ଗେହଲଟ-ପାଇଲଟ କଳି, ନ ଦେଖିଲା ଓଉ ଛ’ ଫଡ଼ା !

ଗେହଲଟ-ପାଇଲଟ କଳି, ନ ଦେଖିଲା ଓଉ ଛ’ ଫଡ଼ା !

ପ୍ରିଜମ ନ୍ୟୁଜ୍(ସଂପାଦକୀୟ): ରାଜସ୍ଥାନ ରାଜନୀତିରେ ଦେଖିବାକୁ ମିଳିଛି ଅଶାନ୍ତିର ବିରାଟ ଝଡ଼। ୨୦୧୮ ମସିହା ସରକାର ଗଠନ ପୂର୍ବରୁ କଂଗ୍ରେସରେ ଦେଖା ଦେଇଥିବା ଗେହଲଟ-ପାଇଲଟ କଳି ଏବେ ଏକ ନୂଆ ରୂପ ନେବାକୁ ଯାଉଛି । ଭାରତ ରାଜନୀତି ଇତିହାସରେ ହୁଏତ ଏହି ଚ୍ୟାପ୍ଟର ବି ଭବିଷ୍ୟତରେ ଲିପିବଦ୍ଧ ହୋଇ ରହିବ । ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ନିଜ ସମର୍ଥକ ବିଧାୟକଙ୍କୁ ନେଇ ଦିଲ୍ଲୀରେ ପହଞ୍ଚିଛନ୍ତି । ଶୁଣିବାକୁ ମିଳୁଛି, କୁଆଡ଼େ ବାବୁ ଉଭୟ ସୋନିଆ ଏବଂ ଅମିତ ଶାହଙ୍କ ସହ ଡିଲ୍ କରୁଛନ୍ତି । ସୋନିଆ ଯଦି ସର୍ତ୍ତରେ ରାଜି ନ ହୁଅନ୍ତି, ତେବେ ବାବୁ ଭୋପାଳ ରାଜକୁମାରଙ୍କ ଭଳି ଗେରୁଆ ଅବତାର ଧାରଣ କରିବେ । ସେ କଥା ତ ସମୟ କହିବ, କିନ୍ତୁ ପାଇଲଟ ଯଦି ବିଜେପିରେ ସାମିଲ ହୁଅନ୍ତି, ତେବେ ରାଜସ୍ଥାନ କଂଗ୍ରେସ ପାଇଁ ଏହା ମହଙ୍ଗା ସାବ୍ୟସ୍ତ ହେବ ।

ଗେହଲଟ ଓ ପାଇଲଟଙ୍କ ମଧ୍ୟରେ ଚାଲିଥିବା ଖଣ୍ଡଯୁଦ୍ଧକୁ ବରିଷ୍ଠ କଂଗ୍ରେସ ନେତାମାନେ ସ୍ୱୀକାର କରିଛନ୍ତି । ଦଳର ଜଣେ ବରିଷ୍ଠ ନେତା କହିଛନ୍ତି ଯେ, ଗତ ଦେଢ଼ ବର୍ଷ ଭିତରେ ଦୁଇ ନେତାଙ୍କ ମଧ୍ୟରେ ଅନେକ ଥର ମତାନ୍ତର ହୋଇଛି । ସେହିପରି ଏଆଇସିସିର ଜଣେ ବରିଷ୍ଠ ନେତା ମଧ୍ୟ ସମୟ ଉପରେ ଭରସା କରିବାକୁ କହିଛନ୍ତି । କେତେବେଳେ ବି କିଛି ହୋଇପାରେ ବୋଲି ସେ କହିଛନ୍ତି । ତେବେ ସଚିନ ପାଇଲଟ ଯଦି କଂଗ୍ରେସ ଛାଡ଼ି ଦିଅନ୍ତି, ତେବେ ରାଜସ୍ଥାନ କଂଗ୍ରେସରେ ଏକ ବିରାଟ ବିପତ୍ତି ମାଡ଼ି ବସିବ । କାରଣ, ବହୁ ଯୁବନେତା ସେମାନଙ୍କ ଭବିଷ୍ୟତକୁ ନେଇ ଚିନ୍ତିତ ଅଛନ୍ତି । ୨୦୧୮ ମସିହାରେ କଂଗ୍ରେସ ଠିକ୍ ପାୱାରକୁ ଆସିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦ ନେଇ ଗେହଲଟ ଓ ପାଇଲଟଙ୍କ ମଧ୍ୟରେ ତିକ୍ତତା ଦେଖା ଦେଇଥିଲା । ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ଚୟନକୁ ନେଇ ମଧ୍ୟ ଦୁଇ ନେତା କଥା କଟାକଟି ହୋଇଥିଲେ । ୨୦୧୩ ପରେ କଂଗ୍ରେସ ଯେତେବେଳେ ମୁଣ୍ଡ ଟେକିବା ଆରମ୍ଭ କରିଥିଲା, ସେତେବେଳେ ସଚିନ ପାଇଲଟଙ୍କୁ ଦଳ ରାଜ୍ୟ ସଭାପତି କରିଥିଲା । ଏହାର ଠିକ୍ ମାସେ ପରେ ହିଁ ପାଇଲଟ ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ ଦେଖିଥିଲେ । ମାତ୍ର, ୨୦୧୮ ନିର୍ବାଚନ ପରେ ଅଶୋକ ଗେହଲଟଙ୍କୁ ମୁଖ୍ୟମନ୍ତ୍ରୀ କରିବା ନେଇ ହାଇକମାଣ୍ଡ ଯେତେବେଳେ ଘୋଷଣା କରିଥିଲେ, ସେହି ସମୟରୁ ହିଁ ସଚିନ ପାଇଲଟଙ୍କ ମୁଣ୍ଡ ଗରମ ହେବା ଆରମ୍ଭ ହୋଇଥିଲା । ଧୀରେଧୀରେ ଏହି ଅଶାନ୍ତି ବଢ଼ିବାରେ ଲାଗିଲା ଏବଂ ଦୁଇ ନେତାଙ୍କ ମଧ୍ୟରେ ତିକ୍ତତା ତୀବ୍ର ରୂପ ନେବାରେ ଲାଗିଲା । ସେହିପରି ମନ୍ତ୍ରିମଣ୍ଡଳ ସଂପ୍ରସାରଣ ସମୟରେ ଅର୍ଥ ଓ ଗୃହ ସମେତ ୯ଟି ବିଭାଗ ଗେହଲଟ ନିଜ ହାତରେ ରଖିଥିଲେ, ଯାହା ପାଇଲଟଙ୍କୁ ଆହୁରି ଅଶାନ୍ତ କରି ଦେଇଥିଲା ।

ଲୋକସଭା ନିର୍ବାଚନ ସମୟରେ ଗେହଲଟ ତାଙ୍କ ପୁଅ ବୈଭବଙ୍କୁ ଲାଇମ୍ ଲାଇଟରେ ଆଣିବାର ଇଚ୍ଛା ଥିଲା ଦୁଇ ନେତାଙ୍କ କଳିର ପରବର୍ତ୍ତୀ ଅଧ୍ୟାୟ । କାରଣ, ବୈଭବଙ୍କୁ ଯୋଧପୁର ଆସନରୁ ନିର୍ବାଚନ ଲଢ଼ାଇବା ଓ ତାଙ୍କ ପାଇଁ ସବୁ ଫୋକସ୍ ଅଜାଡ଼ି ଦେଇଥିବା, ପାଇଲଟ ପରବର୍ତ୍ତୀ ସମୟରେ ଅଭିଯୋଗ ଆଣିଥିଲେ । ଏହାପରେ ୨୦୧୯ରେ ମେୟର ନିର୍ବାଚନ ଏବଂ ଡିସେମ୍ୱରରେ ସରକାରର ଏକ ବର୍ଷ ପୂର୍ତ୍ତି ଅବସରରେ ମଧ୍ୟ ପାଇଲଟ, ଗେହଲଟଙ୍କ ବିରୋଧରେ ନାନା ମନ୍ତବ୍ୟ ଦେଇଥିଲେ । ଏହାପରେ କୋଟା ଶିଶୁ ମୃତ୍ୟୁ ଘଟଣାକୁ ନେଇ ଗେହଲଟ ଓ ସରକାରଙ୍କ ଉପରେ ପାଇଲଟ ଅଭିଯୋଗ ଆଣିଥିଲେ । ପୂର୍ବ ସରକାରକୁ ଦୋଷାରୋପ ନ କରି ନିଜ ସରକାରକୁ ସୁଧାରିବା ଦରକାର ବୋଲି ପାଇଲଟ କହିଥିଲେ । ସେହିପରି ନିକଟରେ ଶେଷ ହୋଇଥିବା ରାଜ୍ୟସଭା ନିର୍ବାଚନ ସମମୟରେ ମଧ୍ୟ ପାଇଲଟ ଓ ଗେହଲଟଙ୍କ ମଧ୍ୟରେ ମତାନ୍ତର ଦେଖିବାକୁ ମିଳିଥିଲା । ତେଣୁ, ଏସବୁକୁ ଦେଖି ଏବେ ରାଜନୈତିକ ଅସ୍ଥିରତା କେଉଁ ଦିଗକୁ ଗତି କରୁଛି, ତାହା ଦେଖିବା କଥା । ଅମିତ ଶାହଙ୍କ ସହ ଡିଲ୍ ଛିଣ୍ଡିଲେ, ପାଇଲଟ ହୁଏତ ବିଜେପିରେ ସାମିଲ ହୋଇ ପାରନ୍ତି । ବିଜେପି ଯଦି ତାଙ୍କୁ ଆଣିବାକୁ ତାହୁଁଛି, ତେବେ ପାଇଲଟ ବଡ଼ ସର୍ତ୍ତ ରଖିପାରନ୍ତି । ଆଉ ତାକୁ ପୂରଣ କରିବାକୁ ଯାଇ ବିଜେପି ମଧ୍ୟ ତାଙ୍କୁ ଢେର୍ ସାରା ପ୍ରତିଶ୍ରୁତି ଦେବ । କିନ୍ତୁ, ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଭଳି ବାବୁ ପାଇଲଟ ବି ଗେରୁଆ ଦଳର କେଉଁ ଏକ କୋଣକୁ ଠେଲି ହୋଇଯିବେନି ତ ! ଆଉ ଯଦି କୋଣଠେସା ହୋଇ ରହିଯିବେ, ତେବେ ସେତେବେଳକୁ ନ ଦେଖିଲା ଓଉ ଛଅ ଫଡ଼ା ଭଳି ପସ୍ତାଇ ହେଉଥିବେ । କାରଣ, ଧୈର୍ଯ୍ୟ ହିଁ ମଣିଷକୁ ସଫଳତା ଦେଇଥାଏ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: