(କିମାଶ୍ଚର୍ଯ୍ୟମ୍-୧୭)- ଆପଣ ଖବର ନୁହନ୍ତି!

ଏବେ ହୁଏତ ଆପଣଙ୍କ ମନକୁ ଏ ପ୍ରଶ୍ନ ଆସୁଥାଇ ପାରେ। ଯଦି ଆପଣ ଖବର ନୁହଁନ୍ତି, ତାହାଲେ ଆପଣ କଣ? ଆପଣ କଣ କେବଳ ନିରବ ଉପଭୋକ୍ତା? ଉପଭୋକ୍ତା ଶବ୍ଦଟି ଯଦି କାନକୁ ଭଲ ଶୁଣା ଯାଉନି ତାହା ହେଲେ ଖବର ଶିଳ୍ପ ପାଇଁ ଆପଣ ବେଶୀରେ ବେଶୀ, କର୍ପୋରେଟ ସୋସିଆଲ ରେସପନସିବିଲିଟି/ କର୍ପୋରେଟ ସାମାଜିକ ଦାୟିତ୍ୱବଦ୍ଧତା।

(ପରଂବ୍ରହ୍ମ ତ୍ରିପାଠୀ)-

ଆର୍ଯ୍ୟନ ଖାନ ଅର୍ଥର ରୋଡ଼ କାରାଗାରରୁ ବାହାରିଲା ଦିନ ଆକୁମାରୀ ହିମାଚଳ ପାଖାପାଖି ନବେ ପ୍ରତିଶତ ଖବର ପ୍ରସାରଣ ସଂସ୍ଥା ଜେଲରୁ ମନ୍ନତ ପର୍ଯ୍ୟନ୍ତ ଦୃଶ୍ୟର ସିଧା ପ୍ରସାରଣ କଲେ। ଏହାକୁ ନେଇ ସାମାଜିକ ଗଣମାଧ୍ୟମରେ ଅନେକ ତର୍କ ବିତର୍କ ସୃଷ୍ଟି ହେଲା। ଜଣେ ଡ୍ରଗ୍ସ ମାମଲାରେ କାରାଗାରରୁ ଜାମିନ ପାଇ ଘରକୁ ଆସିଲା, ସେଇଟା କେମିତି ପ୍ରାୟ ସମସ୍ତ ଖବର ସଂସ୍ଥା ପାଇଁ ମୁଖ୍ୟ ଖବର ହୋଇଗଲା? ଏ ପ୍ରଶ୍ନଟି ଅଯୌକ୍ତିକ ନୁହେଁ। ମାତ୍ର ପ୍ରଶ୍ନ ଉଠାଉଥିବା ବ୍ୟକ୍ତିବିଶେଷମାନେ ମଧ୍ୟ କିଛି ମୌଳିକ ଭ୍ରାନ୍ତିର ଶିକାର। ସେଇଟି ହେଲା, ସାଧାରଣଙ୍କ ସମସ୍ୟା କଣ ଖବର ଶିଳ୍ପ ପାଇଁ ଗୌଣ ଓ ଆର୍ଯ୍ୟନ ଖାନ ଗୁରୁତ୍ୱପୂର୍ଣ୍ଣ? ସେହି ଭ୍ରାନ୍ତିକୁ କେନ୍ଦ୍ରରେ ରଖି ଖବରଶିଳ୍ପ ଓ ଜନସାଧାରଣଙ୍କ ଭିତରେ ମୌଳିକ ସମ୍ପର୍କଟି କଣ ତାହା ଉପରେ ଏ ଆଲୋଚନା।

ଆମ ଭିତରୁ ଅନେକଙ୍କ ଧାରଣା ଯେ ଆମେ ବାସ କରୁଥିବା ସମାଜଟି ହିନ୍ଦୁ, ମୁସଲିମ, ଖ୍ରୀଷ୍ଟିୟାନ, ଶିଖ ବା ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ, ଶୁଦ୍ର, ଧନୀ, ମଧ୍ୟବିତ୍ତ, ଗରିବ ଆଦି ଅନେକ ବର୍ଗରେ ବିଭକ୍ତ। ଟିକେ ନିରେଖି ଦେଖିଲେ ଜଣା ପଡିବ ଯେ ସାମାଜିକ ବର୍ଗୀକରଣ ସେମିତି ଜଟିଳ ଆଦୌ ନୁହେଁ। ଆମ ସମାଜଟି ସ୍ପଷ୍ଟ ଭାବେ ଦୁଇଟି ବର୍ଗରେ ହିଁ ବିଭକ୍ତ। ପ୍ରଥମଟି ପ୍ରଭୁବର୍ଗ ଓ ଦ୍ୱିତୀୟଟି ସେବକ ବା ଭୃତ୍ୟବର୍ଗ। ପ୍ରଭୁବର୍ଗ କହିଲେ ମୋଟାମୋଟି ସମାଜର ସେହି ଏକ ପ୍ରତିଶତ ଅପ୍ରମିତ ପ୍ରତାପଶାଳୀଙ୍କୁ ବୁଝାଏ ଯାହାଙ୍କ ନିଷ୍ପତ୍ତି ଓ କଲମମୂନରେ ଏକ ବିଶାଳ ଭୂଖଣ୍ଡ ଓ ତାହାର ଅଧିବାସୀମାନଙ୍କ ଭାଗ୍ୟ, ଭବିତବ୍ୟ ଓ ଭବିଷ୍ୟତ ନିର୍ଦ୍ଧାରିତ ହୁଏ। ସେମାନେ, ସେମାନଙ୍କର ପରିବାର ଓ ବନ୍ଧୁସ୍ୱଜନଙ୍କୁ ନେଇ ତିଆରି ହୁଏ ପ୍ରଭୁବର୍ଗ। ବାକି ୯୯ପ୍ରତିଶତ ଆମେ ସମସ୍ତେ ହେଲେ ସେବକ ବର୍ଗ। ଆପଣ ଏଇଠି ପଚାରି ପାରନ୍ତି ଯେ ମୁଁ ମାସକୁ ଦେଢ଼ ଲକ୍ଷ ଦରମା ପାଉଛି, ପଚାଶ କୋଟିର ବ୍ୟବସାୟ ବା ଠିକା କାମ କରୁଛି କିମ୍ବା କିଛିଟା ସାମ୍ବିଧାନିକ କ୍ଷମତା ଉପଭୋଗ କରୁଛି। ମୁଁ କଣ ପ୍ରଭୁବର୍ଗରେ ସାମିଲ ନୁହେଁ? ଉତ୍ତରଟି ହେଲା ନାଁ। ତଥାକଥିତ ଆର୍ଥିକ ସ୍ୱଚ୍ଛଳତା କି ସାମାନ୍ୟ କ୍ଷମତା ବୋଧେ ସେବକ ଵର୍ଗ ଭିତରେ ଆପଣଙ୍କ ସ୍ଥାନକୁ ନେଇ କୌଣସି ମାୟା ବା ଇଲ୍ୟୁଜନ ତିଆରି କରିପାରେ, କିନ୍ତୁ ଆପଣଙ୍କ ଗଣତି ପ୍ରଭୁବର୍ଗରେ କରାଏନି। ପ୍ରଭୁବର୍ଗର ମାନେ ହେଲା ଉତ୍ତରଦାୟିତ୍ୱ ବିହୀନ ନିରଂକୁଶ କ୍ଷମତାର ଅଧିକାରୀ।

ଏହି ଏକ ପ୍ରତିଶତ ପ୍ରଭୁବର୍ଗର ସମସ୍ତ ଜିନିଷ ହେଉଛି ଖବରଶିଳ୍ପର ୯୯ ପ୍ରତିଶତ ମୁଖ୍ୟଖବରର ଉପଜୀବ୍ୟ। ପ୍ରଭୁବର୍ଗ ଯାହା ପିନ୍ଧେ ସେଇଟି ହେଉଛି ଫ୍ୟାସନ, ଯେମିତି ଚାଲେ ସେଇଟି ହେଉଛି ସାମାଜିକ ଚଳଣୀ, ଯାହା କୁହେ ସେଇଟି ହେଉଛି ପ୍ରସଙ୍ଗ, ତାଙ୍କର ଉଦୟ ହେଉଛି ଭାରତ ଉଦୟ ଓ ତାଙ୍କ ଉପରେ ସାମାନ୍ୟ ଆଞ୍ଚ ହେଉଛି ଜାତୀୟ ବିପତ୍ତି। ଏହା ହେଉଛି ଖବରଶିଳ୍ପର ଅବଧାରିତ ନିୟମ। ଆଉ ବ୍ୟତିକ୍ରମଟି ହେଉଛି ବାକି ୯୯ ପ୍ରତିଶତ ସେବକ ବର୍ଗର ସମ୍ପୂର୍ଣ୍ଣ ଜୀବନ, ଜୀବିକା ଓ ଜୀବନଧାରଣ।

ଏ ନିୟମ ଆଜିର ନୁହେଁ। ବହୁ ପୁରୁଣା। ଦେଖୁ ନାହାଁନ୍ତି, ଷାଠିଏ ଦଶକରେ ଚର୍ଚ୍ଚା ହେଉଥିଲା ପ୍ରଧାନସେବକଙ୍କ ସିଗାର କେଉଁ ଦେଶରୁ ଆସେ, ତାଙ୍କ ପୋଷାକ ଇସ୍ତ୍ରୀ କେଉଁଠି ହୁଏ, ଆଜି ଚର୍ଚ୍ଚାର ବିଷୟବସ୍ତୁ ହେଲା ପ୍ରଧାନସେବକ ଆମ୍ବ କେମିତି ଖାଆନ୍ତି। ତେଣୁ ସେ ଭ୍ରମରେ ବିଲକୁଲ ରୁହନ୍ତୁ ନାହିଁ ଯେ ଆପଣ ବା ସେବକ ବର୍ଗ ଆଗରୁ ଖବର ଶିଳ୍ପ ପାଇଁ ପ୍ରାଥମିକତା ଥିଲେ ଆଉ ଏବେ ଗୌଣ ହୋଇଗଲେ।

ଆପଣଙ୍କ ଭ୍ରମ ହିଁ ଖବରଶିଳ୍ପର ପ୍ରଭୁବର୍ଗ କେନ୍ଦ୍ରିକ ଆଚରଣକୁ ସୁଷମ ଖାଦ୍ୟ ପ୍ରଦାନ କରେ। ଉଦାହରଣଟିଏ ଦେଉଛି। ଆପଣଙ୍କୁ ଲାଗୁଛି ଯେ ଉଗ୍ରବାଦ ବିଷୟରେ ଖବର ପ୍ରସାରଣ ଆପଣଙ୍କ ସମସ୍ୟାର ପ୍ରସାରଣ। ଉଗ୍ରବାଦ ଦ୍ୱାରା ବିଶ୍ଵର କୋଣ ଅନୁକୋଣରେ ପ୍ରତିଦିନ ଶହଶହ ମରୁଛନ୍ତି। ଏଥିରେ ନୂତନତା କଣ ଅଛି ଯେ ଏଇଟି ଖବର ହେବ? ଉଗ୍ରବାଦ ସେତେବେଳେ ଖବର ହୁଏ ଯେତେବେଳେ ଆପଣ ନୁହଁ, ଦେଶର ମୁଖ୍ୟ କି ପୂର୍ବତନ ମୁଖ୍ୟ ଏହାର ଶିକାର ହୁଅନ୍ତି। ପ୍ରଭୁବର୍ଗ ଉପରେ ପଡିଥିବା ଏହି ଅକଳ୍ପନୀୟ ବିପଦକୁ ଖବର ଶିଳ୍ପ ରୂପ ଦିଏ ଯେ ଯେଉଁଠି ଦେଶର ମୁଖ୍ୟ ସୁରକ୍ଷିତ ନୁହନ୍ତି, ସେଠି/ତାହାଲେ ସାଧାରଣ ଜନତା କଣ କରୁଥିବେ? ନିରେଖି ଦେଖିଲେ ଆପଣ ଖବରଟିର ପ୍ରାଥମିକତାଟି କଣ ତାହା ସହଜରେ ବୁଝିଯିବେ। ଏହି ସେଠି/ତାହେଲେରେ ହିଁ ବ୍ୟବସ୍ଥା, ତାର କାମ କରିବାର ଶୈଳୀ ଓ ପ୍ରାଥମିକତା ସମ୍ପର୍କିତ ଅନେକ ମୌଳିକ ପ୍ରଶ୍ନର ଉତ୍ତର ରହିଛି।
ଆଉ ଗୋଟିଏ ଉଦାହରଣ ଦେଉଛି। ଗତ କୋଡ଼ିଏ ବର୍ଷ ଭିତରେ ପଞ୍ଜାବର ଗୋଟିଏ ପିଢୀକୁ ସୁଚିନ୍ତିତ ଓ ବ୍ୟବସ୍ଥିତ ଭାବେ ନିଶାଗ୍ରସ୍ତ କରି ଦିଆଗଲା। ଏହା ମୁଖ୍ୟ ଖବର କିମ୍ବା ମୁଖ୍ୟ ଆଲୋଚ୍ୟ ହେଲାକି? ନା। ଡ୍ରଗ୍ସ, ଯୁବଗୋଷ୍ଠୀ ଓ ଡ୍ରଗ୍ସ ଆଦି ପ୍ରସଙ୍ଗ ସେତେବେଳେ ହିଁ ମୁଖ୍ୟ ଖବର ହୁଏ ଯେତେବେଳେ ଏହା କବଳରେ କେଉଁ ଆର୍ଯ୍ୟନ ଖାନ କି ରାହୁଲ ମହାଜନ ପଡନ୍ତି। ଠିକ ସେମିତି ଆପଣ ଯଦି ଖବର ହୋଇଥାନ୍ତେ ତାହାଲେ କରୋନା ସମୟରେ ବିହାରରରେ କିଏ କାହା ସହ ମେଣ୍ଟ କରିବ କିମ୍ବା ପଶ୍ଚିମବଙ୍ଗରେ କିଏ କେଉଁ ଦଳ ଛାଡିବ ସେ ବିଷୟରେ ଶହଶହ ଘଣ୍ଟା ଆଲୋଚନା କି ଶହଶହ କ୍ୟୁଣ୍ଟାଲ ନ୍ୟୁଜପ୍ରିଣ୍ଟ ଖର୍ଚ୍ଚ ହୋଇନଥାନ୍ତା। ବରଂ କରୋନା ବିଭୀଷିକା ଉପରେ ଏତିକି ଆଲୋଚନା ହୋଇଥାନ୍ତା ଯେ ଦ୍ଵିତୀୟ ଲହର ଆସିଥିଲେ ବି ଏତେ ଘାତକ ହୋଇ ପାରି ନଥାନ୍ତା। ସେବକଵର୍ଗ ଖବର ହୋଇ ଥିଲେ, ଫାନସ ପୁଞ୍ଜିର ଅପାର ସଫଳତା ପରେ ଆମକୁ ନଗଡା ଦେଖିବାକୁ ପଡି ନଥାନ୍ତା, ଗୋଟେ ଦାନ ମାଝୀ ପରେ ଦେଶ ସାରା ଭିନ୍ନ ଭିନ୍ନ ସମୟରେ ଶହ ଶହ ଦାନ ମାଝୀ ଦେଖିବାକୁ ମିଳି ନଥାନ୍ତା, ଦେଶର ସରକାରୀ ଶିକ୍ଷା, ସ୍ୱାସ୍ଥ୍ୟ ବ୍ୟବସ୍ଥାର ଏ ବିକଳ ଚିତ୍ର ହୁଏତ ଦୃଶ୍ୟମାନ ହୋଇନଥାନ୍ତା। ଖବରଶିଳ୍ପ ପାଇଁ ଉତ୍ପାଦଟି ହେଉଛି ପ୍ରଭୁବର୍ଗ, ତାର ଘଟଣା, ଅଘଟଣ ଆଉ ଏପରିକି ଅନ୍ତର୍ଦ୍ୱନ୍ଦ୍ୱ ବି। ଆଉ ଉପଭୋକ୍ତା ହେଲେ ସେବକ ବର୍ଗ।

ଏବେ ହୁଏତ ଆପଣଙ୍କ ମନକୁ ଏ ପ୍ରଶ୍ନ ଆସୁଥାଇ ପାରେ। ଯଦି ଆପଣ ଖବର ନୁହଁନ୍ତି, ତାହାଲେ ଆପଣ କଣ? ଆପଣ କଣ କେବଳ ନିରବ ଉପଭୋକ୍ତା? ଉପଭୋକ୍ତା ଶବ୍ଦଟି ଯଦି କାନକୁ ଭଲ ଶୁଣା ଯାଉନି ତାହା ହେଲେ ଖବର ଶିଳ୍ପ ପାଇଁ ଆପଣ ବେଶୀରେ ବେଶୀ, କର୍ପୋରେଟ ସୋସିଆଲ ରେସପନସିବିଲିଟି/ କର୍ପୋରେଟ ସାମାଜିକ ଦାୟିତ୍ୱବଦ୍ଧତା। କିନ୍ତୁ ମନେ ରଖନ୍ତୁ, ଏହି ଦାୟିତ୍ୱବୋଧ ବି ଗୋଟେ ବାଧ୍ୟବାଧକତା। ଠିକ ଯେମିତି, ସରକାରୀ ଆଇନ ଅନୁସାରେ ବାଧ୍ୟ କର୍ପୋରେଟ ନିଜ ଲାଭର(ଆୟର ନୁହେଁ) ଦୁଇ ପ୍ରତିଶତ ତା କାରଖାନା ପାଇଁ ଭିଟାମାଟି ଠାରୁ ନେଇ ସ୍ବପ୍ନ ପର୍ଯ୍ୟନ୍ତ ବିସର୍ଜନ କରି ଧୂଳି ଧୂଆଁ, ପ୍ରଦୂଷଣ ଓ ବିସ୍ଥାପନକୁ ଉପହାର ପାଇଥିବା ଲକ୍ଷ ଲକ୍ଷ ପରିବାର ଓ ସେମାନେ ରହୁଥିବା ଅଞ୍ଚଳର ତଥାକଥିତ କାୟାକଳ୍ପ ପରିବର୍ତ୍ତନ ପାଇଁ ଖର୍ଚ୍ଚ କରେ, ଖବରଶିଳ୍ପ ଠିକ ସେମିତି ଗରିବ ରିକ୍ସା ଚାଳକର ପୁଅ ପାଇଲେ ଆଇଏଏସ, ସ୍ତ୍ରୀର ଶବ ବୋହିଲେ ଦାନ ମାଝୀ, କ୍ୱାରେନଟାଇନ କେନ୍ଦ୍ରରେ ଭଳି କି ଭଳି ଚିତ୍ର ଆଙ୍କିଲେ ସୁରଟ ଫେରନ୍ତା ଆଦି ବୈପ୍ଳବିକ ଖବର ମଧ୍ୟ ବେଳେବେଳେ ପ୍ରସାରଣ କରେ। ମାତ୍ର ସିଏସଆର ପାଣ୍ଠି ଦ୍ୱାରା ପୃଥିବୀର କୌଣସି ଅଞ୍ଚଳରେ ସତରେ ସବୁ କିଛି ହରାଇଥିବା ଲୋକଙ୍କ ସ୍ବପ୍ନ ଅନୁସାରେ ପରିବର୍ତ୍ତନ ହେବାର ଦେଖିଛନ୍ତି କି? ନା, ହେଇ ନାହିଁ। କାରଣ ଥୋପା ଯାଇଥିବା ପରିବର୍ତ୍ତନ ଟି ହେଉଛି, ଲକ୍ଷଣର ଉପଚାର, ସମସ୍ୟାର ନୁହେଁ। ଠିକ ସେମିତି ଖବର ଶିଳ୍ପ ଆମ ଭୃତ୍ୟ ବର୍ଗର କିଛି ନମୁନା ଅଧ୍ୟୟନ ବା କେଶ ଷ୍ଟଡ଼ିକୁ ତାର ସିଏସଆର ଭାବେ ହୁଏତ ବେଳେ ବେଳେ ତିନି ଚାରି ଦିନ ଲଗାତାର ଦେଖାଏ। କିନ୍ତୁ ସେ ଦେଖେଇବା ପଛରେ ସମସ୍ୟା ନୁହେଁ ଲକ୍ଷଣର ଉପଚାର କରିବାର ପ୍ରୟାସ ପ୍ରାଥମିକତା ପାଏ।

ଶେଷରେ ଏତିକି। ଆର୍ଯ୍ୟନ ଖାନ ଜାମିନ ପାଇବେ କି ନାହିଁ, ସିନ୍ଧିଆ କେଉଁ ଦଳକୁ ଯିବେ ଭଳି ପ୍ରଭୁବର୍ଗ ଖବର ଉପରେ ନିଜ ବନ୍ଧୁ କିମ୍ଵା ସମ୍ପର୍କୀୟଙ୍କ ସହ ଯୁକ୍ତିତର୍କ କରି ବ୍ୟକ୍ତିଗତ ସମ୍ପର୍କ ଖରାପ କରିବା ପୂର୍ବରୁ ଥରେ ଭାବିବେ। ଏପରି କରି କେସ ଷ୍ଟଡିରୁ ବି ତଳକୁ ଖସି ଆପଣ ନିଜକୁ ନିଜେ ଚିୟର ଲିଡ଼ର କରି ଦେଉ ନାହାନ୍ତି ତ?

Leave a Reply

Your email address will not be published.