Connect with us

ସାହିତ୍ୟ ସ୍ତମ୍ଭ

(କିମାଶ୍ଚର୍ଯ୍ୟମ୍-୧୦)- ମଣିଷ ଚାଉଳ ନୁହେଁ!

ଓଡ଼ିଆରେ ଢଗଟିଏ ଅଛି ଯେ ହାଣ୍ଡିରୁ ଗୋଟିଏ ଚାଉଳ ଚିପି ଦେଲେ ଜଣା ପଡ଼ିଯାଏ ଭାତ ହେଲାଣି କି ନାହିଁ। ମାତ୍ର ମଣିଷ ଚାଉଳ ନୁହେଁ। ଜଣେ ଦିଜଣ କି ଶହେ ଜଣଙ୍କ କାର୍ଯ୍ୟକଳାପ କେବେ ଗୋଟେ ସମ୍ପ୍ରଦାୟ, ଗୋଟେ ଅଞ୍ଚଳ, ଗୋଟେ ଜାତିର ପ୍ରତିନିଧିସ୍ଥାନୀୟ ବ୍ୟବହାରର ସଠିକ ଆକଳନ ନ ହୋଇ ପାରେ।

Published

on

(ପରଂବ୍ରହ୍ମ ତ୍ରିପାଠୀ): ଡେନମାର୍କରେ ଅଛି ମଣିଷ ପାଠାଗାର। ମାନେ? ମାନେ ହେଉଛି ଆମେ ଯେମିତି ପାଠାଗାର ଯାଇ ପଢିବା ପାଇଁ ବହି ମାଗୁ, ମଣିଷ ପାଠାଗାରରେ ଲୋକମାନେ ସେମିତି କଥା ହେବା ପାଇଁ ମଣିଷ ମାଗନ୍ତି। ସେ ପାଠାଗାର ଗୁଡିକରେ ଆପଣଙ୍କୁ ଅଧ ଘଂଟାଏ କଥା ହେବା ପାଇଁ ମିଳିବେ ଶରଣାର୍ଥୀ, ସମଲିଙ୍ଗୀ, ବାଲ୍ୟଯୌନଶୋଷଣ ଶିକାର, ଗରିବ, ବେକାରଙ୍କ ଠାରୁ ନେଇ ବିଭିନ୍ନ ସାମାଜିକ, ରାଜନୈତିକ, ଅର୍ଥନୈତିକ, ଲିଂଗଗତ, ବର୍ଣ୍ଣଗତ, ପେଶାଗତ କାରଣରୁ ଭିନ୍ନ ଦୃଷ୍ଟିରେ ଦେଖାଯାଉଥିବା, ମୂଲ୍ୟାଙ୍କିତ ହେଉଥିବା ଜୀବନ୍ତ ମଣିଷ। କଣ ପାଇଁ ଏପରି ପାଠାଗାର ତିଆରି କରାଯାଇଛି ? ଏହାର ଲକ୍ଷ୍ୟ ହେଉଛି ମଣିଷ ଭିତରୁ ଅନ୍ୟ ମଣିଷ ପାଇଁ ବୈଷମ୍ୟ ଓ ଅବଧାରଣା ଭିତ୍ତିକ ମୂଲ୍ୟାଙ୍କନ ପ୍ରବୃତ୍ତି ହ୍ରାସ କରି ମଣିଷକୁ ଟିକେ ଅଧିକ ମଣିଷ କରିବା।

ସିଏ ଅମକ ଜିଲ୍ଲାର ମାନେ ରାତିରେ ଟିପରେ କପଡା ବାନ୍ଧି ଶୋଉଥିବ କିମ୍ବା ଟାଉଟରଟିଏ ହେଇଥିବ। ସିଏ ସମକ ଜାତିର ମାନେ ସକାଳୁ ଉଠି ମୂଲ ଲାଗିବାକୁ ଯିବ କି ନାହିଁ ଚାଉଳ ଟିଣକୁ ଗୋଇଠାମାରି ସ୍ଥିର କରୁ ଥିବ। ବାନାର୍ଜୀଟି, ସିଏ ମୁହଁ ନଧୋଇ ପ୍ରଥମେ ଚାରି ପିସ ରୋହି ଭଜା ଚୋବାଉ ଥିବେ, ତାପରେ ଯାଇ ଦାନ୍ତ ଘଷୁଥିବେ। ଉସମାନ କଲେଜ ପରେ କୁଆଡେ ଯାଉଛି ମାନେ କୋଉ ଗ୍ୟାରେଜରେ ପମ୍ପଚର ମାରୁଥିବ ନହେଲେ ବମ କେମିତି ଭିଡାଯାଏ ସେକଥା ଶିଖୁଥିବ। ସୁରଟରେ ରହୁଛି ମାନେ ଦାଦନ ହେଇଥିବ କିମ୍ବା ପଗଡ଼ି ପିନ୍ଧା ଲୋକଟିଏ କାନାଡ଼ା ଯାଉଛି ମାନେ ସେଠି ଡ୍ରାଇଭର ହେବାକୁ ଯାଉ ଥିବ। ଏମିତି ଅନେକ ଜିନିଷରୁ ଆମେ ନିତିଦିନ ଭେଟୁଥିବା ଲୋକମାନଙ୍କ ବ୍ୟକ୍ତିତ୍ୱର ଆକଳନ କରୁନେ କି ? ଏକ ସମୂହକୁ କୌଣସି ଅବଧାରଣାର ଆଧାରରେ ମୂଲ୍ୟାୟନ କେତେ ଦୂର ଯୁକ୍ତିସଂଗତ ଓ ଏହା କେଉଁ ସ୍ୱାର୍ଥ ସାଧନ କରେ ତାହା ନିଶ୍ଚିତ ଭାବେ ଏକ ବୃହତ୍ତର ଆଲୋଚନାର ବିଷୟବସ୍ତୁ।

ଅବଧାରଣା ଭିତ୍ତିରେ ମୂଲ୍ୟାୟନ ପ୍ରକ୍ରିୟାରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୁଅନ୍ତି, ମହିଳା, ଦଳିତ, ଦିବ୍ୟଙ୍ଗ, ସଂଖ୍ୟାଲଘୁ। ମାଇପ ବୁଦ୍ଧିରେ ଜଗନ୍ନାଥ ଖଣ୍ଡିଆ କହିଲା ବେଳେ ଆମେ କଣ ମାନବ ସମାଜର ଅଧା ଲୋକଙ୍କ ନିଷ୍ପତ୍ତି ନେବାର ଦକ୍ଷତା, ଚିନ୍ତାଶକ୍ତି, ସମସ୍ୟା ସମାଧାନର କ୍ଷମତା ଏବଂ ମଣିଷ ସମାଜ ପାଇଁ ସେମାନଙ୍କ ସାମଗ୍ରିକ ଅବଦାନକୁ ପ୍ରଶ୍ନ କରୁ ନାହେଁ କି ? ବିଭିନ୍ନ ହ୍ଵାଟ୍ସଆପ ଗ୍ରୁପ କିମ୍ବା ସାମାଜିକ ଗଣମାଧ୍ୟମ ଗ୍ରୁପରେ ଯେଉଁ “ପତ୍ନୀ ଜୋକ୍ସ” ଆସେ ଓ ଆପଣ ସେଥିରେ ହସି ହସି ଗଡି ଯାଆନ୍ତି, ଅନ୍ୟ ଗ୍ରୁପକୁ ଫରୱାର୍ଡ ବି କରନ୍ତି, କେବେ ଭାବିଛନ୍ତି ସେଇଟି କରିବା ଦ୍ୱାରା ବିଶ୍ୱର ୫୦% ଜନସଂଖ୍ୟାର ଆତ୍ମସମ୍ମାନ ଓ ଆତ୍ମବିଶ୍ୱାସକୁ ଆମେ କେମିତି ଗୋଟିଏ ସେକେଣ୍ଡରେ ଦଳିମକଚି ଦେବାର ପ୍ରୟାସ କରୁ? ଯେତେ ଗୋରୀ ସେତେ ଷ୍ଟୋରୀ, ଚୁପ ସୈତାନ ମଉନମୁହିଁ ଆଦି ଅବଧାରଣାଭିତ୍ତିକ ହାଲୁକା ମନ୍ତବ୍ୟ ଆମ ସମାଜର ଅଧା ଲୋକଙ୍କ ବ୍ୟକ୍ତିତ୍ୱ ହନନର ସରଳ ଓ ବହୁଜନଗ୍ରାହ୍ୟ ଉପାୟ ନୁହେଁ କି ? ଆମ ଅଳ୍ପ/ଅଧା ଜ୍ଞାନ, ଭୁଲ ଧାରଣା, ଜଣକ ସହ ଘଟିଥିବା ଅନୁଭୂତିକୁ ସାର୍ବଜନୀନ କରିବାର ପ୍ରୟାସ, ମଲାଟ ଦେଖି ଦେଇ ବହିର ତେପନ ପୃଷ୍ଠାରେ କଣ ଅଛି ବୋଲି କହି ଦେବାର ତୁରୁତୁରୁପଣ ଏସବୁ ହେଉଛନ୍ତି ଅବଧାରଣାଭିତ୍ତିକ ମୂଲ୍ୟାୟନ ପଛର ଗୋଟେ ଗୋଟେ କାରଣ ଓ ଉତପ୍ରେରକ। ଯେହେତୁ କାରଣ ବା ଉତପ୍ରେରକ ଗୁଡିକ ସୁସ୍ଥ ମାନବୀୟ ପ୍ରବୃତ୍ତି ନୁହେଁ, ତେଣୁ ପ୍ରକ୍ରିୟାଟି ଯୁକ୍ତିସଂଗତ, ସୁସ୍ଥ ଓ ତାର୍କିକ ହେବ କେମିତି?

ସଂଖ୍ୟାଲଘୁ, ଦଳିତ, ଦିବ୍ୟଙ୍ଗମାନଙ୍କ କ୍ଷେତ୍ରରେ ଏପରି ଅବଧାରଣା କେବଳ ସେମାନଙ୍କ ଜୀବନକୁ ପ୍ରଭାବିତ କରେ ନାହିଁ, ସେମାନଙ୍କ ଜୀବିକା, ଆସ୍ଥା ଓ ଭୟମୁକ୍ତ ଜୀବନଶୈଳୀକୁ ଅନେକାଂଶରେ ସଙ୍କୁଚିତ କରେ। କୌଣସି ନିଯୁକ୍ତି ପ୍ରକ୍ରିୟା କିମ୍ବା ସାକ୍ଷାତକାରରେ ଯେତେବେଳେ ଦକ୍ଷତା ବଦଳରେ ଏପରି ଅବଧାରଣାକୁ ଗୁରୁତ୍ୱ ଦିଆଯିବା ଆରମ୍ଭ ହୁଏ, ସେତେବେଳେ ସକଳ ପ୍ରଚେଷ୍ଟା ବଳରେ ଅନ୍ଧାରର ଅର୍ଗଳି ଭିତରୁ ବାହାରିବାର ପ୍ରଚେଷ୍ଟା କରୁଥିବା ଉଦ୍ୟମୀମାନଙ୍କର ଆତ୍ମବିଶ୍ୱାସ ପ୍ରତିହତ ହୁଏ।

ଅବଧାରଣା ଭିତ୍ତିକ ମୂଲ୍ୟାୟନ ଏକ ରୁଢିବାଦୀ ନକରାତ୍ମକ ମାନସିକତା। ଏହା କେବଳ ଆମ ନିଷ୍ପତ୍ତି ନେବା କ୍ଷମତାକୁ ପ୍ରଭାବିତ କରେ ନାହିଁ, ବରଂ ଆମ ପରିସୀମାକୁ ସଙ୍କୁଚିତ କରି ନୂଆ କିଛି ଶିଖିବାର ରାସ୍ତା ମଧ୍ୟ ବନ୍ଦ କରିଦିଏ। ଏହା ବେଶୀରେ ବେଶୀ ଆମକୁ ଅର୍ଦ୍ଧସତ୍ୟ ଦେଖାଇପାରେ, ସମ୍ପୂର୍ଣ ଛବି ନୁହେଁ। ସମରସତା ଦିଗରେ ବଡ଼ ବାଧକ ହେଉଛି ଏହି ନକରାତ୍ମକ ମାନସିକତା। ଅନେକ ସମୟରେ ବିଭେଦର ବିଷମଞ୍ଜି ହିଁ ହେଉଛି ଏହି ରୁଢିବାଦୀ ଚିନ୍ତାଧାରା -ଯାହା ଆମ ପ୍ରଶ୍ନ ନକରି ଗ୍ରହଣ କରି ନେବାର ଅଭ୍ୟାସ, ଅନ୍ୟକୁ ଛୋଟ କରି ନିଜ ପାଇଁ ଏକ କୃତ୍ରିମ ଶ୍ରେଷ୍ଠତ୍ୱ ତିଆରି କରିବାର ପ୍ରବୃତ୍ତିର ପାଣି ସାର ପାଇ ଦଙ୍ଗା, ବୈଷମ୍ୟ, ହିଂସା, ଗଣହତ୍ୟା ଭଳି ମାରାତ୍ମକ ମହାକାଳ ଫଳରେ ରୂପାନ୍ତରିତ ହୁଏ।

ଓଡ଼ିଆରେ ଢଗଟିଏ ଅଛି ଯେ ହାଣ୍ଡିରୁ ଗୋଟିଏ ଚାଉଳ ଚିପି ଦେଲେ ଜଣା ପଡ଼ିଯାଏ ଭାତ ହେଲାଣି କି ନାହିଁ। ମାତ୍ର ମଣିଷ ଚାଉଳ ନୁହେଁ। ଜଣେ ଦିଜଣ କି ଶହେ ଜଣଙ୍କ କାର୍ଯ୍ୟକଳାପ କେବେ ଗୋଟେ ସମ୍ପ୍ରଦାୟ, ଗୋଟେ ଅଞ୍ଚଳ, ଗୋଟେ ଜାତିର ପ୍ରତିନିଧିସ୍ଥାନୀୟ ବ୍ୟବହାରର ସଠିକ ଆକଳନ ନ ହୋଇ ପାରେ। ପୂର୍ବାଗ୍ରହ କିମ୍ବା ଷ୍ଟେରିଓଟାଇପ ଆଧାରରେ ବ୍ୟକ୍ତିତ୍ୱର ଆକଳନ, ଏକ ସମ୍ପ୍ରଦାୟର ମୂଲ୍ୟାୟନ କିମ୍ବା ଗୋଟେ ଭୌଗଳିକ ସୀମା ଉପରେ ଟୀକା ଟିପ୍ପଣୀ ଆମ ସୀମିତ ବ୍ୟବହାରିକ ଜ୍ଞାନକୁ ସୂଚାଏ, ଆଉ କିଛି ନୁହେଁ।

Advertisement
Advertisement
Advertisement

Trending