ଆସୁଛି ପଞ୍ଚାୟତ ନିର୍ବାଚନ, ପ୍ରସ୍ତୁତି ଜୋରଦାର

ଆସୁଛି ପଞ୍ଚାୟତ ନିର୍ବାଚନ, ପ୍ରସ୍ତୁତି ଜୋରଦାର

ପ୍ରିଜମ୍ ନ୍ୟୁଜ: ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ସଂପର୍କରେ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କ ସହ ଭିଡ଼ିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ବିସ୍ତୃତ ଆଲୋଚନା କରିଛନ୍ତି। ଜିଲ୍ଲାପାଳମାନେ ସଂପୃକ୍ତ ଜିଲ୍ଲାର ପଞ୍ଚାୟତ ନିର୍ବାଚନ ପାଇଁ ୱାର୍ଡ ପରିସୀମା ନିର୍ଦ୍ଧାରଣ ଓ ପଦ ସଂରକ୍ଷଣ କାର୍ଯ୍ୟ ସମାପ୍ତ କରି ତାହାର ତାଲିକା ଆସନ୍ତା ୨୬ ତାରିଖ ସୁଦ୍ଧା ରାଜ୍ୟ ନିର୍ବାଚନ କମିଶନଙ୍କୁ ପଠାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ତାଲିକା ଜିଲ୍ଲାପାଳମାନେ ସ୍ୱତନ୍ତ୍ର ବାର୍ତ୍ତାବହ ଜରିଆରେ ନିର୍ବାଚନ କମିଶନଙ୍କୁ ପଠାଇବାକୁ କୁହାଯାଇଛି। ରାଜ୍ୟ ନିର୍ବାଚନ କମିଶନଙ୍କ ତରଫରୁ ସମସ୍ତ ଜିଲ୍ଲାପାଳଙ୍କୁ ପଦ ସଂରକ୍ଷଣ ତଥ୍ୟ ନିର୍ଦ୍ଧାରିତ ପ୍ରୋଫର୍ମାରେ ସ୍ୱତନ୍ତ୍ର ବାର୍ତ୍ତାବହ ଜରିଆରେ ଅକ୍ଟୋବର ୨୬ ସୁଦ୍ଧା ନିର୍ବାଚନ କମିଶନଙ୍କୁ ପଠାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ସେହପରି ଭର୍ଚୁଆଲ ବୈଠକରେ ପଞ୍ଚାୟତ ନିର୍ବାଚନରେ ବ୍ୟବହୃତ ହେବାକୁ ଥିବା ବାଲାଟ୍‌ ବକ୍ସ ସଂପର୍କରେ ନିର୍ବାଚନ କମିଶନର ଆଲୋଚନା କରିଥିଲେ। ପ୍ରତ୍ୟେକ ଜିଲ୍ଲାରେ କେତୋଟି ବାଲାଟ୍‌ ବକ୍ସ ଦରକାର ହେବ, ଜିଲ୍ଲାସ୍ତରରେ କେତେ ବାଲାଟ୍‌ ବକ୍ସ ଅଛି, ସେ ସଂପର୍କରେ କମିଶନ ଜାଣିବାକୁ ଇଚ୍ଛାପ୍ରକାଶ କରିଥିଲେ। ଏଥି ନିମନ୍ତେ ୧ କୋଟି ୧୬ ଲକ୍ଷ ଟଙ୍କା ଜିଲ୍ଲାଗୁଡ଼ିକୁ ପ୍ରଦାନ କରାଯାଇଛି ଏବଂ ନଭେମ୍ବର ୧୫ ତାରିଖ ସୁଦ୍ଧା ଏ ସମସ୍ତ କାର୍ଯ୍ୟ ସଂପନ୍ନ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ନିର୍ବାଚନ ପରେ ଭୋଟଗଣତି ସଂପର୍କରେ ନିର୍ବାଚନ କମିଶନ ଏକ ବିସ୍ତୃତ ନିୟମାବଳୀ ଜାରି କରିଛନ୍ତି। ଏଥର ପଞ୍ଚାୟତ ନିର୍ବାଚନ ଭୋଟଗଣତି ବ୍ଲକ୍‌ ମୁଖ୍ୟାଳୟଠାରେ ଅନୁଷ୍ଠିତ ହେବ। ଏଥିରେ ସମସ୍ତ ଜିଲ୍ଲାପାଳ ଭୋଟଗଣତି ସଂପର୍କରେ ଜାରି କରାଯାଇଥିବା ବିସ୍ତୃତ ନିୟମାବଳୀକୁ ଅନୁଧ୍ୟାନ କରିବା ପାଇଁ କମିଶନ ତରଫରୁ କୁହାଯାଇଛି । ଜିଲ୍ଲାପାଳମାନେ ବ୍ଲକ୍‌ ମୁଖ୍ୟାଳୟରେ ଭୋଟଗଣତି କେନ୍ଦ୍ର ଚିହ୍ନଟ ସହ ପ୍ରସ୍ତୁତ କରି ରଖିବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: