ପଞ୍ଚାୟତ ନିର୍ବାଚନ ପାଇଁ ସଂରକ୍ଷଣ ପ୍ରକ୍ରିୟା ଆରମ୍ଭ

ପଞ୍ଚାୟତ ନିର୍ବାଚନ ପାଇଁ ସଂରକ୍ଷଣ ପ୍ରକ୍ରିୟା ଆରମ୍ଭ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ପଞ୍ଚାୟତ ନିର୍ବାଚନ ପାଇଁ ସରକାରୀ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି। ସଂରକ୍ଷଣ ଅଡ଼ୁଆ ତୁଟାଇବା ପାଇଁ ଆଇନ ସଂଶୋଧନ କଲା ପରେ ଏବେ ଜିଲ୍ଲା ସ୍ତରରେ ସଂରକ୍ଷଣ ପ୍ରକ୍ରିୟା ଆରମ୍ଭ କରାଯିବ। ପଞ୍ଚାୟତିରାଜ ବିଭାଗ ପକ୍ଷରୁ ସଂରକ୍ଷଣ ପାଇଁ ଆବଶ୍ୟକ ଗାଇଡ୍‌ଲାଇନ୍ ଆଜି ଜାରି କରାଯାଇଛି। ଏ ସଂକ୍ରାନ୍ତରେ ପଞ୍ଚାୟତିରାଜ ବିଭାଗର ପ୍ରମୁଖ ଶାସନ ସଚିବ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି।

ଜିଲ୍ଲାପାଳମାନଙ୍କ ତତ୍ତ୍ବାବଧାନରେ ୱାର୍ଡ, ଗ୍ରାମପଞ୍ଚାୟତ, ପଞ୍ଚାୟତ ସମିତିରେ ଆସନ ସଂରକ୍ଷଣ କରାଯିବ। ପଞ୍ଚାୟତିରାଜ ବିଭାଗ ପକ୍ଷରୁ ସିଧାସଳଖ ଜିଲ୍ଲା ପରିଷଦ ପାଇଁ ଆସନ ସଂରକ୍ଷଣ ବ୍ୟବସ୍ଥା କରାଯିବ। ଜିଲ୍ଲାପାଳମାନେ ରିପୋର୍ଟ ଦେଲା ପରେ ପଞ୍ଚାୟତିରାଜ ବିଭାଗ ସଂରକ୍ଷଣ ସଂକ୍ରାନ୍ତରେ ଚୂଡ଼ାନ୍ତ ରିପୋର୍ଟ ନିର୍ବାଚନ କମିସନ୍‌ଙ୍କ ନିକଟରେ ଦାଖଲ କରିବେ। ତାହା ପରେ ନିର୍ବାଚନ କମିସନ୍ ଭୋଟର୍‌ ତାଲିକା ସଂଶୋଧନ କରିବା ପାଇଁ ପଦକ୍ଷେପ ନେବେ। ଭୋଟର୍‌ ତାଲିକା ଚୂଡ଼ାନ୍ତ ହେଲା ପରେ କମିସନ୍ ଯେ କୌଣସି ମୂହୁର୍ତ୍ତରେ ନିର୍ବାଚନ ତାରିଖ ଘୋଷଣା କରିବେ। ଏଥର ପଞ୍ଚାୟତ ନିର୍ବାଚନରେ ସୀମା ପୁନଃନିର୍ଦ୍ଧାରଣ ହେବ ନାହିଁ ବୋଲି ସରକାର ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି।

ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଜାରି କରାଯାଇଥିବା ଗାଇଡ୍‌ଲାଇନ୍ ଅନୁଯାୟୀ ଅନୁସୂଚିତ ଜାତି (ଏସ୍‌ସି), ଅନୁସୂଚିତ ଜନଜାତି (ଏସ୍‌ଟି) ଓ ପଛୁଆ ବର୍ଗ ନାଗରିକ (ବିସିସି)ଙ୍କ ପାଇଁ ମୋଟ୍‌ ସଂରକ୍ଷଣ ୫୦% ଭିତରେ ସୀମିତ ରହିବ। ବିସିସି ପାଇଁ ସଂରକ୍ଷଣ ନିର୍ଦ୍ଦିଷ୍ଟ ନ ଥିବାରୁ ଏହା ପଞ୍ଚାୟତ ଓ ବ୍ଲକ୍‌ ୱାରି ଭିନ୍ନ ଭିନ୍ନ ରହିପାରେ। କିନ୍ତୁ କୌଣସି ପରିସ୍ଥିତିରେ ୨୭%ରୁ ଅଧିକ ହେବ ନାହିଁ। ସେହିପରି ସବୁ ବର୍ଗ ପାଇଁ ସଂରକ୍ଷଣ ସରିଲା ପରେ ତାହାର ୫୦% ମହିଳାଙ୍କ ପାଇଁ ସଂରକ୍ଷଣ ରହିବ। ଗ୍ରାମ/ ଗ୍ରାମପଞ୍ଚାୟତ/ ବ୍ଲକ୍/ ଜିଲ୍ଲାରେ ଏସ୍‌ସି ଓ ଏସ୍‌ଟି ଲୋକସଂଖ୍ୟାକୁ (୨୦୧୧ ଜନଗଣନା ଅନୁଯାୟୀ) ଭିତ୍ତି କରି ସେମାନଙ୍କ ପାଇଁ ଆସନ ସଂରକ୍ଷଣ କରାଯିବ। ଯଦି କୌଣସି ଗ୍ରାମ/ ଗ୍ରାମପଞ୍ଚାୟତ/ ବ୍ଲକ୍/ ଜିଲ୍ଲାରେ ଏସ୍‌ସି ଓ ଏସ୍‌ଟିଙ୍କ ପାଇଁ ଆସନ ସଂରକ୍ଷଣ ନିମନ୍ତେ ସେମାନଙ୍କ ଲୋକସଂଖ୍ୟା ଯଥେଷ୍ଟ ନୁହେଁ, ତେବେ ସେଠାରେ ଅତି କମ୍‌ରେ ଗୋଟିଏ ଆସନ ଏସ୍‌ସି ଓ ଗୋଟିଏ ଆସନ ଏସ୍‌ଟି ପାଇଁ ସଂରକ୍ଷିତ ରଖାଯିବା ବାଧ୍ୟତାମୂଳକ। ସେହିପରି ସଂରକ୍ଷଣ ବେଳେ ଗତ ୪ଟି ନିର୍ବାଚନର ସଂରକ୍ଷଣ ବ୍ୟବସ୍ଥାକୁ ବିଚାରକୁ ନେଇ ରୋଟେସନ୍‌ କରିବାକୁ ମଧ୍ୟ କୁହାଯାଇଛି।

ଏହି ସଂରକ୍ଷଣ ପ୍ରକ୍ରିୟାକୁ ଅକ୍ଟୋବରରେ ସାରିବାକୁ ଧାର୍ଯ୍ୟ କରାଯାଇଛି। ଗ୍ରାମ ପଞ୍ଚାୟତ ଓ ପଞ୍ଚାୟତ ସମିତି ପାଇଁ ଚିଠା ସଂରକ୍ଷଣ ତାଲିକା ଅକ୍ଟୋବର ୮ରେ ପ୍ରକାଶିତ ହେବ। ଲୋକମାନେ ତାଙ୍କର ଆପତ୍ତି ଅଭିଯୋଗ ଅକ୍ଟୋବର ୧୬ ସୁଦ୍ଧା ଜଣାଇବେ। ଗ୍ରାମ ପଞ୍ଚାୟତର ଚୂଡ଼ାନ୍ତ ସଂରକ୍ଷଣ ତାଲିକା ଅକ୍ଟୋବର ୨୬ରେ ଓ ପଞ୍ଚାୟତ ସମିତିର ଚୂଡ଼ାନ୍ତ ତାଲିକା ଅକ୍ଟୋବର ୩୦ ସୁଦ୍ଧା ରାଜ୍ୟ ନିର୍ବାଚନ କମିସନଙ୍କୁ ଦିଆଯିବ। ଜିଲ୍ଲା ପରିଷଦର ଚିଠା ସଂରକ୍ଷଣ ତାଲିକା ଅକ୍ଟୋବର ୧୬ରେ ପ୍ରକାଶ ପାଇବ ଓ ୨୬ ତାରିଖ ସୁଦ୍ଧା ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ କରାଯିବ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: