ଆସିଲା ମାର୍ଚ୍ଚ ମାସ ଗାଇଡଲାଇନ

ଆସିଲା ମାର୍ଚ୍ଚ ମାସ ଗାଇଡଲାଇନ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ରାଜ୍ୟ ସରକାର ମାର୍ଚ୍ଚ ମାସ ପାଇଁ ସୋମବାର କୋଭିଡ୍ ଗାଇଡ଼ଲାଇନ୍ ଜାରି କରିଛନ୍ତି। ମାର୍ଚ୍ଚ ମାସରେ ମହାଶିବରାତ୍ରି, ଦୋଳ ପୂର୍ଣ୍ଣିମା ଓ ହୋଲି ନେଇ ସରକାର ପରାମର୍ଶ ଜାରି କରିଛନ୍ତି । ଗତବର୍ଷ ଭଳି ଚଳିତ ଥର ମଧ୍ୟ ସର୍ବସାଧାରଣ ସ୍ଥଳରେ ଲୋକେ ହୋଲି ଖେଳିପାରିବେ ନାହିଁ। ସର୍ବସାଧାରଣସ୍ଥଳରେ ହୋଲି ଖେଳିବା ଉପରେ କଟକଣା ଜାରି କରାଯାଇଛି । ଲୋକେ ନିଜ ପରିବାର ଲୋକଙ୍କ ସହିତ ଘର ଭିତରେ ହୋଲି ଖେଳିପାରିବେ। ସେହିପରି ସାଧାରଣ ଲୋକ ଯାତାୟତ କରୁଥିବା ରାସ୍ତାରେ ମଧ୍ୟ ରଙ୍ଗ ଖେଳିପାରିବେ ନାହିଁ । ତେବେ ମହାଶିବରାତ୍ରି ପାଳନ ନିମନ୍ତେ ପୂର୍ବରୁ ଜାରି ନିର୍ଦ୍ଦେଶନାମା ଅନୁସାରେ କୋଭିଡ୍ ଗାଇଡ଼ଲାଇନ୍ ମଧ୍ୟରେ ପାଳିତ ହେବ ଦୋଳ ପୂର୍ଣ୍ଣିମା। ଏହି ସମୟରେ ଲୋକେ ସାମାଜିକ ଦୂରତା, ମାସ୍କ ଓ ସାନିଟାଇଜର ଉପଯୋଗ କରି ଆବଶ୍ୟକ କୋଭିଡ୍ ଗାଇଡ଼ଲାଇନ ମଧ୍ୟରେ ଏହା ପାଳନ କରିବେ। ମହାଶିବରାତ୍ରି ଓ ଦୋଳ ମେଳଣ ନିମନ୍ତେ ଜିଲାପାଳ ଓ ମହାନଗର ନିଗମ କମିଶନର ମଧ୍ୟ ମନ୍ଦିର ଭିତରେ ଓ ବାହାରେ ଲୋକଙ୍କ ଏକଜୁଟ ହେବାକୁ ନେଇ ଆବଶ୍ୟକ କଟକଣା ଜାରି କରିପାରିବେ। ସ୍ଥାନୀୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲାପାଳ ଓ ମହାନଗର ନିଗମ କମିସନର କଟକଣା ଲଗାଇ ପାରିବେ ବୋଲି ସ୍ବତନ୍ତ୍ର ରିଲିଫ୍ କମିସନର ପକ୍ଷରୁ ଜାରି ହୋଇଥତ୍ବା ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି।
ରାଜ୍ୟ ସରକାରଙ୍କର ଗାଇଡଲାଇନ୍ ଅନୁସାରେ ୨୦୨୨ ମାର୍ଚ୍ଚ ୧ ତାରିଖ ସକାଳ ୫ଟାରୁ ୩୧ ତାରିଖ ସକାଳ ୫ଟା ପଯର୍ୟନ୍ତ ରାତ୍ରିକାଳୀନ କର୍ଫ୍ଯୁ କଟକଣା ଉଠାଇ ଦିଆଯାଇଛି । କିନ୍ତୁ ଅନେକ ସମୟରେ ସମସ୍ତ କାର୍ଯ୍ୟକ୍ରମ କୋଭିଡ-୧୯ କଟକଣା ସହିତ କରାଯିବ । ସାମାଜିକ, ଧାର୍ମିକ, ରାଜନୈତିକ ଓ କ୍ରୀଡ଼ା ସମାବେଶରେ କରୋନା କଟକଣା ନିୟମ ମାନିବାକୁ ହେବ।
ସେହିପରି ପ୍ରଦର୍ଶନୀ, ବାଣିଜ୍ୟ ମେଳା, ଏକ୍ସପୋ ମଧ୍ୟ କୋଭିଡ କଟକଣା ଅନୁସାରେ ହେବ । ନିର୍ବାଚନ କମିସନଙ୍କ ଘୋଷଣା ଅନୁସାରେ ନିର୍ବାଚନ ରାଲି ହେବ ସେହିଭଳି ବିବାହ, ବ୍ରତ ଓ ଅନ୍ୟ ସାମାଜିକ କାର୍ଯ୍ଯକ୍ରମରେ ସର୍ବାଧିକ ୫୦୦ ଜଣଙ୍କୁ ଅନୁମତି ମିଳିବ। ଅନ୍ତ୍ୟେଷ୍ଟିକ୍ରିୟାରେ ୨୫୦ ଲୋକ ସାମିଲ ହୋଇପାରିବେ । ବିବାହ ଶୋଭାଯାତ୍ରାରେ ସର୍ବାଧିକ ୧୦୦ ଜଣ ଯୋଗଦେଇପାରିବେ। ଏହି ସବୁ କୋଭିଡ୍ ଗାଇଡଲାଇନକୁ କଡ଼ାକଡ଼ି ପାଳିବାକୁ ନିର୍ଦ୍ଦେଶ ଦିଆଯାଇଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: