SUPER EXCLUSIVE- ବାବୁ ପୁଣି ପୁରୀ ସଦର ବ୍ଲକ୍ ଅଧ୍ୟକ୍ଷ, ୨୦୨୪ରେ ବିଧାୟକ !

SUPER EXCLUSIVE- ବାବୁ ପୁଣି ପୁରୀ ସଦର ବ୍ଲକ୍ ଅଧ୍ୟକ୍ଷ, ୨୦୨୪ରେ ବିଧାୟକ !

ପ୍ରିଜମ୍ ନ୍ୟୁଜ ବ୍ୟୁରୋ(SUPER EXCLUSIVE): ଦିବାକର ପାତ୍ର ଓରଫ୍ ବାବୁ। ପୁରୀ ସଦର ରାଜନୀତିର ଅତି ପରିଚିତ ନାଁ। ଯେଉଁ ଗାଁରେ ମହେଶ୍ବର ମହାନ୍ତି ୧୦୦ ଭୋଟ୍ ପାଆନ୍ତିନି, ସେହି ଗାଁରୁ ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ୪ଶହରୁ ୫ଶହ ଭୋଟ୍ ଗୋଟାଇ ପାରନ୍ତି ବାବୁ। ପୁରୀ ଲୋକ ମହେଶ୍ବରଙ୍କୁ ପ୍ରତ୍ୟାଖ୍ୟାନ କରି ସାରିଥିବାରୁ ୨୦୨୪ରେ ବିଧାୟକ ପ୍ରାର୍ଥୀ ହେବା ନେଇ ଯେଉଁ କେତେ ଜଣ ରେସ୍ ରେ ଅଛନ୍ତି, ସେମାନଙ୍କ ମଧ୍ୟରୁ ବାବୁ ପାତ୍ର ଜଣେ ପ୍ରମୁଖ ଦାବିଦାର। ମହେଶ୍ବର ମହାନ୍ତି ହାରିଥିଲେ ବି ବିଜେଡି ଜିଲ୍ଲା ସଭାପତି ଅଛନ୍ତି। ତେଣୁ ତାଙ୍କ ନିଷ୍ପତ୍ତି ସର୍ବମାନ୍ୟ। ଗତ ସୋମବାରଠାରୁ ନିଜର ଏକୋଇର ବୋଳା ବିଶୀକେଶନ ବାବୁ ପାତ୍ରଙ୍କୁ ପୁରୀ ସଦର ବ୍ଲକ୍ ଅଧ୍ୟକ୍ଷ କରିବେ ବୋଲି ମହେଶ୍ବର ନିଷ୍ପତ୍ତି ନେଇ ସାରିଛନ୍ତି। ବାବୁ, ସମଙ୍ଗ କିମ୍ବା ଗଡ଼ମୁରଗଶିରା ପଞ୍ଚାୟତରୁ ସମିତି ସଭ୍ୟ ଭାବେ ନାମାଙ୍କନ ପତ୍ର ଦାଖଲ କରିବେ।
ମହେଶ୍ବର ବାବୁଙ୍କ ପ୍ରାର୍ଥିତ୍ବକୁ ନେଇ ନିଜର ଅତି ଘନିଷ୍ଠ ଲୋକମାନଙ୍କୁ ଅବଗତ କରାଇ ସାରିଛନ୍ତି। ବାବୁଙ୍କ ରାସ୍ତାରେ ଯେପରି କେହି କଣ୍ଟା ନ ହେବେ, ସେଥିପାଇଁ ମଧ୍ୟ ଚେଷ୍ଟା କରୁଛନ୍ତି। ହେଲେ ଯାଜପୁର ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ପୁରୀ ସଦର ନିର୍ବାଚନମଣ୍ଡଳୀର ଗିରିଶଚନ୍ଦ୍ର ଦାସ ଖୁସି ନାହାନ୍ତି। କାରଣ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆ ପ୍ରାର୍ଥୀ, ସ୍ବଚ୍ଛ ଭାବମୂର୍ତ୍ତି, ଓବିସି କିମ୍ବା ଦଳିତ ବର୍ଗରୁ ପ୍ରାର୍ଥୀଙ୍କୁ ପ୍ରାଧାନ୍ୟ ଦେବା ପାଇଁ କହିଥିଲେ। କିନ୍ତୁ ମହେଶ୍ବର ଲୋକଙ୍କ ଭାବମୂର୍ତ୍ତି ଓ ସାଧାରଣ ଧାରଣାକୁ ଉପେକ୍ଷା କରି ଅର୍ଥ ଓ ବାହୁବଳରେ ସମୃଦ୍ଧ ଥିବା ବାବୁ ପାତ୍ରଙ୍କୁ ବ୍ଲକ୍ ଅଧ୍ୟକ୍ଷ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ମହେଶ୍ବରଙ୍କ ନିକଟତମ ଜଣେ ମହିଳା ବିଜେଡି କର୍ମୀଙ୍କ କହିବାନୁଯାୟୀ, ‘ଆପଣମାନେ ଯିଏ ଯେତେ କହୁଥିଲେ ବି ଭାଇନା ବାବୁ ଛଡ଼ା କାହାକୁ ବ୍ଲକ୍ ଅଧ୍ୟକ୍ଷ କରାଇ ଦେବେନି। ଏହା ତ୍ରିବାର ସତ୍ୟ। ଆଜିଠୁ ଲେଖି ନିଅନ୍ତୁ, ଆବଶ୍ୟକ ହେଲେ ତୃତୀୟ ମହଲାରେ ଶରଣ ପଶିବେ। ହେଲେ ବାବୁଙ୍କୁ ଛାଡ଼ିବେ ନାହିଁ। କେଜାଣି କେଉଁ ରହସ୍ୟ ବାବୁଙ୍କୁ ଜଣାଅଛି, ଯାହା ମହେଶ୍ବରଙ୍କୁ ତାଙ୍କ ହାତରେ ସଖି କଣ୍ଢେଇ କରିଦେଇଛି। ‘

କିଛିଦିନ ପୂର୍ବେ ବିଜେଡି ପକ୍ଷରୁ କରାଯାଇଥିବା ସର୍ଭେରେ ନିଜ ଦମରେ ଜିତିବା କ୍ଷମତା ରଖୁଥିବା ବିଧାୟକଙ୍କର ତାଲିକା ପ୍ରସ୍ତୁତ କରାଯାଇଥିଲା। ଏହି ତାଲିକାରେ ନବୀନ ପଟ୍ଟନାୟକ, ପ୍ରଣବ ପ୍ରକାଶ ଦାସ, ନବକିଶୋର ଦାସ, ଉମା ସାମନ୍ତରାୟ, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ସୁଶାନ୍ତ ସିଂ ପ୍ରମୁଖ ରହିଛନ୍ତି। ଉପକୂଳ ଜିଲ୍ଲାରେ ଭଦ୍ରକ ଏବଂ ପୁରୀରେ ବିଜେପି ଅପେକ୍ଷାକୃତ ଭଲ ସ୍ଥିତିରେ ରହିଛି ଏବଂ କିଛି ତୃଣମୂଳ ନେତା ପୁରୁଣା ବିଜେଡି ସଂଗଠନକୁ ଭାଙ୍ଗି ନିଜସ୍ବ ସଂଗଠନ ଗଢ଼ିଛନ୍ତି। ଯାହା ଦଳ ପାଇଁ କାଳ ହେବ। ଏହି କାରସାଦିରେ ପୁରୀ ସଦର ନିର୍ବାଚନମଣ୍ଡଳୀ ସର୍ବାଗ୍ରେ ରହିଛି।

ପ୍ରିଜମ୍ ନ୍ୟୁଜକୁ ମିଳିଥିବା ତଥ୍ୟ ଅନୁଯାୟୀ, ବାବୁଙ୍କର ଏକ ସମାନ୍ତରାଳ ସଂଗଠନ ରହିଛି। ଏହି ସଂଗଠନକୁ ଭିତ୍ତି କରି କିଛିଦିନ ପୂର୍ବେ ସେ ଅନ୍ୟ ଦଳ ସହ ଯୋଗାଯୋଗରେ ରହୁଛନ୍ତି। ଉଦାହରଣ ସ୍ବରୁପ, ବାଲିପଡ଼ାରେ ଶୁଭ୍ରାଂଶୁ ଚାନ୍ଦ, ଗଡ଼ମୁଗଶିରାରେ ପ୍ରବୀର ପରିଡ଼ା ଏବଂ ପଦିଆ, ଯମାରସୁଆଁରେ ଗେଡ଼ ଏବଂ କୈଳାସ ଷଡ଼ଙ୍ଗୀ, ରାୟଗଡ଼ାରେ ପ୍ରକାଶ ନାଏକ, ବାଲିପୁଟୁରେ ନୂତରା, ରମେଶ, ତଳଜଙ୍ଗରେ ପ୍ରତାପ ପରିଡ଼ା, ବୀରପ୍ରତାପପୁରରେ ଲକ୍ଷ୍ମୀଧର ବେହେରା ଏବଂ ମଧୁସୂଦନ ନନ୍ଦ ବିଜେଡି ଅପେକ୍ଷା ବାବୁଙ୍କ ପ୍ରତି ଅଧିକ ସମର୍ପଣ ରଖୁଛନ୍ତି। କେବଳ ଏମାନେ ନୁହନ୍ତି, ଗଙ୍ଗାନାରାୟଣପୁରର ଉମାକାନ୍ତ ଗୌଡ଼, ଚନ୍ଦନପୁରର ମାଣ୍ଡୁଆ-ରତ୍ନାକର ସ୍ବାଇଁ, ଚାଳିଶି ବାଟିଆର ରବୀନ୍ଦ୍ର ବାରିକ, ଗୋପୀନାଥପୁରର ପୀତବାସ ନାୟକ, ବାଲିଗୁଆଳିର ମଙ୍ଗରାଜ ପ୍ରଧାନ ଓ ଅକ୍ଷୟ ପ୍ରଧାନ, ହିମାଂଶୁ, ସଞ୍ଜୟ ମାଳ, ଗୋପାଳପୁରର ସୁଶାନ୍ତ ନାୟକ, ସମଗରାର ସନ୍ତୁ ପ୍ରଧାନ, ବେଲଦଳର ରାମଚନ୍ଦ୍ର ସ୍ବାଇଁ, ଉରର ଉଗ୍ରସେନ ମହାପାତ୍ର, ଛଇତନାର ଭୀମ ପ୍ରଧାନ ଏବଂ ଇତି ଭୁଆଁର କାଳୁ ବାବୁ ପାତ୍ରଙ୍କ ଲାଇନରେ କାମ କରୁଛନ୍ତି। ତେଣୁ ଦେଖିବାକୁ ବାକି ରହିଲା, ନୂଆ ସ୍ବଚ୍ଛ ଚେହେରା ଅପେକ୍ଷା ବିବାଦୀୟ ହୋଇଥିବା ବାବୁ ପାତ୍ରଙ୍କୁ ପୁରୀ ସଦର ବ୍ଲକ୍ ଅଧ୍ୟକ୍ଷ କରିବା ପାଇଁ ମହେଶ୍ବର ଅଡ଼ି ବସୁଛନ୍ତି ନା ଦଳର ଭାବମୂର୍ତ୍ତି ପାଇଁ ନୂଆ ପ୍ରାର୍ଥୀକୁ ସୁଯୋଗ ଦେଉଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: