ତୃତୀୟ ଲହର ପାଇଁ ରାଜ୍ୟ ସରକାର ପ୍ରସ୍ତୁତ

ତୃତୀୟ ଲହର ପାଇଁ ରାଜ୍ୟ ସରକାର ପ୍ରସ୍ତୁତ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍‌ସିଂ ଯୋଗେ ରାଜ୍ୟରେ କୋଭିଡ ପରିସ୍ଥିତି ସଂପର୍କରେ ସମୀକ୍ଷା କରିଥିଲେ। ରାଜ୍ୟରେ କୋଭିଡ୍ ସଂକ୍ରମରେ ଉନ୍ନତି ପରିଲକ୍ଷିତ ହେବା ସହିତ ପଜିଟିଭିଟି ରେଟ୍‌ ହ୍ରାସ ପାଇଥିବାରୁ ମୁଖ୍ୟମନ୍ତ୍ରୀ ଆଶ୍ୱସ୍ତି ପ୍ରକାଶ କରିଥିଲେ ଏବଂ ଆଗାମୀ କିଛି ସପ୍ତାହ ମଧ୍ୟରେ ପରିସ୍ଥିତିରେ ଆହୁରି ଉନ୍ନତି ଆସିବ ବୋଲି ଆଶାପ୍ରକାଶ କରିଥିଲେ। ତଥାପି କେତେକ ଜିଲ୍ଲାରେ ପଜିଟିଭିଟ୍‌ ରେଟ୍‌ ଅଧିକ ଥିବାରୁ ସେଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେଇ କାର୍ଯ୍ୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଏହାସହିତ ବର୍ତ୍ତମାନ ଚାଲିଥିବା ଘରକୁ ଘର ବୁଲି ସର୍ଭେ କାର୍ଯ୍ୟ ସଂପର୍କରେ ସଚେନତା ସହିତ ତାର ଉପଯୁକ୍ତ ତଦାରଖ ଏବଂ ଲକ୍ଷଣଯୁକ୍ତ ରୋଗୀଙ୍କର ତୁରନ୍ତ ଚିକିତ୍ସା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଆରୋପ କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପରିସ୍ଥିତିରେ ଉନ୍ନତି ଆସିଥିଲେ ମଧ୍ୟ ଦ୍ବିତୀୟ ଲହର ପ୍ରଭାବରୁ ଆମେ ଏବେ ମଧ୍ୟ ସଂପୂର୍ଣ୍ଣ ମୁକ୍ତ ହୋଇନାହୁଁ । ତାସହିତ ବିଭିନ୍ନ ପର୍ବପର୍ବାଣୀ ଆସୁଥିବାରୁ ଆମକୁ ଅଧିକ ସତର୍କତା ଅବଲମ୍ବନ କରିବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏଥିପାଇଁ କୋଭିଡ ନିୟମାବଳୀକୁ ଆହୁରି କଡାକଡି ଭାବରେ ପାଳନ କରିବା ପାଇଁ ସେ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ । କୋଭିଡ୍ ତୃତୀୟ ଲହରରେ ଶିଶୁମାନେ ଅଧିକ ପ୍ରଭାବିତ ହେବାର ଆଶଙ୍କା ସଂପର୍କରେ ବିଶେଷଜ୍ଞମାନେ ମତ ଦେଉଥିବାରୁ, ଏବେଠାରୁ ଏହାର ମୁକାବିଲା ପାଇଁ ପ୍ରସ୍ତୁତ ରହିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ପିଲାମାନଙ୍କ ପାଇଁ ସ୍ବତନ୍ତ୍ର କୋଭିଡ ଚିକିତ୍ସା ସୁବିଧାର ବିକାଶ, ଆବଶ୍ୟକ ଉପକରଣ ଏବଂ ଔଷଣ ମହଜୁଦ ରଖିବା ସଂଗେ ସଂଗେ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀମାନଙ୍କୁ ଶିଶୁ ରୋଗ ସଂପର୍କରେ ତାଲିମ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ତୃତୀୟ ଲହର ପାଇଁ ଗଠିତ ବୈଷୟିକ ଟାସ୍କ ଫୋର୍ସ କମିଟିର ସୁପାରିଶ ଅନୁଯାୟୀ ଆଗୁଆ ପ୍ରସ୍ତୁତି କରିବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ବର୍ତ୍ତମାନ ରାଜ୍ୟରେ ଦୈନିକ ଟିକାକରଣ ଦେଢ ଲକ୍ଷ ଥିବାବେଳେ, ଏହାକୁ ୩ ଲକ୍ଷକୁ ବୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ସେହିପରି ବ୍ଲାକ ଫଙ୍ଗସ ସଂକ୍ରମଣ ମଧ୍ୟ ବୃଦ୍ଧି ପାଉଥିବାରୁ ମୁଖ୍ୟମନ୍ତ୍ରୀ ଉଦ୍‌ବେଗ ପ୍ରକାଶ କରିବା ସହିତ ସେଥିପାଇଁ ଆବଶ୍ୟକ ଔଷଧ ମହଜୁଦ ରଖିବା ଏବଂ ଆବଶ୍ୟକ ସ୍ଥଳେ ଜରୁରୀ ପଦକ୍ଷେପ ନେବା ପାଇଁ ପରାମର୍ଶ ଦେଇଥିଲେ । ରାଜ୍ୟରେ ଅକ୍‌ସିଜେନ ଯୋଗାଣ ସନ୍ତୋଷଜନକ ରହିଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିବା ସହିତ ସିଲିଣ୍ଡର ଉପଲବ୍‌ଧତାରେ ଉନ୍ନତି ଘଟିଛି ବୋଲି କହିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବର୍ତ୍ତମାନ ରାଜ୍ୟରେ ଲକ୍‌ଡାଉନ ଜାରି ରହିଛି। କିନ୍ତୁ ଯେଉଁ ଜିଲ୍ଲା ଗୁଡିକରେ ସଂକ୍ରମଣ ହାର କମୁଛି, ସେଠାରେ ପର୍ଯ୍ୟାୟକ୍ରମେ ଅନ୍‌-ଲକ୍‌ ପ୍ରକ୍ରିୟା ଆରମ୍ଭ କରିବା ବିଷୟ ସରକାରଙ୍କ ବିଚରାଧୀନ ରହିଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ। ଆଲୋଚନାରେ ଅଂଶଗ୍ରହଣ କରି ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ ବାତ୍ୟା ପ୍ରଭାବିତ ଅଞ୍ଚଳରେ କୋଭିଡ ସଂକ୍ରମଣରେ କୌଣସି ବୃଦ୍ଧି ଘଟି ନ ଥିବା ଆଶ୍ବସ୍ତିର ବିଷୟ। ରାଜ୍ୟରେ ପିଜିଟିଭିଟି ହାର କମି ଥିବାରୁ ଆଇସିୟୁ ଓ ଅକ୍‌ସିଜେନ ସଂଯୁକ୍ତ ବେଡ୍‌ ଉପରେ ଚାପ ହ୍ରାସ ପାଇଛି। ଖୁବଶୀଘ୍ର ସଂକ୍ରମଣ ୫ ପ୍ରତିଶତକୁ ହ୍ରାସ ପାଇବ ବୋଲି ସେ ଆଶାପ୍ରକାଶ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଠାରୁ ଆରମ୍ଭ କରି ମେଡିକାଲ କଲେଜ ପର୍ଯ୍ୟନ୍ତ ୧୧୧୪ ଡାକ୍ତର ଓ ୧୦୩୬ ସ୍ବାସ୍ଥ୍ୟକର୍ମୀଙ୍କୁ ଶିଶୁ କୋଭିଡ୍ ରୋଗୀଙ୍କ ତାଲିମ ଆରମ୍ଭ କରାଯିବ। ଏହାସହିତ ତୃତୀୟ ଲହରର ମୁକାବିଲା ପାଇଁ ୩୦୦୦ ବେଡ୍, ୨୩୯୦ ଆଇସୋଲେସନ୍ ବେଡ୍, ୬୧୦ ଆଇସିୟୁ ଶଯ୍ୟା ପ୍ରସ୍ତୁତ ରଖାଯାଇଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: