ପ୍ରକାଶ ପାଇବ ଡ୍ରାଫ୍ଟ ଭୋଟର ତାଲିକା, ସବିଶେଷ ତଥ୍ୟ ବିଷୟରେ ଜାଣନ୍ତୁ

ପ୍ରକାଶ ପାଇବ ଡ୍ରାଫ୍ଟ ଭୋଟର ତାଲିକା, ସବିଶେଷ ତଥ୍ୟ ବିଷୟରେ ଜାଣନ୍ତୁ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ : ଜାନୁଆରୀ ୧ ତାରିଖ ୨୦୨୨’ ମସିହାକୁ ଯୋଗ୍ୟତାଭିତ୍ତିକ ତାରିଖ ଭାବେ ଗ୍ରହଣ କରି ଭାରତ ନିର୍ବାଚନ ଆୟୋଗ ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛନ୍ତି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ । ଆସନ୍ତା କାଲି ଅର୍ଥାତ୍ ନଭେମ୍ବର ୧ ତାରିଖରେ ରାଜ୍ୟର ସମସ୍ତ ୩୭,୬୦୬ଟି ଭୋଟଗଣତି କେନ୍ଦ୍ର ସହ ୫୮ଟି ଉପଜିଲ୍ଲାପାଳ ତଥା ଭୋଟ ପଂଜୀକରଣ ଅଧିକାରୀ ଓ ୩୦ଟି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଡ୍ରାଫଟ୍‌ ଭୋଟର ତାଲିକା ପ୍ରକାଶ ପାଇବ । ଉପଜିଲ୍ଲାପାଳ ତଥା ଭୋଟ ପଂଜୀକରଣ ଅଧିକାରୀ ମାଗଣାରେ ସମସ୍ତ ଜାତୀୟ ଓ ରାଜ୍ୟସ୍ତରର ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର କର୍ମକର୍ତ୍ତାଙ୍କୁ ଡ୍ରାଫଟ୍‌ ଭୋଟର ତାଲିକାର କପି ପ୍ରଦାନ କରିବେ ଓ ଅଣସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳମାନେ ନିର୍ଦ୍ଧାରିତ ମୂଲ୍ୟ ଦେଇ ଭୋଟର ତାଲିକାର କପି ନେଇପାରିବେ ବୋଲି ଜଣାପଡିଛି।
ଉଚିତ୍‌ ମୂଲ୍ୟ ଦେଇ ଏହାର ସଫଟ୍‌ କପି ମଧ୍ୟ ପିଡିଏଫ୍‌ ମାଧ୍ୟମରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ନେଇପାରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଭୋଟରମାନେ ମଧ୍ୟ ଏହାକୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ୱେବ୍‌ସାଇଟ୍‌ www.ceoorissa.nic.in ମାଧ୍ୟମରେ ଦେଖିପାରିବେ । ନାଗରିକମାନେ ଭୋଟର ତାଲିକାରେ ସେମାନଙ୍କର ନାମ ଯୋଡିବା ବା କରିବା କିମ୍ବା ତ୍ରୁଟି ସଂଶୋଧନ ନିମନ୍ତେ ସଂପୃକ୍ତ ଭୋଟ ପଂଜୀକରଣ ଅଧିକାରୀଙ୍କୁ ନିର୍ଦ୍ଧାରିତ ଫର୍ମ ମାଧ୍ୟମରେ ଆବେଦନ କରିପାରିବେ।
ଏତଦ୍‌ବ୍ୟତୀତ ନାଗରିକମାନେ ମଧ୍ୟ ବୁଥ୍‌ସ୍ତରରେ ନିଯୁକ୍ତ ହୋଇଥିବା ବୁଥ୍‌ସ୍ତରୀୟ ଅଧିକାରୀଙ୍କୁ ମଧ୍ୟ ନିର୍ଦ୍ଧାରିତ ଫର୍ମ ପୂରଣ କରି ଦାବି ଓ ଆପତ୍ତି ସଂପର୍କରେ ନଭେମ୍ବର ୧ ତାରିଖଠାରୁ ନଭେମ୍ବର ୩୦ ତାରିଖ ମଧ୍ୟରେ ଜଣାଇପାରିବେ । ଏହାଛଡ଼ା ଭାରତ ନିର୍ବାଚନ ଆୟୋଗ ଅନ୍‌ଲାଇନ୍‌ ମାଧ୍ୟମରେ ନାଗରିକଙ୍କ ପାଇଁ ଭୋଟର ହେଲପ୍‌ଲାଇନ୍‌ ଅପ୍ (Voter Help Line App H nvsp.in App) ପ୍ରଚଳନ କରିଛନ୍ତି। ଏହି ଆପ୍‌ ବିନା ମୂଲ୍ୟରେ ଆନ୍‌ଡ୍ରଏଡ୍‌ ଫୋନ୍‌ର ପ୍ଲେଷ୍ଟୋରରୁ ଓ ଆଇଓଏସ୍‌/ଆପଲ୍‌ ଆଇ ଫୋନ୍‌ର ଆପ୍‌ ଷ୍ଟୋରରୁ ଡାଉନ୍‌ଲୋଡ଼ କରିପାରିବେ । ଭୋଟର ତାଲିକାରେ ନୂତନ ଭାବେ ନାମ ପଞ୍ଜିକରଣ ପାଇଁ ଫର୍ମ ନଂ-୬, ଭୋଟର ତାଲିକାରୁ ନାମ ବାଦ ଦେବା ନିମନ୍ତେ ଫର୍ମ ନଂ-୭ ଓ ଭୋଟର ତାଲିକାରେ ନାମ, ଠିକଣା ଓ ବୟସ ଇତ୍ୟାଦିରେ ତ୍ରୁଟି ସଂଶୋଧନ ପାଇଁ ଫର୍ମ ନଂ-୮ରେ ଆବେଦନ କରିପାରି ହେବ ।
ନିର୍ବାଚନ ମଣ୍ଡଳୀ ମଧ୍ୟରେ ସ୍ଥାନ ପରିବର୍ତ୍ତନ କରିବାକୁ ହେଲେ ଫର୍ମ ନଂ-୮(କ)ରେ ଆବେଦନ କରିବାକୁ ହେବ । ଏଥିପାଇଁ କେତେକ ନିର୍ଦ୍ଦିଷ୍ଟ ପ୍ରମାଣପତ୍ର ଦେବାକୁ ହେବ।ସେହିପରି ଜନ୍ମତାରିଖ ପ୍ରମାଣିତ କରିବା ନିମନ୍ତେ ଜନ୍ମ ପ୍ରମାଣପତ୍ର/ ପାସ୍‌ପୋର୍ଟ/ ପ୍ୟାନ୍‌କାର୍ଡ/ ମାଟ୍ରିକ୍‌ ସାର୍ଟିଫିକେଟ୍‌/ ଡ୍ରାଇଭିଂ ଲାଇସେନ୍ସର ସ୍କାନ୍‌ କପି ସହ ପାସ୍‌ପୋର୍ଟ ସାଇଜ୍‌ ଫଟୋ ଅପ୍‌ଲୋଡ୍‌ କରିବାକୁ ହେବ ।ନାଗରିକ ନିଜେ ନିଜର ଫର୍ମ ପୂରଣ କରୁଥିବାରୁ ତ୍ରୁଟିଶୂନ୍ୟ ଭୋଟର ତାଲିକା ବା ଫଟୋ ପରିଚୟ ପତ୍ର ହୋଇପାରିବ ବୋଲି ଆଶା କରାଯାଉଛି। ଉଭୟ ଇଂରାଜୀ ଓ ଓଡ଼ିଆରେ ନିଜର ନାମ, ଠିକଣା ଓ ବୟସ ଇତ୍ୟାଦି ଭୋଟର ପରିଚୟ ପତ୍ର ଓ ଭୋଟର ତାଲିକାରେ ରହିବ, ଏବଂ ଉଭୟ ତ୍ରୁଟିଶୂନ୍ୟ ହୋଇପାରିବ ।
ରାଜ୍ୟର ସମସ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଓ ଭୋଟ ପଂଜୀକରଣ ଅଧିକାରୀ ତଥା ଉପଜିଲ୍ଲାପାଳମାନଙ୍କୁ ନେଇ ଅକ୍ଟୋବର ୨୯ ତାରିଖରେ ମୁଖ୍ୟ ନିର୍ବାଚନ ଅଧିକାରୀ ଏକ ଭର୍ଚୁଆଲ୍‌ ବୈଠକ କରିଥିଲେ । ଏହି ବୈଠକରେ ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକାର ସଂଶୋଧନ କାର୍ଯ୍ୟକ୍ରମ ସଂପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ଜିଲ୍ଲାସ୍ତରରେ ସମସ୍ତ ରାଜନୈତିକ ଦଳମାନଙ୍କ ସହ ବୈଠକ କରାଯାଇ ବୁଥ୍‌ସ୍ତରରେ ବୁଥ୍‌ସ୍ତରୀୟ ଏଜେଣ୍ଟ ନିଯୁକ୍ତି କ୍ଷେତ୍ରରେ ସହାୟତା ନିଆଯିବା ନେଇ ଆଲୋଚନା ହୋଇଥିଲା ।
ବୁଥ୍‌ସ୍ତରୀୟ ଏଜେଣ୍ଟମାନେ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତିରେ ଭୋଟ ପଂଜୀକରଣ ଅଧିକାରୀଙ୍କୁ ସହାୟତା କରିବେ। ଏହାସହ ଯେପରି କୌଣସି ବି ଯୋଗ୍ୟ ଭୋଟର ବାଦ୍‌ ନ ପଡ଼ନ୍ତି ସେଥି ପାଇଁ ନଭେମ୍ବର ମାସର ପ୍ରଥମ ଓ ତୃତୀୟ ରବିବାର ଅର୍ଥାତ୍‌ ନଭେମ୍ବର ୭ ତାରିଖ ଓ ୨୧ ତାରିଖରେ ସବୁ ବୁଥ୍‌ରେ ‘ସ୍ୱତନ୍ତ୍ର ଅଭିଯାନ’ ଆରମ୍ଭ ହେବ । ଉକ୍ତ ଦିନ ବୁଥ୍‌ସ୍ତରୀୟ ଅଧିକାରୀମାନେ ସକାଳ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଉପସ୍ଥିତ ରହି ନାଗରିକମାନଙ୍କର ଆପତ୍ତି ଅଭିଯୋଗ ଗ୍ରହଣ କରିବେ ।
ଏହି କାର୍ଯ୍ୟକ୍ରମକୁ ତଦାରଖ କରିବା ନିମନ୍ତେ ରାଜ୍ୟ ସରକାରଙ୍କର ୯ ଜଣ ବରିଷ୍ଠ ଅଧିକାରୀଙ୍କୁ ରୋଲ୍‌ ଅବଜରଭର ଭାବେ ନିଯୁକ୍ତ କରାଯିବ । ରୋଲ୍‌ ଅବଜରଭର୍‌ମାନେ ଜିଲ୍ଲାକୁ ଜିଲ୍ଲା ବୁଲି ସମସ୍ତ କାର୍ଯ୍ୟର ତଦାରଖ କରି ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ଜଣାଇବେ । ଡିସେମ୍ବର ୨୦ ତାରିଖ ସୁଦ୍ଧା ସମସ୍ତ ଆପତ୍ତି ଅଭିଯୋଗର ଫଏସଲା ହୋଇ ଚୂଡାନ୍ତ ଭୋଟର ତାଲିକା ୨୦୨୨ ଜାନୁଆରୀ ୫ ତାରିଖରେ ପ୍ରକାଶ ପାଇବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରକାଶ କରିଛନ୍ତି । ଭୋଟରମାନଙ୍କ ଘରକୁ ଭୋଟ ପରିଚୟ ପତ୍ର ସ୍ପିଡ୍‌ପୋଷ୍ଟ ମାଧ୍ୟମରେ ପଠାଯିବ । ଏଥି ନିମନ୍ତେ ଫର୍ମ ପୂରଣ ସମୟରେ ସଠିକ୍‌ ଡାକ ଠିକଣା ସହ ଏକକ ମୋବାଇଲ୍‌ ନମ୍ବର ଦେବାକୁ ହେବ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: