କୃଷି ବିଭାଗ ୬ ମାସରେ ୫୦% ଅଧିକ କରିଛି ବଜେଟ୍‍ ବ୍ୟୟ

କୃଷି ବିଭାଗ ୬ ମାସରେ ୫୦% ଅଧିକ କରିଛି ବଜେଟ୍‍ ବ୍ୟୟ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ : ବଜେଟ୍‍ ବ୍ୟୟ କ୍ଷେତ୍ରରେ କୃଷି ବିଭାଗ ସବୁଠାରୁ ଆଗରେ ରହିଛି । ଚଳିତ ଆର୍ଥିକ ବର୍ଷର ପ୍ରଥମ ଛଅ ମାସରେ କୃଷି ବିଭାଗ ବରାଦ ଅର୍ଥରୁ ପାଖାପାଖି ୫୦ ପ୍ରତିଶତ ବ୍ୟୟ କରିଥିବାବେଳେ ଅନ୍ୟ ୭ଟି ବିଭାଗ ୪୦ ପ୍ରତିଶତରୁ ଅଧିକ ଅର୍ଥ ଖର୍ଚ୍ଚ କରିଥିବାର ଜଣାପଡ଼ିଛି । ବଜେଟ୍‍ ବ୍ୟୟ ସଂକ୍ରାନ୍ତୀୟ ସମୀକ୍ଷାରୁ ଏହା ଜଣାପଡିଛି । ୨୦୨୧-୨୨ ଆର୍ଥିକ ବର୍ଷରେ ମହିଳା ଓ ଶିଶୁ ବିକାଶ, ସମବାୟ, ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ଆଇନ୍‍ ଓ କୃଷି ବିଭାଗ ୪୦ ପ୍ରତିଶତରୁ ଅଧିକ ଅର୍ଥ ବ୍ୟୟ କରିଥିବା ଜଣାପଡିଛି । ତେବେ ଚଳିତ ଆର୍ଥିକ ବର୍ଷର ପ୍ରଥମ ଛଅମାସରେ ହାରାହାରି ଭାବେ ବଜେଟ ଅର୍ଥର ୩୪.୭୨ ପ୍ରତିଶତ ବ୍ୟୟ ହୋଇଛି । ଗତ ଆର୍ଥିକ ବର୍ଷ ତୁଳନାରେ ଏହା ୪.୬୨ ପ୍ରତିଶତ ଅଧିକ ରହିଛି । ୨୦୨୦-୨୧ ଆର୍ଥିକ ବର୍ଷର ପ୍ରଥମ ଛଅମାସରେ ବଜେଟ୍‍ ଅର୍ଥର ୩୦.୧୦ ପ୍ରତିଶତ ବ୍ୟୟ ହୋଇଥିଲା । ତେବେ ବଜେଟ୍‍ ଅର୍ଥ ବ୍ୟୟ କ୍ଷେତ୍ରରେ ଶିଳ୍ପ ବିଭାଗ ସବୁଠାରୁ ପଛରେ ରହିଛି । ସେପ୍ଟେମ୍ବର ଶେଷ ସୁଦ୍ଧା ଏହି ବିଭାଗ ବରାଦ ଅର୍ଥର ମାତ୍ର ୨.୪୧ ପ୍ରତିଶତ ବ୍ୟୟ କରିଛି । ଗତ ଆର୍ଥିକ ବର୍ଷର ଏହି ସମୟରେ ଶିଳ୍ପ ବିଭାଗ ୩.୧୦ ପ୍ରତିଶତ ଅର୍ଥ ବ୍ୟୟ କରିଥିଲା । ସେହିଭଳି ବିଜ୍ଞାନ ଓ କାରିଗରୀ ବିଦ୍ୟା ବିଭାଗ ଚଳିତ ଆର୍ଥିକ ବର୍ଷର ପ୍ରଥମ ୬ମାସରେ ମାତ୍ର ୨.୮୦ ପ୍ରତିଶତ ଅର୍ଥ ବ୍ୟୟ କରିଛି । ଗତ ଆର୍ଥିକ ବର୍ଷ ବିଭାଗର ବ୍ୟୟ ପରିମାଣ ପ୍ରାୟ ୩୪ ପ୍ରତିଶତ ରହିଥିଲା । ତେବେ ଅନ୍ୟ ବିଭାଗଗୁଡିକ ମଧ୍ୟରେ ଚଳିତବର୍ଷ ସେପ୍ଟେମ୍ବର ସୁଦ୍ଧା ଗୃହ ବିଭାଗ ପାଖାପାଖି ୪୦ ପ୍ରତିଶତ ଅର୍ଥ ବ୍ୟୟ କରିଥିବାବେଳେ ସାଧାରଣ ପ୍ରଶାସନ ବିଭାଗ ପ୍ରାୟ ୨୮ ପ୍ରତିଶତ, ରାଜସ୍ୱ ବିଭାଗ ୩୬.୬୬ ପ୍ରତିଶତ, ଅର୍ଥ ବିଭାଗ ୩୨.୪୩, ବାଣିଜ୍ୟ ବିଭାଗ ୨୩.୪୦, ପୂର୍ତ୍ତ ବିଭାଗ ୨୪.୪୬, ପଞ୍ଚାୟତିରାଜ ବିଭାଗ ପ୍ରାୟ ୩୭ ପ୍ରତିଶତ ଅର୍ଥ ବ୍ୟୟ କରିଥିବାର ଜଣାପଡ଼ିଛି ।
ସେହିଭଳି ଜଳସମ୍ପଦ ବିଭାଗ ୩୧.୧୨ ପ୍ରତିଶତ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ୨୫.୩୧, ଗ୍ରାମ୍ୟ ଉନ୍ନୟନ ବିଭାଗ ୧୩ ପ୍ରତିଶତ, ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ୨୯.୧୩ ପ୍ରତିଶତ ଏବଂ ଏମ୍‍ଏସଏମ୍‍ଇ ବିଭାଗ ୩୮.୧୩ ପ୍ରତିଶତ ଅର୍ଥ ଖର୍ଚ୍ଚ କରିଛନ୍ତି।ଉଲ୍ଲେଖନୀୟ ଯେ ଚଳିତ ଆର୍ଥିକ ବର୍ଷରେ ରାଜ୍ୟର ବଜେଟ୍‍ ବ୍ୟୟ ବରାଦ ଏକ ଲକ୍ଷ ୪୫ହଜାର କୋଟି ଟଙ୍କାରୁ ଅଧିକ ରହିଥିବାବେଳେ ବିଭାଗଗୁଡିକ ମିଳିମିଶି ୩୪.୭୨ ପ୍ରତିଶତ ଅର୍ଥ ଖର୍ଚ୍ଚ କରିପାରିଛନ୍ତି । ଗତ ଆର୍ଥିକ ବର୍ଷରେ ବଜେଟ୍‍ ବ୍ୟୟ ବରାଦ ଲକ୍ଷେ ୪୧ହଜାର କୋଟି ଟଙ୍କାରୁ ସାମାନ୍ୟ ଅଧିକ ଥିବାବେଳେ ପ୍ରଥମ ଛଅମାସରେ ବିଭାଗଗୁଡିକ ୩୦.୧୦ ପ୍ରତିଶତ ଅର୍ଥ ଖର୍ଚ୍ଚ କରିଥିଲେ । ତେବେ ଗତ ଆର୍ଥିକ ବର୍ଷ ତୁଳନାରେ ବଜେଟ୍‍ ପରିମାଣରେ ୨.୯୨ ପ୍ରତିଶତ ବୃଦ୍ଧି ପାଇଥିବାବେଳେ ଖର୍ଚ୍ଚ ପରିମାଣ ପ୍ରଥମ ଛଅମାସରେ ୪.୬୨ ପ୍ରତିଶତ ଅଧିକ ରହିଥିବାର ଜଣାପଡ଼ିଛି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: