Connect with us

ସାହିତ୍ୟ ସ୍ତମ୍ଭ

(କିମାଶ୍ଚର୍ଯ୍ୟମ୍-୯)-ମେଘ ଡମ୍ବରୁ

ତିନି ଶହ ବର୍ଷର ଶାସନ ଭିତରେ ଇଂରେଜମାନେ କିଛି କରନ୍ତୁ ନ କରନ୍ତୁ, ଗୋଟିଏ କାମ କରିଦେଇ ଯାଇଛନ୍ତି। ସେଇଟି ହେଲା କଥାଟି ଇଂରାଜୀରେ କୁହାଯାଇଛି ମାନେ ସତ ହିଁ ହେଇଥିବ ଏଭଳି ଲୋକପ୍ରିୟ ବିଶ୍ୱାସଟେ ତିଆରି କରିବା।

Published

on

(ପରଂବ୍ରହ୍ମ ତ୍ରିପାଠୀ)

ବିଚାରପତି ସାହେବଙ୍କ ବିଶେଷତ୍ୱ ଥିଲା ମକଦ୍ଦମା ଶୁଣାଣି ପୂର୍ବରୁ ଖାରଜ କରିବା। ଖାରଜ କରିବାର କାରଣ ସମ୍ପର୍କରେ ସେ ଅନେକ ପୁରୁଣା ମାମଲା ଓ ତତ ସମ୍ପର୍କିତ ରାୟ ଗୁଡିକର ଉଦାହରଣ ଦେଉଥିଲେ, ଯେମିତିକି ଅମକ ଭରସେସ ସମକ ସରକାର, ଢ଼ମକ ମସିହା। ବେଳେବେଳେ ତ କେତେକ ବିଦେଶୀ ନ୍ୟାୟାଳୟର ରାୟର ଉଦାହରଣ ବି ଦେଇ ଦେଉଥିଲେ। ସାହେବଙ୍କ ଖଣ୍ଡପୀଠରେ ବିଚାର ପାଇଁ ଦରଜ ହେଲା ଜଣେ ଯୁବ ଆଇନଜୀବୀଙ୍କ ମାମଲା। ସାହେବ ମାମଲାଟି ଖାରଜ କଲେ ତାକୁ ବିଭିନ୍ନ ରାୟ ଉଦାହରଣ ଦେଇ। ଯୁବ ଆଇନଜୀବୀ ଜଣକ କୌତୁହଳବଶତଃ ହେଉ ବା ଅନ୍ୟ କୌଣସି କାରଣବଶତଃ ହେଉ ଟିପି ରଖିଲେ ସାହେବ ଉଦାହରଣ ଦେଇଥିବା ରାୟ ଗୁଡିକର ନାଁ ଓ ସମୟ। କିଛି ଦିନ ପରେ ସେହି ଆଇନଜୀବୀଙ୍କର ଆଉ ଗୋଟିଏ ମାମଲା ବିଚାର ପାଇଁ ଦରଜ ହେଲା ସାହେବଙ୍କ ଖଣ୍ଡପୀଠରେ। ମହକିଲ ଚିନ୍ତାରେ ଯେ ମାମଲାଟି ମୂଳରୁ ଖାରଜ ନହେଇ ଯାଉ। ଯୁବ ଆଇନଜୀବୀ ଜଣକ ନିଜ ପ୍ରାରମ୍ଭ ବକ୍ତବ୍ୟ ବା ଓପନିଙ୍ଗ ଷ୍ଟେଟମେଂଟରେ କହିଲେ ମହାଭାଗ, କିଛି ଦିନ ତଳେ ଗୋଟିଏ ମାମଲାକୁ ଖାରଜ କରିବା ପାଇଁ ଆପଣ ଅନେକ ଗୁଡିଏ ରାୟର ଉଦାହରଣ ଦେଇଥିଲେ। ମୁଁ ରିସର୍ଚ୍ଚ କରିବାକୁ ଜାଣିବାକୁ ପାଇଲି ଯେ ତା ଭିତରୁ କୌଣସି ରାୟ ଭାରତୀୟ ବିଚାର ଇତିହାସରେ କେବେ ବି ଦିଆଯାଇ ନାହିଁ। ତାପରେ? ତାପରେ ଆଉ କଣ? ସାହେବ ତାଗିଦ କରିବା ଭଳି କଣ୍ଠରେ ଆଇନଜୀବୀଙ୍କୁ କହିଲେ, ବର୍ତ୍ତମାନର ମାମଲା ବିଷୟରେ ଓକିଲାତି କରିବାକୁ ଆସିଛ ନା ପୁରୁଣା ମାମଲା ବିଷୟରେ? ସମୟ ନଷ୍ଟ ନକରି ବର୍ତ୍ତମାନର ମାମଲାକୁ ଆଗକୁ ନିଅ।

ଉଦାହରଣଟି ଦେବାର ତାତ୍ପର୍ଯ୍ୟ ହେଉଛି ଯେ ଅନେକ ସମୟରେ ଆମେ ଘଟଣା ବା ବକ୍ତବ୍ୟକୁ ସଠିକ ବୋଲି ଏଇଥିପାଇଁ ଧରି ନେଉ କାରଣ ସେ ବକ୍ତବ୍ୟରେ ବଡ଼ ବଡ଼ ନାଁ ଥାଏ, ଥିଓରୀର ଉଲ୍ଲେଖ ଥାଏ, ସମୟର ସୂଚନା ଦିଆ ଯାଇ ତାକୁ ପ୍ରାମାଣିକ କରିବାର ଚେଷ୍ଟା କରାଯାଇଥାଏ ବା କଥାଟି ଜଣେ କେହି ବିଶ୍ୱାସନୀୟ ମନିଷୀ କହିଯାଇଛନ୍ତି ବୋଲି ପ୍ରତୀୟମାନତା ସୃଷ୍ଟି କରିବାର ସଫଳ ପ୍ରୟାସଟେ ଥାଏ। ଏଇ ଯେମିତି ଗୋଟେ ଆଖି ବଦଳରେ ଆଉ ଗୋଟେ ଆଖି ସାରା ଦୁନିଆକୁ ଦିନେ ଅନ୍ଧ କରିଦେବ ଏକଥା ଗାନ୍ଧିଜୀ କହିଛନ୍ତି ବୋଲି ଆପଣ ଅନେକ ଥର ବହୁ ବଡ଼ ବଡ଼ ଲୋକଙ୍କ ଭାଷଣରୁ ଶୁଣିଥିବେ, ଲେଖାରୁ ପଢିଥିବେ। ଆପଣ ଏ କଥାକୁ ବିଶ୍ୱାସ ବି କରିଥିବେ, କେତେ ଜାଗାରେ ନିଜେ ଉଦ୍ଧୃତି ବି କରିଥିବେ। ବିଶ୍ୱାସ କରିବା ପଛର ମୁଖ୍ୟ ଦୁଇ କାରଣ ହେଲା ଗାନ୍ଧୀ ଜଣେ ବିଶ୍ୱସନୀୟ ବ୍ୟକ୍ତିତ୍ୱ ଓ ଏ ଉକ୍ତିଟିକୁ ଆପଣଙ୍କ ପାଖରେ ନିଜ ଲେଖା ବା ଭାଷଣ ମାଧ୍ୟମରେ ପହଂଚାଉଥିବା ବ୍ୟକ୍ତିମାନେ ବି ପ୍ରତିଷ୍ଠିତ। କିନ୍ତୁ ପ୍ରକୃତରେ କଣ ଗାନ୍ଧୀ ଏପରି କଥାଟିଏ କହିଛନ୍ତି? ଉତ୍ତର ହେଉଛି ନା।

ମେଘଡମ୍ବରୁ ଭଳି ଗରୀୟାନ ବକ୍ତବ୍ୟରେ ଯେତେବେଳେ ମିଶିଯାଏ କିଛି ମସିହା, ଘଟଣାକ୍ରମର ବ୍ୟକ୍ତିଗତ ବିବରଣୀ ଓ ଗୋଟେ ବହୁଳ ପ୍ରଚାରିତ କିମ୍ବଦନ୍ତୀ, ତିଆରି ହୁଏ ସତ ଭଳି ଲାଗୁଥିବା ଏମିତି ଏକ କାହାଣୀ ଯାହା ଭଲ ବିକ୍ରୀ ବି ହୁଏ ଏବଂ ଯାହାର ପ୍ରାମାଣିକତା ଉପରେ କମ ପ୍ରଶ୍ନବାଚୀ ବି ଲାଗେ। ସରଳ ଭାବେ ବୁଝାଇବା ଉଦାହରଣଟିଏ ଦେଉଛି। କ୍ଷଣିକ ପାଇଁ ମାନି ନିଅନ୍ତୁ ଯେ ମୁଁ ଜଣେ ଲୋକପ୍ରିୟ ବ୍ୟକ୍ତିତ୍ୱ ଯାହାକୁ ଆପଣ ନିୟମିତ ଟିଭି ବା ଖବରକାଗଜରେ ଦେଖିବାକୁ ବା ପଢିବାକୁ ପାଉଛନ୍ତି। ଆଉ ମୁଁ ଯାହାଙ୍କ ବିଷୟରେ କହିବାକୁ ଯାଉଛି ସେ ଜଣେ କିମ୍ବଦନ୍ତୀ ପୁରୁଷ ଓ ଆପଣ ଜାଣିଛନ୍ତି ଯେ ମୁଁ ତାଙ୍କର ପରିଚିତ। ଏପରି କ୍ଷେତ୍ରରେ ମୁଁ ଯଦି କହେ ବା ଲେଖେ, ୧୯୯୭ ମସିହା ଅପ୍ରେଲ ୨୧ ତାରିଖ। ସେଦିନ ସନ୍ଧ୍ୟା ବେଳେ ଅସରାଏ ବର୍ଷା ହେଇ ଛାଡି ଯାଇଥିଲା। ମୁଁ ଓ କିମ୍ବଦନ୍ତୀ ପୁରୁଷ ଜିପରେ ଭୋଗରାଇରୁ ଚମ୍ପୁଆ ଯାଉଥାଉ। ରାସ୍ତାରେ କିମ୍ବଦନ୍ତୀ ପୁରୁଷ ମତେ କହିଲେ ବଡ଼ ସ୍ବପ୍ନ ନ ଦେଖିବା ଯାଏ କୈଣସି ମଣିଷ କେବେ ସଫଳତାର ଶିଖରରେ ପହଂଚି ନାହିଁ। ଆପଣ ଏ କଥାଟିକୁ ବିଶ୍ୱାସ କରିବେ କି ନାହିଁ? ପ୍ରଥମ ଥର ଯଦି ନକଲେ ମୁଁ ଆଉ ଦୁଇ ତିନିଟି ଜାଗାରେ ଏକଥାଟି ଦୋହରାଇବି। କିଛି ଦିନ ପରେ ଆପଣମାନଙ୍କ ଭିତରୁ ଅନେକ ଏ କଥାକୁ ଖାଲି ବିଶ୍ୱାସ କରିବେନି, ଖାପ ଖାଉଥିବା ଘଟଣାରେ ନିଜ ବକ୍ତବ୍ୟ ରଖିଲା ବେଳେ ଏକଥାର ଉଦାହରଣ ବି ଦେବେ।

ମେଘଡମ୍ବରୁ ଓସ୍ତାଦମାନଙ୍କର ଆଉ ଗୋଟିଏ ବଡ଼ ଗୁଣ ହେଲା ନିଜ କଥାର ପ୍ରତୀୟମାନତା ବଢାଇବା ପାଇଁ ଇଂରାଜୀ ଭାଷାର ବ୍ୟବହାର କରିବା। ତିନି ଶହ ବର୍ଷର ଶାସନ ଭିତରେ ଇଂରେଜମାନେ କିଛି କରନ୍ତୁ ନ କରନ୍ତୁ, ଗୋଟିଏ କାମ କରିଦେଇ ଯାଇଛନ୍ତି। ସେଇଟି ହେଲା କଥାଟି ଇଂରାଜୀରେ କୁହାଯାଇଛି ମାନେ ସତ ହିଁ ହେଇଥିବ ଏଭଳି ଲୋକପ୍ରିୟ ବିଶ୍ୱାସଟେ ତିଆରି କରିବା। ଇଂରାଜୀ ପ୍ରତି ଏ ସଂଭ୍ରମତା ଏକ ସର୍ବଭାରତୀୟ ବ୍ୟାପାର। ସେଇଥିପାଇଁ ତ ନୂତନ ପିଢ଼ିର ମେଘଡମ୍ବରୁ ଓସ୍ତାଦମାନେ ସତ ଭଳି ଲାଗୁଥିବା କାହାଣୀ ବିକିଲା ବେଳେ ଇଂରାଜୀ ଭାଷା ଉପରେ ପ୍ରବଳ ଭାବେ ନିର୍ଭରଶୀଳ।

ଆପଣ ପଚାରି ପାରନ୍ତି, ଆଗରୁ ବୋଧେ ସେମିତି ହେଉଥିବ, ଏବେ ତ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ବନ୍ୟା, ପ୍ରତି ହାତରେ ସ୍ମାର୍ଟ ଫୋନ। ଏବେ କେମିତି ଜଣେ ଖାଲି ମେଘଡମ୍ବରୁ କରି ଖସି ଯାଇ ପାରିବ? ହଁ, ପାରିବ ଓ ବହୁ ମେଘଡମ୍ବରୁ ଓସ୍ତାଦ ପାରୁଛନ୍ତି ମଧ୍ୟ। ସେମାନେ ଖସି ଯିବାର ପ୍ରଥମ କାରଣଟି ବୋଧେ ଆମର କ୍ଷଣସ୍ଥାୟୀ ସାମୁହିକ ସ୍ମରଣ ଶକ୍ତି। ଦ୍ୱିତୀୟଟି ହେଲା, ଆମକୁ ନିରୋଳା ସତ ସେତିକି ପ୍ରଭାବିତ କରି ପାରେ ନାହିଁ, ଯେତିକି ସତ ଭଳି ପ୍ରତୀୟମାନ ହେଉଥିବା କାହାଣୀଟିଏ କରେ। କଥାଟି କାନକୁ ସୁନ୍ଦର ଶୁଣା ଯାଉଥିବ, ଆରମ୍ଭ ଓ ଶେଷର ଗୋଟେ ପ୍ରବାହ ଥିବ ଓ କୁହାଯାଉଥିବା କାହାଣୀର କିଛିଟି ଶବ୍ଦ କି ଘଟଣା ଆମେ ଆଗରୁ ଶୁଣିଥିବା ବା ଆମ କାନରେ ବାଜିଥିବ- ଏତିକି ହିଁ ଯଥେଷ୍ଟ ଆମ ଭିତରୁ ଅନେକଙ୍କ ପାଇଁ, ଗୋଟିଏ ସତ ବୋଲି ପ୍ରତୀୟମାନ ହେଉଥିବା କାହାଣୀକୁ ନିରୁତା ସତ ବୋଲି ମାନି ନେବାକୁ। ଯେହେତୁ ଏଥିରେ ବେଶୀ କିଛି ରକେଟ ବିଜ୍ଞାନ ନାହିଁ, ମେଘଡମ୍ବରୁ ଓସ୍ତାଦମାନେ କମ ପରିଶ୍ରମରେ ନିଜ ଦୋକାନ ଖୁସିରେ ଖୁସିରେ ଚଳେଇ ପାରୁଛନ୍ତି।

ନାଉଗାଁହାଟ, ଜଗତସିଂହପୁର
୯୭୧୭୩୦୨୨୦୫

Advertisement
Advertisement
Advertisement

Trending