ପିପିଲି ଉପନିର୍ବାଚନ: ଦଳ ଯୋଗୁ ହତୋତ୍ସାହିତ ଆଶ୍ରିତ

ପିପିଲି ଉପନିର୍ବାଚନ: ଦଳ ଯୋଗୁ ହତୋତ୍ସାହିତ ଆଶ୍ରିତ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଆସନ୍ତା ୩୦ ତାରିଖରେ ପିପିଲି ଉପନିର୍ବାଚନ ହେବାକୁ ଯାଉଛି। ହେଲେ ଗତ ଏପ୍ରିଲ-ମେ’ ମାସରେ ବିଜେପି ଯେପରି ସୁଦୃଢ଼ ଦେଖା ଯାଉଥିଲା, ବର୍ତ୍ତମାନ ତାହା ମନେ ହେଉନାହିଁ। ସେ ସମୟରେ ଫନି ଅସନ୍ତୋଷ, ବିଜେଡି ତୃଣମୂଳ କର୍ମୀଙ୍କର କାଣ୍ଡ କାରନାମା ଯୋଗୁ ପ୍ରଭାରୀମାନଙ୍କୁ ନାନା ପ୍ରଶ୍ନର ଉତ୍ତର ଦେବାକୁ ପଡୁଥିଲା। ହେଲେ କୋରୋନା କାରଣରୁ ମିଳିଥିବା ମଧ୍ୟାନ୍ତର ବିଜେଡିକୁ ଅଧିକ ସଶକ୍ତ କରିଥିବା ମନେ ହେଉଛି।


ସ୍ଥଗିତ ଥିବା ନିର୍ବାଚନ ଘୋଷଣା ହେବା ପରେ ବିଜେଡି ଶିବିରରେ ଯେଉଁ ଉତ୍ସୁକତା ଦେଖା ଦେଇଛି, ତାହା ବିଜେପି ଶିବିରରେ ନାହିଁ। ଏହାର ପ୍ରମୁଖ କାରଣ ହେଉଛି ବିଜେପି ମଧ୍ୟାନ୍ତରରେ ସଂଗଠନ ପ୍ରତି କୌଣସି ଦୃଷ୍ଟି ଦେଲା ନାହିଁ। ଯେଉଁ ସମୟରେ ଆଶ୍ରିତ ପଟ୍ଟନାୟକ ପ୍ରଚାର କରିବା କଥା, ସେହି ସମୟରେ ତାଙ୍କୁ କେନ୍ଦ୍ର ମନ୍ତ୍ରୀଙ୍କୁ ସ୍ବାଗତ କରିବା, ମଣ୍ଡଳ ବୈଠକ କରିବା, ସଂଘ ପାଇଁ ଚାନ୍ଦା ଆଦାୟ କରିବା ଇତ୍ୟାଦିରେ ଲଗାଗଲା। ଆଶ୍ରିତ ଶୀର୍ଷ ନେତୃତ୍ବମାନଙ୍କ ମଧ୍ୟରେ ଥିବା କଳହର ଶିକାର ହେଲେ। ଫଳରେ ବିଜେପିର ରାଜ୍ୟସ୍ତରୀୟ ଶୀର୍ଷ ନେତା ଗୋଟିଏ ମଞ୍ଚରେ ଏକାଠି ହୋଇ ଆଶ୍ରିତଙ୍କ ପାଇଁ ପ୍ରଚାର କରିବା ପ୍ରଥମାର୍ଦ୍ଧରେ ଦେଖା ଯାଇ ନ ଥିଲା।


ନିର୍ବାଚନକୁ ଆଉ କମ୍ ସମୟ ରହିଛି। ଏତେ ସମୟ ଭିତରେ ଅସଜଡ଼ା ଘରକୁ ବିଜେପି ଯେ ସମ୍ଭାଳି ପାରିବ, ତାହା ହୃଦବୋଧ ହେଉନାହିଁ। ୨୦୧୯ରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ରାଜ୍ୟରେ ଲୋକସଭା ଓ ବିଧାନସଭା ଭୋଟ୍ ଏକାସାଙ୍ଗେ ହୋଇଥିଲା। ଜାତୀୟ ସ୍ତରରେ ଅସଙ୍ଗଠିତ ବିରୋଧୀ ସେ ସମୟରେ ପୁଲୱାମା ଆକ୍ରମଣ ଓ ସମ୍ବିତ ପାତ୍ରଙ୍କ ପୁରୀ ଲୋକସଭାରୁ ପ୍ରାର୍ଥିତ୍ବ ବିଜେପି ପାଇଁ ଭୋଟ୍ ଗୋଟାଇ ପାରିଥିଲା। ଇତି ମଧ୍ୟରେ ଧଉଳି କୂଳରେ ଥିବା ମହାନଦୀରେ ବହୁତ ପାଣି ବୋହି ଗଲାଣି। କୋରୋନାର ଦୁଇଟି ଲହର, ଯୁବକମାନେ ଆଶାନୁରୂପ ଚାକିରୀ ନ ପାଇବା, ପେଟ୍ରୋଲ, ଡିଜେଲ ଓ ଖାଇବା ତେଲର ଦରବୃଦ୍ଧି ଦଳକୁ ବ୍ୟାକଫୁଟରେ ରଖିଛି। ବିଜେଡି ବିରୋଧରେ ପ୍ରସଙ୍ଗର ସମାହାର ଥିଲେ ବି ତାହାକୁ ବିଜେପି ଆୟୁଧ କରି ରାଜନୈତିକ ଫାଇଦା ହାସଲ କରିବ, ତାହା ମନେ ହେଉନାହିଁ। ଯେଉଁ ବିଜେପି ନେତାମାନେ ବିଜେଡି-ବିଜେପି ମଧ୍ୟରେ ଭୋଟ୍ ବ୍ୟବଧାନ ୬ରୁ ୮ ହଜାର ରହିପାରେ ବୋଲି କହୁଥିଲେ, ସେମାନେ ବର୍ତ୍ତମାନ ବିଜୟ ବ୍ୟବଧାନ ୨୨ରୁ ୨୫ ହଜାର ଟପିପାରେ ବୋଲି ମତ ଦେଇଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: