ଚଳିତବର୍ଷ ନିଜସ୍ବ ଟିକସରୁ ୩୭ ହଜାର ୫ଶହ କୋଟି ଆଦାୟ କରିବେ ରାଜ୍ୟ ସରକାର

ଚଳିତବର୍ଷ ନିଜସ୍ବ ଟିକସରୁ ୩୭ ହଜାର ୫ଶହ କୋଟି ଆଦାୟ କରିବେ ରାଜ୍ୟ ସରକାର

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ବ୍ୟୟ ସଂକୋଚନ ପାଇଁ ରାଜ୍ୟ ସରକାର ଯେତେ କଡ଼ା ପଦକ୍ଷେପ ନେଲେ ବି କର୍ମଚାରୀମାନଙ୍କ ବେତନ, ପେନସନ ଓ ଅନ୍ୟ ରାଜସ୍ୱ ବ୍ୟୟ ବଢ଼ିବାରେ ଲାଗିଛି । ଏବେ ମୋଟ ବଜେଟର ପାଖାପାଖି ୬୦ ପ୍ରତିଶତ ଏ ବାବଦରେ ଖର୍ଚ୍ଚ ହେଉଛି । ୨୦୦୯-୧୦ ବେଳକୁ ବେତନ, ଭତ୍ତା, ପେନସନ ଓ ଦପ୍ତର ପରିଚାଳନା ବାବଦରେ ବାର୍ଷିକ ୧୨,୭୫୩ କୋଟି ୮୪ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଏହା ବଢ଼ି ବଢ଼ି ୨୦୧୭-୧୮ ବେଳକୁ ୩୫,୩୬୩ କୋଟି ୮୪ ଲକ୍ଷ ଟଙ୍କାରେ ପହଞ୍ଚି ଥିଲା । ୨୦୨୧-୨୨ର ସରକାରୀ ଅଟକଳ ମୁତାବକ ୧ଲକ୍ଷ ୭୦ ହଜାର କୋଟି ଟଙ୍କାର ବଜେଟରୁ ବେତନ, ଭତ୍ତା, ପେନସନ ଓ ଅନ୍ୟ ରାଜସ୍ୱ ବ୍ୟୟ ପରିମାଣ ୧,୦୧,୫୬୭ କୋଟି ୧୯ଲକ୍ଷ ଟଙ୍କାରେ ପହଞ୍ଚିବା ସମ୍ଭାବନା ରହିଛି।

ସରକାର ବ୍ୟୟ ସଂକୋଚନ ନୀତି ଆପଣେଇ ୨୫ବର୍ଷ ମଧ୍ୟରେ ରାଜ୍ୟରେ ପ୍ରାୟ ୮୦ ସରକାରୀ ପଦବୀ ଉଚ୍ଛେଦ କରିଥିବା ବେଳେ ନୂତନ ନିଯୁକ୍ତି ଉପରେ ଦୀର୍ଘ ବର୍ଷ ଧରି କଡା କଟକଣା ଲାଗୁ କରିଥିଲେ । ଏହାଛଡା ସରକାରୀ ଦପ୍ତରଗୁଡିକର କମ୍ପ୍ୟୁଟରୀକରଣ କରାଯିବା ଫଳରେ ମାନବସମ୍ବଳ ଚାପ ଅନେକ ମାତ୍ରାରେ କମାଯାଇଛି । ଏହାସତ୍ତ୍ୱେ ବି ବିଭିନ୍ନ ଅର୍ଥ କମିଶନଙ୍କ ସୁପାରିସ ପରେ ରାଜ୍ୟ ସରକାର ବେତନ, ପେନସନ ଓ ଭତ୍ତା ଆଦି ବଢ଼ାଇବା ଏବଂ ଠିକାରେ ନିଯୁକ୍ତ କର୍ମଚାରୀଙ୍କ ପାରିଶ୍ରମିକ ବୃଦ୍ଧି ସହ ସେମାନଙ୍କୁ ଚାକିରିରେ ନିୟମିତ କରାଯିବା ଫଳରେ ରାଜକୋଷ ଉପରେ ଚାପ ବୃଦ୍ଧି ପାଉଛି ।

୨୦୨୧-୨୨ ଆର୍ଥିକ ବର୍ଷରେ ରାଜ୍ୟ ସରକାର ନିଜସ୍ୱ ଟିକସରୁ ୩୭ହଜାର ୫ଶହ କୋଟି ଓ ଅଣଟିକସରୁ ୨୦ ହଜାର କୋଟି ଅସୁଲ କରିବା ଲକ୍ଷ୍ୟ ରଖିଛନ୍ତି । ଏ କ୍ଷେତ୍ରରେ ଏଯାବତ୍ ଅଗ୍ରଗତି ସନ୍ତୋଷଜନକ ରହିଛି । କେନ୍ଦ୍ର ସରକାରଙ୍କଠାରୁ ଚଳିତ ଆର୍ଥିକବର୍ଷରେ ଟିକସ ଅଂଶ ବାବଦରେ ଓଡ଼ିଶା ୩୦ହଜାର ୧୩୭ କୋଟି ଓ କେନ୍ଦ୍ରୀୟ ଅନୁଦାନ ଆକାରରେ ୩୭ହଜାର ୯୬୩ କୋଟି ଟଙ୍କା ପାଇବାର ଆଶା ରଖିଛି । ତେବେ ଏ କ୍ଷେତ୍ରରେ ବ୍ୟାପକ ଅନିୟମିତତା ଲକ୍ଷ୍ୟ କରାଯାଉଛି । ଚଳିତ ଆର୍ଥିକବର୍ଷରେ ସରକାର ପ୍ରୋଭିଡେଣ୍ଟ ଫଣ୍ଡ ଓ ଅନ୍ୟ ଜମା ସୂତ୍ରରୁ ୩ ହଜାର କୋଟି ଏବଂ ବିଭିନ୍ନ ସୂତ୍ରରୁ ଋଣ ଆକାରରେ ପ୍ରାୟ ୪୧ ହଜାର କୋଟି ଟଙ୍କା ଉଠାଇବାର ଲକ୍ଷ୍ୟ ରଖିଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: