ରଜ ପରେ ଅଧା ଓଡ଼ିଶାରେ ଅନଲକ୍ !

ରଜ ପରେ ଅଧା ଓଡ଼ିଶାରେ ଅନଲକ୍ !

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ରାଜ୍ୟରେ ୧୨ଟି ଜିଲ୍ଲାରେ ସଂକ୍ରମଣ ହାର ୫ ପ୍ରତିଶତରୁ କମ ରହିଛି। କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଅନୁସାରେ ୫ ପ୍ରତିଶତରୁ କମ୍ ସଂକ୍ରମଣ ହାର ଥିବା ଜିଲ୍ଲାଗୁଡ଼ିକରେ ପର୍ଯ୍ୟାୟକ୍ରମେ ଅନଲକ୍ କରାଯାଇପାରିବ।ତେଣୁ, ରାଜ୍ୟରେ ଧୀରେଧୀରେ ଅନଲକ୍ କରାଯାଇପାରିବ। ସେହିପରି ଲକଡାଉନ କଟକଣା ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ରହିଥିବାରୁ ଅନ୍ୟ ଜିଲ୍ଲା ଗୁଡିକରେ ସଂକ୍ରମଣ ହାର ମଧ୍ୟ ଯଥେଷ୍ଟ କମିବାର ସମ୍ଭାବନା ରହିଛି। କେବଳ ଏହି ଦୁଇ ଜିଲ୍ଲା ନୁହେଁ ବରଂ କେନ୍ଦୁଝର ଓ ମୟୂରଭଞ୍ଜରେ ମଧ୍ୟ ଗୋଟିଏ ସପ୍ତାହ ମଧ୍ୟରେ ସ୍ଥିତିରେ ସୁଧାର ଆସିପାରେ। କାରଣ ରାଜ୍ୟରେ ଲଗାତାର ସଂକ୍ରମଣ ହାର କମୁଥିବା ବେଳେ ଉଭୟ ଜିଲ୍ଲାରେ ମଧ୍ୟ ସଂକ୍ରମଣ ଦ୍ରୁତ ହ୍ରାସ ପାଉଛି। ପୂର୍ବରୁ ସଂକ୍ରମଣ ହାର କମ୍ ଥିବା ୩ ଜିଲ୍ଲା ଗଜପତି, ନୂଆପଡା, ସୁନ୍ଦରଗଡ଼ରେ ଲକଡାଉନ କଟକଣାକୁ ଟିକିଏ କୋହଳ ସହ ବିଭିନ୍ନ ଦୋକାନ ଖୋଲିବାକୁ ସରକାର ଅନୁମତି ଦେଇଥିଲେ। ତେବେ ଏଭଳି ନିଷ୍ପତି ପରେ ଉକ୍ତ ୩ ଜିଲ୍ଲାରେ ସଂକ୍ରମଣ ସେଭଳି ବଢିନଥିଲା। ଏପରିକି ଏକଦା ରାଜ୍ୟର ସର୍ବାଧିକ ସଂକ୍ରମିତ ଚିହ୍ନଟ ହେଉଥିବା ସୁନ୍ଦରଗଡରେ ସ୍ଥିତିରେ ସୁଧାର ଆସିବା ସହ ସଂକ୍ରମଣ ହାର ଏବେ ମଧ୍ୟ ୫ ପ୍ରତିଶତ ତଳେ ରହୁଛି। ତେଣୁ ଏହା ଅନ୍ୟ ଜିଲ୍ଲା ଗୁଡିକ ପାଇଁ ଶୁଭସଂକେତ ଆଣିପାରେ। ଯଦି ସଂକ୍ରମଣ ହାରକୁ ଦୃଷ୍ଟିରେ ରଖି ଅନଲକ୍ କରାଯାଏ, ତେବେ ପଶ୍ଚିମ ଓଡ଼ିଶାର ଅଧିକାଂଶ ଜିଲ୍ଲା ଏହି ତାଲିକାରେ ରହିବେ। ଉପକୂଳ ଓ ଉତ୍ତର ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ସଂକ୍ରମଣ ହାର ୧୦ ପ୍ରତିଶତରୁ ଅଧିକ ରହୁଥିବାରୁ ଏଠାରେ ଅନଲକ ହେବାର ସମ୍ଭାବନା ଯଥେଷ୍ଟ କମ ରହିଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: