ରେକର୍ଡ ସଂଖ୍ୟକ ହାରରେ ଜିତିଲେ ମହାରଥୀ ପୁଅ

ରେକର୍ଡ ସଂଖ୍ୟକ ହାରରେ ଜିତିଲେ ମହାରଥୀ ପୁଅ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ : ପିପିଲି ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରସାଦ ମହାରଥୀ ବାଜି ମାରିନେଇଛନ୍ତି । ସେ ରେକର୍ଡ ସଂଖ୍ୟକ ୯୬,୯୭୨ ଖଣ୍ଡ ପାଇବା ସହିତ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ଆଶ୍ରିତ ପଟ୍ଟନାୟକଙ୍କୁ ୨୦,୯୧୬ ଖଣ୍ଡ ଭୋଟ ବ୍ୟବଧାନରେ ହରାଇ ଦେଇଛନ୍ତି । କଂଗ୍ରେସ ପ୍ରାର୍ଥୀ ୫ହଜାରରୁ କମ୍‍ ଭୋଟ ପାଇ ଏଠାରେ ଅମାନତ ହରାଇଛନ୍ତି ।

ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଅକାଳ ବିୟୋଗ ପରେ ଏଠାରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା । ବିଜେଡି ପକ୍ଷରୁ ସ୍ୱର୍ଗତ ମହାରଥୀଙ୍କ ପୁଦ୍ର ରୁଦ୍ର ପ୍ରସାଦଙ୍କୁ ପ୍ରାର୍ଥୀ କରାଯାଇଥିବାବେଳେ ବିଜେପି ତାହାର ଗତ ନିର୍ବାଚନରେ ପରାଜିତ ପ୍ରାର୍ଥୀ ଆଶ୍ରିତଙ୍କୁ ଟିକଟ ଦେଇଥିଲା । ତେବେ କଂଗ୍ରେସର ପ୍ରଥମେ ଟିକଟ ପାଇଥିବା ଅଜିତ ମଙ୍ଗରାଜଙ୍କ ଅକାଳ ମୃତ୍ୟୁପରେ ବିଶ୍ୱକେସନ ହରିଚନ୍ଦନ ନୂଆ ପ୍ରାର୍ଥୀ ହୋଇଥିଲେ ।

ଆଜି ଘୋଷଣା ହୋଇଥିବା ଫଳାଫଳ ଅନୁଯାୟୀ ବିଜେଡି ପ୍ରାର୍ଥୀ ଶ୍ରୀ ମହାରଥୀ ୯୬,୯୭୨ ଖଣ୍ଡ ଭୋଟ ପାଇଥିବାବେଳେ ବିଜେପି ପ୍ରାର୍ଥୀ ଶ୍ରୀ ପଟ୍ଟନାୟକ ୭୬,୦୫୬ ଖଣ୍ଡ ଭୋଟ ପାଇଛନ୍ତି । କଂଗ୍ରେସ ପ୍ରାର୍ଥୀ ଶ୍ରୀ ହରିଚନ୍ଦନ ମାତ୍ର ୪୨୬୧ ଖଣ୍ଡ ଭୋଟ ପାଇ ଅମାନତ ହରାଇଛନ୍ତି।

ନିର୍ବାଚନ ଫଳାଫଳ ପ୍ରକାଶ ପାଇବାପରେ ବିଜେଡି ଶିବିରରେ ବିଜୟ ଉତ୍ସବ ପାଳନ ହୋଇଥିବାବେଳେ ବିଜେପି ଶିବିରରେ ନୈରାଶ୍ୟଭାବ ଦେଖାଦେଇଛି । ତେବେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଜାରି କରିଥିବା ପ୍ରେସ ରିଲିଜରେ କହିଛନ୍ତି ବିଜେପିକୁ ସମର୍ଥନ କରିଥିବାରୁ ପିପିଲି ବାସୀଙ୍କୁ କୃତଜ୍ଞତା ଜ୍ଞାପନ ସହିତ ସେମାନଙ୍କ ସ୍ୱାର୍ଥପାଇଁ ଦଳ ଲଢେଇ ଜାରି ରଖିବ ବୋଲି କହିଛନ୍ତି । ସେହିଭଳି କଂଗ୍ରେସ ମୁଖପାତ୍ର ଗଣେଶ୍ୱର ବେହେରା ମଧ୍ୟ ପରାଜୟକୁ ତାଙ୍କ ଦଳ ସ୍ୱୀକାର କରିଥିବା ଦର୍ଶାଇଛନ୍ତି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: