ନେତାଙ୍କୁ ଦୁଆର ମନା, ଘର ଆଗରେ ପୋଷ୍ଟର

ନେତାଙ୍କୁ ଦୁଆର ମନା, ଘର ଆଗରେ ପୋଷ୍ଟର

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଘର କାନ୍ଥରେ ପୋଷ୍ଟର । କାହାକୁ ଭୋଟ ଦେବାକୁ କି କୌଣସି ବିଜ୍ଞାପନର ସୂଚନ ଦେବାକୁ ନୁହେଁ । ବରଂ ନେତାଙ୍କୁ ଦୁଆର ମନା କରି ଲାଗିଛି ଏହି ପୋଷ୍ଟର । ଜଣେ ଫନି କ୍ଷତିଗ୍ରସ୍ତ ପରିବାର ଘର ଦୁଆର କାନ୍ଥରେ ପୋଷ୍ଟର ଲଗାଇ, ଲେଖିଛନ୍ତି, ମୁଁ ଫନିଗ୍ରସ୍ତ । ଫନି ସହାୟତାରୁ ବଞ୍ଚିତ ଅଟେ, ମୋର ଭଙ୍ଗା କୁଡ଼ିଆର ଦ୍ବାରକୁ କୌଣସି ରାଜନେତାମାନେ ଭୋଟ ମାଗିବା ପାଇଁ ଦୟା କରି ଆସନ୍ତୁ ନାହିଁ । ଏତିକି ମୋର ବିନମ୍ର ଅନୁରୋଧ ।
ସୋସିଆଲ ମିଡିଆରେ ଏହି ପୋଷ୍ଟର ଭାଇରାଲ୍ ହେବାରେ ଲାଗିଛି । ଗ୍ରୀଷ୍ମ ତାତି ସାଙ୍ଗକୁ ପିପିଲି ଉପନିର୍ବାଚନ ତାତି ମଧ୍ୟରେ ଏହି ପ୍ରତିବାଦ ପୋଷ୍ଟର ରାଜନୈତିକ ମହଲରେ କମ୍ପନ ସୃଷ୍ଟି କରିଛି । ଡ଼େଲାଙ୍ଗ ଚାଇଁପୁର ଗାଁରେ ଦେଖିବାକୁ ମିଳିଛି ଏଇ ନିଆରା ପ୍ରତିବାଦ। ନେତାମାନେ ବିକାଶର କଥା ସହ ଗଦା ଗଦା ପ୍ରତିଶ୍ରୁତିର ମୁଖା ଖୋଲିଛି କହିଲେ ଭୁଲ୍ ହେବନି ।
ଏଭଳି ନିଆରା ପ୍ରତିବାଦ କରିଛନ୍ତି ଡେଲାଙ୍ଗ ବ୍ଲକ ଚାଇଁପୁର ପଂଚାୟତର ୭ ନମ୍ବର ୱାର୍ଡର ଲୋକମାନେ । ଗୋଟିଏ କି ଦୁଇଟି ଘର ଆଗରେ ଏହି ପୋଷ୍ଟର ଲାଗିନି ବରଂ ପୁରା ୱାର୍ଡରେ ସମସ୍ତଙ୍କ ଘର ଆଗରେ ଏହି ପୋଷ୍ଟର ଦେଖିବାକୁ ମିଳିଛି । ଏହି ୱାର୍ଡ ଲୋକଙ୍କୁ ଏ ପର୍ଯ୍ୟନ୍ତ ଦୁଇ ବର୍ଷ ତଳେ ହୋଇଥିବା ଫନି ବାତ୍ୟାର ସହାୟତା ଟଙ୍କା ମିଳିନାହିଁ । ଏପରିକି ଅନେକ ଲୋକଙ୍କ ବ୍ୟାଙ୍କ ଖାତା ହୋଲ୍ଡ ହୋଇ ପଡ଼ିଥିବାର ଜଣାପଡିଛି। ତେଣୁ ସେମାନେ ଏହିଭଳି ନିଆରା ପ୍ରତିବାଦ କରିଥିବାର କହିଛନ୍ତି। କେବଳ ସେତିକି ନୁହେଁ, ଗାଁର ଅନ୍ୟ କେତେକ ଲୋକ ବାର୍ଦ୍ଧକ୍ୟ ଭତ୍ତା ଟଙ୍କାରୁ ବଞ୍ଚିତ ଅଛନ୍ତି । ଯାହା ପାଇଁ ଏଭଳି ନିଆରା ପ୍ରତିବାଦ ଆପଣେଇଛନ୍ତି ଏହି ୱାର୍ଡର ଲୋକେ। ଗାଁରେ କୌଣସି ରାଜନେତାଙ୍କୁ ପୁରାଇ ଦିଆଯିବ ନାହିଁ ବୋଲି ଗାଁର ଲୋକେ ଘର ଆଗରେ ପୋଷ୍ଟର ଲଗାଇ ପ୍ରତିବାଦ କରିଛନ୍ତି। ତେବେ ଉକ୍ତ ୱାର୍ଡ ଲୋକଙ୍କ ପ୍ରତିବାଦର ପୋଷ୍ଟର ଏବେ ସୋସିଆଲ ମିଡ଼ିଆ ସହ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: