଧ୍ର ସଭାସମିତି, କରିବା ସହ ରାସନ କାର୍ଡ, ଋଣ ଓ ଅନ୍ୟାନ୍ୟ ଆର୍ଥିକ ସହାୟତା ବାଣ୍ଟି ନିରୀହ ଲୋକଙ୍କୁ ନିଜ ପଟିଆ କରିବା ପାଇଁ ଷଡଯନ୍ତ୍ର କରୁଛି । ଏହାଛଡା ଆନ୍ଧ୍ରରେ ଥିବା ଓଡ଼ିଆ ମାଧ୍ୟମ ବିଦ୍ୟାଳୟଗୁଡିକୁ ବି ଅଣଦେଖା କରାଯାଉଛି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: