ସୁଧୁରିବ ଗ୍ରାମୀଣ ଅର୍ଥନୀତି: ଗାଁ ପାଇଁ ରାଜ୍ୟ ସରକାରଙ୍କ ସଞ୍ଜିବନୀ

ସୁଧୁରିବ ଗ୍ରାମୀଣ ଅର୍ଥନୀତି: ଗାଁ ପାଇଁ ରାଜ୍ୟ ସରକାରଙ୍କ ସଞ୍ଜିବନୀ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: କୋରୋନା ମହାମାରୀରେ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ପଡ଼ିଥିବା ଗ୍ରାମାଞ୍ଚଳ ବାସିନ୍ଦାଙ୍କ ପାଇଁ ସରକାରଙ୍କ ସଂଜୀବନୀ। ଓଡ଼ିଶାର ଗ୍ରାମୀଣ ଅର୍ଥିନୀତିକୁ ସୁଧାରିବା ପାଇଁ ରାଜ୍ୟ ସରକାର ବଡ଼ ପ୍ଯାକେଜ ଘୋଷଣା କରିଛନ୍ତି। ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ରହିଛି ୪ ପ୍ରକାର ପ୍ଯାକେଜ। ଏଥିରେ ବିଭିନ୍ନ ପ୍ରକାର ଉଦ୍ଯୋଗ ପାଇଁ ଋଣ ପ୍ରଦାନର ବ୍ଯବସ୍ଥା କରାଯାଇଛି। ଏହାଦ୍ୱାରା ଗ୍ରାମୀଣ ଅଣୁ ଏବଂ କ୍ଷୁଦ୍ର ଉଦ୍ଯୋଗୀ, କୁଶଳୀ ଏବଂ ଅର୍ଦ୍ଧକୁଶଳୀ ପ୍ରବାସୀ ଫେରନ୍ତା, କୃଷି ଏବଂ ଅଣକୃଷି କ୍ଷେତ୍ରରେ କାମ କରୁଥିବା ଉତ୍ପାଦକ ତଥା ଉଦ୍ଯୋଗୀ ଉପକୃତ ହେବେ। ପ୍ରଥମ ପ୍ଯାକେଜରେ ଗ୍ରାମୀଣ ଅଣୁ ଓ କ୍ଷୁଦ୍ର ଉଦ୍ଯୋଗର ବିକାଶ ପାଇଁ ପ୍ରତ୍ଯେକ ଉଦ୍ଯୋଗୀଙ୍କୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଏକକାଳୀନ ଋଣ ମିଳିବ।

ସ୍ବୟଂସହାୟକ ଗୋଷ୍ଠୀର ସଭ୍ଯା କିମ୍ବା ସେମାନଙ୍କ ପରିବାର ସଦସ୍ଯ କୃଷି ଏବଂ ଅଣକୃଷି ଉଦ୍ଯୋଗର ବିକାଶ ନିମନ୍ତେ ଏହି ଋଣ ନେଇପାରିବେ। ଦ୍ବିତୀୟ ପ୍ଯାକେଜରେ କୃଷି ଓ ଅଣକୃଷି କ୍ଷେତ୍ରରେ ନିୟୋଜିତ ବ୍ଯକ୍ତିଙ୍କୁ ନେଇ ଗଠିତ ଉଦ୍ଯୋଗୀ ଗୋଷ୍ଠୀ ଓ ଉତ୍ପାଦକ ଗୋଷ୍ଠୀଙ୍କୁ ଏକକାଳୀନ ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଳିବ ଋଣ। ୬ ମାସରୁ ଅଧିକ ଉଦ୍ଯୋଗୀ ଗୋଷ୍ଠୀ ଏବଂ ଏକବର୍ଷରୁ ଊର୍ଦ୍ଧ୍ୱ ଉତ୍ପାଦକ ଗୋଷ୍ଠୀ ଏହି ଋଣ ପାଇବା ପାଇଁ ଯୋଗ୍ଯ ବିବେଚିତ ହେବେ। ତୃତୀୟ ପ୍ଯାକେଜରେ ଅତିଗରିବ ଓ ଅସହାୟ ପରିବାର ଯଥା ଦିବ୍ଯାଙ୍ଗ, ଆଦିମ ଜନଜାତି, ବିଧବା, ତୃତୀୟଲିଙ୍ଗୀ, ନିରାଶ୍ରୟ ଏବଂ ମହିଳାମୁଖ୍ଯ ଥିବା ପରିବାର ଦ୍ବାରା ପରିଚାଳିତ ଉଦ୍ଯୋଗ ତଥା ଜୀବିକାର ଉନ୍ନତି ନିମନ୍ତେ ୨୦ ହଜାର ଟଙ୍କା ଯାଏଁ ଋଣ ଦିଆଯିବ। ସେହିଭଳି ଶେଷ ତଥା ଚତୁର୍ଥ ପ୍ଯାକେଜରେ କୋଭିଡ୍-19 ମହାମାରୀ ସମୟରେ ରାଜ୍ଯକୁ ଫେରିଥିବା କୁଶଳୀ ଏବଂ ଅର୍ଦ୍ଧକୁଶଳୀ ପ୍ରବାସୀ ଫେରନ୍ତାଙ୍କ ଦ୍ବାରା ପୁରୁଣା ଉଦ୍ଯୋଗର ବିକାଶ ଓ ନୂଆ ଉଦ୍ଯୋଗର ଆରମ୍ଭ ପାଇଁ ଲକ୍ଷେ ଟଙ୍କା ଯାଏଁ ମିଳିପାରିବ ଋଣ। ଏହି ଋଣ ପାଇଁ ରହିଛି ୨%, ୫% ଏବଂ ୭% ସୁଧ ବ୍ୟବସ୍ଥା। ଏଥିରେ ୬ ମାସର ମୋରାଟୋରିୟମ ପିରିୟଡ୍ ସହ ଆହୁରି ବି ସୁବିଧା ରହିଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: